Unknown

 

 

 

 

 

 

 

 

 

 

 

ଆତଙ୍କିତ ସହର

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ପରିଚୟ

 

ସାରା ପୃଥିବୀରେ ଇଂରାଜୀ ଜାଣିଥିବା ଡିଟେକ୍‌ଟିଭ ଉପନ୍ୟାସ-ପାଠକମହଲରେ ‘‘ଶାର୍ଲକ ହୋମ୍‌ସ’’ ନାମ ଅତି ବେଶୀ ପରିଚିତ । ଏହାର ସ୍ରଷ୍ଟା ସାର ଅର୍ଥର୍‌ କୋନ୍‌ୟାନ୍‌ ଡାଏଲ ଏ ଯୁଗର ସର୍ବଶ୍ରେଷ୍ଠ ଡିଟେକ୍‌ଟିଭ ଉପନ୍ୟାସ ଲେଖକ ବୋଲି ଖ୍ୟାତ । ତାଙ୍କ ଲେଖାର ଶୈଳୀ, ଚରିତ୍ରଚିତ୍ରଣ ଓ ଭାଷା-ପ୍ରକାଶର ଭଙ୍ଗୀ ଯେପରି କି ପାଠକମନରେ ଇନ୍ଦ୍ରଜାଲ ସୃଷ୍ଟି କରିଦିଏ । ସେ ଲେଖାର ଆହୁରି ବିଶେଷତ୍ୱ ଏହି ଯେ, ପାଠକ ଉପନ୍ୟାସ ଶେଷ ନ କରିବା ଯାଏ ଘଟଣାବଳୀର ପରିଣତି ସମ୍ପର୍କରେ କିଛିହେଲେ ଧାରଣା କରିପାରେ ନାହିଁ । ଶେଷ ପୃଷ୍ଠାର ଶେଷ ଅନୁଚ୍ଛେଦଟି ପଢ଼ିଦେବାକ୍ଷଣି ନିଜ ପ୍ରତି ଧିକ୍‌କାର ଆସେ–‘‘ମୁଁ ଏଡ଼େ ବୋକା ନା, ଏହି ସାମାନ୍ୟ କଥାଟା ଏପର୍ଯ୍ୟନ୍ତ ଧରିପାରି ନ ଥିଲି’’ ।

 

କୋନ୍‌ୟାନ ଡାଏଲଙ୍କ ଅନ୍ୟାନ୍ୟ ପ୍ରସିଦ୍ଧ ଉପନ୍ୟାସ ମଧ୍ୟରେ Valley of fear ଅନ୍ୟତମ । ଆତଙ୍କିତ ସହର ସେହି ଉପନ୍ୟାସର ଦ୍ୱିତୀୟ ଖଣ୍ଡର ସଂକ୍ଷିପ୍ତ ଅନୁବାଦ । ଏହାର ପ୍ରଥମ ଖଣ୍ଡ ଦ୍ୱିତୀୟ ଖଣ୍ଡର ଅନୁପୂରକ ମାତ୍ର; ପୁଣି ଦ୍ୱିତୀୟ ଖଣ୍ଡହିଁ ବେଶୀ କୌତୁହଳପ୍ରଦ । ତେଣୁ ଦ୍ୱିତୀୟ ଖଣ୍ଡି ଆଗ ଅନୁବାଦ କରି ଓଡ଼ିଆ ପାଠକମାନଙ୍କ ହାତରେ ଦେଲି । ଏହା ମୂଳ ଲେଖାର ଆକ୍ଷରିକ ଅନୁବାଦ ନୁହେ । ବର୍ଣ୍ଣନାଗୁଡ଼ିକ ସ୍ଥାନେସ୍ଥାନେ ଯଥାସମ୍ଭବ କମାଇ ଦିଆଯାଇଛି; ମାତ୍ର ଘଟଣାବଳୀର ସାବଲୀଳତା ଭାଙ୍ଗି ନାହିଁ ।

 

ଆଉ ଗୋଟିଏ କଥା । ଏହି ଉପନ୍ୟାସରେ ବର୍ଣ୍ଣିତ ଘଟଣା ସ୍ଥଳ ଭର୍ମିସା ଉପତ୍ୟକା ଠିକ୍‌ ଆମର ନିକଟରେ ଗଢ଼ି ଉଠିଥିବା ରାଉରକେଲା କାରଖାନା ଓ ସହର ସହିତ ଖାପ୍‌ ଖାଇଯାଉଅଛି । ତେଣୁ କେତେକ ବନ୍ଧୁ ପରାମର୍ଶ ଦେଉଥିଲେ, ଉପନ୍ୟାସର ଚରିତ୍ରଗୁଡ଼ିକୁ ଓଡ଼ିଆ ନାମରେ ବଦଳାଇ ରାଉରକେଲାକୁ ହିଁ ଉପନ୍ୟାସର ପୀଠସ୍ଥଳୀ କର । ମାତ୍ର ମୋର ମତ, ଭାରତୀୟ ଶିକ୍ଷା ସଂସ୍କୃତି ଯାହା, ସେଥିରେ ଏଭଳି ଡିକେଟ୍‌ଟିଭ ଉପନ୍ୟାସର ନାୟକ-ନାୟିକା ଏଠାରେ ସୃଷ୍ଟି କରିବା ବିଡ଼ମ୍ବନା । ତେଣୁ ମୁଁ ସେଥିରୁ ବିରତ ହେଲି ।

 

ଏ ଖଣ୍ଡିକ ସାଧାରଣରେ ଆଦୃତ ହେଲେ, ଏହାର ଅନ୍ୟ ଖଣ୍ଡକ ତଥା ‘ଶାର୍ଲକ ହୋମ୍‌ସ’ର ଅନ୍ୟାନ୍ୟ କାର୍ଯ୍ୟକଳାପ ଅନୁବାଦ କରିବାରେ ଉତ୍ସାହିତ ହେବି ।

Image

 

‘ଯମଦୂତ’ ଦଳ

 

୧୮୭୫ ମସିହା ଫେବୃୟାରୀ ଚାରି ତାରିଖ ।

 

ଆମେରିକା ଯୁକ୍ତରାଷ୍ଟ୍ରର ଭର୍ମିସା ଉପତ୍ୟକା ଅଭିମୁଖରେ ପାହାଡ଼ିଆ ପଥ ଦେଇ ଛୋଟ ରେଳଗାଡ଼ିଟି ମୃଦୁମନ୍ଥର ଗତିରେ ଅଗ୍ରସର ହେଉଅଛି ।

 

ଦୁଇ ଦିନ ହେଲା ଅନବରତ ବରଫ ପଡ଼ୁଅଛି । ରେଳରାସ୍ତାର ଧାରଣା ଦୁଇଟି ବରଫତଳେ ଲୁଚିଯାଇଅଛି । ତେଣୁ ଗାଡ଼ିର ଗତି ଏଭଳି ଧୀର । ଆଗେଆଗେ ଗୋଟାଏ ଇଞ୍ଜିନ ବରଫ କାଟି ବାଟ ପରିଷ୍କାର କରିକରି ଯାଉଅଛି । ପଛରେ ବହୁ ଧରଣର, ବିଭିନ୍ନ ପୋଷାକର ଯାତ୍ରୀମାନଙ୍କୁ ବକ୍ଷରେ ଧରି ଯାତ୍ରୀଗାଡ଼ିଟି ଚାଲିଅଛି ।

 

ଗାଡ଼ି ମଧ୍ୟରେ ଥିବା ଅଧିକାଂଶ ଯାତ୍ରୀ କୁଲି ମଜୁରିଆ ଶ୍ରେଣୀର ଲୋକ । ସେମାନଙ୍କ ମଧ୍ୟରୁ କେହି କେହି ଛୁଟି ପରେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଯାଉଅଛନ୍ତି; କେହି ବା କାର୍ଯ୍ୟର ଅନୁସନ୍ଧାନରେ ଯାଉଅଛନ୍ତି ।

 

କୋଡ଼ିଏ ବର୍ଷ ତଳେ ଭର୍ମିସା ନାମ ବେଶୀ କେହି ଜାଣି ନ ଥିଲେ । ଏହି ବଣଜଙ୍ଗଲପୂର୍ଣ୍ଣ ପାହାଡ଼ିଆ ଉପତ୍ୟକା ଅଞ୍ଚଳ ଶିକ୍ଷା ସଭ୍ୟତାର ବହୁ ଦୂରରେ ବଡ଼ ଅବଜ୍ଞାତ ଭାବରେ ପଡ଼ି ରହିଥିଲା । କିନ୍ତୁ ଯେଉଁ ଦିନ ସେହି ପାହାଡ଼ର ମୂଲ୍ୟହୀନ ରୁକ୍ଷ ପଥର ତଳେ ବହୁମୂଲ୍ୟ କୋଇଲାର ସନ୍ଧାନ ମିଳିଲା, ସେହି ଦିନଠାରୁ ଦେଖୁଦେଖୁ ଏହି ନିର୍ଜନ ଜଙ୍ଗଲଭୂଇଁ ଗୋଟିଏ ସହରରେ ପରିଣତ ହୋଇଉଠିଲା । ହୋଟେଲ, ଲାଇବ୍ରେରୀ, ସ୍କୁଲ, କ୍ଳବ–ଏ ସମସ୍ତ ଗୋଟିଗୋଟି ହୋଇ ଦେଖାଦେଲା । ବିଭିନ୍ନ ଦେଶରୁ ବ୍ୟବସାୟୀମାନେ ଆସି ସ୍ଥାନେସ୍ଥାନେ ଜମି ଖୋଳି ମାଟିତଳୁ କୋଇଲା ବାହାର କଲେ । ଚାହୁଁ ଚାହୁଁ ହଜାର ହଜାର ଲୋକ–ସ୍ତ୍ରୀ ପୁରୁଷ, ବାଳକ ବାଳିକା ଆସି ଏଠାରେ କାମରେ ଲାଗିପଡ଼ିଲେ । ଧନ ଉପାର୍ଜନ ପାଇଁ ଏହି ନିର୍ବାନ୍ଧବ ପୁରୀ ହେଲା ସେମାନଙ୍କର ବାସସ୍ଥାନ । ଏ ଅଞ୍ଚଳର ଶିକ୍ଷା ସଭ୍ୟତା ବଢ଼ିଉଠିଲା ସତ; ମାତ୍ର ଆମେରିକା ଯୁକ୍ତରାଷ୍ଟ୍ରର ଜୀବନଧାରା ସହିତ ଯେପରି କି ସେ କୌଣସି ସମ୍ପର୍କ ରଖିପାରିଲା ନାହିଁ-। ପାହାଡ଼ ଜଙ୍ଗଲ ମଝିରେ ଏହା ଗୋଟାଏ ନୂତନ ରୂପ ଧରି ମୁଣ୍ଡ ଟେକି ଠିଆହେଲା । ତାର ସାମାଜିକ ରୀତିନୀତି, ତାର ଶାସନ ପରିଚାଳନା, ତାର ପୋଲିସ, ତାର ଦୈନନ୍ଦିନ ଜୀବନଯାତ୍ରା ଚାରିଆଡ଼ର ବିରାଟ ପାହାଡ଼ ପାଚେରୀ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବରେ ଯେପରି କି ଗଢ଼ିଉଠିଲା-

 

ରେଳଗାଡ଼ି ମଧ୍ୟରେ ଯେଉଁ ଯାତ୍ରୀମାନେ ବସିଥିଲେ, ସେମାନେ ପରସ୍ପରର ସମ୍ପୂର୍ଣ୍ଣ ଅପରିଚିତ । କିଏ ଯେ କେତେ ଦୂରରୁ, କେଉଁ ଅଞ୍ଚଳରୁ ଆସିଛି, ତାର କିଛି ଠିକଣା ନାହିଁ । ତଥାପି ସେମାନେ ଗାଡ଼ିଭିତରେ ବାଧ୍ୟ ହୋଇ ଆଖପାଖରେ ବସିଥିବା ଲୋକଙ୍କ ସହିତ କ୍ଷଣିକ ବନ୍ଧୁତା କରିନେଇଅଛନ୍ତି; କଥାବାର୍ତ୍ତା, ହସକୌତୁକ ଲଗାଇ ଦେଇଅଛନ୍ତି । ତାର କାରଣ, ବୈଚିତ୍ର୍ୟହୀନ ଦୀର୍ଘ ପାହାଡ଼ିଆ ପଥ । ବରଫରେ ଦୁଇ ପାଖର ଗଛପତ୍ର ମଧ୍ୟ ଚୂନଧଉଳା କୋଠା ପରି ହୋଇଯାଇଅଛି । ଦେଖିବାକୁ କିଛି ନୂଆ କଥା ନାହିଁ କି ରେଳଗାଡ଼ିର ଘର୍ଘର ଶବ୍ଦ ବ୍ୟତୀତ ଶୁଣିବାର ଆଉ କିଛି ନାହିଁ । ଏଭଳି ଅବସ୍ଥାରେ ମଉନ ହୋଇ କେତେ ଜଣ ରହିପାରିବେ ? କେତେ ସମୟ ବା ରହିବେ ?

 

ମାତ୍ର ଗାଡ଼ି ମଧ୍ୟରେ କେବଳ ଜଣେ ଲୋକ ରହିଅଛି–ସେ କାହାରି ସାଙ୍ଗରେ ପଦେ ହେଲେ କଥାବାର୍ତ୍ତା କରୁ ନାହିଁ । ଯେପରି କି କାହା ସହିତ ମିଶିବାକୁ ସେ ଭୟ କରୁଅଛି । ଏକାକୀ ଗାଡ଼ି ବାହାରକୁ ସୁଦୂର ଦିଗ୍‌ବଳୟ ଆଡ଼କୁ ଏକଧ୍ୟାନରେ ଚାହିଁ ରହିଅଛି । ତା ଦେହର ଗଢ଼ଣ ଦେଖିଲେ ଜଣାଯାଏ, ଜଣେ ଯୁବକ, ପୁଣି ବଳିଷ୍ଠ ଯୁବକ । ମୁଖଭଙ୍ଗୀରୁ ଅନୁମାନ ହୁଏ, ସେ ଯେ ଏ ପଥ ଦେଇ ଯାଉଅଛି, ଏଠାରେ ତାକୁ କୌଣସି ଜିନିଷ ହେଲେ ଭଲ ଲାଗୁ ନାହିଁ । କପାଳରେ ବିରକ୍ତିର ଚିନ୍ତାରେଖା; ଆଖିପତାରେ ଅସନ୍ତୋଷର ଢେଉ ।

ପ୍ରଥମ ଦିନଟି ଯୁବକ ଚୁପ୍‌ଚାପ୍‌ ନୀରବରେ କଟାଇଦେଲେ । ତାଙ୍କ ଭାବଭଙ୍ଗୀ ଦେଖି ପାଖରେ ବସିଥିବା କୌଣସି ଯାତ୍ରୀ ତାଙ୍କ ସହିତ କଥାବର୍ତ୍ତା କରିବାକୁ ସାହସ କଲେ ନାହିଁ । ମାତ୍ର ଦ୍ୱିତୀୟ ଦିନ ଅବସ୍ଥା ଟିକିଏ ବଦଳିଗଲା । ଯୁବକ ଆଗରେ ଯେଉଁ ପ୍ରୌଢ଼ ବ୍ୟକ୍ତି ଜଣକ ବସିଥିଲେ, ସେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ; ଉପରେ ପଡ଼ି ଯୁବକଙ୍କ ସହିତ ବଳେବଳେ କଥା ଆରମ୍ଭ କରିଦେଲେ । ତାଙ୍କର ପ୍ରଥମ ପ୍ରଶ୍ନ ହେଲା–‘‘ଆପଣଙ୍କ ଚେହେରା ଦେଖି ମନେ ହେଉଅଛି, ଆପଣ ରୀତିମତ କୁସ୍ତିକସରତ କରନ୍ତି; ନୁହେ କି ?’’

ଯୁବକ ବାହାରୁ ଆଖି ଫେରାଇ ଆଣି ପ୍ରଶ୍ନକର୍ତ୍ତାଙ୍କୁ ଥରେ ଭଲ ରୂପେ ଦେଖିନେଲେ । ତା’ପରେ ମୁରୁକିହସା ଦେଇ କହିଲେ, ‘‘ମୁଁ ଯେଉଁ ଅଞ୍ଚଳରୁ ଆସୁଅଛି, ସେ ଅଞ୍ଚଳରେ ଚଳିବାକୁ ହେଲେ ଦେହରେ ଟିକିଏ ଶକ୍ତି ସାମର୍ଥ୍ୟ ଥିବା ନିତାନ୍ତ ଦରକାର ।’’

‘‘ଆପଣ କେଉଁଠାରୁ ଆସିଲେ କି ?’’ –ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ ।

‘‘ଚିକାଗୋ ସହରରୁ ଆସୁଅଛି ।’’

‘‘ଏ ଅଞ୍ଚଳକୁ ବୋଧହୁଏ ଆପଣ ପ୍ରଥମ ହୋଇ ଆସୁଅଛନ୍ତି ?’’

‘‘ହଁ, ଏ ଅଞ୍ଚଳ ମୋ ପକ୍ଷରେ ଏକାବେଳକେ ନୂଆ ।’’

‘‘କିନ୍ତୁ ଆପଣ ଯେଉଁଠାକୁ ଯାଉଅଛନ୍ତି, ସେଠାରେ କିଛି ଦିନ ରହିଲେ ବୁଝିଯିବେ ଯେ, ଏ ଶକ୍ତି ସାମର୍ଥ୍ୟ ସେଠାରେ ଅତି ବେଶୀ କାମ ଦେବ ।’’

ଯୁବକଙ୍କ ଆଖିରେ ଟିକିଏ କୌତୁକମିଶା ହସ ଫୁଟିଉଠିଲା । ସେ ବୋଧହୁଏ ବକ୍ରୋକ୍ତି କରି କହିଲେ, ‘‘ସତେ ନା ?’’

ପ୍ରୌଢ଼ ପୁଣି ପ୍ରଶ୍ନ କଲେ–ଆପଣ ଭର୍ମିସା ସହର ସଂପର୍କରେ କଅଣ କିଛି ଖବର ଜାଣନ୍ତି ନାହିଁ ? ସମ୍ବାଦପତ୍ର କେବେ କିପରି ପଢ଼ନ୍ତି ତ ?

‘‘ନାହିଁ ତ, ମୁଁ ସେପରି କିଛି ଜାଣିଥିଲା ପରି ମନେ ପଡ଼ୁନାହିଁ ।’’

‘‘ବଡ଼ ଆଶ୍ଚର୍ଯ୍ୟର କଥା ତ ! ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଯେ ଏ ଛୋଟ ସହର ଲାଗି ସରଗରମ ହୋଇ ଉଠିଲାଣି, ଅଥଚ ଆପଣ କିଛି ଜାଣନ୍ତି ନାହିଁ ବୋଲି କହୁଅଛନ୍ତି ! ହଉ, ଆପଣ ତ ସେଠାକୁ ଯାଉଅଛନ୍ତି । ରହିଲେ ଅଳ୍ପ ସମୟ ଭିତରେ ସବୁ ବୁଝିପାରିବେ ଯେ ! ବିଶେଷ କିଛି ଡେରି ହେବ ନାହିଁ ।’’

ଏତିକି ମାତ୍ର କହି ପ୍ରୌଢ଼ ବ୍ୟକ୍ତିଟି କେଜାଣି କାହିଁକି ମନକୁ ମନ ହସିଉଠିଲେ । ମୁହଁରୁ ହସର ଢେଉ ଲୁଚିଆସିବା ପରେ ପୁଣି ଯୁବକଙ୍କ ସହିତ କଥାବର୍ତ୍ତା ଆରମ୍ଭ କରିଦେଲେ ।

‘‘ଆପଣଙ୍କୁ ଗୋଟାଏ କଥା ପଚାରିବି; କିଛି ମନେ କରିବେ ନାହିଁ ତ ?’’

 

‘‘ପଚାରନ୍ତୁ–ମନେ କରିବାର କଅଣ ବା ଅଛି ?’’ –ଯୁବକ ଉତ୍ତରଦେଲେ ।

 

‘‘ଆଚ୍ଛା, ଆପଣ ସେଠାକୁ ଯାଉଛନ୍ତି କାହିଁକି ?’’

 

‘‘ଶୁଣିଅଛି, ସେଠାକୁ ଗଲେ କାମଦାମ କିଛି ମିଳିବ ।’’

 

‘‘ଆପଣ କଅଣ ମଜଦୁର ଇଉନିୟନର ଲୋକ ?’’

 

‘‘ନିଶ୍ଚୟ’’–ଯୁବକ ଟିକିଏ ଦୃଢ଼ସ୍ୱରରେ ଏ ଶବ୍ଦଟି ଉଚ୍ଚାରଣ କଲେ ।

 

‘‘ତା ହେଲେ, କିଛି କାମ ନିଶ୍ଚୟ ଯୋଗାଡ଼ କରିନେଇପାରିବେ । ସେଠାରେ କଅଣ କେହି ବନ୍ଧୁବାନ୍ଧବ ବା ଜଣାଶୁଣା ଲୋକ ଅଛନ୍ତି ?’’

 

‘‘ନା, ସେପରି ଅବଶ୍ୟ କେହି ନାହାନ୍ତି । ମାତ୍ର ମୋର ଭରସା ହେଉଅଛି, ଗଲାକ୍ଷଣି ସେପରି ଲୋକ ଯୋଗାଡ଼ କରିନେଇପାରିବି ।’’

 

‘‘କାହିଁକି ଏପରି ଭରସା କରୁଅଛନ୍ତି ?’’ –ପ୍ରୌଢ଼ଙ୍କ ପ୍ରଶ୍ନ ତାଚ୍ଛଲ୍ୟ ମିଶ୍ରିତ ।

 

‘‘ମୁଁ ‘ସ୍ୱାଧୀନମାନବ’ ଗୋଷ୍ଠୀର ଜଣେ ସଭ୍ୟ । ଶୁଣିଅଛି, ଆମେରିକାର ପ୍ରତ୍ୟେକ ଛୋଟ ବଡ଼ ସହରରେ ଆମର ଏହି କ୍ଳବର ଶାଖା ପ୍ରଶାଖା ରହିଅଛି । ତେଣୁ ଯେଉଁ ସ୍ଥାନକୁ ଯାଉଅଛି, ସେଠାରେ ଯଦି ଆମ କ୍ଳବର କୌଣସି ଶାଖା ଥାଏ, ତେବେ ନିଶ୍ଚୟ ବନ୍ଧୁ ଯୁଟିଯିବେ ।’’

 

ଯୁବକଙ୍କଠାରୁ ଏହି ଉତ୍ତର ଶୁଣି ପ୍ରୌଢ଼ ବ୍ୟକ୍ତିଙ୍କ ମୁହଁର ଚେହେରା ହଠାତ୍‌ ବଦଳିଗଲା-। ସଙ୍ଗେସଙ୍ଗେ ସେ ନିଜ ଆସନରୁ ଉଠିପଡ଼ି ଯୁବକଙ୍କ ବାମ ପାଖରେ ବସିପଡ଼ିଲେ ଏବଂ ନିଜର ଡାହାଣ ହାତକୁ ତାଙ୍କ ଆଗକୁ ବଢ଼ାଇଦେଲେ । ଯୁବକ ତତ୍‌କ୍ଷଣାତ୍‌ ନିଜର ଡାହାଣ ହାତରେ ଏକ ଚରମ ବିଶେଷ କାଇଦାର ସହିତ ପ୍ରୌଢ଼ଙ୍କ ଡାହାଣ ହାତକୁ ଚିପି ଧରି ହଲାଇଦେଲେ ।

 

ପ୍ରୌଢ଼ ଲୋକଟି ଟିକିଏ ନିମ୍ନ ସ୍ୱରରେ କହିଲେ, ‘‘ତୁମ କଥା ସତ କି ନୁହେଁ, ତା ଜାଣିବା ପାଇଁ ଆହୁରି ପ୍ରମାଣ ଦରକାର ।’’

 

ଯୁବକଟି ତତ୍‌କ୍ଷଣାତ୍‌ ନିଜ ଡାହାଣ ହାତରେ ଖାଇବି ଆଖିର ପତା ଟିକିଏ ଟାଣିଦେଲେ-। ପ୍ରୌଢ଼ ତାର ଉତ୍ତରରେ ତାଙ୍କ ବାମ ହାତରେ ନିଜ ଆଖିପତା ସ୍ପର୍ଶ କଲେ ।

 

ପ୍ରୌଢ଼ ଲୋକଟି ଗୁଣୁଗୁଣୁ ହୋଇ ମନ୍ତ୍ର ପଢ଼ିଲା ପରି କହିଲେ, ‘‘ଅନ୍ଧାର ରାତି, ବଡ଼ ଅସୁବିଧା ।’’

 

ଯୁବକଟି ଠିକ୍‌ ସେହି ସ୍ୱରରେ ସେହିଭଳି ଭଙ୍ଗୀରେ ଉତ୍ତର ଦେଲେ–‘‘ଯେ ବାଟ ଦେଖି ନାହିଁ, କେବଳ ତାହାରି ପାଇଁ ।’’

 

ପ୍ରୌଢ଼ ଲୋକଟି ମୁଖରେ ହସର ଲହରୀ ଖେଳିଗଲା । ଯୁବକଙ୍କୁ କୋଳରେ ଜାବୁଡ଼ି ଧରି କହିଲେ, ‘‘ସାବାସ୍‌, ଆଉ କିଛି ପ୍ରମାଣ ଦରକାର ନାହିଁ । ମୁଁ ହେଉଛି ୩୪୧ ନମ୍ବର ଭର୍ମିସା ସହର ‘ସ୍ୱାଧୀନମାନବ କ୍ଳବ’ର ସଭ୍ୟ–କମ୍ରେଡ଼ ସ୍କାନଲ୍ୟାନ୍‌ ।’’

 

ଯୁବକ ସେହିପରି ଉତ୍ସାହିତ ହୋଇ କହିଲେ, ‘‘ଅଶେଷ ଧନ୍ୟବାଦ । ମୁଁ ୨୯ ନମ୍ବର ଚିକାଗୋ କ୍ଳବର ସଭ୍ୟ କମ୍ରେଡ଼ ମ୍ୟାକ୍‍ମାର୍ଡ଼ୋ । ଏତେ ଶୀଘ୍ର ଯେ ଜଣେ କ୍ଳବ ଭାଇଙ୍କ ସାକ୍ଷାତ ମିଳିଯିବ, ଏ ଆଶା ମୁଁ କରି ନ ଥିଲି ।’’

 

ପ୍ରୌଢ଼ ପୂର୍ବ ପରି ଅତି ନିମ୍ନ ସ୍ୱରରେ କହିଲେ, ‘‘ଏହି ଅଞ୍ଚଳରେ ଆମ କ୍ଳବର ଯେଭଳି ପ୍ରତିପତ୍ତି, ଆମେରିକାର ଆଉ କୌଣସି ସହରରେ ସେଭଳି ନାହିଁ । ମୁଁ ଭାବୁଅଛି, ତୁମେ ଆମେ କ୍ଳବର ଜଣେ ସଭ୍ୟ ହୋଇ ମଧ୍ୟ ଚିକାଗୋ ସହରରେ ଖଣ୍ଡେ ଚାକିରୀ ଯୋଗାଡ଼ କରିପାରିଲ ନାହିଁ-? ଛାର ଚାକିରିଟିଏ ପାଇବା ଲାଗି ତୁମକୁ ଏ ଜନମାନବ ହୀନ ଅଞ୍ଚଳକୁ ଆସିବାକୁ ପଡ଼ିଲା-!’’

 

‘‘ମୁଁ ବହୁତ ଗୁଡ଼ାଏ କାମ ପାଇଥିଲି ।’’

 

‘‘ତେବେ ସେସବୁ ଛାଡ଼ିଲେ କାହିଁକି ?’’

 

ସେହି ଡବାରେ ଅଳ୍ପ ଦୂରରେ ଦୁଇ ଜଣ ପୋଲିସ କର୍ମଚାରୀ ବସିଥିଲେ । ସେମାନେ ଜଣେ ଅନ୍ୟ ଜଣକ କାନ୍ଧରେ ମୁଣ୍ଡ ରଖି ଘୁମାଉଥିଲେ । ମ୍ୟାକ୍‍ମାର୍ଡ଼ୋ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ହାତ ଆଙ୍ଗୁଠିରେ ସେହି ଦୁଇ ଜଣ ପୋଲିସଲୋକଙ୍କୁ ଦେଖାଇଦେଲେ–ଅର୍ଥାତ୍‌ ଏହିମାନଙ୍କ ଯୋଗେ ହିଁ ସେ ଚିକାଗୋ ସହର ଛାଡ଼ି ପଳାଇ ଆସିବାକୁ ବାଧ୍ୟ ହୋଇଅଛନ୍ତି ।

 

କାନପାଖକୁ ମୁହଁ ଆଣି ସ୍କାନଲ୍ୟାନ ଫୁସ୍‌ଫୁସ୍‌ କରି ପ୍ରଶ୍ନ କଲେ, ‘‘ଘଟଣା କଅଣ ? ଗୋଟାଏ କିଛି ହାସଲ କରିଛି ବୋଧହୁଏ ।’’

 

‘‘ବିଷମ ।’’

 

‘‘ହାତ ସଫାଇ ନା ଖୁଣ୍‌ ?’’

 

‘‘ଶୁଣି ଲାଭ କଅଣ ? ଏଠାରେ ଏଭଳି ପ୍ରଶ୍ନ କରିବା କଅଣ ଉଚିତ ହେଉଅଛି ?’’ –ଯୁବକଙ୍କ କଥାର ଭଙ୍ଗୀ ଓ ମୁହଁର ଚେହେରା ଦେଖି ସ୍କାନଲ୍ୟାନ୍‌ ବୁଝିପାରିଲେ ଯେ, ଅନ୍ୟ କ୍ଳବର କମ୍ରେଡ଼ ରାଗିଗଲେଣି । ତେଣୁ ସେକଥା ବଦଳାଇଦେଲେ ସେ ଅନ୍ୟ ପ୍ରସଙ୍ଗ ଉଠାଇଲେ–‘‘ଯାଇ କେଉଁଠାରେ ଉଠିବ, କିଛି ଠିକ୍‌ କରିଅଛ କି ?’’

 

ଯୁବକ ପକେଟ ଭିତରୁ ଛୋଟ କାଗଜ ଖଣ୍ଡେ ବାହାରକରି ପଢ଼ି କହିଲେ, ‘‘ସେରିଡ଼ନ୍‌ ଷ୍ଟିଟର ବୋର୍ଡ଼ିଂଘର । ଚିକାଗୋ କ୍ଳବର ଜଣେ କମ୍ରେଡ଼ ଏହିଠାରେ ରହିବା ପାଇଁ ମୋତେ ଠିକଣା ଦେଇଅଛନ୍ତି ।’’

 

‘‘ତା ହେଲେ ଭଲ କଥା । ତେବେ ମୁଁ ସେଠାରୁ ବହୁତ ଦୂରରେ ରହେ । ଗୋଟିଏ କଥା ମୁଁ ତୁମକୁ କହିଦେଉଅଛି–ଅବଶ୍ୟ କ୍ଳବର କମ୍ରେଡ଼ ହିସାବରେ ଏହା କହିବାର ଅଧିକାର ମୋର ନିଶ୍ଚୟ ଅଛି । ଯଦି କେବେ କୌଣସି ଆପଦ ବିପଦରେ ପଡ଼, ତେବେ ସିଧା ସଳଖ କ୍ଳବର ସର୍ଦ୍ଦାର ମ୍ୟାକ୍‌ଜିଣ୍ଟିଙ୍କ ପାଖକୁ ଚାଲିଯିବ । କାହିଁକି ନା, ଭଲରୂପେ ଜାଣିଥାଅ ଯେ ଏ ଅଞ୍ଚଳରେ ମ୍ୟାକ୍‌ଜିଣ୍ଟି ହିଁ ଏକମାତ୍ର ହର୍ତ୍ତାକର୍ତ୍ତା ଭାଗ୍ୟବିଧାତା । ସେ ଯାହା କରିବାକୁ ନ ଚାହେଁ, ତା କେବେହେଲେ ହୋଇପାରିବ ନାହିଁ । ପୁଣି ଯାହା ସେ କରିବାକୁ ଚାହିଁବ, ସେଥିରେ ବାଧା ଦେବ–ଏପରି ଶକ୍ତି କାହାରି ନାହିଁ । ଆଉ ମୁଁ କିଛି କହିବାକୁ ଚାହେଁ ନାହିଁ । ହୁଏ ତ କ୍ଳବରେ ପୁଣି ସାକ୍ଷାତ ହେବ ।’’

 

ସ୍କାନଲ୍ୟାନଙ୍କ କଥା ଶେଷ ହେବା ସଙ୍ଗେସଙ୍ଗେ ଗାଡ଼ିଟା ଗୋଟାଏ ଷ୍ଟେସନରେ ଆସି ଠିଆହେଲା । ସ୍କାନଲ୍ୟାନ ସେହି ଷ୍ଟେସନରେ ଓହ୍ଳାଇ ଗଲେ । ତା ପର ଷ୍ଟେସନରେ ମ୍ୟାକ୍‍ମାର୍ଡ଼ୋଙ୍କୁ ଓହ୍ଳାଇବାକୁ ହେବ ।

 

ସ୍କାନଲ୍ୟାନ ଓହ୍ଳାଇଯିବା ପରେ ପୋଲିସ କର୍ମଚାରୀ ଦୁଇ ଜଣ ମ୍ୟାକ୍‍ମାର୍ଡ଼ୋଙ୍କ ପାଖରେ ଆସି ବସିଲେ । ତାଙ୍କୁ ଅତି ନିକଟରେ ଦେଖି ମ୍ୟାକ୍‍ମାର୍ଡ଼ୋଙ୍କ ମୁହଁ କଳା ପଡ଼ିଗଲା ।

 

ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ପଚାରିଲା–‘‘କି ବାବୁ ସାହେବ ! ଏ ଅଞ୍ଚଳକୁ କଅଣ ନୂଆ ହୋଇ ଆସୁଅଛି ?’’

 

ମ୍ୟାକ୍‍ମାର୍ଡ଼ୋ ରାଗରେ ଏକପ୍ରକାର ଗର୍ଜନ କରି କହିଉଠିଲେ, ‘‘ହଁ ଆସିଛି ତ । କଅଣ ହୋଇଗଲା ସେଇଠୁ ?’’

 

ପୋଲିସ ଲୋକଟି ଟିକିଏ ବିଦ୍ରୂପ କଲା ପରି କହିଲା, ‘‘ନା କିଛି ହୋଇ ନାହିଁ ଯେ, ତେବେ ।’’

 

‘‘ତେବେ ଆଉ କଅଣ ?’’ –ମ୍ୟାକ୍‍ମାର୍ଡ଼ୋଙ୍କ କଥାରେ ପୂର୍ବର ସେହି ବିରକ୍ତିସୂଚକ ସ୍ୱର-

 

ଆସିବା ସଙ୍ଗେସଙ୍ଗେ ସ୍କାନଲ୍ୟାନ୍‌ ଭଳି ଲୋକ ସହିତ ଯେତେବେଳେ ହାତ ଧରାଧରି ହେଲାଣି, ତା ହେଲେ ଆଉ ବେଶୀ କିଛି ବିଳମ୍ବ ହେବ ନାହିଁ । ତୁମେ ଏ ଅଞ୍ଚଳରେ ଅପରିଚିତ । ତୁମକୁ ସାବଧାନ କରିଦେଉଅଛୁ, ବନ୍ଧୁତା କରିବାକୁ ଯଦି ଇଚ୍ଛା କର, ତେବେ ଆଉ ଅନେକ ଲୋକ ପାଇବ । ସ୍କାନଲ୍ୟାନ୍‌ ଭଳି ଲୋକ କବଳରେ ପଡ଼ିଲେ ବିପଦ ।’’

 

କଥାବର୍ତ୍ତା ବେଶ୍‌ ଉଚ୍ଚ ସ୍ୱରରେ ହେଉଥିଲା । ଡବାରେ ବସିଥିବା ସମସ୍ତ ଯାତ୍ରୀ କୌତୁକ ବୋଧ କରି ଏହା ଶୁଣିବାକୁ କାନ ଡେରିଥାଆନ୍ତି ।

 

ମ୍ୟାକ୍‍ମାର୍ଡ଼ୋ ପୂର୍ବଭଳି ଗର୍ଜନ କରି ଜବାବଦେଲେ, ‘‘ମୁଁ କାହା ସହିତ ବନ୍ଧୁତା କରିବି ନ କରିବି, ସେ ସମ୍ପର୍କରେ ଅନ୍ୟ କାହାରି ଠାରୁ ଉପଦେଶ ଶୁଣିବାକୁ ଚାହେଁ ନାହିଁ । ମୁଁ କଅଣ ତୁମକୁ ନେହୁରା ହୋଇ କହୁଅଛି–ହଜୁର ପୋଲିସବାଲେ, ମୋ ପାଇଁ ଗୋଟାଏ ବଡ଼ ବନ୍ଧୁ ଦୟାପୂର୍ବକ ଠିକ୍‌ କରିଦିଅନ୍ତୁ ? ଦୁନିଆର ଚାରିଆଡ଼େ ତ ପୋଲିସଲୋକେ ହିଁ ସମସ୍ତଙ୍କର ବଡ଼ ବନ୍ଧୁ–ପୁଅଙ୍କ ମାମୁଁ । ସେ ପୁଣି ଅନ୍ୟକୁ ବନ୍ଧୁ ବାଛିଦେବେ କଅଣ ?’’

 

ଯୁବକଙ୍କ କଣ୍ଠସ୍ୱର ଶୁଣି, କଥା କହିବାର ଢଙ୍ଗ ଦେଖି ପୋଲିସ କର୍ମଚାରୀ ଦୁଇ ଜଣ ଟିକିଏ ଦବିଗଲେ । ମୁହଁଟାମାନ ଆମ୍ବିଳା କରିଦେଇ ଥକେଇ ଥକେଇ କହିଲେ, ‘‘ରାଗୁଛ କାହିଁକି ବାବୁ ? ତୁମରି ଭଲ ପାଇଁ କହୁଥିଲୁ ସିନା !’’

 

ମାତ୍ର ମ୍ୟାକ୍‍ମାର୍ଡ଼ୋ ସେହିପରି ତେଜର ସହିତ କହି ଉଠିଲେ, ‘‘ତୁମେ ସବୁ ପୋଲିସଲୋକ । ତୁମମାନଙ୍କୁ ମୁଁ ହାଡ଼େହାଡ଼େ ଚିହ୍ନିଅଛି । ଆହା ହା, ଲୋକଙ୍କ ଭଲ ପାଇଁ ତୁମକୁ ସତେ ଯେପରି ରାତିରେ ନିଦ ହେଉ ନାହିଁ !’’

 

ଦ୍ୱିତୀୟ ପୋଲିସ କର୍ମଚାରୀଟି ଏପର୍ଯ୍ୟନ୍ତ ଚୁପ୍‌ ହୋଇ ବସି ରହିଥିଲା । ମ୍ୟାକ୍‍ମାର୍ଡ଼ୋଙ୍କ କଥା ଶୁଣି ସେ ଆଉ ସମ୍ଭାଳି ନ ପାରି କହିପକାଇଲା, ‘‘ଆରେ, ଏ ତ ନବାବଙ୍କ ନାତି ।’’

 

ସଙ୍ଗୀ କଥାରେ ଏକମତ ହୋଇ ପ୍ରଥମ ବ୍ୟକ୍ତି ଜବାବଦେଲା, ‘‘ଠିକ କଥା ।’’

 

ତା ପରେ ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ କହିଲା, ‘‘ଜଣାଯାଉଅଛି, ଶ୍ରୀ ହଜୁରଙ୍କ ସହିତ ଅତି ଶୀଘ୍ର ଦେଖାସାକ୍ଷାତ ହୋଇଯିବ ।’’

 

ମ୍ୟାକ୍‍ମାର୍ଡ଼ୋ ତିଳେ ହେଲେ ଭ୍ରୂକ୍ଷେପ ନ କରି କହିଉଠିଲେ, ‘‘ହଁ ହଁ, ଦେଖା କରିବାକୁ ଯଦି ଇଚ୍ଛା, ତେବେ ଦେଖା କର । ମୁଁ ଆଗରୁ ଜଣାଇଦେଉଅଛି, ମୋ ନାମ ଜନ ମ୍ୟାକ୍‍ମାର୍ଡ଼ୋ । ମୁଁ ଯାଇ ଉଠିବି ସେରିଡ଼ନ୍‌ ଷ୍ଟ୍ରିଟରେ ଥିବା ବୋର୍ଡ଼ିଂ ଘରେ । ଦିନ ହେଉ ବା ରାତି ହେଉ–ଯେତେବେଳେ ତୁମ ମନ ହେବ, ମୋ ପାଖକୁ ଆସିବ । ଏକା ନ ଆସିପାରିଲେ, ଭାଇ ବନ୍ଧୁମାନଙ୍କୁ ଧରି ଆସିବ ।’’

 

ପୋଲିସ କର୍ମଚାରୀ ଦୁହେଁ ଆଉ କିଛି ନ କହି ଚୁପ୍‌ଚାପ୍‌ ବସିରହିଲେ । କ୍ରୋଧରେ ମନ କୁହୁଳୁଥାଏ; ପେଟଭିତର ଯେପରି ଘାଣ୍ଟି ଚକଟି ହୋଇଯାଉଥାଏ ।

 

ଗାଡ଼ିଭିତରେ ଆଉ ଯେତେ କୁଲି ମଜୁରିଆ ଥିଲେ, ପୋଲିସ ଦୁଇ ଜଣ ଏଭଳି ଅପମାନ ପାଇବାର ଦେଖି ସେମାନେ ମହା ଖୁସି । ତାଙ୍କରି ଭିତରୁ ଜଣେ ଅଜଣା ଅଶୁଣା ଲୋକ ପୋଲିସକୁ ଏପରି କଡ଼ାକଡ଼ା କଥା କହି ଜବତ୍‌ କରିଦେଲା; ଏହା ବଡ଼ ଗୌରବର କଥା ବୋଲି ସେମାନେ ଭାବିଲେ । ଜଣେ ନିଜ ବସିବା ସ୍ଥାନରୁ ଉଠିଆସି ମ୍ୟାକ୍‍ମାର୍ଡ଼ୋଙ୍କ ପିଠି ଆଉଁସି କହିପକାଇଲା, ‘‘ସାବାସ୍‌ ଭାଇ, ସାବାସ୍‌ । ଖୁବ୍‌ ଭଲ କାମ କରିଅଛ । ବେଶ୍‌ ଦୁଇ କଥା ଶୁଣେଇଦେଇଅଛ ।’’

 

ଏହି ସମୟରେ ଗାଡ଼ି ଆସି ଶେଷ ଷ୍ଟେସନରେ ଠିଆ ହେଲା । ଯାତ୍ରୀମାନେ ନିଜ ନିଜ ଗଣ୍ଠିଲିପତ୍ର ଧରି ଓହ୍ଳାଇପଡ଼ିଲେ ।

 

ମ୍ୟାକ୍‍ମାର୍ଡ଼ୋ ପ୍ଳାଟଫର୍ମର ବାହାରକୁ ଆସି ଜଣେ କୁଲି ଶ୍ରେଣୀର ଲୋକକୁ ସଙ୍ଗୀରୂପେ ପାଇଲେ । ବାଟ ଚାଲୁଚାଲୁ ତା ସହିତ ନାନାପ୍ରକାର କଥାବର୍ତ୍ତା ହେଲେ । ସେ ତ ଏ ସହରରେ ନୂଆ; ବିଦେଶୀ ଲୋକ; ତେଣୁ ଏ ଅଞ୍ଚଳ ସମ୍ପର୍କରେ କିଛି ଜାଣନ୍ତି ନାହିଁ । ତେଣୁ ସଙ୍ଗୀ କୁଲି ଜଣକୁ ନାନା ପ୍ରକାର ପ୍ରଶ୍ନ ପଚାରି ବହୁତ କିଛି କଥା ଶୁଣିଲେ ।

 

ସହରର ଗୋଟିଏ ରାସ୍ତାରେ ଯାଉଯାଉ ସଙ୍ଗୀଟି ଗୋଟାଏ ବଡ଼ କୋଠାଘର ଦେଖାଇଦେଲା । କହିଲା, ‘‘ଏ ଘରଟା ହେଉଅଛି ମ୍ୟାକ୍‌ଜିଣ୍ଟିର ହୋଟେଲ; ଗୋଟାଏ ଅତି ନିଉଛଣା ଦଳ ଲୋକଙ୍କର ବୈଠକଜାଗା ।’’

 

କୌତୂହଳୀ ହୋଇ ମ୍ୟାକ୍‍ମାର୍ଡ଼ୋ ସେ ସଙ୍ଗୀକୁ ପଚାରିଲେ, ‘‘ଆଚ୍ଛା, ସେ ମ୍ୟାକ୍‍ଜିଣ୍ଟି ଲୋକଟି କିପରି ?’’

 

ସଙ୍ଗୀ ଜଣକ ଅବାକ୍‌ ହୋଇ କହିଉଠିଲା, ‘‘କି କଥା ? ତୁମେ କଅଣ ମ୍ୟାକ୍‍ଜିଣ୍ଟି ନାମ କେବେ ଶୁଣି ନାହିଁ ?’’

 

‘‘କିପରି ବା ଶୁଣିବି ? ମୁଁ ଯେ ଏ ଅଞ୍ଚଳରେ ବିଦେଶୀ; ଏଇ ଥରକ ପ୍ରଥମ ହୋଇ ଆସୁଅଛି ।’’

 

‘‘ତା ହେଲେ କଅଣ ହେଲା ? ଏଠାରେ ଆମମାନଙ୍କର ଧାରଣା ଯେ, ମ୍ୟାକ୍‍ଜିଣ୍ଟି ର ନାମ ଆମେରିକାର ସବୁ ଅଞ୍ଚଳର ସମସ୍ତେ ଜାଣନ୍ତି, ସମସ୍ତେ ଶୁଣିଅଛନ୍ତି । ପ୍ରାୟ ପ୍ରତିଦିନ ତ କୌଣସି ନା କୌଣସି ଖବରକାଗଜରେ ତା ନାମରେ ନାନା କଥା ପ୍ରକାଶ ପାଇଥାଏ ।’’

 

‘‘କାହିଁକି ? ସେ ଏପରି କଅଣ କି ?’’ –ମ୍ୟାକ୍‍ମାର୍ଡ଼ୋ କୌତୁକ ଭଙ୍ଗୀରେ ପ୍ରଶ୍ନ କଲେ-। ସଙ୍ଗୀଜଣକ ଉତ୍ତର ଦେବା ପୂର୍ବରୁ ମୁଣ୍ଡ ଘୂରାଇ ଚାରିଆଡ଼କୁ ଥରେ ଚାହିଁଦେଲା । ତା ପରେ ଆସ୍ତେଆସ୍ତେ କାନପାଖରେ କହିଲା, ‘‘ସେ ଯେଉଁସବୁ କାଣ୍ଡ କାରଖାନା କରେ ।’’

 

‘‘କାଣ୍ଡ କାରଖାନା ? କି ରକମର ?’’

 

ସଙ୍ଗୀ କୁଲି ଜଣକ ଏ ପ୍ରଶ୍ନ ଶୁଣି ଯେପରି କି ବଡ଼ ବିବ୍ରତ ହୋଇ ପଡ଼ିଲା । ଚୁପ୍‌ଚୁପ୍‌ କହିଲା, ‘‘ତୁମେ ତ ଆଚ୍ଛା ବୋକା ଲୋକ ଦେଖୁଛି । ବୁଝିପାରୁ ନାହିଁ–କି ରକମ କାଣ୍ଡ କାରଖାନା ? ଏ ଅଞ୍ଚଳର କାଣ୍ଡ କାରଖାନା ବୋଇଲେ କେବଳ ଗୋଟିଏ କଥା ବୁଝାଏ । ‘ଯମଦୂତ ଦଳ’ ଏବଂ ତାଙ୍କର ଭୟଙ୍କର ଅତ୍ୟାଚାର; ମଣିଷ ଜୀବନ ନେବା ପାଇଁ ଟଣାଟଣି ।’’

 

‘‘ଯମଦୂତ ଦଳ ! ହଁ, ହଁ–ଖବରକାଗଜରେ କେବେ କିପରି ସେମାନଙ୍କ କଥା ପଢ଼ିଅଛି-। ସେମାନେ ତ ଅତି ଭୟଙ୍କର, ଖୁଣ୍‌ କରିବା ଯେପରି କି ସେମାନଙ୍କ ପେଶା ।’’

 

‘‘ଚୁପ୍‌, ଚୁପ୍‌ କହି’’ ଲୋକଟା ଭୟରେ ଥରିଉଠିଲା । ପୁଣି ଥରେ କନ୍‌କନ୍‌ ହୋଇ ଚାରିଆଡ଼କୁ ଚାହିଁଦେଲା । ତା ମୁଖଭଙ୍ଗୀରୁ ଜଣାଗଲା, ଯଦି ତାଙ୍କ କଥାବାର୍ତ୍ତାରୁ ଟିକିଏ ହେଲେ କାହା କାନରେ ପଡ଼ିଥିବ, ତେବେ ତାର ମୃତ୍ୟୁ ଆଜି ନିଶ୍ଚୟ ଘଟିବ ।

 

ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ ସେ ଏହିପରି ଫୁସ୍‌ଫୁସ୍‌ କରି କହିଲା, ‘‘ତୁମେ ତ ଆଚ୍ଛା ଲୋକ ହେ ! ଖବରଦାର, ପଦାରେ ଏସବୁ କଥା ଏପରି ବଡ଼ ପାଟିରେ କେବେହେଲେ ଆଲୋଚନା କରିବ ନାହିଁ । ମନେ ରଖ, ଏଭଳି କଥାବାର୍ତ୍ତା କଲେ ଆଉ ଜୀବନ ଧରି ଏଠାରୁ ଫେରିବା ଅସମ୍ଭବ-।’’

 

‘‘ମୁଁ ତ ସେମାନଙ୍କ କଥା କିଛି ଜାଣି ନାହିଁ’’–ମ୍ୟାକ୍‍ମାର୍ଡ଼ୋ ଉତ୍ତର ଦେଲେ ।

 

‘‘ଜାଣି ନାହଁ ତ, ଚୁପ୍‌ଚାପ୍‌ ରହ । ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ କି ସେ ଦଳର ଗୁପ୍ତଚର ନାହାନ୍ତି । କେବେ କାହା ସହ କଥାବାର୍ତ୍ତା ହେଲାବେଳେ ମ୍ୟାକ୍‍ଜିଣ୍ଟି ନାମ ସାଙ୍ଗରେ ଏ ଦଳର କଥା ଉଠାଇବ ନାହିଁ–ଏହି କଥାଟି ଜୀବନର ବ୍ରତରୂପେ ଧରିନିଅ । ଦେଖ, ଏଇ ଗୋଟାକ ତୁମ ରହିବା ହୋଟେଲ । ଯାଅ, ଚୁପ୍‌ଚାପ୍‌ ହୋଟେଲ ଘରେ ଜାଗା ବାଛିନିଅ ।’’

 

ଏହା କହି ଲୋକଟି ଭୟରେ ଛନ୍ନଛନ୍ନ ହୋଇ ଚାରିପାଖ କୁ ଆଗ ଚାହିଁନେଲା ଏବଂ ପରେ ତରତର ହୋଇ ନିଜ ବାଟରେ ଚାଲିଗଲା ।

 

ସେ ହୋଟେଲର ମାଲିକଙ୍କ ନାମ ଶାଫ୍‌ଟର ।

 

ମ୍ୟାକ୍‍ମାର୍ଡ଼ୋ ପାହାଚରେ ଉଠିଯାଇ କବାଟର କଡ଼ା ବାଡ଼େଇଲେ । ଭିତରୁ ଗୋଟିଏ ସୁନ୍ଦରୀ ତରୁଣୀ ଆସି କବାଟ ଅଳ୍ପ ଫିଟାଇଦେଲା ଏବଂ ଦୁଆରମୁହଁରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ପଚାରିଲା, ‘‘ଆପଣ ବୋଧହୁଏ ବାପାଙ୍କୁ ଖୋଜୁଅଛନ୍ତି । ସେ ଘରେ ନାହାନ୍ତି–ସହରକୁ ଯାଇଅଛନ୍ତି ।’’

 

ମ୍ୟାକ୍‍ମାର୍ଡ଼ୋ କହିଲେ, ‘‘ହଁ, ତାଙ୍କୁ ହିଁ ତ ଖୋଜୁଅଛି । ତାଙ୍କ ବନ୍ଧୁ ମୋତେ ଏଠାକୁ ପଠାଇଅଛନ୍ତି, ଏଇଠି ରହିବା ପାଇଁ ମଧ୍ୟ କହିଅଛନ୍ତି ।’’

 

ତରୁଣୀଟି ତତ୍‌କ୍ଷଣାତ୍‌ କବାଟ ଫିଟାଇଦେଇ କହିଲା, ‘‘ତା ହେଲେ ଭିତରକୁ ଆସନ୍ତୁ । ମୁଁ ତାଙ୍କ ଝିଅ । ମୋ ମା ନାହିଁ ନା, ତେଣୁ ଘରର ସବୁ କଥା ମୋତେ ହିଁ ବୁଝିବାକୁ ପଡ଼େ ।’’

 

ଏହା କହି ସେ ଆଗେଆଗେ ବାଟ କଢ଼ାଇ ନେଇଗଲା । ମ୍ୟାକ୍‍ମାର୍ଡ଼ୋ ପଛେପଛେ ଯାଉଯାଉ ତରୁଣୀର ସହଜ ସରଳ ଆତିଥେୟତାରେ ମୁଗ୍‌ଧ ହୋଇ ଯାଇଥିଲେ । ସେ ଘରଭିତରକୁ ଯିବା ସଙ୍ଗେସଙ୍ଗେ ତରୁଣୀ କବାଟ ବନ୍ଦ କରିଦେଲା ।

Image

 

ପ୍ରଥମ ସାକ୍ଷାତ

 

ବୃଦ୍ଧ ଶାଫଟର୍‌ଙ୍କ ସହିତ ମାକ୍‍ମାର୍ଡ଼ୋ କଥାବାର୍ତ୍ତା କରି ତାଙ୍କରି ଘରେ ହିଁ ରହିଲେ । ସେ ଘର ନୁହେଁ ତ ଗୋଟିଏ ବୋର୍ଡ଼ିଂ । ଆଗେ ଅବଶ୍ୟ ବୋର୍ଡ଼ିଂର ଖାତିର ଥିଲା ଅତି ବେଶୀ; ଆୟ ମଧ୍ୟ ଖୁବ୍‌ ହେଉଥିଲା । ମାତ୍ର ବୋର୍ଡ଼ିଂର ପରିଚାଳିକା ଶାଫଟର୍‌ଙ୍କ ସ୍ତ୍ରୀ ବର୍ତ୍ତମାନ ଆଉ ନାହାନ୍ତି; ଶାଫଟର୍‌ ମଧ୍ୟ ବୃଦ୍ଧ । ତେଣୁ ବୋର୍ଡ଼ିଂ ଚଳାଇବା ଆଉ ସମ୍ଭବ ହେଲାନାହିଁ । ଯାତ୍ରୀଙ୍କ ସଂଖ୍ୟା କମିଗଲା । ଏବେ ମାକ୍‍ମାର୍ଡ଼ୋ ସେହିଠାରେ ଆସି ଆଶ୍ରୟ ନେଲେ ।

 

ଦେଖୁ ଦେଖୁ ସେହି ଛୋଟ ସହରଟିରେ ତାଙ୍କର ବହୁତ ବନ୍ଧୁ-ବାନ୍ଧବ ଜୁଟିଗଲେ । ଯେଉଁସବୁ ଗୁଣ ଥିଲେ ମନୁଷ୍ୟ ସହଜରେ ଅନ୍ୟକୁ ଆକର୍ଷଣ କରେ, ଅପରିଚିତ ସହିତ ଶୀଘ୍ର ବନ୍ଧୁତା କରିପାରେ–ମ୍ୟାକ୍‍ମାର୍ଡ଼ୋଙ୍କଠାରେ ସେ ଗୁଣ ପୂରାମାତ୍ରାରେ ଥିଲା । ବିଶେଷ କଥା ହେଉଛି, ପୋଲିସ ନାଁ ପଡ଼ିଲେ ସେ ନିଆଁ ପରି ଜଳିଉଠନ୍ତି । ଏପରି ସବୁ ମନ୍ତବ୍ୟ ପ୍ରକାଶ କରନ୍ତି, ଯାହା ଶୁଣି ଦଳେ ଲୋକ ବାହାବା ନ ଦେଇ ରହିପାରନ୍ତି ନାହିଁ; ପୁଣି ଆଉ ଏକ ଶ୍ରେଣୀର ଲୋକ ଭୀତତ୍ରସ୍ତ ହୋଇ ଉଠନ୍ତି । ପୋଲିସଲୋକଙ୍କୁ ସେମାନେ ସବୁ ସମୟରେ ଏଭଳି ଭୟମିଶ୍ରିତ ଶ୍ରଦ୍ଧା ଚକ୍ଷୁରେ ଦେଖନ୍ତି ଯେ, ସେମାନଙ୍କ ସାଙ୍ଗରୁ ଜଣେ ପୋଲିସଙ୍କୁ ଯେ ଏତେଦୂର ଗାଳିଗୁଲଜ କରିପାରେ–ତାହା ସେମାନେ କଳ୍ପନା କରିପାରନ୍ତି ନାହିଁ । ବିଶେଷ କରି ସେହି କାରଣରୁ ସବୁ ଶ୍ରେଣୀର ଲୋକ ମ୍ୟାକ୍‍ମାର୍ଡ଼ୋଙ୍କୁ ଶ୍ରଦ୍ଧା କରିବାକୁ ଲାଗିଲେ, ଯାଚିଯୋଇ ଆସି ତାଙ୍କ ସହିତ ବନ୍ଧୁତା କଲେ । ଯେ ପୋଲିସ କର୍ମଚାରୀଙ୍କୁ ଖାତିର୍‌ କରେ ନାହିଁ, ସେ କଅଣ କମ୍‌ ଲୋକ ! ତାର ଛାତି କଅଣ ଏଡ଼େ ଦୁର୍ବଳ, ପାତଳ !

 

ଅଳ୍ପ କେତେ ଦିନ ମଧ୍ୟରେ ମ୍ୟାକ୍‍ମାର୍ଡ଼ୋଙ୍କୁ ଗୋଟାଏ କାମ ମିଳିଗଲା–ଦୋକାନର ଗୁମାସ୍ତାଗିରି । ସେ ଅଞ୍ଚଳରେ ଯେଉଁମାନେ ଆସି ବସବାସ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମୂଲିଆ ଶ୍ରେଣୀର ଲୋକ–ବେଶୀ କିଛି ଲେଖାପଢ଼ା ଜାଣନ୍ତି ନାହିଁ । ମାତ୍ର ମୂଲିଆ ଶ୍ରେଣୀର ହେଲେ ମଧ୍ୟ ମ୍ୟାକ୍‍ମାର୍ଡ଼ୋ ବେଶ୍‌ ଶିକ୍ଷିତ–ଲେଖାଲେଖି କରିବାରେ ଧୁରନ୍ଧର । ତେଣୁ ତାଙ୍କପ୍ରତି ଲୋକଙ୍କର ଶ୍ରଦ୍ଧା ଓ ସମ୍ମାନ ବହୁତ ବେଶୀ ବଢ଼ିଗଲା ।

 

ସମସ୍ତ ଦିନ ଦୋକାନରେ ରହିବାକୁ ପଡ଼େ । ସେହି କାରଣରୁ କ୍ଳବକୁ ଯାଇ ମ୍ୟାକ୍‍ଜିଣ୍ଟି ବା କ୍ଳବର ଅନ୍ୟ କମ୍ରେଡ଼ମାନଙ୍କ ସହିତ ଚିହ୍ନାପରିଚୟ ହେବାର ସୁଯୋଗ ତାଙ୍କୁ ଯୁଟିଲା ନାହିଁ । କିନ୍ତୁ ହଠାତ୍‌ ଦିନେ ସ୍କାନଲ୍ୟାନ୍‌ ଆସି ତାଙ୍କୁ ମନେ ପକାଇଦେଲେ ଯେ ସେ ମସ୍ତବଡ଼ ଭୁଲ କରିଅଛନ୍ତି । ଯେ କୌଣସି ପ୍ରକାରେ ସମୟ କରି କ୍ଳବକୁ ସେ ଯାଇଥାଆନ୍ତେ ଏବଂ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟିଙ୍କ ସହିତ କଥାବାର୍ତ୍ତା ହୋଇ ଆସିଥାଆନ୍ତେ–ଏହା ହିଁ ତାଙ୍କର ଉଚିତ ଥିଲା ।

 

ମ୍ୟାକ୍‍ମାର୍ଡ଼ୋ ଏହି ଉପଦେଶ ଶୁଣି ଉତ୍ତର ଦେଲେ, ‘‘ସମୟ ପାଇଲି କେଉଁଠି ? ଗୋଟାଏ ତ ପୁଣି କିଛି ନା କିଛି କାମର ବ୍ୟବସ୍ଥା କରିବାକୁ ହେବ ।’’

 

ସ୍କାନଲ୍ୟାନ୍‌ ଅବାକ୍‌ ହୋଇଗଲେ । ‘‘ଆଚ୍ଛା କଥା, ରଖିଦିଅ ତୁମର କାମ । ତୁମର ଏଠାକୁ ଆସିଲା ପରେ ପ୍ରଥମ କାମ ହେଉଛି, କ୍ଳବକୁ ଯାଇ ସର୍ଦ୍ଦାରଜୀଙ୍କୁ ଅଭିବାଦନ ଜଣାଇବା । କାରଣ, ଯଦି କୌଣସି ମତେ ତୁମ ସମ୍ପର୍କରେ ତାଙ୍କ ମନରେ ଗୋଟାଏ କିଛି ଖରାପ ଧାରଣା ଆସେ, ତେବେ ଅବସ୍ଥା କଅଣ ହେବ ବୁଝିପାରୁ ନାହିଁ ? ତୁମ ଭାଗ୍ୟରେ ଏପରି ବିପଦ ଘଟିବ, ଯାହା କି ସ୍ୱୟଂ ଭଗବାନ ମଧ୍ୟ ବଦଳାଇ ପାରିବେ ନାହିଁ ।’’

 

ଏ କଥାରେ ମ୍ୟାକ୍‍ମାର୍ଡ଼ୋ ଆଶ୍ଚର୍ଯ୍ୟ ହୋଇଯାଇ ଜବାବ ଦେଲେ, ‘‘ମୁଁ ତ ପୁଣି ଦୁଇ ବର୍ଷ ହେଲା କ୍ଳବରେ ସଭ୍ୟ ହୋଇ ରହିଅଛି । ତାଙ୍କର ଯେଉଁ ଦଳ, ମୋର ବି ସେହି ଦଳ, ସୁତରାଂ.....’’

 

କଥା ମଝିରେ ବାଧା ଦେଇ ସ୍କାନଲ୍ୟାନ୍‌ କହିଉଠିଲେ, ‘‘ଥାଉ ଥାଉ; ତୁମର ଉଚିତ ଥିଲା, ଆଗ ଯାଇ ସର୍ଦ୍ଦାରଙ୍କୁ ଦର୍ଶନ କରି ଆସିବା ।’’

 

—ତା ହେଲେ କଅଣ ଏଠାରେ କ୍ଳବର ନିୟମ କାନୁନ ସ୍ୱତନ୍ତ୍ର ?

 

—ସେ ସମ୍ପର୍କରେ ମୁଁ କିଛି ହେଲେ କହିବି ନାହିଁ । ହଁ, ଆଉ ଗୋଟିଏ କଥା । ମୁଁ ସେଦିନ ରେଳଗାଡ଼ିରୁ ଓହ୍ଳାଇଗଲା ପରେ ତୁମେ ପୋଲିସ କର୍ମଚାରୀଙ୍କୁ ଆଚ୍ଛା ଦୁଇ ପଦ କଡ଼ାକଡ଼ା କଥା ଶୁଣାଇଦେଇଅଛ ବୋଲି ଶୁଣିଲି ।

 

—ହଁ, ସେହିପରି ଗୋଟାଏ ଘଟଣା ଘଟିଗଲା । ତେବେ ଆପଣ ତାହା ଜାଣିଲେ କିପରି ?

 

—ଏଠାରେ କୌଣସି କଥା ଆମ ପାଖରେ ଲୁଚି ରହିପାରିବ ନାହିଁ । ତେବେ ପୋଲିସ ଉପରେ ତୁମର ଯେ ଏତେ ଦୂର ରାଗ, ଏହା ଫଳରେ ସର୍ଦ୍ଦାର ମ୍ୟାକ୍‍ଜିଣ୍ଟି ଙ୍କ ସହିତ ତୁମର ଦୋସ୍ତିଟା ଖୁବ୍‌ ବଢ଼ିଯିବ ବୋଲି ମୁଁ ଭାବୁଅଛି ।

 

—କାହିଁକି ? ସେ କଅଣ ମୋ ପରି ପୋଲିସକୁ ଘୃଣା କରନ୍ତି ?

 

ସ୍କାନଲ୍ୟାନ୍‌ କିଛି ଉତ୍ତର ନ ଦେଇ କେବଳ ହସିପକାଇଲେ ।

 

ତା ପରେ ସେଠାରୁ ବିଦାୟ ଘେନି ଗଲାବେଳେ ଫୁସ୍‌ଫୁସ୍‌ କରି କହିଗଲେ, ‘‘ଅବଶ୍ୟ ଟିକିଏ ଡେରି ହୋଇଗଲାଣି; ତଥାପି ତୁମେ ଆଉ ବେଶୀ ବିଳମ୍ବ ନ କରି ସର୍ଦ୍ଦାରଙ୍କ ପାଖକୁ ଯାଇ ଚିହ୍ନାପରିଚୟ ହୋଇ ଆସ । ନ ହେଲେ ପୋଲିସ କର୍ମଚାରୀଙ୍କ ସଙ୍ଗେସଙ୍ଗେ ସେ ମଧ୍ୟ ତୁମକୁ ଘୃଣା କରିବା ଅସମ୍ଭବ ନୁହେଁ ।’’

 

ସ୍କାନଲ୍ୟାନ୍‌ ଚାଲିଗଲା ପରେ ମ୍ୟାକ୍‍ମାର୍ଡ଼ୋ ନିଜ କାମରେ ମନ ଦେଲେ । ସନ୍ଧ୍ୟାରେ ବୋର୍ଡ଼ିଂକୁ ଫେରି ଆସିଲାରୁ ବୃଦ୍ଧ ଶାଫ୍‌ଟର ତାଙ୍କୁ ନିଜ ଘରମଧ୍ୟକୁ ଡାକିନେଲେ ।

 

ଘରଭିତରକୁ ଯିବା ସଙ୍ଗେସଙ୍ଗେ ବୃଦ୍ଧ ପ୍ରଥମେ କବାଟ ଭିତରୁ ବନ୍ଦ କରିଦେଲେ । ତା ପରେ ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ କହିଲେ, ‘‘ତୁମ ସହିତ ମୋର ଗୋଟାଏ ଜରୁରୀ କଥାବାର୍ତ୍ତା ଅଛି ।’’

 

‘‘କଅଣ କହନ୍ତୁ’’–ମ୍ୟାକ୍‍ମାର୍ଡ଼ୋ ଜିଜ୍ଞାସୁ ନେତ୍ରରେ ଚାହିଁ ରହିଲେ ।

 

—ମୁଁ ବାହାରୁ ଶୁଣିବାକୁ ପାଉଅଛି ଯେ ତୁମେ କୁଆଡ଼େ ମୋ ଝିଅକୁ ବିବାହ କରିବାକୁ ଇଚ୍ଛା କରୁଅଛ ?

 

—ଆପଣ ଠିକ୍‌ କଥା ଶୁଣିଅଛନ୍ତି ।

 

—କିନ୍ତୁ ତା କଦାପି ସମ୍ଭବ ନୁହେଁ । ମୋ ଝିଅର ବିଭାଘର ଅନ୍ୟ ଜଣେ ଲୋକ ସହିତ ହେବ, ଏହା ଆଗରୁ ଠିକ୍‍ ହୋଇସାରିଅଛି । ଏହା ବଦଳାଇଦେବା ମୋ ଶକ୍ତିର ଅତୀତ ।

 

‘‘ସେ କିଏ ?’’ –ମ୍ୟାକ୍‍ମାର୍ଡ଼ୋଙ୍କ ସ୍ୱର କ୍ଷୁଣ୍ଣ ।

 

‘‘ଯମଦୂତ ଦଳର ଟେଡ଼ି ବଲ୍‌ଡ଼ୁଇନ୍‌ ।’’

 

‘‘ଯମଦୂତ ଦଳ ! ମୁଁ ଯେଉଁଠାକୁ ଯାଉଅଛି, ସେଠାରେ ଏକା କଥା ଶୁଣୁଅଛି । ସେ ଦଳ କଅଣ ? ତାର ମାଲିକ କିଏ ?’’

 

‘‘ଏଠାରେ ସ୍ୱାଧୀନମାନବ କ୍ଳବ ନାମରେ ଗୋଟାଏ ଅନୁଷ୍ଠାନ ଅଛି । ଏହି ଯମଦୂତ ଦଳ ହେଉଛନ୍ତି ସେହି କ୍ଳବର ଲୋକ ।’’

 

‘‘ମିଛ କଥା । ମୁଁ ନିଜେ ସେହି କ୍ଳବର ଗୋଟିଏ ସଭ୍ୟ । ଚିକାଗୋ ସହରରେ ଏହି ସ୍ୱାଧୀନମାନବ କ୍ଳବ ରହିଅଛି । ତାର ମୂଳମନ୍ତ୍ର ହେଉଛି–ଅନ୍ୟର ସେବା ଆଉ ବନ୍ଧୁତ୍ୱ । ମାତ୍ର ମୁଁ ଶୁଣୁଅଛି, ଏହି ଯମଦୂତ ଦଳର ଲୋକେ କୁଆଡ଼େ ନରହନ୍ତା, ଡକାୟତ । ଆପଣ କଅଣ କହିବାକୁ ଚାହାନ୍ତି, ମୁଁ ବି ଜଣେ ନରହନ୍ତା, ନିଷ୍ଠୁର ଡକାୟତ !’’

 

ବୃଦ୍ଧ ଚମକିପଡ଼ି ଚୌକିରୁ ଉଠି ଠିଆ ହୋଇଗଲେ । ଥରଥର କଣ୍ଠରେ କହିଲେ, ‘‘କି ସର୍ବନାଶ ! ତୁମେ ମଧ୍ୟ ସେହି ସ୍ୱାଧୀନମାନବ କ୍ଳବର ସଭ୍ୟ ? ପ୍ରଥମେ ଏକଥା କହିଲ ନାହିଁ କାହିଁକି ? ମୁଁ ଯଦି ଆଗରୁ ଜାଣିଥାଆନ୍ତି, ତେବେ ମାସକୁ ହଜାରେ ଟଙ୍କା ଦେଲେ ମଧ୍ୟ ମୁଁ ତୁମକୁ ମୋ ଘରେ ସ୍ଥାନ ଦେଇ ନ ଥାନ୍ତି ।’’

 

-ମୁଁ କହି ରଖୁଛି, ଆପଣ ଆପଣଙ୍କ କଥା ଫେରାଇ ନିଅନ୍ତୁ; ନ ହେଲେ ପ୍ରମାଣ ଦିଅନ୍ତୁ-

 

-ପ୍ରମାଣ ? କେତେଟା ପ୍ରମାଣ ଦରକାର ? ଏହି ଦୁଇ ବର୍ଷ ମଧ୍ୟରେ ଏଠାରେ ଅନ୍ତତଃ ପଚାଶଟା ନରହତ୍ୟା ହୋଇଗଲାଣି । ସେସବୁ କେବଳ ଏହି ଯମଦୂତ ଦଳର କାଣ୍ଡ ।

 

-ତା ହୋଇପାରେ । ମାତ୍ର କ୍ଳବ୍‌ ସହିତ ସେମାନଙ୍କର ସମ୍ପର୍କ କଅଣ ?

 

-ଯେଉଁମାନେ ଯମଦୂତ ଦଳରେ ଅଛନ୍ତି, ସେହିମାନେ ତ କ୍ଳବର ସଭ୍ୟ ।

 

-ମୋର ଆଦୌ ବିଶ୍ୱାସ ହେଉ ନାହିଁ ।

 

-ତୁମେ ବିଶ୍ୱାସ କର ବା ନ କର, ଦୟା କରି କାଲି ସକାଳୁ ମୋ ଘର ଛାଡ଼ି ଅନ୍ୟତ୍ର ଚାଲିଯାଅ ।

 

ଏହା କହି ବୃଦ୍ଧ ଧଡ଼ାସ୍‌ କରି କବାଟ ଫିଟାଇଦେଲେ ଏବଂ ତମତମ ହୋଇ ସେଠାରୁ ଚାଲିଗଲେ । କିଛିକ୍ଷଣ ପରେ ବୃଦ୍ଧଙ୍କର ଏକମାତ୍ର କିଶୋରୀ କନ୍ୟା ଏଟ୍ଟି ଆସି ସେଠାରେ ଠିଆହେଲା ।

 

ଏଟ୍ଟିକୁ ଦେଖି ମ୍ୟାକ୍‍ମାର୍ଡ଼ୋ କହିଉଠିଲେ, ‘‘ଏଟ୍ଟି, ମୁଁ ତୁମକୁ ଏହି ଯମଦୂତ ଦଳର କୌଣସି ଲୋକ ସହିତ ବିବାହ ହେବାକୁ ଦେବି ନାହିଁ । ତୁମ ପରି ସୁନ୍ଦରୀ, ପବିତ୍ରା, ସରଳହୃଦା କନ୍ୟା କଅଣ ଶେଷରେ ଗୋଟାଏ ନରହନ୍ତା ଡକାୟତର ଘରଣୀ ହେବ ?’’

 

ଏଟ୍ଟିର ମୁହଁ ଭୟରେ କଳା ପଡ଼ିଗଲା । ସେ ଧୀର ସ୍ୱରରେ କହିଲା, ‘‘ ଏଭଳି ବଡ଼ ପାଟିରେ କଥା କୁହ ନାହିଁ ।’’

 

‘‘କାହିଁକି ? ଏତେ ଡରଭୟ କାହାକୁ ?’’

 

‘‘ତୁମେ ଏଠାରେ ନୂଆ କି ନା, କିଛି ଜାଣି ନାହିଁ । ଏ ଯମଦୂତ ଦଳର ଲୋକମାନେ ଅତି ଭୟଙ୍କର । ପୁଣି ଟେଡ଼ି ବଲ୍‌ଡ଼ୁଇନ–ଯାହା ସହିତ ମୋର ବିବାହ ହେବା ସ୍ଥିର ହୋଇଅଛି, ସେ ସବୁଠାରୁ ବଳି ଭୀଷଣ–ସାକ୍ଷାତ୍‌ ରାକ୍ଷସ ।’’

 

‘‘ମୋ କଥାଟା ଶୁଣ । ମୁଁ ମଧ୍ୟ ଅତି ଭୟଙ୍କର ଲୋକଙ୍କ ସହିତ ଚଳିଆସିଅଛି । ତୁମେ ବିଶ୍ୱାସ କର, ଯାହାଙ୍କୁ ଦେଖିଲେ ଲୋକେ ଭୟରେ ମୁର୍ଚ୍ଛା ଯାଆନ୍ତି, ସେହିମାନେ ହିଁ ମୋତେ ଭୟ କରନ୍ତି ।’’

 

‘‘ତଥାପି ମୁଁ କହିବି, ଏହି ଯମଦୂତ ଦଳ କି ଭୟଙ୍କର, ତା ତୁମେ ଜାଣ ନାହିଁ । ଏପରି କିଛି ଦୁଷ୍କାର୍ଯ୍ୟ ନାହିଁ–ଯାହାକୁ କି ହସିହସି ନିମିଷକ ମଧ୍ୟରେ ସେମାନେ କରି ନ ପାରିବେ ।’’

 

ମ୍ୟାକ୍‍ମାର୍ଡ଼ୋ ବିସ୍ମିତ ହୋଇ ପ୍ରଶ୍ନକଲେ, ‘‘ମୁଁ ତ ବୁଝିପାରୁ ନାହିଁ । ସମସ୍ତେ ଯଦି ଜାଣନ୍ତି ଯେ ଏହି ଦଳ ଗୋଟାକୁ ଗୋଟା ନରହତ୍ୟା କରିବାରେ ଲାଗିଛନ୍ତି, ତେବେ କଚେରୀରେ ଏମାନଙ୍କ ବିରୁଦ୍ଧରେ ମକଦ୍ଦମା ହେଉ ନାହିଁ କାହିଁକି ?’’

 

ଏଟ୍ଟି ଅତି ନିମ୍ନ ସ୍ୱରରେ ଉତ୍ତରଦେଲା, ‘‘ମକଦ୍ଦମା କରିବ କିଏ ? ଯେ ମକଦ୍ଦମା କରିବାକୁ ଯିବ, ତାର ମୃତ୍ୟୁ ସୁନିଶ୍ଚିତ । ପୁଣି ଏହି ଦଳର ଲୋକେ ଚତୁର୍ଦ୍ଦିଗରେ ଖେଳାଇ ହୋଇ ରହିଅଛନ୍ତି । ସେମାନେ ବିଚାର ବେଳେ ନିୟମ ପ୍ରମାଣ କରି ସାକ୍ଷ୍ୟ ଦେବେ ଯେ ଯାହାଙ୍କ ବିରୁଦ୍ଧରେ ମକଦ୍ଦମା ହୋଇଛି, ସେ ଘଟଣା ସମୟରେ ତାଙ୍କ ସହିତ ଥିଲେ । ଏ ଯେଉଁମାନେ ସାକ୍ଷ୍ୟ ଦେବେ, ଏମାନେ କିଛି ସାମନ୍ୟ ଲୋକ ନୁହନ୍ତି । ଏ ଅଞ୍ଚଳର ସମସ୍ତ ପ୍ରତିପତ୍ତିଶାଳୀ ଲୋକ ଏହି ଦଳର ହାତମୁଠାରେ । ତେଣୁ ସେମାନେ କୋର୍ଟ କଚେରୀକୁ ତିଳେ ହେଲେ ଭ୍ରୂକ୍ଷେପ କରନ୍ତି ନାହିଁ । ଏପରି କି, ଯେ ବିଚାର କରିବେ–ସେ ହୁଏ ତ ଦଳରୁ ଟଙ୍କା ପଇସା ପାଉଥିବା ଲୋକ । ଅମଲା, କିରାଣୀ, ପୋଲିସ–ଏପରି କି ଓକିଲଙ୍କ ଭିତରେ ଯେ ଏହି ଦଳର ଅନୁଗ୍ରହପ୍ରାର୍ଥୀ ବା ଦଳର ସଭ୍ୟ ନାହାନ୍ତି–ଏକଥା କେହି ଦୃଢ଼ତାର ସହିତ କହିପାରିବ ନାହିଁ ।’’

 

‘‘ଏସବୁ କଥା ଜାଣିଶୁଣି ମଧ୍ୟ ତୁମେ ଟେଡ଼ି ବଲ୍‌ଡ଼ୁଇନକୁ ବିବାହ କରିବ ?’’

 

‘‘ମୁଁ କଅଣ ନିଜ ଇଚ୍ଛାରେ ତାକୁ ବିବାହ କରିବାକୁ ଯାଉଛି ? ସାରା ସଂସାରରେ ତା ଅପେକ୍ଷା ଆଉ କାହାକୁ ମୁଁ ବେଶୀ ଘୃଣା କରେ ନାହିଁ । ମାତ୍ର ମୁଁ କରିବି କଅଣ ? ମୁଁ ନାଚାର–ନିରୁପାୟ । ମୋ ପାଇଁ ମୁଁ ଭାବୁ ନାହିଁ । ମୁଁ ଯେବେ ମୋ ମନକଥା ତା ଆଗରେ ପ୍ରକାଶ କରିଦେବି, ତେବେ କେବଳ ମୁଁ ନୁହେଁ, ମୋର ବାପା ମଧ୍ୟ ଦିନ ଦ୍ୱିପ୍ରହର ସମୟରେ ତା ହାତରେ ନୃଶଂସ ଭାବରେ ନିହତ ହେବେ ।’’

 

ଏହି ସମୟରେ ଘରର ବାହାର ପାଖରେ କାହାର ପାଦଶବ୍ଦ ଶୁଣାଗଲା । ଦୁହେଁଯାକ ଚମକିଉଠି ଦୁଆରମୁହଁ ଆଡ଼କୁ ଚାହିଁଲେ ।

 

ଦୁଆରମୁହଁ ଆରପାଖରେ ଯାହାର ଚେହେରା ଦେଖାଗଲା, ତାକୁ ଚାହିଁଦେବାକ୍ଷଣି ଏଟ୍ଟି ଭୟରେ କମ୍ପିଉଠିଲା । ସ୍ୱାଭାବିକ ପ୍ରେରଣାରେ ନିଜର ଅଜ୍ଞାତରେ ଯାଇ ମ୍ୟାକ୍‍ମାର୍ଡ଼ୋଙ୍କ ପଛପାଖକୁ ଲାଗି ଠିଆ ହୋଇଗଲା । ମାତ୍ର ପରକ୍ଷଣରେ ହିଁ ମନରେ କଅଣ ଭାବି ମୁହଁରେ ଟାଣିଓଟାରି ହସ ଫୁଟାଇଲା ଏବଂ ଆଗକୁ ଆସି ଆଗନ୍ତୁକକୁ ଅଭ୍ୟର୍ଥନା କରି କହିଲା, ‘‘ଆସନ୍ତୁ, ଆସନ୍ତୁ ବଲ୍‌ଡ଼ୁଇନ ! ମୁଁ ଭାବିଥିଲି, ଆପଣ ଆଜି ଆଉ ରାତିରେ ଆସିବେ ନାହିଁ ।’’

 

ବଲ୍‌ଡ଼ୁଇନ ନୀରବରେ ଘରମଧ୍ୟକୁ ପଶିଯାଇ ମ୍ୟାକ୍‍ମାର୍ଡ଼ୋଙ୍କୁ ଆଗ ଆପାଦମସ୍ତକ ଚାହିଁଦେଇଗଲା । ତା ପରେ ମୁଣ୍ଡରୁ ଟୋପିଟା ବାହାର କରି ଟେବୁଲ ଉରପକୁ ଫୋପାଡ଼ିଦେଲା । ଦାନ୍ତ ରଗଡ଼ି ପଚାରିଲା, ‘‘ଏଇଟା କିଏ ?’’

 

ଏଟ୍ଟି ସଙ୍ଗେସଙ୍ଗେ କହିପକାଇଲା, ‘‘ମୋର ଜଣେ ବନ୍ଧୁ । ଏବେ ଆସି ବାବାଙ୍କ ବୋର୍ଡ଼ିଂରେ ରହିଅଛନ୍ତି । ଆପଣଙ୍କ ମଧ୍ୟରେ ଚିହ୍ନାପରିଚୟ କରାଇଦେଉଛି । ଏ ହେଉଛନ୍ତି ମିଷ୍ଟର ମାକ୍‍ମାର୍ଡ଼ୋ ।’’ ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ–‘‘ଏ ହେଉଛନ୍ତି ମିଷ୍ଟର ଟେଡ଼ି ବଲ୍‌ଡ଼ୁଇନ ।’’

 

ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ ବଲ୍‌ଡ଼ୁଇନ କହିଲା, ‘‘ମିସ୍‌ ଏଟ୍ଟି ସହିତ ମୋର କି ସମ୍ପର୍କ, ତାହା ଆପଣ ବୋଧହୁଏ ଜାଣନ୍ତି ।’’

 

ଗମ୍ଭୀର ଭାବରେ ମାକ୍‍ମାର୍ଡ଼ୋ ଉତ୍ତରଦେଲେ, ‘‘ଆପଣଙ୍କ ସଙ୍ଗେ ମିସ୍‌ ଏଟ୍ଟିର ଯେ କି ସମ୍ପର୍କ, ତା ତ ମୋତେ ଜଣା ନାହିଁ ।’’

 

ଟେଡ଼ି ବିଦ୍ରୂପ ସ୍ୱରରେ କହିଲା, ‘‘ସତେ ନା ? ତା ହେଲେ ଶୁଣନ୍ତୁ, ମିସ୍‌ ଏଟ୍ଟି ମୋର ଭାବୀ ସ୍ତ୍ରୀ, ବୁଝିଲେ ତ ? ତା ପରେ ଯଦି ଆପତ୍ତି ନ ଥାଏ, ତେବେ ଆସନ୍ତୁ । ସାଙ୍ଗ ହୋଇ ବୁଲିଯିବା, ଟିକିଏ ହାଉଆ ଖାଇ ଆସିବା ।’’

 

ମ୍ୟାକ୍‍ମାର୍ଡ଼ୋ ପୂର୍ବଭଳି ଗମ୍ଭୀର ସ୍ୱରରେ କହିଲେ, ‘‘ବର୍ତ୍ତମାନ ବୁଲିଯିବା ପାଇଁ ମୋର ଟିକିଏ ହେଲେ ଆଗ୍ରହ ନାହିଁ ।’’

 

ବିଦ୍ରୂପର ହସ ହସି ଟେଡ଼ି କହିପକାଇଲା, ‘‘ତା ହେଲେ କଅଣ ମାଡ଼ପିଟ ଲଗାଇବୁ ?’’

 

ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲେ, ‘‘ସତ କହିବାକୁ ଗଲେ, ଏହା ବ୍ୟତୀତ ଆଉ କିଛି କରିବାକୁ ମୋ ମନ ହେଉ ନାହିଁ ।’’

 

ସେ ଦୁଇ ଜଣଙ୍କ କଥାବାର୍ତ୍ତାର ଭାବଭଙ୍ଗୀ ଦେଖି ଏଟ୍ଟି ଚିତ୍କାରକରି କାନ୍ଦିଉଠିଲା । ମ୍ୟାକ୍‍ମାର୍ଡ଼ୋଙ୍କ ଦୁଇ ହାତ ଧରିପକାଇ ସେ ବ୍ୟାକୁଳ ଭାବରେ କହିଲା, ‘‘ନା ନା, ଏପରି କିଛି କର ନାହିଁ, ତୁମ ଗୋଡ଼ତଳେ ପଡ଼ୁଛି ।’’

 

ହଠାତ୍‌ ଏଟ୍ଟି କଥାରେ ଓ କାର୍ଯ୍ୟକଳାପରେ ଏଭଳି ଅନୁରାଗପୂର୍ଣ୍ଣ ଆଭାସର ସୂଚନା ପାଇ ଟେଡ଼ିର ଆହତ ମନ ବ୍ୟାଘ୍ର ପରି ଫୁଲିଉଠିଲା । ସତେ ଯେପରି ତା ଦୁଇ ଆଖିରୁ ଅଗ୍ନିସ୍ଫୁଲିଙ୍ଗ ଛିଟିକି ଆସୁଛି ।

 

‘‘ସତେ ! ଏହା ଭିତରେ ଏତେ ଦୂର କଥା ଚାଲିଗଲାଣି ? ତେବେ ତ ବର୍ତ୍ତମାନ ସାଙ୍ଗେସାଙ୍ଗେ ଏହାର ଗୋଟାଏ ସମାଧାନ ହୋଇଯିବା ଉଚିତ । ଟିକିଏ ପଦାକୁ ଚାଲିଆ ତ ।’’ ଏହା କହି ଟେଡ଼ି ଦୁଇ ହାତର ଜାମା କହୁଣି ଉପରକୁ ଟେକିବାକୁ ଲାଗିଲା ।

 

‘‘ତୋ ପରି ଗୋଟାଏ ଜନ୍ତୁ ସାଙ୍ଗରେ ମାଡ଼ଗୋଳ ଲଗାଇ ମୁଁ ମୋ ହାତ ମଇଳା କରିବାକୁ ଇଚ୍ଛା କରେ ନାହିଁ ।’’ –ମ୍ୟାକ୍‍ମାର୍ଡ଼ୋ ଜବାବ ଦେଲେ ।

 

ଟେଡ଼ି କ୍ରୋଧରେ ଘନଘନ ନିଃଶ୍ୱାସ ଛାଡ଼ିଲା । ତାହାର ସର୍ବଶରୀର ସତେ ଯେପରି ଫୁଲିଉଠିଲା । କହୁଣି ଉପରକୁ ଜାମା ଟେକିଦେଇ ସେ ମ୍ୟାକ୍‍ମାର୍ଡ଼ୋ ଆଡ଼କୁ ଡାହାଣ ହାତଟା ବଢ଼ାଇଦେଲା । କହିଲା, ‘‘ଦେଖୁଛୁ, ଏ ହାତରେ କି ଚିହ୍ନ ରହିଛି ? ଭଲରୂପେ ଦେଖ, ଆଉ ମନେ ରଖିଥାଅ । ଗୋଟାଏ ବୃତ୍ତ ଆଉ ତା ମଝିରେ ଛକ ଚିହ୍ନ । ଜାଣୁ ଏହାର ଅର୍ଥ କଅଣ ?’’

 

ଅତି ତାଚ୍ଛଲ୍ୟର ସହିତ ମ୍ୟାକ୍‍ମାର୍ଡ଼ୋ କହିଉଠିଲେ, ‘‘ମୁଁ ଜାଣିବାକୁ ଇଚ୍ଛା କରେ ନାହିଁ, ଜାଣିବା ପାଇଁ ପ୍ରବୃତ୍ତି ମଧ୍ୟ ମୋର ନାହିଁ ।’’

 

ଟେବୁଲ ଉପରୁ ଟୋପିଟା ଉଠାଇନେଇ ଟେଡ଼ି ଦୁଆରମୁହଁ ଆଡ଼କୁ ଦପଦପ ହୋଇ ଚାଲିଗଲା । ଯାଉଯାଉ କହିଲା, ‘‘ତୋର ଜାଣିବା ପାଇଁ ପ୍ରବୃତ୍ତି ଅଛି କି ନାହିଁ, ତାହା ଶୁଣିବା ମୋର କିଛି ଦରକାର ନାହିଁ । ତେବେ ଏଟ୍ଟି, ତୋ ସମ୍ମୁଖରେ ମୁଁ କିଛି କହିବାକୁ ଚାହେଁ ନାହିଁ; କିନ୍ତୁ ମନେରଖ, ଟେଡ଼ି ବଲ୍‌ଡ଼ୁଇନ ଏ ଅପମାନ କଦାପି ଭୁଲିଯିବ ନାହିଁ । ଏହାର ପ୍ରମାଣ ତୁମେ ଦୁଇ ଜଣ ଅତି ଶୀଘ୍ର ପାଇବ । ଆଚ୍ଛା, ଚିଅରଅପ୍‌, ବର୍ତ୍ତମାନ ବିଦାୟ ।’’

 

ଆହତ ତମ୍ପସାପ ପରି ଟେଡ଼ି କ୍ରୋଧରେ ଫଁ ଫଁ କରି ଘରୁ ବାହାରି ଚାଲିଗଲା ।

 

ଏଟ୍ଟି କାନ୍ଦିଉଠି ମ୍ୟାକ୍‍ମାର୍ଡ଼ୋଙ୍କୁ ଚାହିଁ କହିଲା, ‘‘ତୁମେ କି କାଣ୍ଡ ନ କଲ ! ମୋର ଗୋଟାଏ କଥା ଶୁଣ, ତୁମେ ବର୍ତ୍ତମାନ ମ୍ୟାକ୍‌ଜିଣ୍ଟି ପାଖକୁ ଚାଲିଯାଅ । ମୁଁ ଠିକ୍ ରୂପେ ଜାଣେ, ସେ ଏଠାରୁ ସଙ୍ଗେସଙ୍ଗେ ମ୍ୟାକ୍‌ଜିଣ୍ଟି ପାଖକୁ ହିଁ ଯିବ । ସେ ଯାଇ ସେଠାରେ ପହଞ୍ଚିବା ଆଗରୁ ତୁମେ ସେଠାକୁ ଯାଅ । ଉଠ, ମୋ କଥା ଦୟାକର ଶୁଣ । ତୁମେ ତ ପୁଣି ଜଣେ ସ୍ୱାଧୀନମାନବ କ୍ଳବର ସଭ୍ୟ । ଏକଥା ଜାଣିଲେ ମ୍ୟାକ୍‌ଜିଣ୍ଟି ତୁମ ଦୁହିଁଙ୍କର ମିଳାମିଶା କରିଦେଇପାରେ, ଯାଅ ।’’

 

ଏଟ୍ଟିର ଏହି କାତର ଆବେଦନ ଶୁଣି ମ୍ୟାକ୍‍ମାର୍ଡ଼ୋ ବିଚଳିତ ହୋଇ ଉଠିଲେ । ତଳକୁ ମୁହଁ ପୋତି ମୁହୂର୍ତ୍ତେ ସମୟ ସେ କଅଣ ଭାବିନେଲେ । ତା ପରେ ମୁହଁ ଟେକି କହିଲେ, ‘‘ବେଶ୍‌, ତୁମ କଥା ହିଁ ରଖିବି । ମ୍ୟାକ୍‌ଜିଣ୍ଟିଙ୍କ ସହିତ ଦେଖା କରିବାକୁ ମୁଁ ଯାଉଚି । ତେବେ ମୋ କଥା ମନେରଖ । ଏତେଦୂର ଭୀତତ୍ରସ୍ତ ହେବାର କିଛି କାରଣ ମୁଁ ଦେଖୁ ନାହିଁ ।’’

Image

 

ସିଂହର ମୁମ୍ଫାରେ

 

ମ୍ୟାକ୍‍ମାର୍ଡ଼ୋ ମ୍ୟାକ୍‌ଜିଣ୍ଟି ହୋଟେଲକୁ ସିଧାସଳଖ ଚାଲିଗଲେ । ବାହାରୁ କବାଟ ଠେଲି ଭିତରେ ପଶି ଦେଖିଲେ, ହୋଟେଲରେ ଭିଡ଼ ବହୁତ ବେଶୀ । ସନ୍ଧ୍ୟା ସମୟଟା ନା ।

 

ଭିଡ଼ ଠେଲି ଟିକିଏ ଅନ୍ଦର ମହଲକୁ ସେ ଚାଲିଗଲେ । ସେଠାରେ ଗୋଟିଏ ଘର ଘରଭିତରେ ଦେଖିଲେ, ଲମ୍ବା ଟେବୁଲ ପଡ଼ିଅଛି । ସେହି ଟେବୁଲ ଉପରେ ଭରାଦେଇ ଜଣେ ବିରାଟକାୟ ପୁରୁଷ ଠିଆ ହୋଇଅଛି । ତା ଚାରିପାଖରେ ଦଳେ ଲୋକ ଜମିଅଛନ୍ତି ଓ ହାତ, ମୁହଁ ହଲାଇ ଯୁକ୍ତିତର୍କରେ ମଜ୍ଜି ଯାଇଅଛନ୍ତି । ଚେହେରା ଓ ଭାବଭଙ୍ଗୀ ଦେଖିଲାକ୍ଷଣି ମ୍ୟାକ୍‍ମାର୍ଡ଼ୋ ଠଉରାଇନେଲେ ଯେ, ଏହି ବିରାଟକାୟ ବ୍ୟକ୍ତି ଆଉ କେହି ନୁହେଁ, ସେହି ପ୍ରସିଦ୍ଧ ମ୍ୟାକ୍‌ଜିଣ୍ଟି–ହୋଟେଲର ମାଲିକ, ‘ଯମଦୂତ ଦଳ’ର ସର୍ଦ୍ଦାର । ଏହାଙ୍କ କଥା ହିଁ ଏ ସହରର ଲୁଚା ଛପାରେ ସମସ୍ତଙ୍କ ମୁହଁରେ ଶୁଣାଯାଉଅଛି ।

 

ଭିଡ଼ ଠେଲି ମ୍ୟାକ୍‍ମାର୍ଡ଼ୋ ଯାଇ ଏକାବେଳକେ ତାଙ୍କ ପାଖରେ ହାଜର । ଠିକ୍‌ ଏଇଭଳି ଭାବରେ ବୋଧହୁଏ ଆଗରୁ ଆଉ କେହି ଯାଇ ସର୍ଦ୍ଦାର ପାଖରେ ଠିଆହେବାକୁ ସାହସ କରି ନ ଥିଲେ । ଯେଉଁମାନେ ଚାରିପାଖରେ ଘେରି ରହି କଥାବାର୍ତ୍ତାରେ ରତ ଥିଲେ; ସେମାନେ ଏହି ଉଦ୍ଧତ ଆଗନ୍ତୁକକୁ ଦେଖି ସ୍ତବ୍‌ଧ ହୋଇଗଲେ; ତାରି ଆଡ଼କୁ ସମସ୍ତେ ବକ୍ରଦୃଷ୍ଟିରେ ଚାହିଁରହିଲେ । ସେ ଚାହାଣୀର ଅର୍ଥ–କେଉଁଠାରୁ ଏ ଅଭଦ୍ର ଉଦ୍ଧତ ଲୋକଟା ଆସିଲା ? ଏହାର ସାହସ ତ କମ୍‌ ନୁହେଁ !

 

ମ୍ୟାକ୍‌ଜିଣ୍ଟି ଆଗନ୍ତୁକ ଆଡ଼କୁ ଚାହିଁ ମୁରବିପଣିଆ ଦେଖାଇ ପଚାରିଲା, ‘‘ତୁମକୁ ତ ଏହା ଆଗରୁ କେବେ ଦେଖିଥିଲା ପରି ମନେ ହେଉ ନାହିଁ । ତୁମେ କିଏ ସେ ?’’

 

ଆଗନ୍ତୁକ ଜବାବ ଦେଲେ, ‘‘ମୁଁ ଏଠାକୁ ନୂଆ ଆସିଅଛି । ଆପଣ ବୋଧହୁଏ ମିଷ୍ଟର ମ୍ୟାକ୍‌ଜିଣ୍ଟି ।’’

 

ମ୍ୟାକ୍‌ଜିଣ୍ଟି ଏହି କଥାପଦକରେ କ୍ରୋଧାନ୍ମତ୍ତ ହୋଇଉଠିଲା । ସେ ରୁକ୍ଷସ୍ୱରରେ କହିଲା, ‘‘ତୁମେ କଅଣ ଜାଣ ନାହିଁ ଏଠାରେ କାହାକୁ କିପରି ସମ୍ବୋଧନ କରିବାକୁ ହୁଏ !’’

 

ପଛପଟରୁ ସେହି ଭିଡ଼ ଭିତରେ ଜଣେ ଧମକ ଦେଇ କହିଉଠିଲା, ‘‘କହ, ମହାମାନ୍ୟବର କାଉନ୍‌ସିଲର ମ୍ୟାକ୍‌ଜିଣ୍ଟି ।’’

 

ମ୍ୟାକ୍‍ମାର୍ଡ଼ୋ ନିଜର ଦୋଷ ସଂଶୋଧନ କରିନେଇ କହିଲେ, ‘‘ମୋତେ କ୍ଷମା କରିବେ-। ମୁଁ ଏଠାରେ ରୀତିନୀତି, କଥାବାର୍ତ୍ତାର ଭଙ୍ଗୀ ଆଦୌ ଜାଣି ନାହିଁ । ଆପଣଙ୍କ ସହିତ ସାକ୍ଷାତ କରିବା ଲାଗି ଉପରୁ ନିର୍ଦ୍ଦେଶ ପାଇ ମୁଁ ଏଠାକୁ ଆସିଛି ।’’

 

‘‘ବେଶ୍‌ ଭଲ କଥା, ମୋତେ ଦେଖିଲ ତ । ଏବେ କହିଲ ଦେଖି ମୁଁ କିପରି ଜଣାପଡ଼ୁଛି-?’’

 

‘‘ଏହାର ଉତ୍ତର ବର୍ତ୍ତମାନ ଦେବା ଠିକ୍‌ ନୁହେଁ । ତେବେ ଏତିକି କହିପାରେ, ଆପଣଙ୍କ ଶରୀର ଯେପରି ବିଶାଳ, ହୃଦୟଟା ଯଦି ସେହିପରି ବିଶାଳ ହୋଇଥାଏ; ଆପଣଙ୍କ ମୁଖମଣ୍ଡଳ ଯେଡ଼େ ସୁନ୍ଦର, ଅନ୍ତର ଯଦି ସେତିକି ସୁନ୍ଦର ହୋଇଥାଏ, ତେବେ ମୁଁ କହିବି, ଏହାଠାରୁ ବଳି ଦର୍ଶନୀୟ ମୁଁ ଆଉ କିଛି ଦେଖିବାକୁ ଚାହେଁ ନାହିଁ ।’’

 

ମ୍ୟାକ୍‍ମାର୍ଡ଼ୋଙ୍କ ଏହି ପ୍ରଶଂସାପୂର୍ଣ୍ଣ କଥାରେ ମ୍ୟାକ୍‌ଜିଣ୍ଟିର ମୁହଁର ଚେହେରା ହଠାତ୍‌ ବଦଳିଗଲା । ସେ ଖୁସ୍‌ମିଜାଜରେ କହିଲା, ‘‘ବାହାରେ ପିଲା ! ତୁ ତ ବେଶ୍‌ ସଜେଇ ସାଜେଇ କଥା କହିପାରୁଛୁ । ତା ହେଲେ ତୋ ମତ ଯେ, ମୋର ଏ ଚେହେରା ଦର୍ଶନୀୟ । ଏହା ତ ?’’

 

‘‘ନିଶ୍ଚୟ’’–ମ୍ୟାକ୍‍ମାର୍ଡ଼ୋଙ୍କ କଥାରେ ଦୃଢ଼ତା ପ୍ରକାଶ ପାଇଲା ।

 

‘‘ତୁ କହୁଥିଲୁ ପରା, ମୋତେ ଦେଖିବା ପାଇଁ ଉପରୁ ନିର୍ଦ୍ଦେଶ ପାଇ ତୁ ଏଠାକୁ ଆସିଅଛୁ । ଯେ ତୋତେ ଏ ନିର୍ଦ୍ଦେଶ ଦେଇଅଛି, ସେ ଉପରବାଲା କିଏ ?’’

 

‘‘୩୪୧ ନମ୍ବର କ୍ଳବର କମରେଡ଼ ସ୍କାନଲ୍ୟାନ୍‌ !’’ ଏହା କହିବା ସଙ୍ଗେସଙ୍ଗେ ମ୍ୟାକ୍‍ମାର୍ଡ଼ୋ ଟେବୁଲ ଉପରେ ରହିଥିବା ମଦ ଗ୍ଳାସକୁ ହାତ ବଢ଼ାଇ ପୁଣି କହିଲେ, ‘‘ଆଜି ଆପଣଙ୍କ ସହିତ ପ୍ରଥମ ସାକ୍ଷାତ । ଏହି ଶୁଭ ମୁହୂର୍ତ୍ତର ସ୍ମୃତିରକ୍ଷା ଲାଗି ମୁଁ ଏହା ନିଶ୍ଚିନ୍ତ ମନରେ ପାନ କରିପାରେ କି ?’’

 

କଥା କହିବା ସଙ୍ଗେସଙ୍ଗେ କାହାରି କୌଣସି ଉତ୍ତରକୁ ଅପେକ୍ଷା ନ ରଖି ମ୍ୟାକ୍‍ମାର୍ଡ଼ୋ ମଦ ଗ୍ଳାସଟିକୁ ହାତରେ ଉଠାଇନେଲେ । ତା ପରେ ମୁଣ୍ଡ ନୁଆଇଁ ମ୍ୟାକ୍‌ଜିଣ୍ଟିକୁ ଅଭିବାଦନ ଜଣାଇ ଗୋଟିଏ ନିଃଶ୍ୱାସରେ ଗ୍ଳାସଟିକୁ ଖାଲି କରିଦେଲେ ।

 

ମ୍ୟାକ୍‌ଜିଣ୍ଟି ମ୍ୟାକ୍‍ମାର୍ଡ଼ୋଙ୍କ ପାଦଠାରୁ ମୁଣ୍ଡଯାଏ ଥରେ ଭଲରୂପେ ଚାହିଁଗଲା । ତା ପରେ ପଚାରିଲା, ‘‘ତୁମ ପରିଚୟ ତ ପାଇ ପାରିଲି ନାହିଁ ?’’

 

‘‘ମୋର ନାମ ମ୍ୟାକ୍‍ମାର୍ଡ଼ୋ ।’’

 

‘‘ଉଁ, ହୁଁ, ଏତିକିରେ କଅଣ ସବୁ ପରିଚୟ ମିଳିଗଲା ? ଆମର ଏ ଅଞ୍ଚଳରେ କାହାରିକୁ ଭଲରୂପେ ନ ଜାଣି, ନ ଚିହ୍ନି ତାହା ସହିତ କଥାବାର୍ତ୍ତା କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ତେଣୁ...... । ଆଚ୍ଛା, ଟିକିଏ ଭିତରକୁ ଆସ ତ, ତୁମକୁ ଟିକିଏ ଭଲରୂପେ ଚିହ୍ନି ନିଏ ।’’

 

ମ୍ୟାକ୍‌ଜିଣ୍ଟି ଏହା କହି ମ୍ୟାକ୍‍ମାର୍ଡ଼ୋଙ୍କ ହାତ ଧରି ତାଙ୍କୁ ଏକ ପ୍ରକାର ଟାଣିଟାଣି ଗୋଟିଏ ଛୋଟ ଘରକୁ ନେଇଗଲା । ଘରଭିତରେ ପଶି କବାଟ ବନ୍ଦ କରିଦେଲା । ତା ପରେ ଗୋଟିଏ ଚୌକିରେ ବସିପଡ଼ି ମ୍ୟାକ୍‍ମାର୍ଡ଼ୋଙ୍କୁ ଏକଧ୍ୟାନରେ ଚାହିଁରହିଲା ।

 

ମ୍ୟାକ୍‍ମାର୍ଡ଼ୋ ପଦେ ହେଲେ ପାଟି ନ ଫିଟାଇ ଚୁପ୍‌ ହୋଇ ଠିଆହୋଇ ରହିଲେ । ତାଙ୍କ ମନର ଭାବ–ଯାହା ଦେଖିବାର, ଯେତେ ଦେଖିବାର ଦେଖିଯାଅ; ମୋର କୌଣସି ଆପତ୍ତି ନାହିଁ ।

 

କାହାରି ମୁହଁରେ କଥା ନାହିଁ । ଉଭୟେ ନୀରବ । ହଠାତ୍‌ ମ୍ୟାକ୍‌ଜିଣ୍ଟି ପକେଟରୁ ଗୋଟାଏ ରିଭଲଭର ବାହାର କରି ମ୍ୟାକ୍‍ମାର୍ଡ଼ୋ ଛାତିକୁ ଦେଖାଇ କହିଉଠିଲା, ‘‘ଦେଖୁଛୁ, ଯଦି ଛଳନା କରି ଛଦ୍ମବେଶରେ ଆସିଥାଉ, ତେବେ ଥରେ ମାତ୍ର ଏଥିରେ ଟିପ ଲଗାଇଦେଲେ ହିଁ ଚଳିଯିବ ।’’

 

ଟିକିଏ ହେଲେ ଭୀତ ବା ବିଚଳିତ ନ ହୋଇ ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲେ, ‘‘ସ୍ୱାଧୀନ ମାନବ କ୍ଳବର ମହାମାନ୍ୟବର ସର୍ଦ୍ଦାର ଯଦି ଆଉ ଗୋଟିଏ ଶାଖା କ୍ଳବର ସଭ୍ୟକୁ ଏଇଭଳି ଭାବରେ ଅଭ୍ୟର୍ଥନା କରନ୍ତି, ତେବେ ମୋର କହିବାର କିଛି ନାହିଁ ।’’

 

ମ୍ୟାକ୍‌ଜିଣ୍ଟି ବିସ୍ମୟ ପ୍ରକାଶ କରି କହିଲା, ‘‘ସତେ ନା ? ତୁମେ ସ୍ୱାଧୀନ ମାନବ କ୍ଳବର ସଭ୍ୟ ? ତା ହେଲେ ତୁମକୁ ଆଗ ତାର ପ୍ରମାଣ ଦେବାକୁ ପଡ଼ିବ । କେଉଁ ଶାଖାର ସଭ୍ୟ ତୁମେ-?’’

 

‘‘ଚିକାଗୋ ଶାଖାର ।’’

 

‘‘କେବେ ସଭ୍ୟ ହୋଇଅଛ ?’’

 

‘‘୧୮୭୨ ମସିହା ଜୁନ ୨୦ ତାରିଖ ।’’

 

‘‘ସେତେବେଳେ ସେଠାରେ କିଏ ସର୍ଦ୍ଦାର ଥିଲା ?’’

 

‘‘ଜେମ୍‌ସ ଏଚ୍‌. ସ୍କଟ ।’’

 

‘‘ତୁମ ଶାଖାର ଜିଲା ସର୍ଦ୍ଦାର କିଏ ?’’

 

‘‘ବାର୍ଥଲାମିଉ ଉଇଲ୍‌ସନ୍‌ ।’’

 

‘‘ହଁ, ପରୀକ୍ଷାରେ ତ ବେଶ୍‌ ଭଲ ଉତ୍ତରଦେଲେ । ତେବେ ଏଠାକୁ ଆସିଛ କାହିଁକି ?’’

 

‘‘ସେହି ଗୋଟିଏ ମାତ୍ର କାମ । ତେବେ ଆପଣଙ୍କ କାର୍ଯ୍ୟ ଅପେକ୍ଷା ଟିକିଏ କମ୍‌ ଧରଣର ଯାହା ।’’

 

‘‘ବେଶ୍‌ କାଇଦା ମାଫିକ ତ କଥା କହିପାରୁଛ ?’’

 

‘‘ଏହା ହିଁ ମୋର ଗୋଟାଏ ବିଶେଷ ସୁବିଧା । ମୋ ପାଟିରେ କେବେହେଲେ କଥା ଅଟକି ରହେ ନାହିଁ ।’’

 

‘‘କଥା ତ କହୁଛ ବେଶ୍‌; ତେବେ ଅସଲ କାର୍ଯ୍ୟ ହାସଲ ଦିଗରେ ?’’

 

‘‘ମୁଁ ଯେଉଁମାନଙ୍କ ସାଙ୍ଗରେ ଏପର୍ଯ୍ୟନ୍ତ କାମ କରିଆସିଛି, ସେ ସମସ୍ତେ ମୋ କାର୍ଯ୍ୟର ଖୁବ ପ୍ରଶଂସା କରିଅଛନ୍ତି ।’’

 

‘‘ତା ହେଲେ ତୁମକୁ ଆମେ ଥରେ ବି ପରୀକ୍ଷା କରିନେବା । ସେ ପରୀକ୍ଷା ଦିନ ଖୁବ୍‌ ନିକଟରେ । ଆଚ୍ଛା, ଏ ଅଞ୍ଚଳରେ ଆମ ଶାଖାର କାର୍ଯ୍ୟ ପରିକଳ୍ପନା ବିଷୟରେ କିଛି ଶୁଣିଛ ?’’

 

‘‘ଶୁଣିଅଛି । ଏ ଅଞ୍ଚଳ ଶାଖାର ସଭ୍ୟ ହେବାକୁ ହେଲେ ଛାତି ଦମ୍ଭ ଥିବା ଦରକାର ।’’

 

‘‘ଠିକ୍‌ ସେହି କଥା । ଚିକାଗୋ ଛାଡ଼ିଲ କାହିଁକି ?’’

 

‘‘ସେ କଥା କହିବା ଅର୍ଥ ଫାଶିକୁ ବରଣ କରି ଆଣିବା ।’’

 

‘‘ମୋ ଆଗରେ ମଧ୍ୟ କହିବ ନାହିଁ ?’’

 

‘‘ନା ।’’

 

‘‘କାହିଁକି ?’’

 

‘‘କ୍ଳବ୍‌ର କୌଣସି କମ୍ରେଡ଼ଙ୍କ ଆଗରେ ମିଥ୍ୟା କହିବା ନିୟମବିରୁଦ୍ଧ ।’’

 

‘‘ତା ହେଲେ କଅଣ ସତ୍ୟ କଥାଟା ଏତେ ଖରାପ ଯେ, ତାହା କାହାରି ଆଗରେ କୁହାଯାଇପାରିବ ନାହିଁ ?’’

 

‘‘ସେହି କଥା ହିଁ ମନେକରି ନିଅନ୍ତୁ ମହାମାନ୍ୟବର ସର୍ଦ୍ଦାର !’’

 

ଖୋଦ୍‌ ମ୍ୟାକ୍‌ଜିଣ୍ଟି ଆଗରେ ଠିଆହୋଇ ଏଭଳି କଥାବାର୍ତ୍ତା କରିବାକୁ ଆଗରୁ କେବେ କେହି ସାହସ କରି ନାହିଁ । ତେଣୁ ଏହି ନବାଗତକୁ ନାନା କଥା ପଚାରି ତାଠାରୁ କଥା ଆଦାୟ କରିବା ପାଇଁ ମ୍ୟାକ୍‌ଜିଣ୍ଟିକୁ ଆନନ୍ଦ ଲାଗୁଥିଲା । ମ୍ୟାକ୍‍ମାର୍ଡ଼ୋଙ୍କ ଶେଷ କଥାର ଉତ୍ତରରେ ସେ କହିଲା, ‘‘ଯେଉଁ ଲୋକ ତାର ଅତୀତ ଜୀବନ ସମ୍ପର୍କରେ କୌଣସି ସ୍ପଷ୍ଟ କଥା କହେ ନାହିଁ, କ୍ଳବର ସର୍ଦ୍ଦାର ହିସାବରେ ମୁଁ ତ ତାକୁ କ୍ଳବରେ ସ୍ଥାନ ଦେଇପାରିବି ନାହିଁ ।’’

 

ମ୍ୟାକ୍‍ମାର୍ଡ଼ୋ ଏହାର କଅଣ ଜବାବ ଦେବେ, ତାହା ଠିକ୍‌ କରିପାରୁ ନାହାନ୍ତି । ମୁହୂର୍ତ୍ତେ ସମୟ ମୌନ ରହି ସେ ପକେଟରେ ହାତ ପୂରାଇ ପୁରୁଣା ଖବରକାଗଜର ଟିକିଏ ଅଂଶ ବାହାର କଲେ । ସେ ଖଣ୍ଡିକ ମ୍ୟାକ୍‌ଜିଣ୍ଟି ହାତକୁ ବଢ଼ାଇଦେଇ କହିଲେ, ‘‘ମୁଁ ନିଶ୍ଚୟ ବିଶ୍ୱାସ କରୁଛି ଯେ, ଆପଣ ମୋତେ ଅଗାଧ ଜଳରେ ଭସାଇଦେବେ ନାହିଁ ।’’

 

ଏହି କଥାପଦକରେ ଯେ କି ଇଙ୍ଗିତ ଅଛି, ମ୍ୟାକ୍‌ଜିଣ୍ଟି ତାହା ସହଜରେ ବୁଝିପାରିଲା । ସେ ରାଗିଉଠି କହିଲା, ‘‘ମୋ ଆଗରେ ଠିଆହୋଇ ଯେଉଁ ଲୋକ ଏହିପରି ଆଶଙ୍କା ପ୍ରକାଶ କରି କଥା କହେ, ମୁଁ ତାକୁ ବେଶୀକ୍ଷଣ ଜୀବନରେ ଠିଆହୋଇ ରହିବାକୁ ଦିଏ ନାହିଁ ।’’

 

ମ୍ୟାକ୍‍ମାର୍ଡ଼ୋ ଅତ୍ୟନ୍ତ ଲଜ୍ଜିତ ହୋଇ କହିଲା, ‘‘ମୋତେ କ୍ଷମା କରନ୍ତୁ ମହାମାନ୍ୟବର ସର୍ଦ୍ଦାର ! ହଠାତ୍‌ ମୋ ମୁହଁରୁ ଏ କଥାପଦକ ବାହାରିଗଲା । ମୁଁ ଜାଣେ, ଆପଣଙ୍କ ପାଖରେ ମୁଁ ସମ୍ପୂର୍ଣ୍ଣ ନିରାପଦ । ଏହି ଖବରକାଗଜର ଅଂଶତକ ପଢ଼ନ୍ତୁ ।’’

 

ମ୍ୟାକ୍‌ଜିଣ୍ଟି ଦେଖିଲା, ସେ ଖବରକାଗଜରେ ଜୋନ୍‌ସ ପିଣ୍ଟୋଙ୍କ ସତ୍ୟା ସମ୍ବାଦ ପ୍ରକାଶପାଇଅଛି । କାଗଜ ଖଣ୍ଡିକ ପଢ଼ି ମ୍ୟାକ୍‍ମାର୍ଡ଼ୋ ହାତକୁ ବଢ଼ାଇଦେଇ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କହିଲା–‘‘ଏହା କଅଣ ତୁମରି କାମ ?’’

 

ମ୍ୟାକ୍‍ମାର୍ଡ଼ୋ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

‘‘କାହିଁକି ହତ୍ୟା କଲ ?’’

 

‘‘ଶ୍ୟାମ କକା ଆଉ ମୁଁ–ଦୁହେଁଯାକ ମିଶି ଜାଲମୋହର ତିଆରି କରୁଥିଲୁ । ମୋ ତିଆରି ମୋହରର ବିଶେଷତ୍ୱ ଥିଲା, ସେଗୁଡ଼ିକ ଠିକ୍‌ ଖାଣ୍ଟି ସୁନା ପରି ଦେଖାଯାଏ । ପୁଣି ତାକୁ ତିଆରି କରିବାରେ ଶ୍ୟାମ କକା ଖର୍ଚ୍ଚ ଅପେକ୍ଷା ମୋର ଖର୍ଚ୍ଚ ଅତି କମ୍‌ ଲାଗେ । ଜୋନ୍‌ସ ପିଣ୍ଟୋ ମୋ ମୋହର ନେଇ ବଜାରରେ ଚଳାଏ । କେତେଦିନ ଯାଏ କାରବାର ବେଶ୍‌ ଚାଲିଥିଲା । ଏହି ସମୟରେ ଦିନେ ପିଣ୍ଟୋ ବିଦ୍ରୋହ କରିଉଠିଲା । ନାନାପ୍ରକାର ଧମକ ଦେଇ ମୋଠାରୁ ଗୋଟାଏ କିଛି ବଡ଼ ଲାଭ ଉଠାଇବା ଇଚ୍ଛାରେ କେତେ ପ୍ରକାର ଖେଳ ଖେଳିଲା । ପ୍ରତି କଥାରେ ମୋତେ ଧରାଇଦେବ ବୋଲି ଇଙ୍ଗିତ ଦେଲା । ତେଣୁ ମୁଁ ବାଧ୍ୟହୋଇ ତାକୁ ଏ ସଂସାରରୁ ଏବଂ ସାଙ୍ଗେସାଙ୍ଗେ ମୋ ଗତିପଥରୁ ବିଦାୟ ଦେଇଥିଲି । ତା ପରେ କି ସେଠାରେ ଆଉ ରହି ହୁଏ ! ସେ ଅଞ୍ଚଳ ଛାଡ଼ି ଏଠାକୁ ପଳାଇଆସିଲି ।’’

 

‘‘ଏଠାକୁ କାହିଁକି ଆସିଲ ?’’

 

‘‘ଖବରକାଗଜ ପଢ଼ି ଜାଣିଥିଲି ଯେ, ଏ ଅଞ୍ଚଳରେ ପୋଲିସ ଉତ୍‌ପାତ ବେଶି କିଛି ନାହିଁ-

 

ଏହା ଶୁଣି ମ୍ୟାକ୍‌ଜିଣ୍ଟି ହସିଉଠିଲା । କିଛି ସମୟ ପରେ ସେହି ସ୍ମିତହାସ୍ୟ ମଧ୍ୟରେ କହିଲା, ‘‘ତାହା ହେଲେ ଘଟଣାଟା ହେଉଛି, ତୁମେ ପ୍ରଥମେ ଜାଲିୟାତ୍‌ ଥିଲ, ବା ପରେ ହେଲ ହତ୍ୟାକାରୀ । ଶେଷରେ ଭାବିଲ ଯେ, ଏ ଅଞ୍ଚଳକୁ ଆସିଲେ ସାଦର ଅଭ୍ୟର୍ଥନା ପାଇବ । ଠିକ୍‌ ନୁହେଁ ?’’

 

‘‘ହଁ, ପ୍ରାୟ ଠିକ୍‌ ସେଇ କଥା ।’’

 

‘‘ଆଚ୍ଛା, ତୁମେ ଏଠାରେ ଜାଲ୍‍ମୋହର ତିଆରି କରିପାରିବ ?’’

 

ପକେଟ ଭିତରୁ କେତେଗୁଡ଼ିଏ ମୋହର ବାହାର କରି ମ୍ୟାକ୍‍ମାର୍ଡ଼ୋ ହାତରେ ନଚାଇ କହିଲା, ‘‘ଏ ମୋହରଗୁଡ଼ିକ ଉପରେ ସରକାରୀ ମିଣ୍ଟେର ଛାପା ଆଦୌ ଦିଆଯାଇ ନାହିଁ ।’’

 

ମ୍ୟାକ୍‌ଜିଣ୍ଟି ତା ହାତରୁ ମୋହରଗୁଡ଼ିକ ନେଇ ଏପାଖ ସେପାଖ ଓଲଟାଇ ପରୀକ୍ଷା କଲା । ନୂଆ ଚିକ୍‌ଚିକ୍‌ କରୁଥିବା ସୁନାମୋହର । ମ୍ୟାକ୍‌ଜିଣ୍ଟି ଚକ୍ଷୁର ତାରା ଦୁଇଟି ମଧ୍ୟ ସେହିପରି ଚିକ୍‌ଚିକ୍‌ କରିଉଠିଲା । ସେ କହିଲା, ‘‘ଅବାକ୍‌ କାଣ୍ଡ ! ଅସଲ ଆଉ ନକଲ ମୋହର ଚିହ୍ନିବାର ଟିକିଏ ହେଲେ ଉପାୟ ନାହିଁ । ତୁମକୁ ଆମ କ୍ଳବର ସଭ୍ୟ କରିନେଲେ ଆମର ଯଥେଷ୍ଟ ଲାଭ ହେବ ଦେଖୁଛି । ଏଠାରେ ବହୁତ କାମ ଯେ ବାକି ପଡ଼ିଛି ।’’

 

‘‘କୌଣସି କଥାରେ ମୁଁ ପଛାଇବା ଲୋକ ନୁହେଁ ।’’

 

‘‘ସେ କଥା ମୁଁ ବୁଝିପାରିଛି । ହଠାତ୍‌ ପିସ୍ତଲ ଦେଖି ତୁମେ ଆଖିର ପଲକ ବି ପକାଇ ନାହଁ ।’’

 

‘‘ମୁଁ ବିଚଳିତ କାହିଁକି ହେବି ? ମୋ ଅପେକ୍ଷା ଆପଣଙ୍କର ଯେ ବିପଦ ବେଶୀ ।’’

 

‘‘କିପରି ?’’

 

ମ୍ୟାକ୍‍ମାର୍ଡ଼ୋ ଆଉ ଏକ ପକେଟରୁ ଗୋଟାଏ ରିଭଲଭର ବାହାର କରି ଦେଖାଇଲା । କହିଲା, ‘‘ଏ ଘରଭିତରକୁ ଆସିବା ସଙ୍ଗେସଙ୍ଗେ ହିଁ ମୁଁ ପ୍ରସ୍ତୁତ ହୋଇଯାଇଥିଲି । ମୋ ଟିପ ଯେ ଠିକ୍‌ ଲକ୍ଷ୍ୟ ଭେଦ କରିବ, ଏଥିରେ ମୋ ମନରେ କାଣିଚାଏ ହେଲେ ସନ୍ଦେହ ନାହିଁ ।’’

 

ଆଗରେ ଠିଆହୋଇ ରିଭଲଭର ଦେଖାଇ ଦୃଢ଼ଭାବରେ ତାହା ସହିତ କେହି ଏଭଳି କଥାବାର୍ତ୍ତା କରିବା ମ୍ୟାକ୍‌ଜିଣ୍ଟି ଜୀବନରେ ଏହା ହିଁ ପ୍ରଥମ । କ୍ରୋଧରେ ତା ବଦନମଣ୍ଡଳ ଲାଲ ହୋଇଉଠିଲା । ମାତ୍ର କ୍ଷଣକ ପରେ କଅଣ ବିଚାରି ସେ କ୍ରୋଧ ଦମନ କରି ହସିଉଠିଲା ।

 

ତା ପରେ ମ୍ୟାକ୍‍ମାର୍ଡ଼ୋର ହାତ ଧରିପକାଇ କହିଲା, ‘‘ସାବାସ୍‌, ତୁମ ଭଳି ଜଣେ ସାହସୀ ସଭ୍ୟ ପାଇ ଆମର ଏ କ୍ଳବ ଯେ ଅଧିକ ଶକ୍ତିଶାଳୀ ହୋଇଉଠିବ, ଏ ବିଷୟରେ ମୋ ମନରେ ଆଉ ଟିକିଏ ହେଲେ ସନ୍ଦେହ ନାହିଁ ।’’

 

ଠିକ୍‌ ଏହି ସମୟରେ ଉତ୍ତର ପାଖରେ ଗୋଟିଏ ଅତି ଛୋଟ ଝରକାରେ ହୋଟେଲ ଚାକରର ମୁହଁ ଦେଖାଗଲା । ମ୍ୟାକ୍‌ଜିଣ୍ଟି ବିରକ୍ତହୋଇ କହିଉଠିଲା, ‘‘ତୁମମାନଙ୍କ ଦାଉରେ ମଣିଷ ପାଞ୍ଚ ମିନିଟ୍‌ ହେଲେ କୌଣସି ଭଦ୍ରଲୋକ ସାଙ୍ଗରେ ନିରୋଳାରେ ଯେ କଥାବାର୍ତ୍ତା କରିବ, ତାର ଉପାୟ ନାହିଁ । କଅଣ କହିବାର ଅଛି ? କହ ।’’

 

ଚାକରଟି ଭୟରେ ଥରିଥରି କହିଲା, ‘‘ଆଜ୍ଞା, ମୋର କିଛି ଦୋଷ ନାହିଁ । ଟେଡ଼ି ବଲ୍‌ଡ଼ୁଇନ ମୋତେ ଏଠାକୁ ପଠାଇଲେ । କହିଲେ, ବିଶେଷ ଜରୁରୀ କାମ ଅଛି, ଏହି ମୁହୂର୍ତ୍ତରେ ମହାମାନ୍ୟବର ସର୍ଦ୍ଦାରଙ୍କ ସହିତ ତାଙ୍କର ଦେଖାହେବା ନିତାନ୍ତ ଦରକାର ।’’

 

କବାଟ ଖୋଲିଦେଇ ମ୍ୟାକ୍‌ଜିଣ୍ଟି କହିଲା, ‘‘ଯା, ଆସିବାକୁ କହିଦେ ।’’

ମ୍ୟାକ୍‌ଜିଣ୍ଟି ମୁହଁରୁ କଥା ଶେଷ ନ ହେଉଣୁ ଟେଡ଼ି ବଲ୍‌ଡ଼ୁଇନ ପ୍ରବଳ ଝଡ଼ବେଗରେ ଆସି ସେ ଘରଭିତରେ ପଶିଗଲା । ହଠାତ୍‌ ସେଠାରେ ମ୍ୟାକ୍‍ମାର୍ଡ଼ୋଙ୍କୁ ଦେଖି ରାଗ ଓ ବିସ୍ମୟରେ ଥରିବାକୁ ଲାଗିଲା । ତା ଦୁଇ ଆଖିରୁ ନିଆଁର ଝଲକ ବାହାରି ଆସିଲା ପରି ଜଣାଗଲା ।

ଦାନ୍ତ କଡ଼ମଡ଼ କରି ସେ କହିଲା, ‘‘ପାଜି, ବଦମାସ୍‌ ! ମୁଁ ଆସିବା ଆଗରୁ ଆସି ଏଠାରେ ପହଞ୍ଚିଗଲୁଣି ?’’ ସର୍ଦ୍ଦାରକୁ ଚାହିଁ କହିଲା, ‘‘ମହାମାନ୍ୟବର କାଉନ୍‌ସିଲର, ଏହି ଲୋକଟା ସମ୍ପର୍କରେ ମୋର ଆପଣଙ୍କ ସହିତ ବିଶେଷ କଥାବାର୍ତ୍ତା ହେବାର ଅଛି ।’’

ମ୍ୟାକ୍‍ମାର୍ଡ଼ୋ କହିଲେ, ‘‘ଯାହା କହିବାର ଅଛି, ତାହା ଏହିଠାରେ ମୋ ଆଗରେ ହିଁ କହ ।’’

‘‘ମୋ ଖୁସି, ମୁଁ ଯଦି ନ କହେ ?’’

ମ୍ୟାକ୍‌ଜିଣ୍ଟି ଦୁଇ ଜଣଙ୍କ ମଝିକୁ ଆସି ଠିଆହେଲା । ବଲ୍‌ଡ଼ୁଇନକୁ ଚାହିଁ ଭତ୍ସର୍ନାସ୍ୱରରେ କହିଲା, ‘‘ଚୁପ୍‌ ଚୁପ୍‌, କ୍ଳବର ଜଣେ କମ୍ରେଡ଼ ପ୍ରଥମ ହୋଇ ଆମର ଏ ଅଞ୍ଚଳକୁ ଆସିଅଛନ୍ତି । ତାଙ୍କ ସଙ୍ଗେ ବନ୍ଧୁତା କରି ତାଙ୍କୁ ସମ୍ବର୍ଦ୍ଧନା କରିବ କଅଣ, କନ୍ଦଳ ଭିଆଇ ବସିଲେଣି । ଛି, ଛି, ଏ କି କଥା-? ଶତ୍ରୁତା ଭୁଲିଯାଅ । ନିଜ ଭିତରେ ଆପୋଷ ନିଷ୍ପତ୍ତି କରିନିଅ ।’’

ରାଗ ଓ ଅଭିମାନରେ ବଲ୍‌ଡ଼ୁଇନ ଗର୍ଜିଉଠି କହିଲା, ‘‘ନା, କଦାପି ନୁହେଁ ।’’

ମ୍ୟାକ୍‌ଜିଣ୍ଟିକୁ ଲକ୍ଷ୍ୟକରି ମ୍ୟାକ୍‍ମାର୍ଡ଼ୋ କହିଲେ, ‘‘ଯଦି ମୁଁ ଏହାଙ୍କ ପ୍ରତି କୌଣସି ଅନ୍ୟାୟ କରିଥାଏ, ତେବେ ମୁଁ ତାଙ୍କୁ ଆଗରୁ କହି ଦେଉଛି ଯେ, ମୁଁ ତାଙ୍କ ସଙ୍ଗରେ ପ୍ରତିଯୋଗିତାରେ ଠିଆହେବାକୁ ପ୍ରସ୍ତୁତ ଅଛି । ସେ ଯେପରି ଇଚ୍ଛା କରିବେ, ମୁଁ ସେହି ଭାବରେ ଲଢ଼ିବାକୁ ରାଜି । ବର୍ତ୍ତମାନ କ୍ଳବର ମହାମାନ୍ୟବର ସର୍ଦ୍ଦାର ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଏହାର ବିଚାର କରନ୍ତୁ ।’’

ମ୍ୟାକ୍‌ଜିଣ୍ଟି ଅବାକ୍‌ ହୋଇଗଲା । ଥରେ ଏହା ମୁହଁକୁ ଓ ଥରେ ତା ମୁହଁକୁ ଚାହିଁ ଜିଜ୍ଞାସା କଲା, ‘‘ଘଟଣା କଅଣ ?’’

ମ୍ୟାକ୍‍ମାର୍ଡ଼ୋ କହିଲେ, ‘‘ଗୋଟିଏ ଭଦ୍ରମହିଳା ସଂକ୍ରାନ୍ତ ଘଟଣା । ସେ ଯାହାକୁ ପସନ୍ଦ କରିବେ, ତାକୁ ବିବାହ କରିବାର ଅଧିକାର ତାଙ୍କର ଅଛି ନା ନାହିଁ ?’’

ମ୍ୟାକ୍‌ଜିଣ୍ଟି ଉତ୍ତରଦେଲା, ‘‘ନିଶ୍ଚୟ, ସେ ଅଧିକାର ତାଙ୍କର ଅଛି ।’’

ବଲ୍‌ଡ଼ୁଇନ ଏପର୍ଯ୍ୟନ୍ତ ନୀରବରେ ଠିଆହୋଇ ଧକଉଥିଲା । ସେ ମ୍ୟାକ୍‌ଜିଣ୍ଟିର ଉତ୍ତରରେ ଚମକିଉଠି କହିଲା, ‘‘ଆପଣ ଏକଥା କହୁଅଛନ୍ତି ?’’

ମ୍ୟାକ୍‌ଜିଣ୍ଟି ଶାସନ କଲା ଭଙ୍ଗୀରେ କହିଉଠିଲା, ‘‘ତୁମେ କଅଣ ମୋ କଥା ମାନିବାକୁ ପ୍ରସ୍ତୁତ ନୁହେଁ ?’’

ବଲ୍‌ଡ଼ୁଇନ ନିଜ କ୍ରୋଧ ଆଉ ସମ୍ଭାଳି ରଖିପାରିଲା ନାହିଁ । ସେ ଗର୍ଜନ କରି କହିଲା, ‘‘ଯେଉଁ ଲୋକ ପାଞ୍ଚ ବର୍ଷ ହେଲା ଆପଣଙ୍କ ପାଖରେ ଛାଇ ପରି ରହିଆସିଛି, ନିଜ ଜୀବନକୁ ପାଣି ଛଡ଼ାଇ ଆପଣଙ୍କ ଆଦେଶ ମାନିଅଛି, ଆପଣଙ୍କ କାମ କରିଅଛି, ଆପଣ ତାକୁ ଆଜି ପାଖରୁ ତଡ଼ିଦେବାକୁ ଚାହୁଁଅଛନ୍ତି ? ପୁଣି କାହା ପାଇଁ ନା–ଜଣେ ଅପରିଚିତ ସଂପୂର୍ଣ୍ଣ ନବାଗତ ଲୋକ କଥାରେ ପଡ଼ି । ଏଇ କଅଣ ମାନ୍ୟବର ସର୍ଦ୍ଦାରଙ୍କ କାମ ? ତେବେ ମନେ ରଖନ୍ତୁ, ଆଜି ସିନା ସର୍ଦ୍ଦାର ହୋଇଅଛନ୍ତି, ତମ୍ବାପଟାରେ କଅଣ ମୁଣ୍ଡ ବାନ୍ଧିଛନ୍ତି ? ଏକଥା କିଛି ସବୁ ଦିନ ରହିବ ନାହିଁ-। କ୍ଳବର ଆସନ୍ତା ବୈଠକରେ ସର୍ଦ୍ଦାର ନିର୍ବାଚନ କଥା ଉଠିବ ।’’

ବଲ୍‌ଡ଼ୁଇନ ପାଟିରୁ କଥା ଶେଷ ହୋଇ ନାହିଁ, କ୍ରୁଦ୍ଧ ସିଂହ ପରି ମ୍ୟାକ୍‌ଜିଣ୍ଟି ତାର ବିପୁଳ ଶରୀରକୁ ନେଇ ବଲ୍‌ଡ଼ୁଇନ ଉପରକୁ କୁଦିପଡ଼ିଲା । ତା ବେକ ଧରି ତାକୁ ଠେଲିଠେଲି ଘରର ଗୋଟାଏ କୋଣକୁ ନେଇଗଲା । ସେଠାରେ ତା ଗଳାକୁ ଏତେ ଜୋରରେ ଚିପି ଧଇଲା ଯେ, ମ୍ୟାକ୍‍ମାର୍ଡ଼ୋ ଆସି ଟାଣି ଘୋଷାରି ନେଇ ନ ଥିଲେ ବଲ୍‌ଡ଼ୁଇନର ପ୍ରାଣବାୟୁ ସେହି ମୁହୂର୍ତ୍ତରେ ଉଡ଼ିଯାଇଥାଆନ୍ତା ।

ମ୍ୟାକ୍‍ମାର୍ଡ଼ୋ ତତ୍‌କ୍ଷଣାତ୍‌ ମହାମାନ୍ୟବର ସର୍ଦ୍ଦାରଙ୍କ ଦୁଇ ହାତ ଧରି ଆକୁଳ ଭାବରେ କହିଉଠିଲେ, ‘‘ଆପଣ ରାଗନ୍ତୁ ନାହିଁ । ଆମେ ଆମ କଳି ନିଷ୍ପତ୍ତି କରିନେଉଛୁ ।’’

ସେତେବେଳେ କ୍ରୋଧରେ ମ୍ୟାକ୍‌ଜିଣ୍ଟିର ବିଶାଳ ବକ୍ଷ ଥରୁଥିଲା । ତେଣେ ଘରକୋଣରେ ପରାଜିତ, ଲାଞ୍ଛିତ ଏବଂ ହତାଶ ବଲ୍‌ଡ଼ୁଇନ ନିଶ୍ଚିନ୍ତ ମୃତ୍ୟୁମୁଖରୁ ଫେରିଆସି ମନେମନେ ଭିତତ୍ରସ୍ତ ଭୀରୁ କୁତ୍ତା ପରି ଲାଙ୍ଗୁଡ଼ ଜାକି ଧକଉଥିଲା ।

ମ୍ୟାକ୍‌ଜିଣ୍ଟିର ରାଗ ସହଜେ କମି ନ ଥାଏ । ସେ ବଲ୍‌ଡ଼ୁଇନକୁ ଚାହିଁ ଗୁରୁଗମ୍ଭୀର ସ୍ୱରରେ କହି ଉଠିଲା, ‘‘ମୁଁ ଯେ ପର୍ଯ୍ୟନ୍ତ ସର୍ଦ୍ଦାର ଅଛି, ସେ ପର୍ଯ୍ୟନ୍ତ ତୁ ମୋ କଥା ମାନି ଚଳିବାକୁ ବାଧ୍ୟ । ତାପରେ ଆସନ୍ତା ବୈଠକର ନିର୍ବାଚନରେ ମୋତେ ପରାସ୍ତ କରି ତୁ ଯେତେବେଳେ ସର୍ଦ୍ଦାର ହେବୁ, ସେତେବେଳେ ପଛକେ ମୋତେ ତୋ ମନଇଚ୍ଛା ଦଣ୍ଡ ଦେବୁ ।’’

ମ୍ୟାକ୍‍ମାର୍ଡ଼ୋ ଦେଖିଲେ, ଏପରି ଅବସ୍ଥାରେ ସେ ବଳେବଳେ ଯାଇ ବଲ୍‍ଡ଼ୁଇନ ସହିତ ମିଳିମିଶି ଯିବା ଉଚିତ । କାରଣ ତାଙ୍କରି ପାଇଁ, ପୁଣି ତାଙ୍କରି ଆଗରେ ଲୋକଟା ଏତେ ଦୂର ଲାଞ୍ଛନା ପାଇଲା । କ୍ଳବର ମଙ୍ଗଳ ଲାଗି ତ ତାଙ୍କର ନମ୍ରତା ସ୍ୱୀକାର କରିବା ଦରକାର ।

ବଲ୍‍ଡ଼ୁଇନ ପାଖକୁ ଯାଇ ମ୍ୟାକ୍‍ମାର୍ଡ଼ୋ ଦୁଇ ହାତ ତା ଆଡ଼କୁ ବଢ଼ାଇଦେଲେ । ତାକୁ ଅନୁତପ୍ତ କଣ୍ଠରେ କହିଲେ, ‘‘ଯା ହେବାର ହୋଇଗଲାଣି । ପଛ କଥାକୁ ଭୁଲିଯାଅ ଭାଇ । ଆଜିଠାରୁ ଆମେ ଦୁହେଁ ବନ୍ଧୁ ।’’

ବଲ୍‌ଡ଼ୁଇନ ଦେଖିଲା, ସେତେବେଳଯାଏ ବି ସର୍ଦ୍ଦାରର ଦୁଇ ଚକ୍ଷୁ ନିଆଁ ହୁଳା ପରି ଚିକ୍‌ଚିକ୍‌ କରୁଅଛି ।

ଆଉ କଅଣ ବା କରିବ ? ଇଚ୍ଛା ନ ଥିଲେ ବି ବାଧ୍ୟ ହୋଇ ନିଜର ଦୁଇ ହାତ ମ୍ୟାକ୍‍ମାର୍ଡ଼ୋ ଆଡ଼କୁ ବଢ଼ାଇଦେଲା । ତାଙ୍କ ଦୁଇ ହାତକୁ ନିଜ ହାତରେ ମୁଠାଇ ଧରିନେଲା ।

ମ୍ୟାକ୍‌ଜିଣ୍ଟି କହି ଉଠିଲା, ‘‘ଗୋଟାଏ ଛାର ମାଇକିନିଆ ପାଇଁ ମୋ ଦଳର ସଭ୍ୟମାନେ ଯଦି ନିଜନିଜ ମଧ୍ୟରେ ଏହିପରି ମରାମରି, କାମୁଡ଼ାକାମୁଡ଼ି ହୁଅନ୍ତି, ତେବେ ମୋର ଏ ଦଳ ଭାଙ୍ଗିଯିବା ଉଚିତ ।’’

ମ୍ୟାକ୍‍ମାର୍ଡ଼ୋ କୁଣ୍ଠିତ ହୋଇ ଉତ୍ତରଦେଲେ, ‘‘ମୁଁ ଆଜି ଶପଥ ନେଉଛି ସର୍ଦ୍ଦାର, ଆମ ଦୁଇ ଜଣଙ୍କ ଭିତରେ ଆଉ ଏପରି ଦୃଶ୍ୟ କେବେହେଲେ ଦେଖିବେ ନାହିଁ ।’’

ମ୍ୟାକ୍‌ଜିଣ୍ଟି କହିଲା, ‘‘ବର୍ତ୍ତମାନ ହାତରେ ଗୁଡ଼ାଏ ଅତି ଦରକାରୀ କାମ ରହିଅଛି । ତେଣେ ଶତ୍ରୁ ଚାରିଆଡ଼େ ଜାଲ ବିଛାଇ ଛକି ବସିଲାଣି । ଏତିକିବେଳେ ପୁଣି ନିଜନିଜ ମଧ୍ୟରେ କଳିଗୋଳ, ମାରପିଟ ! ଦେଖ ମ୍ୟାକ୍‍ମାର୍ଡ଼ୋ, ତୁମକୁ ସ୍ପଷ୍ଟ କଥା କହିଦେଉଛି; ଯଦି ବା ଆମେ ଗୋଟିଏ କ୍ଳବର ସଭ୍ୟ, ତଥାପି ଆମ ଏଠା ଦଳର ଆଇନ କାନୁନ ସ୍ୱତନ୍ତ୍ର । ତୁମକୁ ନୂଆ ହୋଇ ଏ ଶାଖା କ୍ଳବର ସଭ୍ୟ ହେବାକୁ ପଡ଼ିବ, ତା ହେଲେ ଯାଇ ତୁମେ ଆମ ସାଙ୍ଗରେ ମିଶି ଚଳିବ । ନ ହେଲେ.....’’

ମ୍ୟାକ୍‌ଜିଣ୍ଟି ପିସ୍ତଲ ଥିବା ପକେଟକୁ ହାତ ନେଇ ଯାଉଥିଲା । ତତ୍‌କ୍ଷଣାତ୍‌ ମ୍ୟାକ୍‍ମାର୍ଡ଼ୋ କହିଉଠିଲେ, ‘‘ମୁଁ ପ୍ରସ୍ତୁତ ମହାମାନ୍ୟ ସର୍ଦ୍ଦାର !’’

ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି ମୁହଁରେ ହସ ଖେଳିଗଲା । ସେ କହି ପକାଇଲା, ‘‘ଦଳ ମଧ୍ୟରେ ତୁମ ଭଳି ଲୋକ ଯେତେ ବେଶୀ ରହିବେ, ଦଳର ସେତେ ମଙ୍ଗଳ । ମାସର ଶେଷ ଶନିବାର ରାତିରେ ଆମ ଦଳର ବୈଠକ ବସେ । ତେଣୁ ଆଉ ବିଳମ୍ବ କରିବା ଠିକ୍‌ ନୁହେଁ । ଆସନ୍ତା ଶନିବାର ବୈଠକରେ ହିଁ ତୁମେ ଦୀକ୍ଷା ନେଇଯାଅ । ସେହି ସମୟରେ ଅବଶ୍ୟ ତୁମକୁ ଟିକିଏ ପରୀକ୍ଷା ଦେବାକୁ ପଡ଼ିବ ।’’

‘‘ପୁଣି ପରିକ୍ଷା ?’’

‘‘ହଁ, ଆମ କ୍ଳବର ସଭ୍ୟ ହେବାକୁ ହେଲେ କେତେଗୁଡ଼ାଏ ଧରାବନ୍ଧା ଗତ ଅଛି । ସେହି ସମୟରେ ଆମେ ଭଲରୂପେ ପରୀକ୍ଷା କରି ଲୋକ ବାଛିନେଉ ।’’

‘‘ମୁଁ ଯେ କୌଣସି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି ।’’

Image

 

ଆଉ ଗୋଟାଏ ରତ୍ନ

 

ବୃଦ୍ଧ ଶାଫ୍‌ଟର କିନ୍ତୁ ଭୁଲିଯାଇ ନାହାନ୍ତି ।

 

ମ୍ୟାକ୍‍ମାର୍ଡ଼ୋ ଦେଖିଲେ ଯେ ବୃଦ୍ଧଙ୍କ ଘରେ ରହିବା ଆଉ ସମ୍ଭବ ନୁହେ । ପରଦିନ ସକାଳ ନ ହେଉଣୁ ସେ ବୃଦ୍ଧଙ୍କ ହୋଟେଲ ଛାଡ଼ି ଆଉ ଗୋଟାଏ ଭଡ଼ାଘରକୁ ଉଠିଗଲେ । ଜଣେ ବିଧବା–ଆୟାର୍‌ଲାଣ୍ଡ ଦେଶର ବୁଢ଼ୀ ସେ ଘରେ ଥାଆନ୍ତି । ତାଙ୍କର ଆଉ ଜଣେ ଭଡ଼ାଦାର ଥାଆନ୍ତି–ସେ ହେଉଛନ୍ତି ସ୍କାନ୍‌ଲ୍ୟାନ । ମ୍ୟାକ୍‍ମାର୍ଡ଼ୋ ସେହି ଘରକୁ ଚାଲିଆସିବାର ଦେଖି ସ୍କାନ୍‌ଲ୍ୟାନର ଆନନ୍ଦ ବହୁତ ବେଶୀ ବଢ଼ିଗଲା । ସେ ଘରେ ଆଉ ବିଶେଷ କେହି ଲୋକ ରହୁ ନ ଥିଲେ । ସେହି କାରଣରୁ ଶାଫ୍‌ଟର ବୁଢ଼ାଙ୍କ ହୋଟେଲ ଅପେକ୍ଷା ଏହି ଆଇରିସ୍‌ ବୁଢ଼ୀଙ୍କ ଘର ମ୍ୟାକ୍‍ମାର୍ଡ଼ୋ ପକ୍ଷରେ ବେଶୀ ସୁବିଧାଜନକ ହେଲା । ପୁରୁଣା ହୋଟେଲରେ ସବୁ ସମୟରେ ଲୋକ କାରବାର । ତେଣୁ ମୋହର ତିଆରି ଯନ୍ତ୍ରପାତିଗୁଡ଼ିକ ପାଖରେ ଥିବାରୁ ମ୍ୟାକ୍‍ମାର୍ଡ଼ୋଙ୍କୁ ଚାରିଆଡ଼ୁ ଅସୁବିଧା ବୋଧ ହେଉଥିଲା । କାଳେ କିଏ ଦେଖି ପକାଇବ, ସେଇଥିଲାଗି ସବୁ ସମୟରେ ଖୁବ୍‌ ସାବଧାନରେ ଚଳିବାକୁ ପଡ଼ୁଥିଲା । ମାତ୍ର ଏ ନୂଆ ଘରେ ସେସବୁ ଝିନ୍‌ଝଟ ବିଶେଷ କିଛି ନାହିଁ । ବୁଢ଼ୀ ସବୁ ସମୟରେ ତାଙ୍କ ନିଜ କୋଠରୀ ଭିତରଟିରେ ବସି ରହିଥାନ୍ତି । ସନ୍ଧ୍ୟା ନ ହେଉଣୁ ଶୋଇପଡ଼ନ୍ତି । ତେଣୁ ଘରର ସମସ୍ତ ଅଂଶ ଏକପ୍ରକାର ସେହି ଦୁଇ ବନ୍ଧୁ–ମ୍ୟାକ୍‍ମାର୍ଡ଼ୋ ଓ ସ୍କାନ୍‌ଲ୍ୟାନ, ଏହି ଦୁହିଁଙ୍କ ମାରଫତ ରହିଥାଏ ।

 

ବୃଦ୍ଧ ଶାଫଟର ମ୍ୟାକ୍‍ମାର୍ଡ଼ୋଙ୍କୁ ଘରୁ ବାହାର କରିଦେଲେ ମଧ୍ୟ ଟିକିଏ ଅନୁଗ୍ରହ ତାଙ୍କପ୍ରତି କରିଥାନ୍ତି । କହିଦେଇଥାନ୍ତି ଯେ ଇଚ୍ଛା କଲେ ମ୍ୟାକ୍‍ମାର୍ଡ଼ୋ ଆସି ହୋଟେଲରେ ଖିଆପିଆ କରିପାରିବେ । ମ୍ୟାକ୍‍ମାର୍ଡ଼ୋ ଏହି ଅନୁଗ୍ରହର ସୁଯୋଗରେ ମଝିରେ ମଝିରେ ଆସି ହୋଟେଲରେ ଖିଆପିଆ କରନ୍ତି, ତା ସଙ୍ଗେସଙ୍ଗେ ଏଟ୍ଟି ସହିତ ଦେଖାସାକ୍ଷାତ ମଧ୍ୟ କରିଥାଆନ୍ତି । ଏଟ୍ଟିକୁ ସେ ପ୍ରେମ କରୁଥିଲେ । ତେଣୁ ଦେଖା ନ ହେଲେ ମନ ବଡ଼ ଗୋଳେଇଘାଣ୍ଟି ହୁଏ ।

 

ଏଣେ ସେହି କୋଇଲାଖଣି ଉପତ୍ୟକାର ଗୋଟିଏ ଶ୍ରେଣୀର ଲୋକଙ୍କ ମଧ୍ୟରେ ମ୍ୟାକ୍‍ମାର୍ଡ଼ୋଙ୍କ ଖ୍ୟାତି ଅତି ଶୀଘ୍ର ବ୍ୟାପିଗଲା । ତାଙ୍କର ବେପରୁଆ ଭାବ, ମୁହଁ ଉପରେ ଯେ କେହି ଲୋକ ହେଉ ନା କାହିଁକି, ତାକୁ କଡ଼ାକଡ଼ା କଥା ଶୁଣାଇଦେବାର ସାହସ ଓ ଶକ୍ତି ଦେଖି ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ସେ ଏ ଅଞ୍ଚଳ କ୍ଳବ ଶାଖାର ସଭ୍ୟପଦ ଯଥାନିୟମରେ ଗ୍ରହଣ କରି ନ ଥିଲେ ମଧ୍ୟ ଅନ୍ୟ କମ୍ରେଡ଼ମାନେ ତାଙ୍କୁ ଏଠା କ୍ଳବର ଓ ନିଜର ଅତି ଆପଣାର ଅନ୍ତରଙ୍ଗ ବନ୍ଧୁ ବୋଲି ମନେ କରୁଥିଲେ । ସେମାନେ ପରସ୍ପରର ମୁହଁକୁ ମ୍ୟାକ୍‍ମାର୍ଡ଼ୋଙ୍କ ମୋହର ତିଆରିକରିବା ଖବର ପାଇଯାଇଥିଲେ । ସେ ସମସ୍ତେ ଯେ ଯାହାର ସୁବିଧା ମୁତାବକ ଆସି ତାଙ୍କ ସହିତ ସାକ୍ଷାତ କରି ଅଳିକରନ୍ତି–ଆମକୁ ମୋହର ତିଆରି ଉପାୟ ଟିକିଏ ବତାଇଦିଅ । ଅତି କଠୋର ଶପଥ କରାଇନେଇ ମ୍ୟାକ୍‍ମାର୍ଡ଼ୋ ସେମାନଙ୍କୁ ସେ ଯନ୍ତ୍ରପାତିସବୁ ଦେଖାନ୍ତି ଏବଂ ସେମାନଙ୍କ ଆଗରେ ମୋହର ତିଆରି କରିଦିଅନ୍ତି । କେବଳ ସେତିକି ନୁହେଁ, ସେହି ମୋହରରୁ ନମୁନା ସ୍ୱରୂପ ଗୋଟାଏ ଦୁଇଟା ସେମାନଙ୍କୁ ଉପହାର ଦିଅନ୍ତି । ମୋହରଗୁଡ଼ିକୁ ହାତରେ ଧରି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ପ୍ରକୃତ ମୋହରଠାରୁ ସେଗୁଡ଼ିକର ଟିକିଏ ହେଲେ କିଛି ଫରକ ନ ଥାଏ; ବଜାରରେ ଚଳାଇବା ପାଇଁ ଆଦୌ ଅସୁବିଧା ହୁଏ ନାହିଁ । ଯେଉଁ ଲୋକ ଏହିପରି ଜାଲ ମୋହର ତିଆରି କରିପାରେ, ତାର ଆଉ ଭାବନା କଅଣ ? ତେବେ ସେ ଲୋକ କାହିଁକି ବା ଚାକିରି କରୁଛି ? –ସମସ୍ତେ ତାଙ୍କୁ ଏଇ କଥା ପଚାରନ୍ତି-। ମ୍ୟାକ୍‍ମାର୍ଡ଼ୋ ଉତ୍ତର ଦିଅନ୍ତି, ଚାକିରୀ ନ କଲେ ପୋଲିସର ଶ୍ୱାନଦୃଷ୍ଟି ତାଙ୍କ ଉପରେ ପଡ଼ିଯିବ ଯେ ! କିଛି ଗୋଟାଏ କାମ ନ ଥିଲେ ସେ ଏଠାରେ ରହିପାରିବେ ନାହିଁ । ପୋଲିସ ତାଙ୍କ ପିଛା ଧରିବ । ସେଇଥିପାଇଁ ତ ଗୋଟାଏ କାମର ଛଳନା ଦରକାର ।

 

ହଠାତ୍‌ ଦିନେ ମ୍ୟାକ୍‌ଜିଣ୍ଟି ହୋଟେଲରେ ଗୋଟଏ ବଡ଼ ଧରଣର କାଣ୍ଡ ଘଟିଗଲା । ସେଥିରେ ମ୍ୟାକ୍‍ମାର୍ଡ଼ୋଙ୍କ ଖ୍ୟାତି ଲୋକଙ୍କ ପାଖରେ ଆହୁରି ବଢ଼ିଗଲା । ଭର୍ମିସା ଉପତ୍ୟକାରେ ଆଗରୁ ଯେସବୁ ପୋଲିସ ଅଫିସର ଓ କର୍ମଚାରୀ ଥିଲେ, ସେମାନେ ପ୍ରତିଦିନର ହତ୍ୟା, ଡକାୟତି, ଲୁଟ ଆଦି ସମ୍ଭାଳିପାରିଲେ ନାହିଁ । ସେହି କାରଣରୁ କମ୍ପାନୀ କର୍ତ୍ତୃପକ୍ଷ ଏବଂ ବଡ଼ବଡ଼ ବ୍ୟବସାୟୀମାନେ ନିଜ ମଧ୍ୟରେ ମୋଟା ଚାନ୍ଦା ଉଠାଇ ସହରରୁ ଆଉ କେତେକ ପୋଲିସ ଅଫିସର ଓ କର୍ମଚାରୀ ଅଣାଇ ସେଠାରେ ରଖା ଇଥିଲେ । ବ୍ୟବସାୟୀମାନେ ତ ଧନ ରୋଜଗାର ପାଇଁ ନିଜର ଘରଦ୍ୱାର ଛାଡ଼ି ଆସି ଏହି ଜନମାନବହୀନ ଉପତ୍ୟକାରେ ପଡ଼ିରହିଛନ୍ତି । ସେମାନଙ୍କର ସେହି ଧନ ଯଦି ପ୍ରତିଦିନ ଲୁଟ୍‌ ହୁଏ, ତେବେ ସେମାନେ ଆଉ ସମ୍ଭାଳିବେ କେତେ ? ସେଥିରୁ କିଛି ଅଂଶ ବରଂ ପୋଲିସ ପିଛା ଖର୍ଚ୍ଚ କରିବା ସୁବିବେଚନାର ପରିଚୟ ଦିଏ ।

 

ସେହି ସ୍ୱତନ୍ତ୍ର ପୋଲିସ ଆସିବା ଫଳରେ ଯେ ସେ ଅଞ୍ଚଳର ନରହତ୍ୟା, ଲୁଟି ଆଦି କିଛି କମିଯାଇଥିଲା, ତା ନୁହେଁ । ତଥାପି ଖଣିମାଲିକମାନଙ୍କର ଆଶା ଥିଲା ଯେ, ଏହି ଗୁଇନ୍ଦା ପୋଲିସ ଅଫିସରମାନେ ହିଁ ସେହି ଭୟଙ୍କର ନରହତ୍ୟାକାରୀ ଦଳକୁ ଦିନେ ନା ଦିନେ ଖୋଜି ବାହାର କରିପାରିବେ ଏବଂ ସେମାନଙ୍କୁ ଗିରଫ କରି ଏପରି ମକଦ୍ଦମା ସେମାନଙ୍କ ବିରୁଦ୍ଧରେ ଯୋଡ଼ିଦେବେ ଯେ, ଅଦାଲତରେ ସାକ୍ଷୀ ଓ ଓକିଲ ଯେତେ କୌଶଳ ବା ଷଡ଼ଯନ୍ତ୍ର କଲେ ମଧ୍ୟ ସେମାନେ ଆଉ ସେଥିରୁ ଖସି ଯାଇପାରିବେ ନାହିଁ ।

 

ମ୍ୟାକ୍‍ମାର୍ଡ଼ୋ ସହିତ ଦିନେ ଏହି ଗୁଇନ୍ଦା ପୋଲିସଦଳର ନୂଆ ଆସିଥିବା ସୁପରିଂଟେଣ୍ଡରଙ୍କ ହଠାତ୍‌ ଦେଖା ହୋଇଗଲା । ହୋଟେଲରେ ମ୍ୟାକ୍‍ମାର୍ଡ଼ୋ ବସିଥିଲେ । ସେହି ସମୟରେ ପୋଲିସ ପୋଷାକରେ ଜଣେ ଲୋକ ଆସି ତାଙ୍କ ଆଗରେ ଠିଆହୋଇଗଲେ । ମ୍ୟାକ୍‍ମାର୍ଡ଼ୋ ମୁହଁକୁ ଥରେ ଦୁଇ ଥର ଚାହିଁ ମୁହଁରେ ଦରହାସ୍ୟ ଫୁଟାଇ କହିଉଠିଲେ, ‘‘ଆରେ, ତୁମକୁ ତ ମୁଁ ଚିହ୍ନିଲା ଭଳି ଜଣାପଡ଼ୁଛି ।’’

 

ହୋଟେଲରେ ସେତେବେଳେ ଯେତେ ଲୋକ ଥିଲେ, ସମସ୍ତେ ଚମକି ଉଠିଲେ ।

 

ମ୍ୟାକ୍‍ମାର୍ଡ଼ୋ କିଛି ଉତ୍ତର ନ ଦେଇ ମୁହଁ ଟେକି ଥରେ ସେ ଅଫିସରଙ୍କୁ ଚାହିଁନେଲେ ।

 

ଅଫିସର ଜଣକ ହସିହସି କହିଲେ, ‘‘କଅଣ, ପୁରୁଣା ବନ୍ଧୁକୁ ଚିହ୍ନିପାରୁ ନାହଁ ?’’

 

ଏତେବେଳେ ସରିକି ମ୍ୟାକ୍‍ମାର୍ଡ଼ୋଙ୍କ ମୁହଁ ଫିଟିଲା । ‘‘ଆପଣଙ୍କର ବୋଧହୁଏ ବୁଝିବା ଭୁଲ ହୋଇଛି । ଘୁସ୍‌ଖୋର କୁକୁର ଦଳର କୌଣସି ଲୋକ ସାଙ୍ଗରେ ମୋର ବନ୍ଧୁତା କେବେ ହୋଇ ନାହିଁ ।’’

 

ଏଥିରେ ଯେ କେହି ବ୍ୟକ୍ତି ରାଗିବାର କଥା । ମାତ୍ର ଅଫିସର ଜଣକ ଟିକିଏ ହେଲେ ନ ରାଗି କହିଉଠିଲେ, ‘‘ଆହା, ଏଭଳି ଚମକିଉଠୁଛ କାହିଁକି ? ତୁମେ କଅଣ ଚିକାଗୋର ସେହି ମ୍ୟାକ୍‍ମାର୍ଡ଼ୋ ନୁହଁ ?’’

 

‘‘ନିଶ୍ଚୟ, ପିତାମାତାଙ୍କ ପ୍ରଦତ୍ତ ନାମକୁ ଲୁଚାଇବା ମୋର ସ୍ୱଭାବ ନୁହେ । ପୁଣି ମୁଁ ଏଭଳି କିଛି କାମ କରି ନାହିଁ, ଯେଉଁଥିଲାଗି କି ମୋ ନାମକୁ ମୁଁ ଅସ୍ୱୀକାର କରିବି ।’’

 

‘‘କଥାଗୁଡ଼ାକ କଅଣ ସତ୍ୟ ?’’

 

ମ୍ୟାକ୍‍ମାର୍ଡ଼ୋ ଗର୍ଜନ କରିଉଠିଲେ, ‘‘ତା ଅର୍ଥ ! ଆପଣଙ୍କର ତ କମ ଆସ୍ପର୍ଦ୍ଧା ନୁହେଁ ! ମୋ କଥାରେ ପୁଣି ସନ୍ଦେହ !’’

 

ଅଫିସର ଜଣକ ସେହିପରି ନରମ ହସ ମୁହଁରେ ଫୁଟାଇ କହିଲେ, ‘‘ତମ୍ବୁ ତୋଫାନ କରି ତୁ ଚିକାଗୋ ପୋଲିସ ଇନିସ୍‌ପେକ୍ଟର ମାର୍ଭିନକୁ ଭୁଲାଇ ଦେଇପାରିବୁ ନାହିଁ–ଏ କଥା କଅଣ ତୁ ଭଲରୂପେ ଜାଣିନାହୁଁ ? ଚିକାଗୋ ସହରର ଗୁଣ୍ଡାମାନଙ୍କୁ ମୁଁ ସ୍ୱର୍ଗପୁରରେ ଦେଖିଲେ ମଧ୍ୟ ଚିହ୍ନିପାରିବି ।’’

 

ମ୍ୟାକ୍‍ମାର୍ଡ଼ୋ ଟିକିଏ ଦବିଗଲେ ଏ କଥାରେ । ତଥାପି ସେ ପ୍ରଶ୍ନ କଲେ, ‘‘ଆପଣ କଅଣ କହିବାକୁ ଚାହାନ୍ତି ଯେ, ଆପଣ ହେଉଛନ୍ତି ଚିକାଗୋ ପୋଲିସ ଇନ୍‌ସପେକ୍ଟର ମାର୍ଭିନ ?’’

 

‘‘ହଁ, ମୁଁ ସେହି ହତଭାଗ୍ୟ ଇନିସ୍‌ପେକ୍ଟର ମାର୍ଭିନ–ଆପଣମାନଙ୍କର ଶ୍ରୀଚରଣତଳର ଦାସ । ଜନ୍‌ସ ପିଣ୍ଟୋକୁ ତୁ ଭୁଲିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁଁ ଭୁଲି ନାହିଁ ।’’

 

‘‘ଜନ୍‌ସ ପିଣ୍ଟୋ ! କିଏ ତାକୁ ଗୁଳିକରି ମାରିପକାଇଛି ପରା ! ତା ସଙ୍ଗେ ମୋର ସମ୍ପର୍କ କଅଣ ?’’

 

‘‘ସେ କଥା ମୁଁ ଭଲରୂପେ ଜାଣେ । ତାର ପ୍ରମାଣ ଯଦି ଯୋଗାଡ଼ କରିପାରିଥାଆନ୍ତି, ତା ହେଲେ ତୁ କଅଣ ଚିକାଗୋ ସହର ଛାଡ଼ି ବାହାରକୁ ଆସିଥାଆନ୍ତୁ ? ଥାଉ, ସେସବୁ ତ ଅତୀତର କଥା । ତେବେ ବର୍ତ୍ତମାନ ସେହି ପୁରୁଣା ବନ୍ଧୁର ଗୋଟାଏ ହିତୋପଦେଶ ଶୁଣ୍‌ ମନେରଖ–ଏଠାରେ ସୁନାପିଲା ଭଳି ଠିକ୍‌ ସିଧାସଳଖ ବାଟରେ ଚାଲ । ତା ହେଲେ ପୁରୁଣା ଘଟଣା ନେଇ ତୋ ସହିତ ମୋର ଆଉ ଟିକିଏ ହେଲେ ଟଣାଓଟରା ଲାଗିବ ନାହିଁ । ଯଦି କେବେ ଦେଖିବି ଯେ, ଏ ସ୍ଥାନରେ ମଧ୍ୟ କିଛି ନା କିଛି କୀର୍ତ୍ତି ଅର୍ଜନ କରିବାକୁ ଯାଉଛୁ, ତା ହେଲେ ଜାଣି ରଖ–ଏଥରକ ତୋର ମୁକ୍ତି ଅସମ୍ଭବ । ଆଚ୍ଛା ବନ୍ଧୁ, ବିଦାୟ ।’’

 

ଏହା କହି ପଛକୁ ଆଉ ଫେରି ନ ଚାହିଁ ଇନ୍‌ସପେକ୍ଟର ମାର୍ଭିନ ମସ୍‌ମସ୍‌ କରି ସେ ସ୍ଥାନରୁ ବାହାରି ଚାଲିଗଲେ ।

 

ହୋଟେଲର ସମସ୍ତେ ଆସି ମ୍ୟାକ୍‍ମାର୍ଡ଼ୋଙ୍କୁ ଘେରିଗଲେ । ଏତେ ଦିନଯାଏ ସେମାନଙ୍କ ମନରେ ଯାହା ଟିକିଏ ସନ୍ଦେହ ଥିଲା, ଆଜି ତାହା ସମ୍ପୂର୍ଣ୍ଣରୂପେ ଦୂର ହୋଇଗଲା । ସମସ୍ତେ ଭାବିଲେ, ‘‘ମ୍ୟାକ୍‍ମାର୍ଡ଼ୋ ନିଜ ସମ୍ପର୍କରେ ଯେସବୁ କଥା କହୁଥିଲେ, ସେଥିରେ କାଣିଚାଏ ହେଲେ ମିଛ ନାହିଁ । ମ୍ୟାକ୍‍ମାର୍ଡ଼ୋ ଯାହା କହନ୍ତି, ସତକୁସତ ତାହା କରନ୍ତି ।’’

 

ସେମାନଙ୍କ ଆଗରେ ମ୍ୟାକ୍‍ମାର୍ଡ଼ୋ ନିମିଷକ ମଧ୍ୟରେ ଗୋଟାଏ ରତ୍ନ ହୋଇଉଠିଲେ । ଖାଣ୍ଟି ବିଶୁଦ୍ଧ ରତ୍ନ !

Image

 

Unknown

ପରୀକ୍ଷା ଓ ଦୀକ୍ଷା ଗ୍ରହଣ

 

ଦେଖୁ ଦେଖୁ ମାସର ଶେଷ ଶନିବାର ଆସିଗଲା ।

 

ରାତିରେ ଭର୍ମିସା କ୍ଳବର ସଭ୍ୟ ରୂପେ ମ୍ୟାକ୍‍ମାର୍ଡ଼ୋ ଦୀକ୍ଷା ଗ୍ରହଣ କରିବେ । ଯେତେବେଳେ ଚିକାଗୋ କ୍ଳବର ସେ ନୂଆ ହୋଇ ସଭ୍ୟ ହୋଇଥିଲେ, ସେତେବେଳେ ତାଙ୍କୁ ଅନେକଗୁଡ଼ିଏ ଆଚାର ଅନୁଷ୍ଠାନ ପାଳନ କରିବାକୁ ପଡ଼ିଥିଲା । ମାତ୍ର ସେ ଶୁଣିଲେ, ଆଜି ତାଙ୍କୁ ଏହି ଶାଖାର ସଭ୍ୟ ହେବା ପାଇଁ ଆଉ କେତେଗୁଡ଼ାଏ ସ୍ୱତନ୍ତ୍ର କାର୍ଯ୍ୟ କରିବାକୁ ପଡ଼ିବ; ତା ହେଲେ ଯାଇ ଦୀକ୍ଷାଗ୍ରହଣ ଉତ୍ସବ ସମାପ୍ତ ହେବ । ଭର୍ମିସା ଶାଖା କ୍ଳବର ଏ ରୀତିନୀତି ଅନ୍ୟ ଶାଖାଠାରୁ ପୃଥକ୍‌ । ପ୍ରତ୍ୟେକ ନୂଆ ସଭ୍ୟଙ୍କୁ ଦୀକ୍ଷା ଦେବା ସଙ୍ଗେସଙ୍ଗେ ଏପରି କେତେଗୁଡ଼ିଏ କାର୍ଯ୍ୟ କରାଯାଏ, ଯେଉଁଥିରେ କି ନବାଗତ ସଭ୍ୟର ପରୀକ୍ଷା ମଧ୍ୟ ହୋଇଯାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ଦଳର ଅନ୍ତରଙ୍ଗ ମହଲରେ ସ୍ଥାନ ମିଳେ । ଏହିସବୁ କଥା ଶୁଣି ବିଶେଷ କୌତୂହଳ ସହ ମ୍ୟାକ୍‍ମାର୍ଡ଼ୋ କ୍ଳବର ଗୁପ୍ତଭବନରେ ଉପସ୍ଥିତ ହେଲେ ।

 

ମ୍ୟାକ୍‍ଜିଣ୍ଟି ହୋଟେଲର ଉପର ଅଂଶ ଦୋତାଲା ଘରେ କ୍ଳବର ଗୁପ୍ତଭବନ । କ୍ଳବର ସମସ୍ତ ବୈଠକ ଏହିଠାରେ ହୁଏ । ଆଜିର ଏ ବୈଠକରେ ପ୍ରାୟ ଷାଠିଏ ଜଣ ଯାଏ ସଭ୍ୟ ଯୋଗ ଦେଇଛନ୍ତି । ଅବଶ୍ୟ କ୍ଳବ ଏହି ଷାଠିଏ ଜଣଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ । ଭର୍ମିସା ଉପତ୍ୟକାର ପାଖଆଖ ଅଞ୍ଚଳରେ ଆଉ ଦୁଇ ତିନିଟା ଛୋଟଛୋଟ ସହର ଗଢ଼ି ଉଠିଥିଲା । ସେଠାରେ ମଧ୍ୟ ଏହି କ୍ଳବର ଶାଖା ପ୍ରତିଷ୍ଠିତ ହୋଇଯାଇଛି । ଦରକାର ପଡ଼ିଲେ ଗୋଟିଏ ଶାଖାରୁ ଅନ୍ୟଶାଖାକୁ ଲୋକ ଆଦାନ ପ୍ରଦାନ କରାଯାଏ । ଯମଦୂତ ଦଳ ଯେତେବେଳେ କୌଣସି ଏକ ଗୁରୁତର କାର୍ଯ୍ୟ କରିବାକୁ ଯାଆନ୍ତି, ସେତେବେଳେ ସେ ଅଞ୍ଚଳର ବାହାରେ ଥିବା ଶାଖା ଅନୁଷ୍ଠାନର କେତେକ ସଭ୍ୟଙ୍କୁ ଡକାଇଆଣନ୍ତି । କାରଣ ନିମନ୍ତ୍ରିତ ହୋଇ ଆସିଥିବା ସେହି ସଭ୍ୟମାନଙ୍କୁ ସ୍ଥାନୀୟ ଲୋକେ ଚିହ୍ନି ନ ଥାନ୍ତି; ତେଣୁ କାମଟା ହାସଲ କରିନେବା ସେମାନଙ୍କ ପକ୍ଷରେ ସହଜ ହୁଏ । ପୋଲିସ କିମ୍ବା ସର୍ବସାଧାରଣ ସେମାନଙ୍କୁ ଦେଖିଲେ ହଠାତ୍‌ ସନ୍ଦେହ କରିବାର ଅବକାଶ ନ ଥାଏ-। ବାହାରେ ଥିବା ଶାଖା ଅନୁଷ୍ଠାନର ଯେତେବେଳେ ଲୋକ ଲୋଡ଼ା ହୁଏ, ସେତେବେଳେ ଏହି ଭର୍ମିସା ଶାଖାର ଲୋକ ସେଠାକୁ ଯାଇଥାନ୍ତି । ଏହିପରି ପରସ୍ପର ଆଦାନ ପ୍ରଦାନ ବରାବର ଚାଲିଥାଏ । ଦଳେ ସଭ୍ୟ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଦରକାର ସମୟରେ ଯା ଆସ କରୁଥାଆନ୍ତି ।

 

ଦୋତାଲା ଉପରକୁ ଉଠିବାର ସବୁ କବାଟ ଆଜି ବନ୍ଦ । ସେହି ମହଲାରେ ଗୋଟାଏ ବଡ଼ ହଲ୍‌ ଘରେ ସମସ୍ତ ସଭ୍ୟ ରୁଣ୍ଡ ହୋଇଅଛନ୍ତି । ଘରର ଗୋଟାଏ ପାଖରେ ମସ୍ତବଡ଼ ଟେବୁଲ; ତା ଆଗରେ ଗୋଟାଏ ଉଚ୍ଚା ଛିଟଗଦିପକା ଚୌକିରେ ମହାମାନ୍ୟ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି କଳା ଓ ଲାଲ ଭେଲଭେଟ କନାର ପୋଷାକ ପିନ୍ଧି ବସିଅଛନ୍ତି । ମୁଣ୍ଡରେ ଏକ ସ୍ୱତନ୍ତ୍ର ଢଙ୍ଗର ଲାଲ ଟୋପି; ଟୋପି ତଳେ କଳା କୁଞ୍ଚକୁଞ୍ଚିଆ ପରଚୂଳା ବେକତଳ ପର୍ଯ୍ୟନ୍ତ ଲମ୍ବିଯାଇଛି । ସତେ ଯେପରି ପୋପ (ଖ୍ରୀଷ୍ଟାନମାନଙ୍କ ଧର୍ମଗୁରୁ) କୌଣସି ଏକ ଧର୍ମାନୁଷ୍ଠାନର ପୁରୋଧା ହୋଇ ବସିଅଛନ୍ତି । ଖାଇବିପଟରେ କେତୋଟି ଚଉକି ପଡ଼ିଅଛି; ତାହା କ୍ଳବର ବିଶିଷ୍ଟ ଅଫିସରମାନଙ୍କ ଆସନ । ସେଥିରୁ ଗୋଟିକରେ ଆସି ବସିଲା ଟେଡ଼ି ବଲ୍‌ଡ଼ୁଇନ । ବିଶିଷ୍ଟ ଅଫିସରଙ୍କ ପୋଷାକରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପଦକ ବା ଅନ୍ୟ ରଙ୍ଗର କନା ତିଆରି ଫୁଲ ଲାଗିଥାଏ । ସେଇଥିରୁ ଜଣାଯାଏ ଯେ କ୍ଳବର କାହାର କେଉଁ ସ୍ଥାନ, ତାର ମର୍ଯ୍ୟାଦା କେତେ, କାର୍ଯ୍ୟ ବା କଅଣ ? ଏହି ବିଶିଷ୍ଟ ସଭ୍ୟମାନେ ପ୍ରାୟ ସମସ୍ତେ ଯୌବନର ସୀମା ଅତିକ୍ରମ କରି ପ୍ରୌଢ଼ତ୍ୱ ଅବସ୍ଥାକୁ ଆସିଗଲେଣି । ଏମାନଙ୍କ ବ୍ୟତୀତ ଅନ୍ୟ ସଭ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ନବୀନ ଯୁବକ–ବୟସ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ । ଏମାନେ ହିଁ କ୍ଳବର ଅସଲ କର୍ମୀ । ଉପର ପାହ୍ୟାର ଅଫିସରମାନଙ୍କ ହୁକୁମରେ ଯେ କୌଣସି ଦୁଃସାହସିକ କାମ କରିବାକୁ ଏହିମାନେ ସବୁବେଳେ ଆଗଭର । ଦଳ ମଧ୍ୟରେ ଯେଉଁମାନେ ପ୍ରୌଢ଼, ଯେଉଁମାନେ ଅଫିସର, ସେମାନଙ୍କ ମୁହଁକୁ ଚାହିଁଲେ, ସେହିସବୁ ଗଭୀର ରେଖାଙ୍କିତ ମୁହଁରେ ନିଷ୍ଠୁରତାର ସ୍ପଷ୍ଟ ଚିହ୍ନ ପରିଷ୍କାର ଭାବରେ ଦେଖାଯିବ । ମାତ୍ର ନବୀନ ଯୁବକମାନଙ୍କ ବଦନମଣ୍ଡଳରେ ତାର ଆଭାସ ମିଳେ ନାହିଁ । ସୁନ୍ଦର, ସୁସ୍ପଷ୍ଟ, ମୁଖମଣ୍ଡଳ ତଳେ ଭୟଙ୍କର, କୁତ୍ସିତ ଓ ନିର୍ମମ ମନୋଭାବ କିପରି ଲୁଚିରହିଅଛି, ତାହା ବୁଝାପଡ଼େ ନାହିଁ । ସଭ୍ୟତାରୁ ବିଚ୍ଛିନ୍ନ ସେହି ପ୍ରାକୃତିକ ସୌଭାଗ୍ୟଭରା ପାର୍ବତ୍ୟ ଅଞ୍ଚଳରେ ନରହତ୍ୟା, ଡକାୟତି, ଲୁଟି, ପ୍ରତିହିଂସାର ତାଣ୍ଡବ ନୃତ୍ୟ ମଧ୍ୟରେ ବୁଡ଼ିରହି ସେମାନଙ୍କ ଅନ୍ତରର ସୁକୁମାର ପ୍ରକୃତିଗୁଡ଼ିକ ଏକାବେଳକେ ଲୋପ ପାଇଯାଇଛି । କିଏ କେତେଟା ମନୁଷ୍ୟଙ୍କୁ ହତ୍ୟା କରିପାରିଅଛି, କିଏ କେଉଁଠାରେ କି କୌଶଳରେ କେତେ ଲୋକଙ୍କୁ ରକ୍ତବୁହା କରିଦେଇଅଛି–ନିଜ ନିଜ ମଧ୍ୟରେ ଏହି କଥା କୁହାକୋହି ହୋଇ ସେମାନେ ଗର୍ବ କରନ୍ତି । ଯେ ସବୁଠାରୁ ବେଶୀ ନରହନ୍ତା, ଯେ କୌଶଳରେ ଅଧିକ ଧନସମ୍ପତ୍ତି ଲୁଟିକରି ଆଣିଅଛି, ଯେ ଯେତେ ବେଶୀ ନିର୍ମମ-ଭାବରେ ଶତ୍ରୁକୁ ଘାଇଲା କରିଅଛି, ସେ ଦଳ ମଧ୍ୟରେ ସେତେ ବେଶୀ ସମ୍ମାନର ପାତ୍ର । ସବୁଠାରୁ ବେଶୀ ବାହାଦୁରୀ ହେଉଛି, ଯେ ବିନା ଗଣ୍ଡଗୋଳରେ କାମ ହାସଲ କରିପାରେ । ତା ଅର୍ଥ, ଏପରି ଭାବରେ ହତ୍ୟା କରିବ, ଯେଉଁଥିରେ କି କୌଣସିମତେ ହତ ବା ହତ୍ୟାକାରୀର ଚିହ୍ନବର୍ଣ୍ଣ ଧରାପଡ଼ିବ ନାହିଁ । ଯେତେବେଳେକୌଣସି ହତଭାଗ୍ୟ ଲୋକ ଉପରେ କୌଣସି କାରଣରୁ ସେହି ଦଳର ଆକ୍ରୋଶ ଜନ୍ମେ, ସେତେବେଳେ ତାକୁ ଏ ସଂସାରରୁ ବିଦାୟ ଦେବା କାର୍ଯ୍ୟ କାହା ଉପରେ ପଡ଼ିବ–ଏହି କଥା ନେଇ ଯୁବକମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିଯାଏ । ଯାହାକୁ ହତ୍ୟା କରିବାକୁ ହେବ ବା ଗୋଟାଏ କିଛି ଗୁରୁତର ଆଘାତ ଦେବାକୁ ହେବ, ହୁଏତ ଏହି ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ ତାକୁ କେବେ ଆଖିରେ ଦେଖି ନାହାନ୍ତି । କାମ ହାସଲ ହୋଇଗଲା ପରେ ଫେରିଆସି ସେମାନଙ୍କ ମଧ୍ୟରେ ବେଳେବେଳେ ଯୁକ୍ତି ତର୍କ ଲାଗିଯାଏ–କାହା ମାଡ଼ଟା ସବୁଠାରୁ ବେଶୀ ମାରାତ୍ମକ ହୋଇଛି । କେହି କେହି କାର୍ଯ୍ୟର ସଫଳତାରେ ବିଜୟୀ ହସ ହସି ବର୍ଣ୍ଣନା କରି ବସେ–ଲୋକଟା କିଭଳି ଆର୍ତ୍ତନାଦ କରିଉଠିଲା । ବ୍ୟଙ୍ଗ ଅନୁକରଣ କରି ତାର ଚିତ୍‌କାର ଶୁଣାଇ ଦିଆଯାଏ; ଭାବଭଙ୍ଗୀ କରି ତାର ଛଟପଟ ଅବସ୍ଥା ଦେଖାଇ ଦିଆଯାଏ, ଦେହରୁ କିପରି ପ୍ରାଣ ବାହାରିଗଲା ତାର ଅଭିନୟ ଚାଲେ । ବକ୍ତା ନିଜେ ହସିହସି ଗଡ଼ିଯାଏ, ଅନ୍ୟ ସାଥୀକୁ ହସାଏ । ଏହି କଥାସବୁ ବର୍ଣ୍ଣନା କରିବାରେ ସେମାନଙ୍କର ଗୋଟାଏ ପୈଶାଚିକ ଆନନ୍ଦ ମିଳେ, ମନରେ ତୃପ୍ତି ଆସେ । ଯେଉଁମାନେ ଶୁଣନ୍ତି, ସେମାନେ ଉପଭୋଗ କରନ୍ତି–ସତେ ଯେପରି କି ସେମାନେ ଜଣେ ଶ୍ରେଷ୍ଠ ଅଭିନେତାଙ୍କ ଅଭିନୟ ଦେଖୁଅଛନ୍ତି । ଆଗେ ସେମାନେ ଏହିସବୁ କାର୍ଯ୍ୟ ଯେତେଦୂର ସମ୍ଭବ ଅତି ଗୋପନରେ କରିଦେଇ ଚୁପ୍‌ଚାପ୍‌ ରହୁଥିଲେ । ମାତ୍ର କ୍ରମେ ଦଶ ପଚାଶଟା କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିବାରୁ, ପୁଣି ଯେତେବେଳେ ଦେଖିଲେ ଯେ ପୋଲିସ ସେମାନଙ୍କର କିଛି ହେଲେ କ୍ଷତି କରିପାରୁ ନାହିଁ, ସେତେବେଳେ ନିଶ ଫୁଲାଇ ପ୍ରକାଶ୍ୟରେ ସବୁ ପ୍ରକାର ନିଷ୍ଠୁର କର୍ମ କରିବାକୁ ଅଗ୍ରସର ହେଲେ । ସବୁ ସଂପ୍ରଦାୟ ମଧ୍ୟରୁ ବଡ଼ବଡ଼ ଲୋକଙ୍କୁ ଅପର୍ଯ୍ୟାପ୍ତ ଟଙ୍କା ଦେଇ ସେମାନଙ୍କୁ ହାତରେ ରଖିଲେ; କାରଣ ଦରକାର ପଡ଼ିଲେ ସେମାନେ ଅଦାଲତରେ ଆସାମୀମାନଙ୍କ ପାଇଁ ଯାହା ଇଚ୍ଛା ତାହା ସାକ୍ଷ୍ୟ ଦେଇପାରିବେ । କେତେକ ଅର୍ଥଗୃଧୁ ବିଶିଷ୍ଟ ଓକିଲ । ପୋଷାହେଲେ, ଯେଉଁମାନଙ୍କ ସାହାଯ୍ୟରେ ଦିନ ରାତି ହୋଇଯିବ । ବିଶେଷରେ ପୋଲିସ, ହାକିମ ହୁକୁମାଙ୍କ ମଧ୍ୟରୁ କେତେକ ମଧ୍ୟ ଅର୍ଥ ପାଇ ଆନୁଗତ୍ୟ ସ୍ୱୀକାର କଲେ–ସମୟ ଅସମୟରେ ସେମାନଙ୍କୁ ସାହାଯ୍ୟ କରିବେ । ଏହିସବୁ କାରଣରୁ ଯମଦୂତ ଦଳ ଏହି କ୍ଷୁଦ୍ର ସହରରେ ଗଲା ଦଶ ବର୍ଷ ଧରି ଅବାଧରେ ହତ୍ୟାର ବିଭୀଷିକା ସୃଷ୍ଟି କରିଦେଇଅଛନ୍ତି । ଅଥଚ ଏ ଦୀର୍ଘକାଳ ମଧ୍ୟରେ ସୁଦ୍ଧା ତାଙ୍କ ଭିତରୁ ଜଣେ ହେଲେ ସେହି ଅଦାଲତରେ ଦଣ୍ଡ ପାଇ ନାହାନ୍ତି । ସେମାନଙ୍କ ସାହସ ବଢ଼ିଛି, ସଙ୍ଗେସଙ୍ଗେ ଭୀତତ୍ରସ୍ତ ଜନସାଧାରଣଙ୍କ ଦୁର୍ଭାବନା ବୃଦ୍ଧି ପାଇଛି ।

 

ପ୍ରତ୍ୟେକଙ୍କ କଥାରୁ ମ୍ୟାକ୍‍ମାର୍ଡ଼ୋ ବୁଝିସାରିଥିଲେ ଯେ ଆଜି ତାଙ୍କୁ ବିଶେଷ ଭାବରେ ପରୀକ୍ଷା ଦେବାକୁ ପଡ଼ିବ । ମାତ୍ର ସେ ପରୀକ୍ଷାର ସ୍ୱରୂପ କଅଣ, ତାହା ସେ ଶତଚେଷ୍ଟା କରି ମଧ୍ୟ କାହାପାଖରୁ ଜାଣିପାରି ନ ଥିଲେ । ବୈଠକ ବସିବା ଆଗରୁ ଦୁଇ ଜଣ ସଭ୍ୟ ମ୍ୟାକ୍‍ମାର୍ଡ଼ୋଙ୍କୁ ଧରି ପାଖରେ ଥିବା ଗୋଟିଏ ଛୋଟ ଅନ୍ଧାରୁଆ ଘରକୁ ନେଇଗଲେ । ସେ ଘରଭିତରେ ମ୍ୟାକ୍‍ମାର୍ଡ଼ୋ ଏକାକୀ ବସିରହିଲେ । ସଭ୍ୟ ଦୁଇ ଜଣ ଶାଗୁଆ ଓ ସୁନେଲୀ ପୋଷାକରେ ଭୂଷିତ ହୋଇ ଘରର ଦୁଆରମୁହଁରେ ନୀରବଭାବରେ ଜଗୁଆଳ ରୂପରେ ଠିଆହେଲେ । ସେ ଘରକୁ ଥରେ ଥରେ ବୈଠକର ପାଟିତୁଣ୍ଡ ଶୁଭୁଥିଲା । କେତେ ଥର ସେ ଶୁଣିପାରିଲେ ସେ ବୈଠକରେ ତାଙ୍କରି କଥା ପଡ଼ିଅଛି । ତାଙ୍କରି ନାମ କେବେ କିପରି କାହା ମୁହଁରେ ଶୁଣାଯାଉଅଛି ।

 

ଏହି ସମୟରେ ଦଳର ଆଉ ଜଣେ ସଭ୍ୟ ରୂପା ତିଆରି ଗୋଟାଏ ବଡ଼ ଠେଙ୍ଗା ଧରି ଆସି ସେ ଘର ଦୁଆରମୁହଁରେ ଠିଆହେଲା । ଗମ୍ଭୀର କଣ୍ଠରେ ପ୍ରହରୀ ଦୁଇ ଜଣଙ୍କୁ କହିଲା, ‘‘ମହାମାନ୍ୟ ସର୍ଦ୍ଦାରଙ୍କ ଆଦେଶ ଅନୁସାରେ ସେହି ନୂଆ ଲୋକଟିର ଆଖି ମୋଟା କଳା କନାରେ ଯଥାରୀତି ବାନ୍ଧିଦିଅ, ତା ପରେ ତାକୁ ସଭାସ୍ଥଳକୁ ଧରି ଚାଲ ।’’

 

ତତ୍‌କ୍ଷଣାତ୍‌ ପ୍ରହରୀ ଦୁହେଁ ଆସି ମ୍ୟାକ୍‍ମାର୍ଡ଼ୋଙ୍କ ଦୁଇ ଆଖି ମୋଟା କଳା ଭେଲ୍‌ଭେଟ କନାରେ ଜୋରରେ ବାନ୍ଧିଦେଲେ । ତା’ପରେ ଗୋଟାଏ ବଡ଼ କଳା ଟୋପି ଆଣି ମୁଣ୍ଡରେ ଗଳାଇଦେଲେ । ତାହା ବେକପର୍ଯ୍ୟନ୍ତ ଲମ୍ବିଗଲା । ଏଭଳି ଭାବରେ ବାନ୍ଧିଦେଲେ ଯେ : ସେ କୌଣସି ପ୍ରକାରେ କିଛି ଦେଖିପାରିବ ନାହିଁ । ସେହି ଅବସ୍ଥାରେ ଦୁଇ ପାଖରେ ଦୁଇ ଜଣଯାକ ତାହାଙ୍କ ହାତ ଧରି ସଭାସ୍ଥଳକୁ ଆଣିଲେ ।

 

ମ୍ୟାକ୍‍ମାର୍ଡ଼ୋଙ୍କ ଆଖି ଆଗରେ ଗଭୀର ଅନ୍ଧାର, କେବଳ କାନରେ ଶୁଣାଯାଉଅଛି ବହୁଲୋକଙ୍କର ମିଳିତ ଅନୁଚ୍ଚ କୋଳାହଳ । ସେ ସିଧାସଳଖ ସ୍ଥିର ଭାବରେ ଠିଆ ହୋଇ ରହିଲେ-

 

ସେତିକିବେଳେ ମ୍ୟାକ୍‌ଜିଣ୍ଟିର ତୀକ୍ଷ୍‌ଣ ଗମ୍ଭୀର ଶବ୍ଦ ତାଙ୍କୁ ଶୁଣାଗଲା–ଜନ ମ୍ୟାକ୍‍ମାର୍ଡ଼ୋ ! ତୁମେ କଅଣ ଚିକାଗୋ ସହରର ସ୍ୱାଧୀନ ମାନବ କ୍ଳବର ଜଣେ ପୁରାତନ ସଭ୍ୟ-?

 

‘‘ହଁ’’–ମ୍ୟାକ୍‍ମାର୍ଡ଼ୋଙ୍କ ସ୍ୱର ଦୃଢ଼ତାବ୍ୟଞ୍ଜକ ।

 

‘‘ତୁମର କେତେ ନମ୍ବର ଶାଖା ?’’

 

‘’୨୯ ନମ୍ବର–ଚିକାଗୋ ।’’

 

‘‘ଅନ୍ଧାର ରାତି–ବଡ଼ ଅସୁବିଧା ।’’

 

ମ୍ୟାକ୍‍ମାର୍ଡ଼ୋ ତତ୍‌କ୍ଷଣାତ୍‌ ସଙ୍କେତରେ ଅନ୍ୟ ଅଂଶ ପୂରଣ କରି ଉତ୍ତର ଦେଲେ–‘‘ଯେ ବାଟ ଚିହ୍ନି ନାହିଁ, କେବଳ ତାହାରି ପାଇଁ ।’’

 

ମ୍ୟାକ୍‌ଜିଣ୍ଟି ପୁଣି ଦଳର ସଙ୍କେତ ଦେଇ କହିଲା–‘‘ଆକାଶ ମେଘାଚ୍ଛନ୍ନ ।’’

 

‘‘ଝଡ଼ତୋଫାନ ହେବ’’–ମ୍ୟାକ୍‍ମାର୍ଡ଼ୋ ସଙ୍କେତର ଉତ୍ତର ଦେଲେ ।

 

ସଭ୍ୟମାନଙ୍କୁ ଚାହିଁ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି କହିଉଠିଲା, ‘‘ତୁମେମାନେ ସନ୍ତୁଷ୍ଟ ତ ?’’

 

ସମ୍ମିଳିତ କଣ୍ଠରେ ଉତ୍ତର ଆସିଲା–‘‘ହଁ, ହଜୁର ।’’

 

ମ୍ୟାକ୍‌ଜିଣ୍ଟି ମ୍ୟାକ୍‍ମାର୍ଡ଼ୋଙ୍କୁ ସମ୍ବୋଧନ କରି କହିଲା, ‘‘ମୋର ସଙ୍କେତ ଏବଂ ତୁମର ଉତ୍ତରରୁ ବେଶ୍‌ ବୁଝାଗଲା ଯେ, ପ୍ରକୃତରେ ତୁମେ ଚିକାଗୋ କ୍ଳବର ସଭ୍ୟ । ମାତ୍ର ଆମର ଏ ଅଞ୍ଚଳରେ ଆମ ନିଜ କାର୍ଯ୍ୟର ସୁବିଧା ଲାଗି ଆମେ ଯାହାକୁ ସଭ୍ୟ କରିନେଉ, ତାକୁ ଆଉ କେତେଗୁଡ଼ିଏ ପରୀକ୍ଷା କରିଥାଉଁ । ସେସବୁ ପରୀକ୍ଷା ଦେବାକୁ ତୁମେ ପ୍ରସ୍ତୁତ ତ ?’’

 

‘‘ହଁ, ମୁଁ ସବୁମନ୍ତେ ପ୍ରସ୍ତୁତ ଅଛି ।’’

 

‘‘ତା ହେଲେ ଉତ୍ତର ଦିଅ–ତୁମ ହୃଦୟ ଦୁର୍ବଳ ନୁହେ ତ ?’’

 

‘‘ଆଦୌ ନୁହେଁ ।’’

 

‘‘ତାହାର ପ୍ରମାଣ ସ୍ୱରୂପ ତୁମେ ଯେପରି ଅବସ୍ଥାରେ ଅଛ, ସେହି ଅବସ୍ଥାରେ ତୁମକୁ ପାଦେ ଆଗକୁ ଆସିବାକୁ ହେବ । ଚାଲିଆସ ତ ।’’

 

କଥା ଶେଷ ହେବା ସଙ୍ଗେସଙ୍ଗେ ମ୍ୟାକ୍‍ମାର୍ଡ଼ୋ ଅନୁଭବ କଲେ, ତାହାଙ୍କ ଦୁଇ ଆଖିର କୋଣକୁ ଯେପରି କି ଦୁଇଟା ଭୀଷଣ ଶକ୍ତ ଜିନିଷ ଚାପିଧରିଛି । ଟିକିଏ ହଲଚଲ ହେଲେ ତାହା ଆଖି ଦୁଇଟା ଭିତରେ ପଶିଯାଇ କଣା କରିଦେବ । ତଥାପି ମ୍ୟାକ୍‍ମାର୍ଡ଼ୋ ଅବିଚଳିତ ଭାବରେ ଆଗକୁ ପାଦ ବଢ଼ାଇଲେ । ଅସହ୍ୟ ଯନ୍ତ୍ରଣା ଭିତରେ ଗୋଟାଏ ପାଦ ଉଠାଇ ପକାଇଦେବାକ୍ଷଣି ସେ ବୁଝିପାରିଲେ ଯେ ଆଖିକୋଣରୁ ସେ ଯନ୍ତ୍ର ଦୁଇଟା ଖସାଇ ନିଆଯାଇଛି । ତା ସଙ୍ଗେସଙ୍ଗେ ସଭା ମଧ୍ୟରେ ତୁମୁଳ ପ୍ରଶଂସାଧ୍ୱନି ଶୁଣାଗଲା ।

 

ମ୍ୟାକ୍‌ଜିଣ୍ଟି କହିଲା, ‘‘ଦେଖିଲ ତ, ନୂଆ ସଭ୍ୟଟିର ହୃଦୟ ଆଦୌ ଦୁର୍ବଳ ନୁହେ ।’’

 

ତା ପରେ ମ୍ୟାକ୍‍ମାର୍ଡ଼ୋଙ୍କୁ ସେ ପଚାରିଲା, ‘‘ଯେତେ ଶାରୀରିକ ଯନ୍ତ୍ରଣା ହେଲେ ମଧ୍ୟ ତାହା ତୁମେ ସହିପାରିବ କି ?’’

 

ସ୍ଥିରକଣ୍ଠରେ ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲେ–‘‘ସମସ୍ତେ ଯାହା ସହନ୍ତି ମୁଁ ବି ତା ସହିବି ।’’

 

ମ୍ୟାକ୍‌ଜିଣ୍ଟି ଆଦେଶ ଦେଲା, ‘‘ପରୀକ୍ଷା କର ।’’

 

ମ୍ୟାକ୍‌ଜିଣ୍ଟି ପାଟିରୁ କଥା ନ ସରୁଣୁ ମ୍ୟାକ୍‍ମାର୍ଡ଼ୋ ତାଙ୍କ ଡାହାଣ ହାତରେ ନିଦାରୁଣ ଯନ୍ତ୍ରଣା ଅନୁଭବ କଲେ । ମନେହେଲା, ତାହାଙ୍କ ସମସ୍ତ ଶରୀର ସତେ ଅବା ପୋଡ଼ି ଜଳିଯାଉଅଛି-। ସେ ଯେପରି କି ଆଉ ସହି ନ ପାରି ଚିତ୍କାର କରି କାନ୍ଦିଉଠିବେ । ମାତ୍ର ଖୁବ୍‌ ଜୋରରେ ଦାନ୍ତ ଚିପି ପେଟଭିତରୁ ବାହାରି ଆସୁଥିବା ଚିତ୍କାରକୁ ସେ ବହୁ କଷ୍ଟରେ ବନ୍ଦ କରିଦେଲେ । କିନ୍ତୁ ସେହି ନିଦାରୁଣ ଆଘାତରେ ତାଙ୍କ ଦେହ ଝିମ୍‌ଝିମ୍‌ ହୋଇଗଲା । ମନେହେଲା, ଅଚେତ ହୋଇ ସେ ତଳେ ପଡ଼ିଯିବେ ପରା ! ତଥାପି ଦୁଇ ହାତ ମୁଠା କରି ଓଠ କାମୁଡ଼ି ସେ ସିଧାସଳଖ ଠିଆ ହୋଇ ରହିଲେ । କହିଲେ–‘‘ଏହାଠାରୁ ବଳି ଆଉ ଅଧିକ ଯନ୍ତ୍ରଣା ବି ସହିପାରିବ-।’’

 

ସଭାରେ ପୁଣି ବିସ୍ମୟସୂଚକ ହର୍ଷଧ୍ୱନି ଉଠିଲା । ସମସ୍ତେ ଏକ ସ୍ୱରରେ କହିଲେ, ‘‘ଏଭଳି ଭାବରେ ଆଉ କେହି ସହ୍ୟ କରିପାରି ନାହାନ୍ତି ।’’

 

ସଙ୍ଗେସଙ୍ଗେ ଜଣେ କେହି ତାଙ୍କ ମୁଣ୍ଡରୁ ଟୋପିଟା କାଢ଼ିନେଲା ଓ ଆଖିରୁ ଅନ୍ଧପୁଟୁଳି ଫିଟାଇଦେଲା ।

 

ଆଖି ଫିଟିବା ସାଙ୍ଗସାଙ୍ଗେ ସ୍ୱଭାବତଃ ତାର ଦୃଷ୍ଟି ଯାଇ ହାତର ଜଳାପୋଡ଼ା କରୁଥିବା ସ୍ଥାନରେ ପଡ଼ିଲା । ସେ ଦେଖିଲେ, ସେ ସ୍ଥାନର ଚମଡ଼ା ପୋଡ଼ିଯାଇ ଗୋଟାଏ ଗୋଲବୃତ୍ତକାର ଦାଗ ଅଙ୍କା ହୋଇଛି । ଆଉ ସେ ବୃତ୍ତ ମଝିରେ ରହିଅଛି ଗୋଟାଏ ଛକ ଚିହ୍ନ । ସେହିପରି ଚିହ୍ନ ସେ କେତେଦିନ ତଳେ ବଲ୍‌ଡ଼ୁଇନ ହାତରେ ଦେଖିଥିଲେ । ବଲ୍‌ଡ଼ୁଇନ ଗର୍ବର ସହିତ ସେ ଚିହ୍ନ ଦେଖାଇ ତାଙ୍କୁ ଭୟ ଦେଖାଇବାକୁ ଚେଷ୍ଟା କରିଥିଲା । ସେ ବୁଝିଲେ–ଏହା ହିଁ ‘ଯମଦୂତ ଦଳ’ର ଗୋପନ ଚିହ୍ନ ।

 

ମ୍ୟାକ୍‌ଜିଣ୍ଟି ହସିହସି କହିଲା, ‘‘ତୁମେ ସବୁ ପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଆମେ ସମସ୍ତେ ଭାରି ଖୁସି । ସଭା ଆରମ୍ଭରେ ତୁମେ ଶପଥ ନେଇଅଛ ଯେ, ଏହି ଦଳର କୌଣସି କଥା କେବେହେଲେ ବାହାରେ କାହାରି ନିକଟରେ ପ୍ରକାଶ କରିବ ନାହିଁ ଏବଂ ଦଳର ଆନୁଗତ୍ୟ ସବୁ ସମୟରେ ସକଳ ପରିସ୍ଥିତିରେ ମାନି ଚଳିବ । ତା ସଙ୍ଗେସଙ୍ଗେ ତୁମର ଏହା ମଧ୍ୟ ଜାଣିରଖିବା ଉଚିତ ଯେ, ଯଦି କେତେବେଳେ ତୁମେ ଏ ଶପଥ ଭଙ୍ଗକର, ତା ହେଲେ ତାର ଏକମାତ୍ର ପ୍ରତିବିଧାନ ମୃତ୍ୟୁ ।’’

 

‘‘ମୁଁ ତାହା ସ୍ୱୀକାର କରୁଅଛି ।’’ –ମ୍ୟାକ୍‍ମାର୍ଡ଼ୋ ଦୃଢ଼କଣ୍ଠରେ ଉତ୍ତର ଦେଲେ ।

 

‘‘ଆଉ ଗୋଟାଏ କଥା । ଦଳର ସର୍ଦ୍ଦାର ଯେ ହେବ, ତା ହୁକୁମ ସବୁ ସମୟରେ ପ୍ରତ୍ୟେକ ଅବସ୍ଥାରେ ବିନା ଦ୍ୱିଧାରେ ତୁମେ ମାନି ଚଳିବାକୁ ପ୍ରସ୍ତୁତ ତ ?

 

‘‘ନିଶ୍ଚୟ, ତା ନ ହେଲେ ଦଳର ଶୃଙ୍ଖଳା ରହିବ କିପରି ?’’

 

‘‘ତା ହେଲେ ଆଜି ଏହି ମୁହୂର୍ତ୍ତରେ କ୍ଳବର ସଭ୍ୟମାନଙ୍କ ଆଗରେ ମୁଁ ତୁମକୁ ୩୪୧ ନମ୍ବର ଭର୍ମିସା କ୍ଳବର ସଭ୍ୟରୂପେ ଗ୍ରହଣ କରିନେଲି । ଆଜିଠାରୁ ଦଳର ସବୁ ସୁବିଧା ତୁମେ ଭୋଗ କରିପାରିବ । ଦଳର ପ୍ରତ୍ୟେକ କାର୍ଯ୍ୟରେ ତୁମର ପରାମର୍ଶ ଓ ସହଯୋଗିତା ଖୋଜା ଯିବ-। କମ୍ରେଡ଼ ସ୍କାନ୍‌ଲ୍ୟାନ, ନୂଆ କମ୍ରେଡ଼ର ମଙ୍ଗଳ କାମନା ସ୍ୱରୂପ ମଦ୍ୟ ବଣ୍ଟନର ଦାୟିତ୍ୱ ତୁମେ ହିଁ ଗ୍ରହଣ କର ।’’ –ମ୍ୟାକ୍‌ଜେଣ୍ଟଙ୍କ ଆଦେଶ ।

 

ମ୍ୟାକ୍‍ମାର୍ଡ଼ୋ ଆଗରେ ସ୍କାନ୍‌ଲ୍ୟାନ ମଦଗ୍ଳାସ ଆଣି ଦେଖାଇଲା । ପ୍ରଥମେ ମ୍ୟାକ୍‍ମାର୍ଡ଼ୋ ଓ ସଙ୍ଗେସଙ୍ଗେ ଅନ୍ୟ ସଭ୍ୟମାନେ ତାହା ଉଠାଇ ନେଇ ପାନ କଲେ ।

Image

 

ପ୍ରଥମ ଅଭିଜ୍ଞତା

 

ସେହିଦିନର ବୈଠକର ପ୍ରାଥମିକ କାର୍ଯ୍ୟ ଶେଷ ହେଲା । ମ୍ୟାକ୍‍ମାର୍ଡ଼ୋ ଯଥାରୀତି ଭର୍ମିସା କ୍ଳବର ସଭ୍ୟ ହୋଇଗଲେ; ଅର୍ଥାତ୍‌ ‘ଯମଦୂତ ଦଳ’ରେ ତାଙ୍କର ସ୍ଥାନ ନିର୍ଦ୍ଦିଷ୍ଟ ରହିଲା ।

 

ତା ପରେ ସଭାର ଅନ୍ୟ କାମ ଆରମ୍ଭ ହେଲା ।

 

ମ୍ୟାକ୍‌ଜିଣ୍ଟି ବୈଠକର କାର୍ଯ୍ୟସୂଚୀ ଲେଖାଥିବା କାଗଜଖଣ୍ଡ ଟେବୁଲ ଉପରୁ ଉଠାଇନେଇ ପଢ଼ିଲା । ତା ପରେ କହିଲା, ‘‘ଆଜିର ବୈଠକରେ ଆଲୋଚନା ପାଇଁ ଖଣ୍ଡିଏ ଚିଠି ରହିଅଛି । ଏ ଚିଠିଖଣ୍ଡି ଅତି ଦରକାରୀ । ନିକଟବର୍ତ୍ତୀ ମାର୍ଟିନ କାଉଣ୍ଟି କ୍ଳବର ସର୍ଦ୍ଦାର ଲେଖିଛନ୍ତି । ତାହା ପଢ଼ି ସମସ୍ତଙ୍କୁ ଶୁଣାଉଛି–

 

‘‘ମହାଶୟ, ଏଠାର ଖଣିର ମାଲିକ ଅଣ୍ଡ୍ରୁକୁ ସଂସାରରୁ ବିଦାୟ ଦେବାକୁ ହେବ । ଆପଣମାନଙ୍କର ବୋଧହୁଏ ମନେଥିବ, ଗତ ଶୀତ ଋତୁରେ କୌଣସି ଏକ ଗୁରୁତର କାର୍ଯ୍ୟ ହାସଲ ଲାଗି ଆପଣଙ୍କ କ୍ଳବ୍‌ ଆମ କ୍ଳବଠାରୁ ଦୁଇ ଜଣ କର୍ମୀଙ୍କୁ ଧାର ସୂତ୍ରରେ ନେଇଥିଲା । ଏବେ ତାହା ପରିଶୋଧ କରିବାର ସମୟ ଆସିଛି । ସୁତରାଂ ଆପଣ ଦୁଇ ଜଣ ଦକ୍ଷ କର୍ମ୍ମୀ ବାଛି ଶୀଘ୍ର ପଠାନ୍ତୁ । ସେମାନେ ଆସି ଆମର କୋଷାଧ୍ୟକ୍ଷ ହିଗିନ୍‌ସଙ୍କ ସହିତ ପ୍ରଥମେ ସାକ୍ଷାତ କରିବେ-। ହିଗିନ୍‌ସଙ୍କ ଠିକଣା ତ ଆପଣଙ୍କୁ ଅଜଣା ନାହିଁ । କେଉଁଠାରେ କିପରି କଅଣ କରିବାକୁ ହେବ, ହିଗିନ୍‌ସ ତାର ସବୁ ବ୍ୟବସ୍ଥା କରିଦେବେ । ଆପଣଙ୍କର–ଉଇଣ୍ଡଲ, ସର୍ଦ୍ଦାର ।’’

 

ପତ୍ରପାଠ ଶେଷ ହେଲା । ମ୍ୟାକ୍‌ଜିଣ୍ଟି ସଭ୍ୟମାନଙ୍କୁ ଲକ୍ଷ୍ୟ କରି କହିଲା, ‘‘ଉଇଣ୍ଡଲ ସବୁ ସମୟରେ ଲୋକ ଦେଇ ଆମକୁ ସାହାଯ୍ୟ କରିଆସିଛନ୍ତି । ସୁତରାଂ ବର୍ତ୍ତମାନ ତାଙ୍କୁ ସାହାଯ୍ୟ କରିବା ଆମର ଉଚିତ । ତୁମ ମଧ୍ୟରୁ କିଏ ସେଠାକୁ ଯିବା ପାଇଁ ରାଜି ଅଛ ?’’

 

ସର୍ଦ୍ଦାର ମୁହଁରୁ କଥା ଶେଷ ନ ହେଉଣୁ ସଭାସ୍ଥଳରୁ କେତେ ଜଣ ଯୁବକ ହାତ ଟେକିଲେ ।

 

ସେମାନଙ୍କ ଭିତରୁ ଜଣକୁ ଚାହିଁ ସର୍ଦ୍ଦାର ମୃଦୁ ହାସ୍ୟ ପ୍ରକାଶ କରି କହିଲା, ‘‘ଟାଇଗର କୋରମ୍ୟାକ୍‌, ମୁଁ ଜାଣେ, ତୁ ଏ କାର୍ଯ୍ୟକୁ ବେଶ୍‌ ଦକ୍ଷ । ଆଚ୍ଛା ଉଇଲ୍‌ସନ୍‌, ତୁ ପାରିବୁ ତ ?’’

 

ଉଇଲ୍‌ସନ୍‌ ବୟସ କୋଡ଼ିଏ ବର୍ଷରୁ ମଧ୍ୟ କମ୍‌ । ଠିଆ ହୋଇଯାଇ ସେ କହିଲା, ‘‘ହଁ, ମୁଁ ପ୍ରସ୍ତୁତ ଅଛି; ମାତ୍ର ମୋର ଯେ ପିସ୍ତଲ ନାହିଁ ।’’

 

ମ୍ୟାକ୍‌ଜିଣ୍ଟି ପ୍ରଶ୍ନସୂଚକ ମୁଖରେ ଚାହିଁ ଜବାବ ଦେଲା, ‘‘ତା ହେଲେ ଏହା ତୋର ପ୍ରଥମ ନମ୍ବର ପାଳି ? ବେଶ୍‌ ଭଲ କଥା । ଦିନେ ନା ଦିନେ ତ ହାତରେ ଖଡ଼ି ଧରିବାକୁ ହେବ । ପିସ୍ତଲ ଭାବନା କରିବା ଦରକାର ନାହିଁ । ଯିବା ଆଗରୁ ଠିକ୍‌ ପିସ୍ତଲ ତୁ ପାଇଯିବୁ ।’’

 

କୋରମ୍ୟାକ୍‌ ପ୍ରଶ୍ନ କଲା, ‘‘ଏଥର କଅଣ ପୁରସ୍କାର ମିଳିବ ନା ନାହିଁ ?’’

 

ଲୋକଟାର ମୁହଁ ଯେପରି ଭୀଷଣ, ତାହାର କଣ୍ଠର ସ୍ୱର ସେହିପରି କର୍କଶ । ସେହି କାରଣରୁ ଦଳର ଲୋକେ ତାକୁ ଡାକନ୍ତି ଶାର୍ଦ୍ଦୂଳ–‘ଟାଇଗର’ ।

 

ଟାଇଗର କୋରମ୍ୟାକ୍‌ ପ୍ରଶ୍ନର ଉତ୍ତରରେ ସର୍ଦ୍ଦାର କହିଲା, ‘‘ପୁରସ୍କାର ପାଇଁ ମୁଣ୍ଡ ଖେଳାଅ ନାହିଁ । କାମ କାଇଁ ତ କାମ କରିବା ଦରକାର । ହୁଏ ତ କାର୍ଯ୍ୟ ହାସଲ ପରେ ଦେଖିବାକୁ ପାଇବୁ, ବାକ୍‌ସ ତଳେ ଦୁଇ ଚାରିଟା ଠିକ୍‌ ଠିକ୍‌ ସୁନା ମୋହର ତୋତେ ସାଦର ନିମନ୍ତ୍ରଣ କରୁଥିବେ ।’’

 

ଉଇଲ୍‌ସନ୍‌ ହଠାତ୍‌ ପ୍ରଶ୍ନ କରିଉଠିଲା, ‘‘ଆଚ୍ଛା, ଯେଉଁ ଲୋକଟାକୁ ଯମପୁରକୁ ପଠାଇ ଦିଆଯିବ, ସେ ଲୋକଟାର ଅପରାଧ କଅଣ ?’’

 

‘‘ଏ ପ୍ରଶ୍ନ କରିବାର କୌଣସି ଅଧିକାର ତୋର ନାହିଁ ।’’ ସର୍ଦ୍ଦାରର କଣ୍ଠସ୍ୱର ରୁକ୍ଷ । ‘‘ଏ କ୍ଷେତ୍ରରେ ମୋର ମଧ୍ୟ ଏଭଳି ପ୍ରଶ୍ନ ପଚାରିବାର ନୁହେଁ । ସେ କ୍ଳବ୍‌ ସବୁ କଥା ବିଚାରକରି ଯାହା ସିଦ୍ଧାନ୍ତ କରିଛି, ତାହା ସେ କରିବ ହିଁ କରିବ । ଆମର କେବଳ ତାଙ୍କୁ ଟିକିଏ ସାହାଯ୍ୟ କରିବାର କଥା । ପୁଣି ଆମ ସଭ୍ୟମାନେ ମନେ ରଖିବା ଉଚିତ ଯେ, ଆସନ୍ତା ସପ୍ତାହରେ ଆମର ଏଠାରେ ଗୋଟିଏ ବଡ଼ କାମ ହାସଲ ଲାଗି ତାଙ୍କ କ୍ଳବରୁ ଦୁଇ ଜଣ ଲୋକ ଆସିବାର ଅଛି । ଏଠାରେ ଥିବା ଦୁଇ ତିନି ଜଣ ଶତ୍ରୁଙ୍କୁ ଉପଯୁକ୍ତ ଶିକ୍ଷା ତୁରନ୍ତ ନ ଦେଲେ ଆମ କ୍ଳବ ସମ୍ମାନରେ ବାଧା ଘଟୁଛି । ବିଶେଷତଃ ଗତ କେତେ ଦିନ ହେଲା କ୍ଳବର କୌଣସି ତତ୍ପରତା ପ୍ରକାଶ ପାଇପାରି ନାହିଁ ।’’

 

ସେହି ବିଷାକ୍ତ ବାତାବରଣ ଭିତରେ ନୂତନ ଦୀକ୍ଷିତ ମ୍ୟାକ୍‍ମାର୍ଡ଼ୋଙ୍କ ମନର ଅନ୍ଧକାର ଭାବଟା ଯେପରି କି କ୍ରମେକ୍ରମେ ଅପସରି ଯାଉଥିଲା । କ୍ଳବର କାର୍ଯ୍ୟକଳାପ ବା କଥାବର୍ତ୍ତା ଯେ ତାଙ୍କୁ ଖୁବ୍‌ ଖରାପ ଲାଗୁଛି, ତାଙ୍କ ମୁହଁର ଭାବଭଙ୍ଗୀରୁ ଏହା କଦାପି ବୁଝା ପଡ଼ୁ ନ ଥିଲା ।

 

ହଠାତ୍‌ ମ୍ୟାକ୍‍ମାର୍ଡ଼ୋ ଆଡ଼କୁ ଲକ୍ଷ୍ୟ କରି ମ୍ୟାକ୍‌ଜିଣ୍ଟି ଆଗ୍ରହରେ ପ୍ରଶ୍ନ କଲା, ‘‘କିପରି ଲାଗୁଛି ?’’

 

‘‘ମନ୍ଦ କଅଣ ? ଯେଉଁମାନଙ୍କ ରକ୍ତ ଗରମ, ସେମାନଙ୍କ ପାଇଁ ଏହିପରି ଟିକିଏ କଡ଼ା ପରିସ୍ଥିତି ସୃଷ୍ଟି ହେବା ଦରକାର । ମୋର ଏସବୁ କାର୍ଯ୍ୟରେ ତିଳେ ହେଲେ ଆପତ୍ତି ନାହିଁ । ସେଇଥିପାଇଁ ମୁଁ ସ୍ୱତଃପ୍ରବୃତ୍ତ ହୋଇ ଜଣାଇଦେଉଛି ଯେ, କ୍ଳବର ଯେ କୌଣସି କାର୍ଯ୍ୟରେ ଯଦି ମୋର ସାମାନ୍ୟ ଶକ୍ତିର ପ୍ରୟୋଜନ ବୋଧହୁଏ, ତେବେ ସେଥିପାଇଁ ମୁଁ ସବୁବେଳେ ପ୍ରସ୍ତୁତ ରହିଅଛି ।’’

 

ମ୍ୟାକ୍‌ଜିଣ୍ଟି କହିପକାଇଲା, ‘‘ତା ମୁଁ ଜାଣେ । ତେବେ ସେପରି କୌଣସି ବଡ଼ କାର୍ଯ୍ୟ ବର୍ତ୍ତମାନ ତୋତେ ଦେଇପାରିବି ନାହିଁ । ତଥାପି ଆଜି ରାତିରେ ଗୋଟିଏ ଅତି ସାମାନ୍ୟ ଧରଣର କାର୍ଯ୍ୟ ସାଧନ କରିବାକୁ ଅଛି । ଇଚ୍ଛା କଲେ ତୁ ସେହି କାମ ହାସଲ କରିବାକୁ ଯାଉଥିବା ଲୋକଙ୍କ ସାଙ୍ଗରେ ଯାଇପାରୁ ।’’

 

‘‘ବରଂ ମୁଁ ଆଉ କିଛି ଦିନ ଅପେକ୍ଷା କରୁଅଛି ।’’

 

ମ୍ୟାକ୍‌ଜିଣ୍ଟି କହିଉଠିଲା, ‘‘ମୋ କଥା ଶୁଣ । ପ୍ରଥମରୁ ଗୋଟାଏ ବଡ଼ କାର୍ଯ୍ୟରେ ବାହାରି ନ ପଡ଼ି ଆଜି ରାତିର ଏହି ଛୋଟ କାମରେ ବରଂ ଲାଗିଯାଆ । ସେଥିରୁ ଜାଣିପାରିବୁ ଯେ, ଆମର ଏ କାମ କିପରି ହୋଇଥାଏ ।’’

 

ମ୍ୟାକ୍‍ମାର୍ଡ଼ୋଙ୍କୁ ଏତକ ପରାମର୍ଶ ଦେଇସାରି ସର୍ଦ୍ଦାର କହିଲା, ‘‘ଆଜି ବୈଠକର ଆଉ କିଛି କାମ ବାକୀ ରହିଅଛି, ତାହା ସାରିଦେବା ଦରକାର । କୋଷାଧ୍ୟକ୍ଷ !’’

 

ମ୍ୟାକ୍‌ଜିଣ୍ଟି ଆସନର ଦକ୍ଷିଣରେ ବସିଥିବା ଜଣେ ପ୍ରୌଢ଼ ବ୍ୟକ୍ତି ଉଠି ଠିଆହେଲା ।

 

‘‘ପ୍ରଥମେ ଜାଣିବାକୁ ଚାହେଁ ଯେ, ବର୍ତ୍ତମାନ ବ୍ୟାଙ୍କରେ ଆମର କେତେ ଟଙ୍କା ଜମା ଅଛି ? ଆମ ଭଣ୍ଡାରରେ ଏବେ କେତେ ରହିଅଛି ? ଆଉ ଗୋଟିଏ କଥା, କର୍ଣ୍ଣଉଏର ବିଧବା ସ୍ତ୍ରୀ ପାଖକୁ ତା ସ୍ୱାମୀ ମରିଥିବାର ପାନ୍‌ସନ ପଠାଇ ଦିଆଯାଉଚି ତ ? ଏହି କ୍ଳବ କାମରେ ତା ସ୍ୱାମୀ ପ୍ରାଣ ଦେଇଅଛି । ତେଣୁ ସେ ଯେପରି କେବେହେଲେ କଷ୍ଟ ନ ପାଏ, ତାହା ଦେଖିବା କ୍ଳବର ଉଚିତ ନୁହେଁ କି ?’’

 

ପାଖରେ ବସିଥିବା ଯୁବକ ସଙ୍ଗୀକୁ ମ୍ୟାକ୍‍ମାର୍ଡ଼ୋ ଇସାରାରେ ପଚାରିଲା, ‘‘ଘଟଣା କଅଣ ?’’

 

ସଙ୍ଗୀ ଜଣକ ତା କାନରେ ଫୁସ୍‌ଫୁସ୍‌ କରି କହିଲା, ‘‘କର୍ଣ୍ଣଉଏ ଜଣେ ଲୋକକୁ ହତ୍ୟା କରିବାକୁ ଯାଇଥିଲା; ହତ୍ୟା କରିଛି ମଧ୍ୟ । ମାତ୍ର ସେହି ସମୟରେ ସେ ଲୋକର ଚାକର ଗୁଳିରେ ନିଜେ ମରି ଶୋଇଲା । ସେଇଥିପାଇଁ ତା ବିଧବା ସ୍ତ୍ରୀର ଖୋରାକ ପୋଷାକ କ୍ଳବରୁ ଦିଆଯାଉଅଛି-।’’

 

ମ୍ୟାକ୍‌ଜିଣ୍ଟିର ପ୍ରଶ୍ନରେ କୋଷାଧ୍ୟକ୍ଷ ଉତ୍ତର ଦେଲା, ‘‘ବ୍ୟାଙ୍କରେ ବର୍ତ୍ତମାନ ଆମର ଯାହା ଟଙ୍କା ଅଛି, ସେଥିରେ ଗୋଟିଏ ବର୍ଷ ସୁନ୍ଦରରୂପେ ଚଳିଯିବ । ଭଣ୍ଡାରଘରେ ମଧ୍ୟ ପୂର୍ବ ଅପେକ୍ଷା ବେଶୀ ଅର୍ଥ ଜମା ରହିଛି । ପାଖଆଖ ଅଞ୍ଚଳର ବ୍ୟବସାୟୀମାନେ ଏବେ କ୍ଳବକୁ ନିୟମିତ ଚାନ୍ଦା ଦେଉଅଛନ୍ତି, ଆଗ ପରି ଆଉ ଅବାଧ୍ୟତା ଦେଖାଉ ନାହାନ୍ତି । ଗୋଟିଏ ବ୍ୟବସାୟ କମ୍ପାନୀ ଏବେ ପାଞ୍ଚ ଶହ ମୋହର ପଠାଇଦେଇଅଛି । ଆଜି ସକାଳେ ଉଆକର୍‌ କମ୍ପାନୀ ମାତ୍ର ଶହେଟି ମୋହର ପଠାଇଥିଲା । ମୁଁ ତାହା ଫେରାଇ ଦେଇଅଛି ଏବଂ ଜଣାଇଦେଇଛି ଯେ, ଅନ୍ତତଃ ପାଞ୍ଚ ଶହ ମୋହର ନ ପାଇଲେ ଆମେ ଛାଡ଼ପତ୍ର ଦେଇପାରିବୁ ନାହିଁ । ବୁଧବାର ଭିତରେ ଏ ଟଙ୍କାଟା ଆସି ନ ପହଞ୍ଚିଲେ ମୁଁ ସ୍ପଷ୍ଟ ଲେଖିଦେଇଛି ଯେ, ସେମାନଙ୍କ କାରଖାନାର ବଏଲର କଳଟା ଏକାବେଳକେ ନଷ୍ଟ ହୋଇଯିବ । ତାଙ୍କ ଗୋଦାମଘର ଯେ କେତେବେଳେ କଅଣ ହେବ, ତାହା ଆମେ ଠିକ୍‌ ରୂପେ କହିପାରୁ ନାହୁଁ । ଗତ ବର୍ଷ ତ ଏହି କମ୍ପାନୀ ଆମକୁ କମ୍‌ ହଟହଟା କରି ନାହିଁ-। ଗୋଟାଏ ବଡ଼ ଯନ୍ତ୍ର ଭାଙ୍ଗି ନଷ୍ଟ କରିଦେଇ ସାରିଲା ପରେ ଯାଇ ସେ ତାର ଗତ ବର୍ଷର ଚାନ୍ଦା ଆମକୁ ଦେଇଥିଲା ।’’

 

ସଭାର ମଧ୍ୟସ୍ଥଳରୁ ଜଣେ ସଭ୍ୟ ପଚାରିଲା, ‘‘ଆର୍ଜି ସ୍ୱୀଡ଼େନ କମ୍ପାନୀ କଥା କଅଣ ହେଲା ?’’

 

କୋଷାଧ୍ୟକ୍ଷ ଉତ୍ତରଦେଲା, ‘‘ସେ ତାର କଳାକାରଖାନା ସମସ୍ତ ବିକ୍ରି କରିଦେଇ ଏ ଅଞ୍ଚଳ ଛାଡ଼ି ପଳାଇଗଲାଣି । ଯିବା ସମୟରେ ଖଣ୍ଡେ ଚିଠି ଆମ ପାଖକୁ ଲେଖିଅଛି । ସେଥିରେ ସେ ଧମକ ଦେଇଅଛି, ‘ଗୁଣ୍ଡାମାନଙ୍କ ହୁକୁମରେ ବ୍ୟବସାୟ ଚଳି ନ ପାରେ । ସେମାନଙ୍କୁ ଅବାଧରେ ଟଙ୍କା ପଇସା ଘୁଷ୍‌ ଦେଇ ଏଠାରେ ବ୍ୟବସାୟ କରିବା ଅପେକ୍ଷା ନରକକୁଣ୍ଡରେ ଯାଇ ରହିବା ବରଂ ଭଲ ।’ ଦୁଃଖର କଥା, ଚିଠିଖଣ୍ଡିକ ଯେତେବେଳେ ମୋ ହାତରେ ଆସି ପଡ଼ିଲା, ସେତେବେଳକୁ ସେ ଆମ ସୀମା ବାହାରକୁ ଚାଲିଯାଇଥିଲା । ତା ନ ହେଲେ ଏଠାରୁ କିପରି ଧନଜୀବନ ନେଇ ନରକକୁଣ୍ଡକୁ ଯାଇଥାନ୍ତା, ତାହା ଦେଖି ନେଇଥାନ୍ତୁ । ଏହି ନରକଦୁଆରେ ହିଁ ଉତ୍ତପ୍ତ ତେଲକୁଣ୍ଡରେ ତାକୁ ଜୀବନ୍ତ ଘାଣ୍ଟିଥାଆନ୍ତୁ ।’’

 

କୋଷାଧ୍ୟକ୍ଷର କଥା ଶେଷ ନ ହେଉଣୁ ସଭାର ଅପର ପ୍ରାନ୍ତରୁ ଜଣେ ପ୍ରଶ୍ନ କଲା, ‘‘ଆମର ଜାଣିବା ଦରକାର, ଆର୍ଜି ସ୍ୱୀଡ଼େନ କମ୍ପାନୀର ବ୍ୟବସାୟ କିଏ କିଣି ନେଇଛି ? ଯାହାକୁ ଆମେ ଏଠାରୁ ତଡ଼ିଦେଲୁ, ତାର ମାଲପତ୍ର କିଣି ଏଠାରେ ବ୍ୟବସାୟ କରିବ–ଏପରି ଦୁଃସାହସୀ କିଏ ?’’

 

କୋଷାଧ୍ୟକ୍ଷ ଉତ୍ତର ଦେଲା, ‘‘ସେ ତଥ୍ୟ ମଧ୍ୟ ମୁଁ ସଂଗ୍ରହ କରିଅଛି । ଆର୍ଜି ସ୍ୱୀଡ଼େନର ସମସ୍ତ କଳ କାରଖାନା ଓ ବ୍ୟବସାୟ ମାର୍ଟିନ କାଉଣ୍ଟି ରେଲରୋଡ଼ କମ୍ପାନୀ କିଣି ନେଇଅଛି ।’’

 

ପ୍ରଶ୍ନକର୍ତ୍ତା ପୁଣି ପଚାରିଲା, ‘‘ଗତ ବର୍ଷ ଠିକ୍‌ ଏଇଭଳି ଟଡ଼ମ୍ୟାନ ଏଣ୍ଡ କୋ: ଲିମିଟେଡ଼ ଯେତେବେଳେ ଆମକୁ ଫାଙ୍କିଦେଇ ଏଠାରୁ ପଳାଇଗଲା, ସେତେବେଳେ ତା ଜିନିଷ-ପତ୍ରକୁ କିଏ କିଣି ନେଇଥିଲା ?’’

 

କୋଷାଧ୍ୟକ୍ଷ ଉତ୍ତର ଦେଲା, ‘‘ସେଇ କାଉଣ୍ଟି ରେଲରୋଡ଼ କମ୍ପାନୀ ।’’

 

ପ୍ରଶ୍ନକର୍ତ୍ତା ଆଉ କଅଣ ପ୍ରଶ୍ନ କରିବାକୁ ଠିଆ ହୋଇଥିଲା; ମାତ୍ର ସର୍ଦ୍ଦାର ତାକୁ ହାତର ଇଙ୍ଗିତରେ ବସାଇଦେଇ କହିଲା, ‘‘କିଏ କିଣିଅଛି, ସେଥିପାଇଁ ଆମର ମୁଣ୍ଡ ଖେଳାଇ ଲାଭ କଅଣ-?’’

 

ପ୍ରଶ୍ନକର୍ତ୍ତା ଜବାବ ଦେଲା, ‘‘ମୋ ଅପରାଧ କ୍ଷମା କରନ୍ତୁ ମହାମାନ୍ୟ ସର୍ଦ୍ଦାର ! ମୁଁ ଯେ କାହିଁ କି ଏସବୁ ପ୍ରଶ୍ନ ପଚାରୁଛି, ତାହା ଥରେହେଲେ ଭଲରୂପେ ଚିନ୍ତା କରି ଦେଖନ୍ତୁ । ଗତ ଦଶ ବର୍ଷ ହେଲା ଏ ଅଞ୍ଚଳର ଛୋଟଛୋଟ ବ୍ୟବସାୟୀମାନେ ଗୋଟିଗୋଟି ଏହିପରି ସେମାନଙ୍କ ବ୍ୟବସାୟ ଓ କଳ କାରଖାନା ବିକ୍ରି କରିଦେଇ ପଳାଇ ଯାଉଅଛନ୍ତି । ତା ପରିବର୍ତ୍ତରେ କଅଣ ହେଉଛି ? ବଡ଼ବଡ଼ କମ୍ପାନୀସବୁ ସେ ବ୍ୟବସାୟ କିଣି ନେଉଛନ୍ତି । ପୁଣି ସେସବୁ କମ୍ପାନୀ ଏତେ ବଡ଼ ଯେ, ସେମାନେ ଆମ ଧମକକୁ ଆଦୌ ଖାତିର କରୁ ନାହାନ୍ତି । ସେମାନଙ୍କ ପ୍ରଧାନ ଅଫିସ ବଡ଼ବଡ଼ ସହରରେ, ଏଠାରେ ସେମାନଙ୍କ ଟଙ୍କା ପଇସା କାରବାର ବେଶୀ କିଛି ହୁଏ ନାହିଁ । ଆମେ ଅବା ସେସବୁ କମ୍ପାନୀର ଜଣେ ଦୁଇ ଜଣ ମୁଖିଆ ଲୋକଙ୍କ ଉପରେ ‘ଦେଖିନେବା’ କାମ କରନ୍ତେ; ମାତ୍ର ସେଥିରେ କମ୍ପାନୀର କିଛି ହେଲେ କ୍ଷତି ହେବ ନାହିଁ । ଗୋଟାଏ ମ୍ୟାନେଜର ଗଲେ ଆଉ ଗୋଟିଏ ଆସିବ । ମାତ୍ର ଯେଉଁ ଛୋଟ ଛୋଟ ବ୍ୟବସାୟୀ ଆମମାନଙ୍କ ଧମକରେ ଏଠା ଛାଡ଼ି ପଳାଇ ଯାଇଅଛନ୍ତି, ସେମାନଙ୍କର ଲୋକବଳ ବେଶୀ ନାହିଁ କି ବଡ଼ବଡ଼ ସହରରେ ହେଡ଼ ଅଫିସ ନାହିଁ । ସେମାନଙ୍କ କଳକାରଖାନା କିଣିନେଇ ସେସବୁ ବ୍ୟବସାୟ ଯେଉଁ ବଡ଼ବଡ଼ କମ୍ପାନୀ ଚଳାଉଛନ୍ତି, ସେମାନଙ୍କଠାରୁ ଆମର ବିଶେଷ କିଛି ଲାଭ ହେଉ ନାହିଁ । ପୁଣି ଛୋଟ ବ୍ୟବସାୟୀ ସମସ୍ତେ ଏହିପରି କ୍ରମେକ୍ରମେ ଚାଲିଗଲେ ଆମ ଆୟ କମିଥିବ । ବଡ଼ବଡ଼ କମ୍ପାନୀ ସେତେବେଳେ ଆମକୁ ଜବତ କରିବା ଲାଗି ନାନା ପ୍ରକାର ଜାଲ ଛନ୍ଦିବେ; ଦଳ ଭାଙ୍ଗିଦେବା ଲାଗି ସେମାନଙ୍କର ସମସ୍ତ ଶକ୍ତି ଲଗାଇବେ । ସେତେବେଳେ ଆମ ଅବସ୍ଥା ଶୋଚନୀୟ ହୋଇଉଠିବ ନାହିଁ କି ?’’

 

ପ୍ରଶ୍ନକର୍ତ୍ତା କମ୍ରେଡ଼ ମରିସ୍‌ର ଏହି ବକ୍ତୃତାରେ ସଭାସ୍ଥଳରେ ହଠାତ୍‌ ଗୋଟାଏ ଆତଙ୍କିତ ନୀରବତା ଦେଖାଦେଲା । କିଛି ସମୟ ପାଇଁ ସମସ୍ତେ ଚୁପ୍‌ଚାପ୍‌ । ମାତ୍ର ଏମାନେ ଯେଉଁ ଦଳର ଲୋକ, ସେଠାରେ ଅପ୍ରିୟ ସତ୍ୟର ବିଶେଷ କିଛି ମୂଲ୍ୟ ନାହିଁ । ତେଣୁ କିଛି କ୍ଷଣର ନୀରବତା ପରେ ଯେତେବେଳେ ଏହି ନୀରବତାର ଗୋଟିଏ ବିଶେଷ ଅର୍ଥ ହୋଇ ଉଠୁଥିବାର ଅନୁମାନ କରାଗଲା, ସେତେବେଳେ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି କହି ଉଠିଲା, ‘‘ମରିସ୍‌, ମୁଁ ସବୁ ସମୟରେ ଲକ୍ଷ୍ୟକରି ଦେଖୁଅଛି ଯେ, ତୁମେ ବହୁତ ଗୁଡ଼ାଏ ପ୍ରଳାପ କର । ଯେପର୍ଯ୍ୟନ୍ତ ଆମର ଏହି କ୍ଳବର ସଭ୍ୟମାନେ ଏକମତ ଓ ସଂଘବଦ୍ଧ ହୋଇ ରହିଥିବେ, ସେପର୍ଯ୍ୟନ୍ତ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଭିତରେ ଏଭଳି କୌଣସି ଶକ୍ତି ନାହିଁ, ଯେ କି ଆମ କାର୍ଯ୍ୟରେ ବାଧା ଦେବ । ଅନେକ ଥର ପ୍ରକାଶ୍ୟ ଅଦାଲତରେ ତ ତାର ମୀମାଂସା ହୋଇଗଲାଣି । ପୁଣି ତୁମେ ଆୟବ୍ୟୟ ସଂପର୍କରେ ଯେସବୁ କଥା କହିଛ, ତାହା ମଧ୍ୟ ସଂପୂର୍ଣ୍ଣ ଠିକ୍‌ ନୁହେଁ । ଛୋଟଛୋଟ ବ୍ୟବସାୟ ଅନୁଷ୍ଠାନମାନଙ୍କରୁ ଆମର ପ୍ରାପ୍ୟ ଆଦାୟ କରିବାରେ ଯେତେ ଶକ୍ତି ନଷ୍ଟ ହୁଏ, ବଡ଼ବଡ଼ କମ୍ପାନୀମାନଙ୍କରୁ ତା ଅପେକ୍ଷା ଢେର୍‌ କମ୍‌ ଆୟାସରେ ବେଶୀ ପରିମାଣ ଚାନ୍ଦା ସଂଗୃହୀତ ହୋଇପାରିବ । ତେବେ ବର୍ତ୍ତମାନ ସେ କଥା ଥାଉ ।’’

 

କଥା ସରିବା ସଙ୍ଗେସଙ୍ଗେ ମ୍ୟାକ୍‌ଜିଣ୍ଟି ସମୟ ଦେଖି ତା ମୁଣ୍ଡରୁ ଟୋପି ଓ ପରଚୁଳା କାଢ଼ି ଟେବୁଲ ଉପରେ ଥୋଇଦେଲା । ହସିହସି କହିଲା, ‘‘ଆଜି ଏତିକିରେ ଆମ ବୈଠକର କାର୍ଯ୍ୟକ୍ରମ ଶେଷ ହେଲା । ଅବଶ୍ୟ ଆଉ ଗୋଟାଏ ଅତି ସାମାନ୍ୟ କାମର ଆଲୋଚନା ରହିଛି । ଶେଷରେ ସେ କଥାଟା ମୁଁ କହିଦେବି । ବର୍ତ୍ତମାନ ଆସ, ଖିଆପିଆ କରିବା । ଭୋକରେ ହେଲେ ଯେ କମ୍ରେଡ଼ମାନଙ୍କ ମୁହଁ କଳା ପଡ଼ିଗଲାଣି ।’’

 

ମ୍ୟାକ୍‌ଜିଣ୍ଟି ମୁହଁରୁ କଥା ଶେଷ ହେବାକ୍ଷଣି ସଭାରେ ଚାଞ୍ଚଲ୍ୟ ଓ କୋଳାହଳ ଖେଳିଗଲା । ପୂର୍ବର ସେ ନୀରବ ଗାମ୍ଭୀର୍ଯ୍ୟ ପରିବେଶ କୁଆଡ଼େ ଉଭେଇଗଲା; ହାଲୁକା ଗୀତର ଗୁଣୁଗୁଣୁ ସ୍ୱର ଚାରିଆଡ଼ୁ ଶୁଣାଗଲା । ଆଶ୍ଚର୍ଯ୍ୟ ବ୍ୟାପାର ! ମୁହୂର୍ତ୍ତକ ପୂର୍ବରୁ ଯେଉଁମାନେ ଧୀରସ୍ଥିର ଭାବରେ ବସି ହତ୍ୟା, ଲୁଟ ଓ ତଟକା ରକ୍ତ ସଂପର୍କୀୟ ବ୍ୟବସାୟ କଥାରେ ତନ୍ମୟ ଥିଲେ, ମନୁଷ୍ୟର ରକ୍ତରେ ଯେଉଁମାନଙ୍କ ହାତ ଲାଲ ହୋଇଗଲାଣି, ମନୁଷ୍ୟକୁ ହତ୍ୟା କରିବା–ବିଶେଷତଃ ଯାହାକୁ ଯେ କେବେହେଲେ ନିଜ ଆଖିରେ ଦେଖି ନାହିଁ ଏବଂ ବ୍ୟକ୍ତିଗତ ଭାବରେ ସେ ସେମାନଙ୍କ ମଧ୍ୟରୁ କାହାରି କିଛି ଅନିଷ୍ଟ କରି ନାହିଁ–ତାକୁ ନିର୍ମମ ଭାବରେ ଆଘାତ କରିବାକୁ, ତାର ଜୀବନ ସହିତ ଲୁଚକାଳି ଖେଳିବାକୁ ଯାହାଙ୍କ ବିବେକ ତିଳେହେଲେ କୁଣ୍ଠିତ ହୁଏ ନାହିଁ, ସେହି ସ୍ୱଭାବର ଲୋକ ପୁଣି ପ୍ରେମ, ସ୍ନେହର ସଙ୍ଗୀତ ଗାଉଛନ୍ତି !

 

କି ବିଚିତ୍ର ଏହି ମନୁଷ୍ୟ, ପୁଣି ତାଠାରୁ ବଳି ବିଚିତ୍ରତର ତାର ମନ !

 

ଉତ୍ସବ ଶେଷରେ ଯେତେବେଳେ ବିଦାୟ ନେଇ ଯେ ଯାହା ଘରକୁ ଯିବାର ସମୟ ହୋଇଗଲା, ସେତେବେଳକୁ ପ୍ରତ୍ୟେକ ସଭ୍ୟ ଅତ୍ୟଧିକ ମଦ୍ୟପାନ କରି ଟଳୁଅଛନ୍ତି । ସେମାନଙ୍କ ଅନ୍ତରରେ ଯାହା ବା ଟିକିଏ କୋମଳତା ଥିଲା, ମଦ୍ୟ ପ୍ରଲେପରେ ତାହା ପଥର ପରି କଠିନ ହୋଇ ଉଠିଲାଣି । ମ୍ୟାକ୍‌ଜିଣ୍ଟି ଭଲରୂପେ ଜାଣେ ଯେ ସେମାନଙ୍କୁ ନିଷ୍ଠୁର କାର୍ଯ୍ୟରେ ଉତ୍ତେଜିତ କରିବାର ଏହା ହେଉଛି ଉତ୍‌କୃଷ୍ଟ ସମୟ । ଗୋଟିଏ ଯେ ସାମାନ୍ୟ କାମ ବାକି ଥିଲା, ମ୍ୟାକ୍‌ଜିଣ୍ଟି ସେହି କଥା ଏବେ ଉଠାଇଲା । ସମସ୍ତଙ୍କୁ ଡାକି ସେ କହିଉଠିଲା, ‘‘ତୁମେମାନେ ଶୁଣ, ଆଜି ଗୋଟାଏ ଅତି ଜରୁରୀ କାର୍ଯ୍ୟ ହାସଲ କରିବାକୁ ପଡ଼ିବ । ‘ହେରାଲ୍‌’ ସମ୍ବାଦପତ୍ର ତୁମେ ବୋଧହୁଏ ପଢ଼ୁଥିବ । ଦେଖୁଥିବ ତ, ସେହି କାଗଜରେ ପ୍ରତିଦିନ ଆମ ବିରୋଧରେ କିଛି ନା କିଛି ଲେଖାଯାଉଅଛି । ପୁଣି ଲୋକଙ୍କୁ ଆମ ବିରୁଦ୍ଧରେ ମତାଇ ଦେବା ପାଇଁ କେତେ ଉତ୍ସାହପୂର୍ଣ୍ଣ ସନ୍ଦର୍ଭ ! ପୋଲିସ ଆମକୁ ଧରିପାରୁ ନାହିଁ ବୋଲି ତାକୁ କି ଗାଳି ! ଏ କେତେ ଦିନ ହେଲା ତ ତାର ଔଦ୍ଧତ୍ୟ ଖୁବ୍‌ ବଢ଼ିଯାଇଅଛି । ଆଉ ନୀରବରେ ସହିବା ଠିକ୍‌ ନୁହେଁ । ଏବେ ଆମେ ପ୍ରତିକାର କରୁ ନ ଥିବାରୁ ତାହାର ସାହସ ବଢ଼ିଗଲାଣି । ବର୍ତ୍ତମାନ ସମୟ ଆସିଛି, ବୋତଲ ମୁହଁର ଠିପିଟି ଭଲରୂପେ ବନ୍ଦ କରିଦେବା ଦରକାର । ‘ହେରାଲଡ଼’ର ସମ୍ପାଦକ ଜେମ୍‌ସ ଷ୍ଟାଙ୍ଗର ବଡ଼ ବଦ୍‌ମାସ, ସବୁ ଅନିଷ୍ଟର ମୂଳ । ଆମର ଦୁର୍ନାମକରି ଆମ ବିରୁଦ୍ଧରେ ଲୋକ ମତାଉଅଛି, ଏବେ ପାଉ ତାର ପ୍ରତିଫଳ ।’’

 

ଚାରିଆଡ଼ୁ ଉନ୍ମତ୍ତ କଣ୍ଠରେ ଚିତ୍କାର ଶୁଣାଗଲା, ‘‘ତାକୁ ହତ୍ୟା କରିବା ଦରକାର । ଯେଉଁ ହାତରେ ସେ ଆମ ବିରୋଧରେ ଲେଖିଛି, ସେ ହାତକୁ କାଟିପକାଇଲେ ଭଲ ହୁଅନ୍ତା । ତାରି ରକ୍ତରେ ତା ଖବରକାଗଜକୁ ରଞ୍ଜିତ କରିଦେଲେ ହୁଅନ୍ତା ନାହିଁ ?’’

 

ଏହି ଗୁଞ୍ଜନ କୋଳାହଳ ମଧ୍ୟରେ ଏକମାତ୍ର କମ୍ରେଡ଼ ମରିସ୍‌ ଠିଆହୋଇ ପ୍ରତିବାଦ ଜଣାଇ କହିଲା, ‘‘ମୁଁ ଏଥିରେ ଏକମତ ହୋଇପାରୁ ନାହିଁ । ହତ୍ୟା ଓ ଖୁଣ୍‌–ଏହା କରିକରି ଆମେ ଏହି କ୍ଷୁଦ୍ର ଅଞ୍ଚଳରେ ଆମ ଅବସ୍ଥା ଟଳମଟଳ କରି ପକାଇଲେଣି । ମୋତେ ଜଳଜଳ ଦେଖାଯାଉଛି, ଅତି ଶୀଘ୍ର ଏହି ସହରର ପ୍ରତ୍ୟେକ ବ୍ୟକ୍ତି ଆମ ବିରୋଧରେ ସଂଘବଦ୍ଧ ହୋଇ ଆମର ଅସ୍ତିତ୍ୱ ଲୋପ କରିଦେବାକୁ ଚେଷ୍ଟା କରିବେ । ଜେମ୍‌ସ ଷ୍ଟାଙ୍ଗର ଏକେ ତ ବୃଦ୍ଧ, ପୁଣି ଏଠାରେ ସବୁ ଶ୍ରେଣୀ ଲୋକଙ୍କର ସେ ଅତି ପ୍ରିୟ, ଭକ୍ତିଭାଜନ । ଯଦି ତାର କୌଣସି କ୍ଷତି କରିବାକୁ ତୁମେ ଯିବ, ତେବେ ଏ ଅଞ୍ଚଳରେ ସମସ୍ତେ ତୁମ ବିରୁଦ୍ଧରେ ଉତ୍ତ୍ୟକ୍ତ ହୋଇଉଠିବେ । ହୁଏ ତ ସମଗ୍ର ଯୁକ୍ତରାଷ୍ଟ୍ରର ଚକ୍ଷୁ ଆମ ଉପରେ ପଡ଼ିବ । ସେତେବେଳେ ଆମର ଧ୍ୱଂସ ଅନିବାର୍ଯ୍ୟ-।’’

 

ମରିସ୍‌ କଥାରେ ରାଗିଉଠି ମ୍ୟାକ୍‌ଜିଣ୍ଟି କହିଲା, ‘‘ହେ ବକ୍ତାପ୍ରବର ଭବିଷ୍ୟତ୍‌ଦ୍ରଷ୍ଟା ମହାମାନବ ମରିସ୍‌ ! ଆମକୁ ଧ୍ୱଂସ କରିବାର ଶକ୍ତି କାହାର ଅଛି ଶୁଣେ ? ପୋଲିସ ? ପୋଲିସ ବିଭାଗର ଅର୍ଦ୍ଧେକ ବ୍ୟକ୍ତି ଆମର ପୋଷା କୁକୁର; ବାକୀ ଅର୍ଦ୍ଧେକ ଆମକୁ ଭୟ କରି ଅନ୍ତରରେ ଡରନ୍ତି । ଏସବୁ କଥାରେ ବର୍ତ୍ତମାନ ତୁମ ସହିତ ଯୁକ୍ତିତର୍କ କରି କିଛି ଲାଭ ନାହିଁ । ତେବେ ମରିସ୍‌, ମୁଁ ତୁମକୁ ସାବଧାନ କରିଦେଉଅଛି । ଏବେ ମୁଁ ତୁମକୁ ବିଶେଷ ଭାବରେ ଲକ୍ଷ୍ୟ କରୁଅଛି । ଜଣାଯାଉଛି, ତୁମର ସାହସ, ଦମ୍ଭ କମି ଆସିଲାଣି । ଯଦି ତୁମର ସାହସ ଅକୁଳାନ ହେଉଛି, ତେବେ ଚୁପ୍‌ ରହ; ଅନ୍ୟର ସାହସ ଭାଙ୍ଗିଦେବା ପାଇଁ ଉଦ୍ୟମ କର ନାହିଁ । ପୁଣି ନିଜେ ଟିକିଏ ସାବଧାନରେ ଚଳ । ତା ନ ହେଲେ ସଭାର କାର୍ଯ୍ୟକ୍ରମରୁ ତୁମ ନାମଟା କାଟିଦେବାକୁ ମୁଁ ବାଧ୍ୟ ହେବି ବୁଝିଲ ତ ?’’

 

ସର୍ଦ୍ଦାର ମୁହଁର ଚେହେରା ଦେଖି ଓ କଥାର ଢଙ୍ଗ ଶୁଣି ମରିସ୍‌ ଭୟରେ କଳା ପଡ଼ିଗଲା-। ଥରିଥରି ସେ କହିଉଠିଲା, ‘‘ମହାମାନ୍ୟ ସର୍ଦ୍ଦାର, ମୁଁ ଯଦି କିଛି ଅନ୍ୟାୟ କରିଥାଏ, ତେବେ ମୋତେ କ୍ଷମା କରନ୍ତୁ । ଆପଣ ଜାଣନ୍ତି, କ୍ଳବର ମଙ୍ଗଳ ହିଁ ମୋର ଏକମାତ୍ର ଲକ୍ଷ୍ୟ । କାଳେ କେବେ କ୍ଳବର କିଛି କ୍ଷତି ଘଟିବ, ସେଇଥିପାଇଁ ମୁଁ ଆଗରୁ ସାବଧାନ କରାଇ ଦେଉଥିଲି ସିନା-!’’

 

ମରିସ୍‌ର ଏହି ଅନୁତାପଭରା କଥା ଶୁଣି ମ୍ୟାକ୍‌ଜିଣ୍ଟି କହିଉଠିଲା, ‘‘ତୁମକୁ ଯଦି କେବେ କିଛି ଦଣ୍ଡ ଦେବାକୁ ପଡ଼େ, ତେବେ ତାହା ମୋ ପକ୍ଷରେ ମଧ୍ୟ କମ୍‌ ଦୁଃଖର କଥା ହେବ ନାହିଁ । ତେବେ ଥାଉ ସେ କଥା । ବର୍ତ୍ତମାନର କଥା ହେଉଛି–ମୁଁ ଯେଉଁ କାମ କଥା କହୁଥିଲି । ବଲ୍‌ଡ଼ୁଇନ, ତୁମେ ତୁମର ସହକାରୀମାନଙ୍କୁ ନେଇ ଅତି ଶୀଘ୍ର ସବୁ ଠିକ୍‌ ଠାକ୍‌ କରିପକାଅ ।’’

 

ବଲ୍‌ଡ଼ୁଇନ ଏହି ଅନୁଗ୍ରହ ଆଦେଶ ପାଇଁ ତ ଅପେକ୍ଷା କରିଥିଲା । ତତ୍‌କ୍ଷଣାତ୍‌ ସେ କହିଉଠିଲା, ‘‘ନିଶ୍ଚୟ ।’’

 

‘‘କେତେ ଜଣଙ୍କୁ ସାଙ୍ଗରେ ନେବ ବୋଲି ଭାବୁଚ ?’’

 

‘‘ଛଅ ଜଣ ଗଲେ ହୋଇଯିବ । ଦୁଇ ଜଣ ଦୁଆରମୁହଁ ପାଖରେ ପହରା ଦେବେ, ଆମେ ଚାରି ଜଣ ଭିତରକୁ ଯିବୁ ।’’

 

ଟେଡ଼ି ବଲ୍‌ଡ଼ୁଇନ ଏଭଳି ଦୃଷ୍ଟିରେ ମ୍ୟାକ୍‍ମାର୍ଡ଼ୋକୁ ଚାହିଁଲା ଯେ, ତାର ଅର୍ଥ–ଅତୀତରେ ଯାହା ହେବାର ହୋଇଯାଇଛି । ବର୍ତ୍ତମାନ ଆମେ ତ ବନ୍ଧୁ, ତେଣୁ ଏକ ସଙ୍ଗରେ କାମ କରିବାର କୌଣସି ଆପତ୍ତି ନାହିଁ ।

 

ମ୍ୟାକ୍‌ଜିଣ୍ଟି ସେ ଦୁଇ ଜଣଙ୍କ ପିଠିରେ ହାତ ମାରି ବିଦାୟ ଆଶୀର୍ବାଦ ସ୍ୱରୂପ କହିଲା, ‘‘ଲୋକଟାକୁ ଏଥରକ ବେଶ ଟିକିଏ ଶିକ୍ଷା ଦେଇ ଆମର କରାମତିଟା ବୁଝାଇଦିଅ–ଏତିକି ମାତ୍ର ।’’

 

ଖୁବ୍‌ ଆନନ୍ଦ କୋଳାହଳ ମଧ୍ୟରେ ସେଦିନର ବୈଠକ ସମାପ୍ତ ହେଲା । ସଭ୍ୟମାନେ ହଲ୍‌ ଛାଡ଼ି ବେଶ୍‌ ରସାଳାପ କରିକରି ରାସ୍ତାକୁ ଚାଲିଆସିଲେ । ଯେ ଯାହାର ଘରକୁ ଫୁର୍ତ୍ତିରେ ବାହାରିଗଲେ ।

 

ଗଭୀର ଅନ୍ଧକାରରେ କେବଳ ଛ’ ଜଣ ଲୋକ ରାସ୍ତାକଡ଼ ବଡ଼ବଡ଼ ଘରର କାନ୍ଥ ଦେହକୁ ଏକପ୍ରକାର ଲାଗିରହି ଅଗ୍ରସର ହେଉ ଥାଆନ୍ତି । କିଛି ବାଟ ଗଲା ପରେ ମ୍ୟାକ୍‍ମାର୍ଡ଼ୋ ହାତ ଧରିପକାଇ ବଲ୍‌ଡ଼ୁଇନ ଫୁସ୍‌ଫୁସ୍‌ କରି କହିଉଠିଲା, ‘‘ଏଇ ଘର ।’’

 

ରାସ୍ତା ଖୁଣ୍ଟିରୁ ଆସୁଥିବା ଆଲୁଅରେ ମ୍ୟାକ୍‍ମାର୍ଡ଼ୋ ସେହି ବଡ଼ କୋଠାଘରର ଉପରକୁ ମୁହଁ ଟେକି ଚାହିଁ ଦେଖିଲେ, ବଡ଼ବଡ଼ ଅକ୍ଷରରେ ଲେଖାହୋଇଛି–‘ଭର୍ମିସା ହେରାଲ୍‌ଡ଼’–ଦୈନିକ ସମ୍ବାଦପତ୍ର ।

 

ସେତେବେଳେ ପ୍ରାୟ ମଧ୍ୟରାତ୍ରି; ଶୀତକାଳର ନିରୋଟ ଅନ୍ଧକାର । ରାସ୍ତାରେ ଜନମାନବର ଚିହ୍ନ ସୁଦ୍ଧା ନାହିଁ ।

 

ଘର ପ୍ରାଙ୍ଗଣର ଦୁଆରମୁହଁ ପାଖରେ ଦୁଇ ଜଣଙ୍କୁ ସାବଧାନରେ ଠିଆ କରାଇ ପଛପଟ ପାଚେରୀ ଡେଇଁ ଚାରି ଜଣ ଭିତରକୁ ପ୍ରବେଶ କଲେ । ଭିତରେ ଚାରିଆଡ଼େ ପ୍ରେସର ଯନ୍ତ୍ରପାତି, କଳକବଜା, ଅକ୍ଷର ଖଞ୍ଜା ସ୍ଥାନ ଓ କାଳିକାଗଜ । ତାରି ଭିତରେ ଅନ୍ଧକାର ମଧ୍ୟରେ ମିଶିଯାଇ ସେମାନେ ସିଡ଼ିପାଖକୁ ଚାଲିଆସିଲେ । ସେଠାରେ ଆଉ ଦୁଇ ଜଣଙ୍କୁ ଠିଆ କରାଇ ମ୍ୟାକ୍‍ମାର୍ଡ଼ୋ ଓ ବଲ୍‌ଡ଼ୁଇନ ଅତି ସନ୍ତର୍ପଣରେ ସିଡ଼ିବାଟେ ଉପରକୁ ଉଠିଗଲେ । ଉପର ମହଲାକୁ ଯାଇ ଦେଖିଲେ, ସିଡ଼ି ପାଖରେ ଗୋଟିଏ ଛୋଟ ଘରେ ଟେବୁଲ ପାଖରେ ବସି ଜଣେ ବୃଦ୍ଧ ଏକଧ୍ୟାନରେ ଲେଖୁଅଛନ୍ତି । ମୁଣ୍ଡର ରୂପାରଙ୍ଗର ଧଳାବାଳରେ ଆଲୁଅର ଜ୍ୟୋତି ପଡ଼ି ଚିକ୍‌ଚିକ୍‌ କରୁଅଛି । ତାହା ପଶମ ପରି ଜଣାପଡ଼ୁଛି । ବୃଦ୍ଧ ଲେଖିବାରେ ଏତେଦୂର ମଜ୍ଜିଯାଇଛନ୍ତି ଯେ ଆଗର ଦୁଆରମୁହଁ ଦେଇ ଦୁଇ ଜଣ ଲୋକ ହାମୁଡ଼େଇ ହାମୁଡ଼େଇ ଯେ ଘରଭିତରେ ପଶିଲେଣି, ତାହା ସେ ଆଦୌ ଜାଣିପାରିଲେ ନାହିଁ । ସେହିପରି ଆଣ୍ଠୁ ମାଡ଼ି ଯାଇ ବଲ୍‌ଡ଼ୁଇନ ବୃଦ୍ଧଙ୍କ ଚୌକି ପଛପାଖରେ ପହଞ୍ଚିଲା । ସେଠାରେ ଠିଆ ହୋଇଯାଇ ବୃଦ୍ଧ ମୁଣ୍ଡରେ ଜୋରରେ ଏପରି ଏକ ପାହାର ବସାଇଦେଲା ଯେ, ସେହି ଗୋଟିଏ ଆଘାତରେ ବୃଦ୍ଧ ଚୌକିରୁ ଢଳି ତଳେ ପଡ଼ିଗଲେ । ତତ୍‌କ୍ଷଣାତ୍‌ ବଲ୍‌ଡ଼ୁଇନ ତାଙ୍କ ଛାତି ଉପରେ ମାଡ଼ିବସି ଦୁଇ ହାତରେ ବେକକୁ ଅତି ଦୃଢ଼ମୁଷ୍ଟିରେ ଚିପି ଧରିଲା । ମ୍ୟାକ୍‍ମାର୍ଡ଼ୋ ସଙ୍ଗେସଙ୍ଗେ ଯାଇ ତା ହାତକୁ ଜୋରରେ ଛଡ଼ାଇ ଦେଇ ନ ଥିଲେ ସେହି ମୁହୂର୍ତ୍ତରେ ହିଁ ବୃଦ୍ଧଙ୍କ ପ୍ରାଣବାୟୁ ଦେହ ଛାଡ଼ି ଉଡ଼ି ଯାଇଥାଆନ୍ତା ।

 

ହାତ ଛଡ଼ାଇ ନେଇ ମ୍ୟାକ୍‍ମାର୍ଡ଼ୋ କହିଲା, ‘‘ସର୍ଦ୍ଦାର ତ ଏହାକୁ ଜୀବନରେ ମାରିଦେବାକୁ କହି ନାହାନ୍ତି । ତୁମେ ଏପରି ମାରିପକାଉଛ କାହିଁକି ? ଶିକ୍ଷା ଯାହା ଦିଆଯିବାର କଥା, ତାହା ଯଥେଷ୍ଟ ହୋଇଗଲାଣି । ବର୍ତ୍ତମାନ ଚାଲ ଖସି ପଳାଇଯିବା ।’’

 

ବଲ୍‌ଡ଼ୁଇନ ପ୍ରତିବାଦ କରି କଅଣ କହିବାକୁ ଯାଉଥିଲା; ମାତ୍ର ସେହି ସମୟରେ ତଳେ ପହରା ଦେଉଥିବା ଲୋକଙ୍କ ସଙ୍କେତ-ସୂଚକ ଶବ୍ଦ ପାଇ ଦୁଇ ଜଣଯାକ ଘରୁ ପଳାଇଆସିଲେ । ଉପରେ ସେତେବେଳକୁ ଆଲୁଅ ଜଳିଉଠିଲାଣି । ଆଉ ବିଳମ୍ବ କରିବା ଠିକ୍‌ ହେବ ନାହିଁ ଭାବି ସେମାନେ ଅନ୍ଧକାର ଭିତରେ ଯେପରି ଆସିଥିଲେ, ସେହିପରି କୁଆଡ଼େ ମିଶିଗଲେ ।

Image

 

ବନ୍ଧନ ଓ ମୁକ୍ତି

 

ପରଦିନ ସକାଳେ ମ୍ୟାକ୍‍ମାର୍ଡ଼ୋ ବିଛଣାରୁ ଉଠୁଉଠୁ ଅନେକ ଡେରି ହୋଇଗଲା । ନିଦ ଭାଙ୍ଗିବା ସଙ୍ଗେସଙ୍ଗେ କାଲି ରାତିରେ ସେ ଯେ ଗୋଟାଏ ବିରାଟ ସ୍ୱପ୍ନ ଦେଖିଛି, ତାହା ଗୋଟିଗୋଟି ହୋଇ ମନେ ପଡ଼ିଗଲା । ହାତଟା ବିନ୍ଧିଉଠିଲା ।

 

ବିଛଣାରୁ ଉଠିଆସିବାକ୍ଷଣି ଟେବୁଲ ଉପରେ ପଡ଼ିଥିବା ସକାଳର ସମ୍ବାଦପତ୍ର ଖଣ୍ଡିକ ତା ଆଖିଆଗରେ ପଡ଼ିଗଲା । ଗୃହର ମାଲିକାଣୀ ପ୍ରତିଦିନ ଭୋରରୁ ସମ୍ବାଦପତ୍ର ଏହିଠାରେ ରଖିଦେଇ ଯାଇଥାନ୍ତି । ପତ୍ରିକାର ପ୍ରଥମ ପୃଷ୍ଠାରେ ପ୍ରଥମ ସମ୍ବାଦ ରୂପେ ବଡ଼ବଡ଼ ଅକ୍ଷରରେ ଛାପାଯାଇଛି–

 

‘‘ବୃଦ୍ଧ ସମ୍ପାଦକଙ୍କ ଉପରେ ପାଶବିକ ଆକ୍ରମଣ ।’’

 

ମ୍ୟାକ୍‍ମାର୍ଡ଼ୋର ସମସ୍ତ ଘଟଣା ଗୋଟିଗୋଟି ହୋଇ ଆଉ ଥରେ ମନରେ ଖେଳିଗଲା-। ସେ ଭାବିଲା, ତା ହେଲେ ସେଗୁଡ଼ାକ ସ୍ୱପ୍ନ ନୁହେଁ–ପ୍ରକୃତ ଘଟଣା ।

 

ମ୍ୟାକ୍‍ମାର୍ଡ଼ୋ କାଗଜଖଣ୍ଡିକ ହାତରେ ଉଠାଇନେଇ ସବୁ ଲେଖାତକ ପଢ଼ିଗଲା । ସେଥିରୁ ଜାଣିଲା ଯେ ବୃଦ୍ଧ ମରିଯାଇ ନାହାନ୍ତି, ତେବେ ଆଘାତଟା ଗୁରୁତର ହୋଇଅଛି । କାଗଜର ସମ୍ପାଦକୀୟ ଲେଖାରେ ସେହି ଘଟଣା ମଧ୍ୟ ବର୍ଣ୍ଣନା କରାଯାଇଛି ଏବଂ ସ୍ପଷ୍ଟ ସୂଚନା ଦିଆଯାଇଅଛି–ଯେଉଁ ଡକାୟତ ଓ ଗୁଣ୍ଡାଦଳ ବିରୁଦ୍ଧରେ ଆମ ପତ୍ରିକା ବରାବର ଅଭିଯାନ ଚଳାଇ ଆସିଛି, ଏ କାଣ୍ଡ ସେହି ଦୁର୍ବୃତ୍ତ ‘ଯମଦୂତ ଦଳ’ଙ୍କ କାର୍ଯ୍ୟ । ପୋଲିସ୍‌ ଏପର୍ଯ୍ୟନ୍ତ ମଧ୍ୟ...ଇତ୍ୟାଦି ।

 

ସମ୍ବାଦ ସ୍ତମ୍ଭରେ ମ୍ୟାକ୍‍ମାର୍ଡ଼ୋ ଦେଖିଲା, ଅଫିସ ଚାରି-ପାଖରେ ସ୍ୱତନ୍ତ୍ର ପୋଲିସ ପହରା ରଖାଯାଇଅଛି । ରାଜଧାନୀରୁ ବିଶେଷ ଶିକ୍ଷାପ୍ରାପ୍ତ ସଶସ୍ତ୍ର ପୋଲିସବାହିନୀ ଅଣାଇ ଏ ଅଞ୍ଚଳର ଏହି ଅରାଜକତାକୁ ଯେପରି ଦୂର କରାଯିବ–ସେଥିପାଇଁ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ବିଶେଷ ଉଦ୍ୟମ କରୁଅଛନ୍ତି ।

 

କାଗଜ ଖଣ୍ଡିକ ପଢ଼ି ମ୍ୟାକ୍‍ମାର୍ଡ଼ୋ ହସିଉଠିଲା । କାଗଜ ଖଣ୍ଡକୁ ଦୂରକୁ ଫିଙ୍ଗିଦେଲା । ସେହି ସମୟରେ ଗୃହର ମାଲିକାଣୀ ବୃଦ୍ଧା ଘରଭିତରକୁ ପଶିଆସି ମ୍ୟାକ୍‍ମାର୍ଡ଼ୋ ହାତରେ ଖଣ୍ଡିଏ ଚିଠି ଦେଲେ । କହିଲେ, ‘‘ସକାଳେ ଜଣେ ଲୋକ ଏ କାଗଜ ଖଣ୍ଡିକ ତୁମକୁ ଦେବା ପାଇଁ ମୋ ହାତରେ ଦେଇଗଲେ ।’’

 

ଚିଠିଖଣ୍ଡିକ ଏପାଖ ସେପାଖ ଲେଉଟାଇ ମ୍ୟାକ୍‍ମାର୍ଡ଼ୋ ଦେଖିଲା, କୌଣସି ସ୍ଥାନରେ ଲେଖକର ନାମ ନାହିଁ । ଚିଠିରେ ଲେଖା ଯାଇଅଛି–

 

‘‘ବାଧ୍ୟ ହୋଇ ଆପଣଙ୍କୁ ଏ ଚିଠି ଲେଖୁଅଛି । ଆପଣଙ୍କ ସହିତ ନିର୍ଜନରେ ଟିକିଏ କଥାବାର୍ତ୍ତା ହେବା ମୁଁ ଉଚିତ ମନେ କରୁଅଛି । ହୁଏ ତ ସେ କଥାଟା ଆପଣଙ୍କ କାମରେ ବି ଲାଗିପାରେ । ଯଦି ଉଚିତ ମନେ କରନ୍ତି, ତେବେ ଆଜି ସନ୍ଧ୍ୟା ସମୟରେ ମିଲାର ପାହାଡ଼ ତଳେ, ଯେଉଁଠି ରେଳବାଇର ପୁରୁଣା ଭଙ୍ଗା ଘରଟା ଠିଆହୋଇଅଛି, ସେହିଠାକୁ ଆସି ମୋ ସହିତ ସାକ୍ଷାତ କରିବେ । ଏ ଚିଠି କଥା ଅନୁଗ୍ରହପୂର୍ବକ କାହାରିକୁ ଜଣାଇବେ ନାହିଁ ବୋଲି ଅନୁରୋଧ ।’’

 

କିଏ ଚିଠି ଲେଖିଲା ? ତା ପାଖକୁ ବା କାହିଁକି ଲେଖିଲା ? –ଦିନଟିଯାକ କେବଳ ଏହି କଥା ତା ମନଭିତରେ ଆଲୋଡ଼ନ ସୃଷ୍ଟି କଲା । ସନ୍ଧ୍ୟା ସମୟକୁ ମିଲାର ପାହାଡ଼ର ତଳଦେଶକୁ ଗଲା ଏବଂ ସେହି ଭଙ୍ଗାଘରର ପଛପଟେ ଅପେକ୍ଷା କରି ରହିଲା । ଏ ଅଞ୍ଚଳ ସହରଠାରୁ ଦୂରରେ ଏକପ୍ରକାର ଜଙ୍ଗଲ ମଧ୍ୟରେ । ଏଠାରେ ବା ପାଖଆଖ ଅଞ୍ଚଳରେ ଆଉ କୌଣସି ଘରବାଡ଼ି ନାହିଁ; ସୁତରାଂ ଜନମାନବର ପତ୍ତା ମିଳିବା ଦୁଷ୍କର ।

 

ଦୂରରେ ସହରର ଆଲୁଅସବୁ ଜଳିଉଠିଲା । ସେହି ସମୟରେ ମ୍ୟାକ୍‍ମାର୍ଡ଼ୋ ଦେଖିଲା, ଜଣେ ଲୋକ ତାରି ଆଡ଼କୁ କନ୍‌କନ୍‌ ହୋଇ ଆସୁଅଛି ।

 

ପାଖକୁ ଆସି ଲୋକଟି କ୍ଳବର ସଙ୍କେତସୂଚକ ଅଭିବାଦନ ଜଣାଇଲା । ମ୍ୟାକ୍‍ମାର୍ଡ଼ୋ ମଧ୍ୟ ସେହି ସଙ୍କେତରେ ତାର ଉତ୍ତର ଦେଲା । ଏଥିରୁ ବୁଝାଗଲା, ଲୋକଟି କ୍ଳବର ଜଣେ ସଭ୍ୟ । ମ୍ୟାକ୍‍ମାର୍ଡ଼ୋ ପାଖରେ ଆସି ସେ ଠିଆ ହୋଇଯିବାରୁ ମ୍ୟାକ୍‍ମାର୍ଡ଼ୋ ଚିହ୍ନିପାରିଲା ଯେ, ଆଗନ୍ତୁକ ଆଡ଼ କେହି ନୁହେଁ; କମ୍ରେଡ଼ ମରିସ୍‌–ଯେ କି କାଲି ରାତିରେ କ୍ଳବ ବୈଠକରେ ପ୍ରତିବାଦ ଜଣାଇ ସର୍ଦ୍ଦାରଠାରୁ ଧମକ ପାଇଥିଲା ।

 

ମରିସ୍‌ ଆଗ କଥା କହିଲା–

 

‘‘ଆପଣଙ୍କୁ ଟିକିଏ କଷ୍ଟ ଦେଲି, ସେଥିପାଇଁ ମନରେ କିଛି ଭାବିବେ ନାହିଁ ବୋଲି ଆଶା-।’’

 

‘‘ତା ହେଲେ ସେ ଚିଠି ଆପଣ ହିଁ ଲେଖିଥିଲେ ?

 

‘‘ହଁ ।’’

 

‘‘ତଳେ ନାମ ଦସ୍ତଖତ କରି ନ ଥିଲେ କାହିଁକି ?’’

 

‘‘ଏଠାରେ ଆମକୁ ବଡ଼ ସାବଧାନତାର ସହିତ ଚଳିବାକୁ ହୁଏ । କେତେବେଳେ କିପରି ଭାବରେ ଯେ ପୈତୃକ ପ୍ରାଣଟା ବାହାରିଯିବ, ତାହା କୁହାଯାଇ ନ ପାରେ । ଆପଣଙ୍କୁ ମୁଁ ବିଶ୍ୱାସ କରିପାରିବି ତ ?’’

 

‘‘ତା ଅର୍ଥ କଅଣ ?’’

 

‘‘ଯେଉଁ କଥା କହିବା ପାଇଁ ଆପଣଙ୍କୁ ଏଠାକୁ ଡକାଇ ଏତେ କଷ୍ଟ ଦେଲି, ତାର ଫଳାଫଳ ଯାହା ହେଉ ନା କାହିଁକି, ଆମ ଦୁଇ ଜଣଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତି ତାର ଆଉ କିଛି ସନ୍ଧାନ ପାଇବ ନାହିଁ–ଏପରି ଶପଥ ଆପଣଙ୍କୁ କରିବାକୁ ପଡ଼ିବ ।’’

 

ଗଲା ରାତିରେ ବୈଠକରେ ମରିସ୍‌ କ୍ଳବ ବିରୁଦ୍ଧରେ ଯେଉଁସବୁ କଥା କହିଥିଲେ, ସେ ସମସ୍ତ ମ୍ୟାକ୍‍ମାର୍ଡ଼ୋର ମନରେ ଖେଳିଗଲା । ସେ ଉତ୍ତର ଦେଲା-

 

‘‘ଆପଣ କଅଣ କ୍ଳବ ବିରୁଦ୍ଧରେ କୌଣସି କଥାରେ ମୋର ସାହାଯ୍ୟ ଚାହାନ୍ତି ? ତା ହେଲେ ମୁଁ ପ୍ରଥମରୁ କହିଦେଉଛି, ଆପଣଙ୍କ ମନର କଥା ମୋ ଆଗରେ କହି କିଛି ଲାଭ ନାହିଁ । ଆମେ ଦୁହେଁ ଯେ ଯାହାର ବାଟରେ ବର୍ତ୍ତମାନ ଚାଲିଯିବା ଉଚିତ ।’’

 

‘‘ସେ କଥାର ସମାଧାନ ଏବେ ନ ହେଲା, ଏଠାରେ ମୁଁ ଆପଣଙ୍କୁ ଯାହା କହିବି, ତାହା ଆପଣ ଆଉ କାହାରି ଆଗରେ ପ୍ରକାଶ କରିବେ ନାହିଁ । ମୁଁ କଅଣ ଆପଣଙ୍କ ପାଖରୁ ମନୁଷ୍ୟ ହିସାବରେ ଏତିକି ମଧ୍ୟ ଆଶା କରିପାରିବି ନାହିଁ ।’’

 

‘‘ସେ ଆଶା କରନ୍ତୁ; ଏଥିପାଇଁ ମୁଁ ଆପଣଙ୍କୁ ଏଥା ଦେଉଅଛି ।’’

 

‘‘ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ଆପଣ ଏଠାକୁ ନୂଆ ଆସିଛନ୍ତି ତ–ଆପଣ ଆଉ ଏ ଜଘନ୍ୟ ପାପରେ ବୁଡ଼ି ନିଜକୁ ହରାଇ ଦିଅନ୍ତୁ ନାହିଁ । ଏବେ ବି ସମୟ ଅଛି, ଦୁଇ ଦିନ ପରେ ଆଉ ଏ ସୁଯୋଗ ମିଳିବ ନାହିଁ । ମୁଁ ମଧ୍ୟ ଆପଣଙ୍କ ପରି ଏ ଦଳକୁ ଯେତେବେଳେ ପ୍ରଥମେ ଆସିଲି, ସେତେବେଳେର କଥା ମୋର ମନେ ପଡ଼ୁଅଛି । ଫିଲାଡେଲଫିଆ କ୍ଳବର ମୁଁ ସଭ୍ୟ ଥିଲି । ତେଣୁ ମୁଁ ଭାବୁଥିଲି, ଏହି ଯମଦୂତ ଦଳରେ ମୁଁ ବେଶ୍‌ ଭଲ ସ୍ଥାନ ଅଧିକାର କରି ବସିବି । ଆପଣ ତ ମୋ ହାତର ଏହି ଅଭିଶପ୍ତ ଦାଗରୁ ବୁଝିପାରୁଥିବେ ଯେ, ମୁଁ ଆଜି ଏହି ଜଘନ୍ୟ ନରହନ୍ତାଙ୍କ ମଧ୍ୟରୁ ଜଣେ । ମୋ ଅନ୍ତରର ଆତ୍ମା ଅହରହ ମୋ ବିରୋଧରେ ଚିତ୍‌କାର କରି ଉଠୁଛି । ମାତ୍ର ବର୍ତ୍ତମାନ ମୁଁ ନିରୂପାୟ । ମୁଁ ଯଦି କ୍ଳବ୍‌ ଛାଡ଼ି ଚାଲିଯାଏ, ତାହାହେଲେ ସମଗ୍ର ପୃଥିବୀପୃଷ୍ଠରେ ଯେଉଁ ସ୍ଥାନରେ ରହେ ନା କାହଁକି, ମ୍ୟାକ୍‌ଜିଣ୍ଟିର ଆକ୍ରୋଶ ମୋତେ ଧରି ଏଠାକୁ ଟାଣିଆଣିବ । ସେଥିପାଇଁ ମୋର ଭାବନା ନାହିଁ । ମୋର ଭାବନା–ମୋ ସ୍ତ୍ରୀ ଓ ଛୋଟଛୋଟ ପୁଅ ଝିଅଙ୍କ ପାଇଁ । ଏ ଦଳ ସେମାନଙ୍କୁ ମଧ୍ୟ ବାଦ୍‌ ଦେବେ ନାହିଁ । ସେମାନଙ୍କ ଦୁର୍ଦ୍ଦଶା କଳ୍ପନା କରି ମୋ ଅନ୍ତର ଥରିଉଠୁଛି । ଅଥଚ ଯେତିକି ଦିନ କଟୁଛି, ମୁଁ ସେତେ ବେଶୀ ଏମାନଙ୍କ ଜଘନ୍ୟ ପାପର ଷୋଳ ଅଣା ଅଂଶୀଦାର ହୋଇଉଠୁଅଛି । ଏ ଯେ କି ଭୟଙ୍କର ଅବସ୍ଥା, ଭୁକ୍ତଭୋଗୀ ନ ହେଲେ ତାହା କେହି ବୁଝିପାରିବ ନାହିଁ । ଏହି ଚିନ୍ତାରେ ରାତିରେ ମୋତେ ନିଦ ହେଉ ନାହିଁ । ସେହି କାରଣରୁ ମୁଁ ଆଜି ଆପଣଙ୍କୁ ସାବଧାନ କରାଇଦେଉଅଛି । ଆପଣ ନବାଗତ, ବର୍ତ୍ତମାନ ବି ଆପଣଙ୍କର ସମୟ ଅଛି । ପଛରେ ମୋ ପରି ଆପଣ ଅନୁତାପ-ଅନଳରେ ଯେପରି ଦଗ୍‌ଧ ନ ହୁଅନ୍ତି ।’’

 

ମ୍ୟାକ୍‍ମାର୍ଡ଼ୋ ସ୍ଥିର ଭାବରେ ମରିସ୍‌ର କଥା ଶୁଣୁଥିଲା । କଥା ଶେଷ ହେବାରୁ ସେ କହିଲା–

 

‘‘ମୁଁ ଦେଖୁଛି, ଆପଣଙ୍କ ମନ ବଡ଼ ନରମ । ଏତେ ନରମ ମନରେ କଅଣ ଏ ଦୁନିଆରେ କେହି ଆଜିକାଲି ଚଳିପାରିବ ?’’

 

‘‘କାଲି ରାତିରେ ଆପଣମାନେ ଯେଉଁ କାଣ୍ଡ କରି ଆସିଲେ, ତାହା ସମର୍ଥନଯୋଗ୍ୟ ବୋଲି କଅଣ ଆପଣ ମନେ କରୁଅଛନ୍ତି ?’’ –ମରିସ୍‌ ପ୍ରଶ୍ନ କଲା ।

 

-‘‘କାହିଁକି ନୁହେଁ ? ମୁଁ ତ ଭାବୁଚି–ଏହା ଦୁଇ ପକ୍ଷର ଗୋଟାଏ ଯୁଦ୍ଧ; ଅସ୍ତ୍ରଶସ୍ତ୍ର ଯାହା ଅଲଗା ।’’

 

-‘‘ଏ ଯୁଦ୍ଧ ଚଳାଇବା ବା ଦରକାର କଅଣ ? ଏହା କି ବନ୍ଦ ହୋଇପାରିବ ନାହିଁ ?’’

 

-‘‘କିପରି ବନ୍ଦ କରିବ ? ପୋଲିସକୁ ଖବର ଦେଇ ?’’

 

ମରିସ୍‌ ଚମକି ଉଠିଲା । କହିଲା, ‘‘ସର୍ବନାଶ; ଏ ଚିନ୍ତା ମନକୁ ଆଣିବା ଅର୍ଥ ସଶରୀରେ ମୃତ୍ୟୁପୁରକୁ ଯିବା ନିଶ୍ଚିତ ।’’

 

-‘‘ଆପଣଙ୍କ କଥାବାର୍ତ୍ତାରୁ ମନେହେଉଅଛି, ଆପଣ ପୋଲିସ ଆଗରେ ଯେପରି କି ଗୋପନ ତଥ୍ୟ ପ୍ରକାଶ କରିଦେବାକୁ ଇଚ୍ଛା କରୁଅଛନ୍ତି ।’’

 

-‘‘ଆଦୌ ନୁହେଁ । ସେଭଳି ଚିନ୍ତା ମୋ ମନକୁ କେବେହେଲେ ଛୁଇଁ ନାହିଁ ।’’

 

-‘‘ତେବେ ଭଲ କଥା ।’’

 

-‘‘ତା ହେଲେ ମୁଁ କଅଣ ବୁଝିବି ଯେ, ମୁଁ ଏତେବେଳଯାଏ, ଯେଉଁ ସବୁ କଥା କହିଗଲି, ସେଥିରେ ତୁମେ ଆଦୌ ଏକମତ ନୁହଁ ?’’

 

-‘‘ଦେଖନ୍ତୁ, ସତକଥା କହିଲେ, ଆପଣଙ୍କ ମନ ଭଳି ମୋ ମନ ଏତେଦୂର ନରମ ନୁହେ-। ତା ଛଡ଼ା ଆପଣ ଯେଉଁ ସବୁ ଘଟଣା ଦେଖି ଏତେ ଭୟ ପାଇଯାଉଅଛନ୍ତି, ମୁଁ ତ ଏପର୍ଯ୍ୟନ୍ତ ସେପରି କିଛି ଦେଖୁ ନାହିଁ । ମୁଁ ଏଠାରେ ନୂଆ କି ନା । କିଛି ଦିନ କଟିଯାଉ, ବ୍ୟାପାରଟା କେତେଦୂର ଯାଉଛି, ଦେଖାଯାଉ । ତା ପରେ ଯାହା ହେବ, ତା କରିବି ।’’

 

-‘‘ବୁଝିଲି, ଆପଣଙ୍କୁ ଏତେବେଳେ ଏଠାକୁ ଡାକିଆଣି କେବଳ କଷ୍ଟ ଦେବା ହିଁ ସାର ହେଲା । ଆଉ ଆପଣଙ୍କୁ ଅଟକାଇ ରଖି ଲାଭ ନାହିଁ । ତେବେ ମୋର ଏତିକିମାତ୍ର ଅନୁରୋଧ, ମୋ ସ୍ତ୍ରୀ ଓ ମୋର ଶିଶୁ ପିଲାଙ୍କ ଦୁଃଖକଷ୍ଟ ସ୍ମରଣକରି ଆପଣ ଏକଥା ଆଉ କାହାରି ଆଗରେ ପ୍ରକାଶ କରିବେ ନାହିଁ ।’’

 

-‘‘ସେ ବିଷୟରେ ତ ମୁଁ ଆଗରୁ ଆପଣଙ୍କୁ ଜବାବ ଦେଇ ସାରିଚି । ମୋତେ ଆପଣ ଆଉ ଯାହା ମନେକରନ୍ତୁ ନା କାହିଁକି, ଜାଣି ରଖନ୍ତୁ, ମୁଁ ଯାହା ମୁହଁରେ କହେ ସେ କଥା ନିଶ୍ଚୟ ରକ୍ଷାକରେ ।’’

 

କେତେକ ପରିମାଣରେ ଆଶ୍ୱସ୍ତ ହୋଇ ମରିସ୍‌ କହିଲା, ‘‘ଆଉ ଗୋଟିଏ କଥା । ଆମେ ଦୁଇ ଜଣ ଏଠାକୁ କାହିଁକି ଆସିଥିଲେ, କଅଣ କଥାବାର୍ତ୍ତା ହେଲେ, ସେ ବିଷୟରେ ଦୁଇ ଜଣଙ୍କ ମଧ୍ୟରେ ଗୋଟାଏ ନିର୍ଦ୍ଦିଷ୍ଟ କଥା ଠିକ୍‌ ହୋଇଯିବା ଦରକାର ।’’

 

-‘‘କାହିଁକି ?’’

 

-‘‘ଆମେ ଦୁହେଁ ଯେ ଏଠାରେ ଏପରି ଅବସ୍ଥାରେ ଠିଆହୋଇ କଥାବାର୍ତ୍ତା ହେଲେ, ସେ ସମ୍ବାଦ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି ନିକଟରେ ନିଶ୍ଚୟ ଯାଇ ପହଞ୍ଚିବ । ଆପଣ ଜାଣି ବି ପାରିବେ ନାହିଁ–କି ଉପାୟରେ ଏ ସମସ୍ତ ଖବର ସେ ପାଇବ ହିଁ ପାଇବ । ସେତେବେଳେ ପ୍ରଶ୍ନ କଲେ, ତା ନିକଟରେ ଗୋଟାଏ କିଛି ଜବାବ ଦେବାକୁ ତ ପଡ଼ିବ । ଦୁଇ ଜଣଙ୍କ ଜବାବ ଦୁଇ ପ୍ରକାର ହୋଇଗଲେ, କାହାରିକୁ ଆଉ କେବେହେଲେ ନିସ୍ତାର ମିଳିବ ନାହିଁ ।

 

-‘‘ହଁ, ଯାହା କହିଲ ତା ଠିକ୍‌ । ଏବେ ଆପଣ କହନ୍ତୁ, କେଉଁଥିପାଇଁ ଆମେ ଏଠାରେ ଏକତ୍ରିତ ହୋଇଥିଲେ ?’’

 

-‘‘ମୋ ଦୋକାନରେ କାର୍ଯ୍ୟ କରି ମୋତେ ଟିକିଏ ସାହାଯ୍ୟ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଥିଲି ।’’

 

-‘‘ମୁଁ ତାହା ପ୍ରତ୍ୟାଖ୍ୟାନ କରିଦେଲି–ଏଇଆ ତ ?’’

 

-‘‘ହଁ, ଏଇ କଥା ।’’

 

ସେତେବେଳକୁ ଅନ୍ଧାର ଗାଢ଼ ହୋଇ ଆସିଲାଣି । ଦୁଇ ଜଣ ଦୁଇ ବିପରୀତ ପଥରେ ସହର ମଧ୍ୟକୁ ଅଗ୍ରସର ହେଲେ ।

 

ତା ପରଦିନ ସକାଳେ ନିଦରୁ ଉଠି ଚା ଖାଇ ମ୍ୟାକ୍‍ମାର୍ଡ଼ୋ ସିଗାରେଟ ଧୂଆଁ ଛାଡ଼ୁଥିଲା-। ତା ସଙ୍ଗେସଙ୍ଗେ ଗତ ଦୁଇ ଦିନର ଘଟଣାବଳୀ ମନମଧ୍ୟରେ ଆଲୋଡ଼ନ କରି କେତେ କଅଣ ଆକାଶ ପାତାଳ ଭାବୁଥିଲା । ସେହି ସମୟରେ ସେ ଘରେ ବିଶାଳ ବପୁସହ ସ୍ୱୟଂ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟିର ଆବିର୍ଭାବ ଘଟିଲା ।

 

ସର୍ଦ୍ଦାରକୁ ଦେଖି ମ୍ୟାକ୍‍ମାର୍ଡ଼ୋ ଚୌକିରୁ ଉଠିପଡ଼ି ବିନୟର ସହିତ ସମ୍ବର୍ଦ୍ଧନା ଜଣାଇଲା । ସର୍ଦ୍ଦାର ବସିବାଲାଗି ଆଉ ଗୋଟିଏ ଚୌକି ଆଗକୁ ଠେଲିଦେଲା ।

 

ମ୍ୟାକ୍‌ଜିଣ୍ଟି ଚୌକିକୁ ଗୋଡ଼ରେ ଟିକିଏ ପେଲିଦେଇ କହିଲା, ‘‘ଲୋକଙ୍କ ଘରକୁ ଆସି ସେମାନଙ୍କ ସହିତ ଦୁଇ ପଦ କଥାବାର୍ତ୍ତା ହେବି, ସେତିକି ସମୟ ବି ମୋର ନାହିଁ । ସେ ସବୁ କାମ ପଛକୁ ପକାଇ ଏଠାକୁ ଯେତେବେଳେ ଆସିଛି; ସେତେବେଳେ ତୁମେ ନିଶ୍ଚୟ ବୁଝୁଥିବ ଯେ ନିତାନ୍ତ ଦରକାରୀ କାର୍ଯ୍ୟ ଅଛି ।’’

 

ମ୍ୟାକ୍‍ମାର୍ଡ଼ୋ ବିସ୍ମିତ ହୋଇ କହିଲା, ‘‘କହନ୍ତୁ ମହାମାନ୍ୟ ସର୍ଦ୍ଦାର, ମୋର ଏହି ସୌଭାଗ୍ୟ ପାଇଁ ମୋତେ କଅଣ କରିବାକୁ ପଡ଼ିବ ?’’

 

‘‘ବିଶେଷ କିଛି କରିବାକୁ ପଡ଼ିବ ନାହିଁ; କେବଳ ସତ କଥାଟି କହିବାକୁ ହେବ । କାଲି ସନ୍ଧ୍ୟା ସମୟରେ ମିଲାର ପାହାଡ଼ତଳେ ମରିସ୍‍ ସହିତ ତୁମର କଅଣ ସବୁ କଥାବାର୍ତ୍ତା ହୋଇଥିଲା-?’’

 

ଏପରି ହଠାତ୍‌ ଯେ ପ୍ରଶ୍ନ ଆସିବ, ସେଥିପାଇଁ ମ୍ୟାକ୍‍ମାର୍ଡ଼ୋ ଆଦୌ ପ୍ରସ୍ତୁତ ନ ଥିଲା । ସେ କଳ୍ପନା ସୁଦ୍ଧା କରିପାରି ନ ଥିଲା ଯେ, ସ୍ୱୟଂ ମହାମାନ୍ୟ ସର୍ଦ୍ଦାର ଏହି ପ୍ରତ୍ୟୁଷରୁ ଆସି ତା ଘରେ ପହଞ୍ଚିବେ । ତା ପରେ ପୁଣି ବିନା ଭୂମିକାରେ ସିଧାସଳଖ ଏଭଳି ପ୍ରଶ୍ନ ହେବାରୁ ସେ ପ୍ରଥମେ ହଡ଼ବଡ଼େଇ ଗଲା । ମାତ୍ର ନିମିଷକ ମଧ୍ୟରେ ମନକୁ ସମ୍ଭାଳି ନେଇ ଜବାବ ଦେଲା–

 

‘‘ଏହି ସାମାନ୍ୟ କଥାଟା ଜାଣିବା ପାଇଁ ଏତେ ସକାଳୁ ନିଜେ ଆପଣ ଆସିଗଲେ ? ସେପରି ଯଦି କିଛି ଗୁରୁତର କଥା ହୋଇଥାଆନ୍ତା, ତେବେ ଆପଣ ଜାଣିରଖନ୍ତୁ ଯେ, ମୁଁ ଯାଇ ପ୍ରଥମେ ଆପଣଙ୍କୁ କହିଥାଆନ୍ତି । ସେଥିପାଇଁ ରାତି ପାହିବାଯାଏ ଅପେକ୍ଷା କରିବାକୁ ପଡ଼ି ନ ଥାନ୍ତା ।’’

 

ହୁଏତ ଉତ୍ତେଜନାଟା ଟିକିଏ ବେଶୀ ରକମର ପ୍ରକାଶ ପାଇଗଲା–ଏହିପରି ଲଜ୍ଜାଭଙ୍ଗୀରେ ମ୍ୟାକ୍‌ଜିଣ୍ଟି କିଞ୍ଚିତ୍‌ ଶାନ୍ତଭାବ ଧାରଣ କରି ପଚାରିଲା, ‘‘ତେବେ ଶୁଣିଥାଏ, କଥାଟା କଅଣ ?’’

 

‘‘ମୁଁ ମରିସ୍‍କୁ ଗୋଟାଏ, କିଛି କାର୍ଯ୍ୟ ଯୋଗାଡ଼ କରିଦେବା ଲାଗି ଅନୁରୋଧ କରିଥିଲି-। ବିଚାରା ଭଦ୍ରଲୋକ, ଆଉ କେଉଁଠି ସୁବିଧା କରି ନ ପାରି ତା ନିଜ ଦୋକାନରେ ରହିବାପାଇଁ ମୋତେ କହୁଥିଲା ।’’

 

‘‘କେବଳ ଏତିକି ?’’

 

‘‘ହଁ, ଏତିକି ମାତ୍ର ।’’

 

‘‘ତୁମେ କଅଣ କହିଲ ?’’

 

‘‘ଆପଣ ତ ବୁଝିପାରୁଥିବେ ମୁଁ କଅଣ କହିଥିବି । ଚାକିରି କରିବାଟା ତ ମୋର ବାହାରେ ଦେଖାଇବା ଭଳି ଗୋଟାଏ ଛଳନା । ଘରେ ବସି ମୁଁ ଯାହା ରୋଜଗାର କରିବି, ତାକୁ ଖର୍ଚ୍ଚ କରିବାକୁ ବି ଲୋକ ନାହାନ୍ତି ।’’

 

‘‘ସେ ଯାହାହେଉ, ତୁମେ ମରିସ୍‌ ସହିତ ବେଶୀ ମିଳାମିଶା କର ନାହିଁ–ଏହାହିଁ ମୋର ଇଚ୍ଛା ।’’

 

‘‘କାହିଁକି ?’’

 

‘‘ମୋର ଇଚ୍ଛା–ଏହାହିଁ କଅଣ ଯଥେଷ୍ଟ ନୁହେଁ ?’’

 

ମ୍ୟାକ୍‍ମାର୍ଡ଼ୋ ଏହି ଢଙ୍ଗର ଉତ୍ତର ଶୁଣିବାରେ ଆଗରୁ କେବେ ଅଭ୍ୟସ୍ତ ନ ଥିଲା । ସେ ସମାନ ତେଜରେ ଉତ୍ତର ଦେଲା-

 

‘‘ଆମମାନଙ୍କ ପକ୍ଷରେ ତାହା ଯଥେଷ୍ଟ ହୋଇପାରେ; ମାତ୍ର ଆପଣ ମୋତେ ଯେତେ ଦୂର ଚିହ୍ନିଅଛନ୍ତି, ସେଥିରେ ଆପଣଙ୍କର ବୁଝିବା ଉଚିତ ଯେ, ମୋ ପକ୍ଷରେ ତାହା ଯଥେଷ୍ଟ ନୁହେଁ-।’’

 

ମ୍ୟାକ୍‍ମାର୍ଡ଼ୋର ଉତ୍ତର ଶୁଣି ମ୍ୟାକ୍‌ଜିଣ୍ଟି ହାତମୁଠାକୁ ଦୃଢ଼ କରି ଯେପରି କି କାହା ଉପରେ ଆଘାତ କରିବା ଲାଗି ଟେକୁଥିଲା । ସେତେବେଳେ ତା ତଳ ଓଠକୁ ଉପର ଦାନ୍ତପାଟିରେ କାମୁଡ଼ି ଧରିଥାଏ । ମାତ୍ର ତାହା ମୁହୂର୍ତ୍ତକ ପାଇଁ । ପରକ୍ଷଣରେ କଅଣ ଭାବି ସେ ହାତମୁଠା ଶିଥିଳ କରିଦେଲା । ତାର ଉଚ୍ଚ ହାସ୍ୟରେ ସେ ଘର କମ୍ପିଗଲା । କହିଲା, ‘‘ପ୍ରକୃତରେ ତୁମେ ବଡ଼ ବିଚିତ୍ର । ମୁଁ ଟିକିଏ କଡ଼ା ମିଜାଜର ଲୋକ–ତେଣୁ ସେହି ଧରଣର ଲୋକଙ୍କୁ ହିଁ ମୁଁ ବେଶୀ ପସନ୍ଦ କରେ କାହିଁକି ତା ସହିତ ନ ମିଶିବା ଲାଗି ମୁଁ କହିଲି, ତାହା ଯଦି ଶୁଣିବାକୁ ଚାହଁ, ତେବେ ଶୁଣ । ମରିସ୍‌ ତୁମକୁ କ୍ଳବର କାର୍ଯ୍ୟକଳାପ ବିରୁଦ୍ଧରେ ଉତ୍ତେଜିତ କରି ନାହିଁ ?’’

 

‘‘ନାଁ ।’’

 

‘‘ମୋ ବିରୁଦ୍ଧରେ ?’’

 

‘‘ଅନ୍ତତଃ ତାର ଏଇଟିକକ ବୁଦ୍ଧି ଅଛି ଯେ, ମୋ ଆଗରେ ସେ ମାନ୍ୟବର ସର୍ଦ୍ଦାରଙ୍କ ବିରୁଦ୍ଧରେ କିଛି କହି ନିଜର ବିପଦ ଟାଣିଆଣିବ ନାହିଁ ।’’

 

ଏହି ଉତ୍ତର ଭିତରେ ଯେ ପ୍ରଚ୍ଛନ୍ନ ପ୍ରଶଂସା ଥିଲା, ତାହା ମ୍ୟାକ୍‌ଜିଣ୍ଟିର ଅନ୍ତର ସ୍ପର୍ଶ କଲା-। ମ୍ୟାକ୍‍ମାର୍ଡ଼ୋ ପାଖକୁ ଲାଗିଆସି ତା କାନ୍ଧରେ ହାତ ପକାଇ ମ୍ୟାକ୍‌ଜିଣ୍ଟି କହିଲା, ‘‘ମରିସ୍‌ ଆଉ ଆମ କ୍ଳବରେ ରହିବାକୁ ଚାହୁଁ ନାହିଁ । ସେଇଥିଲାଗି ତାକୁ ସଦାସର୍ବଦା ଆଖି ଆଗରେ ରଖିବାକୁ ପଡ଼ୁଚି । ଖୁବ୍‌ ଶୀଘ୍ର ତାର ଗୋଟାଏ କିଛି ବ୍ୟବସ୍ଥା କରାଯିବ । ସେହି କାରଣରୁ ତା ସହିତ ତୁମେ ମିଳାମିଶା କରିବ ନାହିଁ ବୋଲି ମୁଁ ପରାମର୍ଶ ଦେଉଅଛି ।’’

 

‘‘କ୍ଳବ ବିରୋଧରେ ଯଦି କେହି କିଛି କହେ, ତେବେ ତାର ଉତ୍ତର କିପରି କଅଣ ଦେବାକୁ ହେବ, ସେ ଭାର ଆପଣ ମୋ ଉପରେ ନିଶ୍ଚିନ୍ତ ଭାବରେ ଛାଡ଼ିଦେଇପାରନ୍ତି ।’’

 

‘ତା ମୁଁ ଜାଣେ ମ୍ୟକମାର୍ଡ଼ୋ । ନ ହେଲେ ଏହି ପ୍ରତ୍ୟୁଷରୁ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି ବଳେବଳେ ତୁମ ଦୁଆରମୁହଁକୁ ଆସି ନ ଥାନ୍ତା ।’’

 

‘‘ଆଛା ମହାମାନ୍ୟ ସର୍ଦ୍ଦାର, ଆପଣ କିପରି ଭାବରେ ଜାଣିଲେ ଯେ କାଲି ସନ୍ଧ୍ୟାରେ ମରିସ୍‌ ସହିତ ମୋର ସେ ପାହାଡ଼ ତଳେ ଦେଖା ହୋଇଥିଲା ?’’

 

‘‘ଏଇ ତ ମୋର କାମ । ଏ ସହର ଭିତରେ କେଉଁଠାରେ କେଉଁ ମୁହୂର୍ତ୍ତରେ କଅଣ ହେଉଅଛି, ତାହା ମୋର ନଖଦର୍ପଣରେ । ନ ହେଲେ.....’’

 

ମ୍ୟାକ୍‌ଜିଣ୍ଟି ମୁହଁରୁ କଥା ଶେଷ ହୋଇ ନାହିଁ, ସେ ଦୁଇ ଜଣଙ୍କ ଦୃଷ୍ଟି ଏକ ସମୟରେ ଦୁଆରମୁହଁ ଆଡ଼କୁ ଚାଲିଗଲା । କାରଣ, ମଚମଚ ହୋଇ କେହି ଆସିବାର ଶବ୍ଦ ସେମାନେ ଶୁଣିଲେ । ଦୁହେଁ ଚାହିଁ ଦେଖିଲେ, ତିନି ଜଣ ଲୋକ ବନ୍ଧୁକ ଟେକି ସେମାନଙ୍କ ମୁଣ୍ଡକୁ ଲକ୍ଷ୍ୟ କରି କାଇଦା-ଦୋରସ୍ତ ଭାବରେ ଠିଆହୋଇଅଛନ୍ତି । ସେମାନଙ୍କ ଆଗରେ ଇନିସ୍‌ପେକ୍ଟର ମାର୍ଭିନ୍‌ । ତାଙ୍କ ହାତରେ ଦୁଇ ନଳା-ବିଶିଷ୍ଟ ରାଇଫଲ ।

 

ମ୍ୟାକ୍‍ମାର୍ଡ଼ୋର ଅଭ୍ୟସ୍ତ ହାତ ପକେଟରୁ କୌଶଳକ୍ରମେ ପିସ୍ତଲ ବାହାର କରିଆଣିଲା-। ସେ ତାହା ଟିପିବାକୁ ବସିଲାବେଳକୁ ତାର ଆଖି ପଡ଼ିଲା, ପାଖ ଝରକାବାଟେ ଠିକ୍‌ ତା କାନମୁଣ୍ଡା ପାଖରେ ଗୋଟାଏ ବନ୍ଧୁକ ମୁନ । ସିଧା ସଳଖ ତା ମୁଣ୍ଡକୁ ଲକ୍ଷ୍ୟ କରି ତାହା ରହିଅଛି-

 

ଇନ୍‌ସପେକ୍ଟର ମାର୍ଭିନ୍‌ ହସିଉଠି କହିଲେ, ‘‘ବନ୍ଧୁ, ହାତ ତଳକୁ ପକାଅ । ପୁଣି ନିକଟରେ ଦେଖାହେବ–ଏ କଥା ତୋତେ ସେଦିନ କହି ନ ଥିଲି କି ? ତେବେ ଏତେ ଶୀଘ୍ର ଯେ ସେ ଦର୍ଶନଟା ମିଳିଯିବ, ଏଭଳି ଆଶା କରି ନ ଥିଲି ।’’

 

ଏହା କହି ଇସାରା ଦେବାରୁ ଦୁଇ ଜଣ କନେଷ୍ଟବଲ ଆସି ମ୍ୟାକ୍‍ମାର୍ଡ଼ୋ ହାତରୁ ପିସ୍ତଲଟା ଛଡ଼ାଇନେଲେ । ମ୍ୟାକ୍‌ଜିଣ୍ଟିର ବିପୁଳ ଶରୀର ସେମାନଙ୍କ ଉପରକୁ କୁଦିପଡ଼ି ବାଧା ଦେବାକୁ ଚେଷ୍ଟାକଲା । ଇନ୍‌ସପେକ୍ଟର ମାର୍ଭିନ ଗମ୍ଭୀର ସ୍ୱରରେ ଗର୍ଜିଉଠି କହିଲେ, ‘‘ଆପଣ ଅକାରଣରେ କାହିଁକି ଆମ କାମରେ ବାଧା ଦେଉଅଛନ୍ତି ? ଆପଣଙ୍କ ପାଇଁ ତ ବର୍ତ୍ତମାନ ମୁଁ ଆସି ନାହିଁ । ଆସିଛି ମୋର ପୁରୁଣା ଦୋସ୍ତକୁ ଶଙ୍ଖୁଳିବା ଲାଗି । ଆପଣଙ୍କ ପାଇଁ ଯେତେବେଳେ ଆସିବି, ଆପଣ ସେତେବେଳେ ବାଧା ଦେଇପାରନ୍ତି ।’’

 

ମ୍ୟାକ୍‌ଜିଣ୍ଟି କହିଲା, ‘‘ମ୍ୟାକ୍‍ମାର୍ଡ଼ୋ ମୋର ବନ୍ଧୁ । ତେଣୁ ମୋର ଜାଣିବାର ଅଧିକାର ଅଛି, ତାକୁ ଏଭଳି ଭାବରେ ଗିରଫ କରିବାର କାରଣ କଅଣ ?’’

 

ମାର୍ଭିନ୍‌ ସରଳ କଣ୍ଠରେ ଉତ୍ତରଦେଲେ, ‘‘କାରଣ ଅତି ସ୍ପଷ୍ଟ । ପଅର ଦିନ ରାତିରେ ‘ହେରାଲ୍‌ଡ଼’ ସମ୍ପାଦକ ଷ୍ଟ୍ରଙ୍ଗରଙ୍କ ଘରେ ପଶି ତାଙ୍କୁ ନିର୍ମମ ଭାବରେ ଆଘାତ କରିଥିବା ଅପରାଧରେ ମୁଁ ଆପଣଙ୍କ ବନ୍ଧୁଙ୍କୁ ଧରିନେବାକୁ ଆସିଅଛି ।’’

 

ମ୍ୟାକ୍‌ଜିଣ୍ଟି ପ୍ରତିବାଦ କରିଉଠିଲା, ‘‘ମିଥ୍ୟା କଥା । ସେଦିନ ସମସ୍ତ ରାତ୍ରି ମ୍ୟାକ୍‍ମାର୍ଡ଼ୋ ମୋ ସାଙ୍ଗରେ ହୋଟେଲରେ ରହିଥିଲା । ଆମର ପଶାଖେଳର ଗୋଟାଏ ପ୍ରତିଯୋଗିତା ଚାଲିଥିଲା । ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ସେହି ପ୍ରତିଯୋଗିତାରେ ହିଁ ଆନନ୍ଦରେ ବିଭୋର ରହି ଆମମାନଙ୍କ ରାତି କଟିଯାଇଅଛି ।’’

 

‘‘ବେଶ୍‌, ଅଦାଲତରେ ବିଚାର ସମୟରେ ଯେତେବଳେ ଦରକାର ପଡ଼ିବ, ବନ୍ଧୁଙ୍କ ପାଇଁ ସେତେବେଳେ ଆପଣ ପ୍ରମାଣ ଦେଖାଇବେ । ଏଠାରେ ଆମକୁ କହି ଲାଭ କଅଣ ?’’

 

ଏହା କହି ଇନ୍‌ସପେକ୍ଟର ମାର୍ଭିନ ଇଙ୍ଗିତ ଦେବା ସଙ୍ଗେସଙ୍ଗେ ସମସ୍ତ କନେଷ୍ଟବଲ୍‌ ଆସି ମ୍ୟାକ୍‍ମାର୍ଡ଼ୋ ହାତରେ ହାତକଡ଼ି ଲଗାଇଦେଲେ । ତା ଅଣ୍ଟାରେ ଦଉଡ଼ା ବାନ୍ଧିବା ବେଳେ ମ୍ୟାକ୍‌ଜିଣ୍ଟି ତା କାନରେ କଅଣ ଫୁସ୍‌ଫୁସ୍‌ କରି କହିଦେଲା । ତା ପରେ ଇନ୍‌ସପେକ୍ଟରଙ୍କୁ ଚାହିଁ କହିଲା, ‘‘ଭଲ କଥା, ଅଦାଲତରେ ଦେଖାଯିବ । ପୋଲିସ ଅନ୍ୟାୟ କଲା ବୋଲି ଅଦାଲତ ଯେ ଅନ୍ୟାୟ କରିବ–ଏ ବିଶ୍ୱାସ ମୋର ନାହିଁ ।’’

 

ଇନ୍‌ସପେକ୍ଟର ମାର୍ଭିନ ସେ କଥାକୁ ଆଦୌ କାନ ନ ଦେଇ କନେଷ୍ଟବଲମାନଙ୍କୁ ହୁକୁମ ଦେଲେ, ‘‘ଆସାମୀ ଯଦି ପଳାଇଯିବାକୁ ଚେଷ୍ଟା କରିବ, ତେବେ ବିନା ବିଚାରରେ ତତ୍‌କ୍ଷଣାତ୍‌ ଗୁଳି କରିଦେବ ।’’

 

ତା ପରେ ମ୍ୟାକ୍‌ଜିଣ୍ଟି ଆଡ଼କୁ ଅନାଇ ଅଭିବାଦନ ଭଙ୍ଗୀରେ କହିଲେ, ‘‘ହଉ, ବର୍ତ୍ତମାନ ପାଇଁ ବିଦାୟ, ବନ୍ଧୁ ।’’

 

ମ୍ୟାକ୍‌ଜିଣ୍ଟି ଦୁଇ ହାତ ପାପୁଲିକୁ ମୁଠା କରୁକରୁ ନୀରବରେ କେବଳ ଠିଆହୋଇ ରହିଲା । ସେ ବୁଝିପାରିଲା ଯେ, ଏ ସ୍ଥାନରେ ବାଧା ଦେବାକୁ ଯିବା ମୂର୍ଖତା ବ୍ୟତୀତ ଆଉ କିଛି ନୁହେଁ ।

 

ମ୍ୟାକ୍‍ମାର୍ଡ଼ୋର ବିଚାର ଅଦାଲତରେ ଯଥାରୀତି ଆରମ୍ଭ ହେଲା । ମ୍ୟାକ୍‌ଜିଣ୍ଟି ଦଳର ପଇସାରେ ମ୍ୟାକ୍‍ମାର୍ଡ଼ୋ ପାଇଁ ଲଢ଼ିବାକୁ ଜଣେ ବଡ଼ ଓକିଲ ନିଯୁକ୍ତି ହେଲେ । ଜେରା ସମୟରେ ପୋଲିସର ଓକିଲ ‘ହେରାଲାଡ଼୍‌’ ପ୍ରେସର କେତେ ଜଣ କମ୍ପୋଜିଟରଙ୍କୁ ପ୍ରଧାନ ସାକ୍ଷୀରୂପେ ଠିଆକରାଇଥିଲେ । ସେମାନେ କୁଆଡ଼େ ନିଜ ଆଖିରେ ଦେଖିଛନ୍ତି ଯେ, କେଉଁମାନେ ନୃଶଂସ କାର୍ଯ୍ୟ କରିଅଛନ୍ତି । ଦରକାର ପଡ଼ିଲେ, ସେମାନେ ସେ ଲୋକକୁ ଚିହ୍ନୋଟ କରିପାରିବେ । କିନ୍ତୁ ପରଦିନ ମ୍ୟାକ୍‍ମାର୍ଡ଼ୋର ଓକିଲ ଯେତେବେଳେ ସେମାନଙ୍କୁ ଜେରା କଲେ, ସେତେବେଳେ ସେମାନେ ଜଣ ଜଣ କରି ଠିକ୍‌ ଓଲଟା କଥା କହିଲେ । ସେମାନଙ୍କ କଥାରୁ ବୁଝାଗଲା, ଅନ୍ଧକାର ମଧ୍ୟରେ ନିଜ ପାଖରେ ଠିଆ ହୋଇଥିବା ଲୋକକୁ ମଧ୍ୟ ଚିହ୍ନିହେବ ନାହିଁ । ଚିହ୍ନୋଟ କଲାବେଳେ ସେମାନେ ମ୍ୟାକ୍‍ମାର୍ଡ଼ୋକୁ ଆଦୌ ଆଖିପାଖକୁ ଆଣିଲେ ନାହିଁ । ମାଜିଷ୍ଟ୍ରେଟ ପୋଲିସ ଉପରେ ରାଗି ରାୟରେ ଲେଖିଲେ, ‘‘ପୋଲିସ ନିଜର ତତ୍ପରତା ଓ ବାହାଦୂରୀ ଦେଖାଇବା ଲାଗି ଜଣେ ନିରୀହ ଲୋକକୁ ଧରି ଆଣିଛି । ଷ୍ଟ୍ରଙ୍ଗରଙ୍କୁ ପ୍ରହାର ଦେବା ଘଟଣା ସହିତ ଏ ଲୋକର କୌଣସି ସମ୍ପର୍କ ଥାଇ ନ ପାରେ । ପୋଲିସ ଯେଉଁ ସାକ୍ଷ୍ୟ ପ୍ରମାଣ ଦେଖାଇଲା, ସେଥିରୁ ଏ କଥା ସ୍ପଷ୍ଟ ବୁଝା ପଡ଼ୁଅଛି ।’’

 

ମ୍ୟାକ୍‍ମାର୍ଡ଼ୋ ନିର୍ଦ୍ଦୋଷରେ ଖଲାସ ହୋଇଗଲା । ଅକାରଣରେ ପୋଲିସର ମୂର୍ଖତାରେ ଗୋଟିଏ ଦିନ ହାଜତରେ କଟାଇଥିବାରୁ ମାଜିଷ୍ଟ୍ରେଟ ସେଥିପାଇଁ ଦୁଃଖ ପ୍ରକାଶ କଲେ । ମ୍ୟାକ୍‌ଜିଣ୍ଟି ଏବଂ ତା ଦଳର ଲୋକମାନେ କୋର୍ଟ ହତାରେ ବିପୁଳ ଜୟଧ୍ୱନି କରି ମ୍ୟାକ୍‍ମାର୍ଡ଼ୋକୁ ଅଭିନନ୍ଦନ ଜଣାଇଲେ । ଇନ୍‌ସପେକ୍ଟର ମାର୍ଭିନ ଦାନ୍ତରେ ଦାନ୍ତ ଚିପି ମୁହଁ ତଳକୁ ପୋତି ଅଦାଲତ ଛାଡ଼ି ଚାଲିଗଲେ । ତାଙ୍କ ପଛରେ କେତେ ଜଣ ହାତତାଳି ଦେବାକୁ ଛାଡ଼ି ନ ଥିଲେ ।

Image

 

ପ୍ରତିଶ୍ରୁତି

 

ଏହି ଘଟଣା ପରେ ଦେଖୁଦେଖୁ ମ୍ୟାକ୍‍ମାର୍ଡ଼ୋର ନାମ କ୍ଳବର ସମସ୍ତଙ୍କ ମୁହଁରେ ଶୁଣାଗଲା । ଯମଦୂତ ଦଳରେ ଯୋଗଦାନ କରିବାର ଏତେ ଅଳ୍ପ ସମୟ ମଧ୍ୟରେ ସେ ଯେଉଁ ଖ୍ୟାତି ଓ ପ୍ରତିପତ୍ତି ଲାଭକଲା, ତାହା ଆଉ କୌଣସି ସଭ୍ୟ ଭାଗ୍ୟରେ ଘଟି ନାହିଁ । ମ୍ୟାକ୍‍ମାର୍ଡ଼ୋ ସହିତ କଥାବାର୍ତ୍ତା କରିବାକୁ, ତା ସଙ୍ଗରେ ବନ୍ଧୁତା କରିବାକୁ ଦଳର ଲୋକଙ୍କ ମଧ୍ୟରେ ରୀତିମତ ପ୍ରତିଦ୍ୱନ୍ଦିତା ଲାଗିଗଲା । ଯେତେବେଳେ ସେମାନେ ଭାବନ୍ତି ଯେ, ଦୁନିଆରେ ଏଇ ଏକମାତ୍ର ଜଣେ ଲୋକ, ଯେ କି ସର୍ଦ୍ଦାରର ମୁହେଁ ମୁହେଁ ପ୍ରତିବାଦ କରି ନିଜ କଥା ଜାହିର ରଖେ, ସେତେବେଳେ ସେମାନଙ୍କ ଆଖିକୁ ମ୍ୟାକ୍‍ମାର୍ଡ଼ୋ ଅତୀବ ବିସ୍ମୟକର ମହାମାନବ ପରି ଦେଖାଯାଏ । ମ୍ୟାକ୍‌ଜିଣ୍ଟି ମନେମନେ ଗର୍ବ ଅନୁଭବ କରେ ଯେ, ସେ ଏତେ ଦିନଯାଏ କେବଳ ଗୁଡ଼ିଏ ଛେଳି ବାନ୍ଧି ରଖିଥିଲା; ପ୍ରକୃତରେ ଗୋଟାଏ ବଡ଼ ଶିକାରୀ କୁତ୍ତା ଏବେ ପାଇଛି । ତେଣୁ କଥାବାର୍ତ୍ତା ମଝିରେ ମ୍ୟାକ୍‍ମାର୍ଡ଼ୋ କେତେବେଳେ ଚିତ୍‌କାର କରି ଉଠିଲେ, ସେ ତାହା ନୀରବରେ ସହିଯାଏ । କାରଣ ସେ ଯେ ଦୁର୍ଦ୍ଦାନ୍ତ ଶିକାରୀ କୁତ୍ତା ଜାତୀୟ ଜୀବ ବିଶେଷ ।

 

କେବଳ ଜଣକ ନିକଟରେ ମ୍ୟାକ୍‍ମାର୍ଡ଼ୋର ଏହି ଖ୍ୟାତି ମର୍ମାନ୍ତିକ ବେଦନାଦାୟକ ହୋଇ ଉଠୁଥିଲା–ସେ ହେଉଛି ଏଟ୍ଟି । ମ୍ୟାକ୍‍ମାର୍ଡ଼ୋର ଯଶ ଖ୍ୟାତି ଲୋକେ ଅର୍ଥାତ୍‌ କ୍ଳବର ସଭ୍ୟମାନେ ଗର୍ବର ସହିତ ଉଚ୍ଚାରଣ କରୁଥିବାର ସେ ଯେତିକି ଶୁଣେ, ସେତିକି ମନେମନେ ଭୟରେ ଆତଙ୍କିତ ହୋଇଉଠେ । ତା ଅନ୍ତରର ଭାବନା, ମ୍ୟାକ୍‍ମାର୍ଡ଼ୋକୁ ଯଦି ଏହି ଯମଦୂତ ଦଳ କବଳରୁ ବାହାର କରି ଅଣା ନ ଯାଏ, ତେବେ ତାକୁ ସ୍ୱାମୀ ରୂପରେ ପାଇବାର ଆଉ କିଛି ମୂଲ୍ୟ ରହିବ ନାହିଁ । ମ୍ୟାକ୍‍ମାର୍ଡ଼ୋ ଯେ ଜଣେ ପ୍ରସିଦ୍ଧ ଡକାୟତ ହେବ, ଏପରି କଳ୍ପନା ସେ କରିପାରେ ନାହିଁ । ପ୍ରତ୍ୟହ ରାତ୍ରରେ ବିଛଣାକୁ ଯିବା ପୂର୍ବରୁ ସେ ମନେମନେ ଭଗବାନଙ୍କ ନିକଟରେ ଏକଚିତ୍ତରେ ପ୍ରାର୍ଥନା କରେ-ମ୍ୟାକ୍‍ମାର୍ଡ଼ୋର ସୁମତି ହେଉ, ସେ ଯେପରି ଏହି ନରହନ୍ତା ଡକାୟତ ଦଳଙ୍କଠାରୁ ଅଲଗା ହୋଇଯାଉ । ମାତ୍ର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଯେଉଁସବୁ କଥା ଶୁଣିବାକୁ ପାଏ; ସେଥିରେ ତା ମନ ଏକାବେଳକେ ଭାଙ୍ଗିପଡ଼େ । ସେ ମନରେ ଭାବେ, ଭଗବାନ ତାହାର ଏ କାତର ପ୍ରାର୍ଥନା ଶୁଣିଲେ ନାହିଁ । ମ୍ୟାକ୍‍ମାର୍ଡ଼ୋ ତା ଅନ୍ତର ଏତେଦୂର ଅଧିକାର ବରି ବସିଥିଲା ଯେ, ଯେତେ ବିରକ୍ତ ହେଲେ ମଧ୍ୟ ସେ ମନମଧ୍ୟରୁ ତାକୁ ପୋଛି ଦେଇପାରୁ ନ ଥିଲା । ଯେ ଏତେ ସୁନ୍ଦର, ଯାହାର କଥାବାର୍ତ୍ତାରେ ଏପରି ଉଦାରତା ପରି ରହିଥାଏ, ସେ ପୁଣି ହେବ ଡକାୟତ ? କ୍ଳବର ଅନ୍ୟ ସଭ୍ୟମାନଙ୍କ କଥାବାର୍ତ୍ତା, ଭାବଭଙ୍ଗୀ, ଚାଲିଚଳନ ସହିତ ତାହାର ତ ତିଳେ ହେଲେ ମେଳ ହୁଏ ନାହିଁ । ତେବେ ସେ କାହିଁକି ସେମାନଙ୍କ ଦଳରେ ମିଶିଲା ?

 

ଏହିପରି ନାନା କଳ୍ପନା କରିକରି ଦିନେ ସେ ଏତେଦୂର ଉତ୍ତେଜିତ ହୋପଡ଼ିଲା ଯେ, ନିଜ ଘରେ ଥୟ ହୋଇ ଆଉ ରହିପାରିଲା ନାହିଁ । ଚାଲିଚାଲି ଆସି ମ୍ୟାକ୍‍ମାର୍ଡ଼ୋ ରହୁଥିବା ସ୍ଥାନରେ ପହଞ୍ଚିଲା ।

 

ମ୍ୟାକ୍‍ମାର୍ଡ଼ୋ ସେତେବେଳେ ନିବିଷ୍ଟ ଚିତ୍ତରେ ଖଣ୍ଡେ କଅଣ ଚିଠି ଲେଖୁଥିଲା ।

 

ଏଟ୍ଟି ପଛପାଖରୁ ଆସ୍ତେଆସ୍ତେ ଯାଇ ତା କାନ୍ଧରେ ହାତ ପକାଇ ଠିଆ ହୋଇଗଲା । ମ୍ୟାକ୍‍ମାର୍ଡ଼ୋ ଚମକିଉଠି ଚିଠିଟାକୁ ସଙ୍ଗେସଙ୍ଗେ ଲୁଚାଇଦେଲା ।

 

ଏଟ୍ଟି ବିରସାମନାରେ କହିଲା, ‘‘ମୋତେ ଦେଖି ଏଭଳି ଚମକି ଉଠିଲ କାହିଁକି ?’’

 

ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲା, ‘‘ମୁଁ ଭାବିଥିଲି, କେହି ଗୋଇନ୍ଦା ପୋଲିସ ଆସିଗଲେ ଅବା ।’’

 

ଏହି ଉତ୍ତର ପାଇ ଏଟ୍ଟିର ମନ ଆହୁରି ବେଶୀ ଦବିଗଲା । ସେ ଭଗ୍ନକଣ୍ଠରେ କହିଲା, ‘‘କଅଣ ଲେଖୁଥିଲ, ଦେଖିପାରିବି କି ?’’

 

‘‘କ୍ଳବର କଥାସବୁ; ତେଣୁ ଅତି ଗୋପନୀୟ ।’’

 

‘‘ମୋ ପାଖରେ ମଧ୍ୟ ?’’

 

‘‘ଯେତେବେଳେ କ୍ଳବର ସଭ୍ୟ ହେଲି, ସେତେବେଳେ ଏହିପରି ପ୍ରତିଜ୍ଞା କରିଅଛି । ସେ ପ୍ରତିଜ୍ଞା ତ ଭାଙ୍ଗିପାରିବ ନାହିଁ ।’’

 

ଏଟ୍ଟି ମ୍ୟାକ୍‍ମାର୍ଡ଼ୋର ଦୁଇ ହାତ ଧରି ବିକଳ ଭାବରେ କହିଉଠିଲା, ‘‘ତୁମ ଗୋଡ଼ତଳେ ପଡ଼ୁଚି; ତୁମେ ଏହି ଦଳ ଛାଡ଼ିଦିଅ । ଚାଲ, ଏଠାଛାଡ଼ ଆଉ ଯେ କୌଣସି ସ୍ଥାନକୁ ପଳାଇଯିବା ।’’

 

‘‘ମୁଁ ଦଳ ଛାଡ଼ିଦେଲେ ବି ଦଳ କଅଣ ମୋତେ ଛାଡ଼ିବ ?’’

 

‘‘ଆମେ ବହୁତ-ବହୁତ ଦୁରକୁ ଚାଲିଗଲେ... ?’’

 

‘‘ଯେତେ ଦୂରକୁ ଯାଅନା କାହିଁକି, କ୍ଳବର ହାତ ସେଠାରେ ଯାଇ ପହଞ୍ଚିଯିବ । ପୃଥିବୀର ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ସେମାନେ ପାଖକୁ ଟାଣି ଆଣିବେ ।’’

 

‘‘ତେବେ ତୁମେ କାହିଁକି ଏ ସାଘାଂତିକ କ୍ଳବର ସଭ୍ୟ ହେଲ ?’’

 

‘‘ସେ କାରଣ ତୁମେ ବୁଝିପାରିବ ନାହିଁ । ତେବେ ବୋଧହୁଏ ଛ ମାସ ପରେ ମୁଁ ଏ ସ୍ଥାନ ଛାଡ଼ି ଚାଲି ଯିବି-ଏ ଜବାବ ଦେଉଅଛି । ଏଥିରେ ତୁମେ ସନ୍ତୁଷ୍ଟ ତ ?’’

 

ସେହି ଦିନ ସର୍ଦ୍ଦାର ପାଖରୁ ସ୍କନଲ୍ୟାନ ଓ ମ୍ୟାକ୍‍ମାର୍ଡ଼ୋ ନିକଟକୁ ଖଣ୍ଡିଏ ଚିଠି ଆସିଲା-। ସେଥିରେ ଲେଖାଥିଲା, ‘‘ନିକଟବର୍ତ୍ତୀ କ୍ଳବରୁ ଦୁଇ ଜଣ ସଭ୍ୟ ଏଠାକୁ ଆସୁଅଛନ୍ତି । ଗୋଟିଏ ବିଶେଷ କାର୍ଯ୍ୟପାଇଁ ସେମାନଙ୍କୁ ନିମନ୍ତ୍ରଣ କରି ଅଣାଯାଇଛି । ବର୍ତ୍ତମାନ ଲାଗି ସେ ଦୁଇ ଜଣଙ୍କୁ କିଛି ଦିନ ଅତି ଗୋପନରେ ରଖିବାକୁ ହେବ । ହୋଟେଲରେ ଏବେ ଲୋକଗହଳି ଖୁବ୍‌ ବେଶୀ । ସେଠାରେ ସେମାନଙ୍କୁ ରଖାଯିବା ସମ୍ଭବ ନୁହେଁ । ତୁମର ରହିବା ସ୍ଥାନରେ ସେ କମ୍ରେଡ଼ ଦୁଇ ଜଣଙ୍କୁ ଲୁଚାଇ ରଖିବାକୁ ହେବ ।’’

 

କହିବା ବାହୁଲ୍ୟ, ସେ ଦୁହିଁଙ୍କର ଏଥିରେ ଅସମ୍ମତ ଜଣାଇବାର କିଛି କାରଣ ନ ଥିଲା ।

 

ସେହିଦିନ ସନ୍ଧ୍ୟାସମୟରେ ସେମାନଙ୍କ ଘରେ ଆସି ଦୁଇ ଜଣ ଅପରିଚିତ ବ୍ୟକ୍ତି ପହଞ୍ଚିଲେ । କ୍ଳବର ସଙ୍କେତ ଆଦାନପ୍ରଦାନ ପରେ ମ୍ୟାକ୍‍ମାର୍ଡ଼ୋ ସେମାନଙ୍କୁ ସମ୍ମାନର ସହିତ ପାଛୋଟି ନେଲା । ସାମାନ୍ୟ କେତେ ଘଣ୍ଟା ମଧ୍ୟରେ ମ୍ୟାକ୍‍ମାର୍ଡ଼ୋ ସହିତ ସେ ଦୁଇଜଣଙ୍କର ବନ୍ଧୁତା ଘନିଷ୍ଠ ହୋଇଉଠିଲା । ପରସ୍ପର ମଧ୍ୟରେ ବିଶ୍ୱାସ ଏତେ ଦୂର ଦୃଢ଼ ହୋଇଗଲା ଯେ, ଦଳର ନୀତିବିରୁଦ୍ଧ ହେଲେ ମଧ୍ୟ ଆଗନ୍ତୁକ ଦୁଇ ଜଣ ସେମାନଙ୍କର ସମସ୍ତ ଅତୀତ କୀର୍ତ୍ତି ଗର୍ବର ସହିତ ବର୍ଣ୍ଣନା କରିବାକୁ ଲାଗିଲେ । କିନ୍ତୁ ବର୍ତ୍ତମାନର କାର୍ଯ୍ୟ ସମ୍ପର୍କରେ ସେମାନେ କିଛି ହେଲେ ପ୍ରକାଶ କଲେ ନାହିଁ । କେବଳ କହିଲେ-

 

‘‘କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ସେ ସମ୍ପର୍କରେ ଆମେ କୌଣସି କଥା କାହାରି ଆଗରେ କହୁ ନାହିଁ ।’’

 

ମ୍ୟାକ୍‍ମାର୍ଡ଼ୋ ଓ ସ୍କାନଲ୍ୟାନ ସେ ସମ୍ବନ୍ଧରେ ଜୋରକରି କିଛି ମଧ୍ୟ ପଚାରିଲେ ନାହିଁ । ତେବେ ସେମାନଙ୍କ ମନରେ ଯେ କୌତୁହଳ ଜାତ ହୋଇ ନ ଥିଲା, ତା ନୁହେଁ ।

 

ହଠାତ୍‌ ଦିନେ ରାତ୍ର ପାହାନ୍ତା ପୂର୍ବରୁ ଦେଖାଗଲା, ସେହି ଅତିଥି ଦୁଇ ଜଣଙ୍କ ଶଯ୍ୟା ଖାଲି । ସ୍କାନଲ୍ୟାନ କିଛି ହେଲେ ବୁଝି ନ ପାରି ମ୍ୟାକ୍‍ମାର୍ଡ଼ୋକୁ ଉଠାଇଲା । ମ୍ୟାକ୍‍ମାର୍ଡ଼ୋ ଝରକା ବାଟେ ମୁହଁ ବଢ଼ାଇ ଦେଖିଲା; ସେ ଦୁହେଁ ଅତି ସାବଧାନରେ ଉପରୁ ତଳକୁ ଓହ୍ଲାଇ ଯାଉଅଛନ୍ତି । ସେମାନଙ୍କ ପଛପଛେ ଅତି ଗୋପନରେ ମ୍ୟାକ୍‍ମାର୍ଡ଼ୋ ଓ ସ୍କାନଲ୍ୟାନ ଅନ୍ଧକାରରେ ଅନୁସରଣ କଲେ । ପ୍ରଭାତ ହେବାର ପୂର୍ବାଭାସର ସୂଚନା ମିଳୁ ନ ଥିଲେ ମଧ୍ୟ ରାସ୍ତାରେ ଦୁଇ ଜଣ କୁଲି ଚାଲବୁଲ କଲେଣି । ସହରର ପ୍ରଧାନ ରାସ୍ତାର ଶେଷମୁଣ୍ଡରେ ଆଉ କେତେ ଜଣ ଲୋକ ଅପେକ୍ଷା କରିଥିଲେ । ଆଗନ୍ତୁକ ଦୁଇ ଜଣ ସେମାନଙ୍କ ସହିତ ମିଶିଗଲେ । ତା ପରେ ସମସ୍ତେ ବାଟ ଭାଙ୍ଗି ଅନ୍ୟ ଏକକ ଦିଗରେ ଆଗକୁ ଚାଲିଗଲେ

 

ସ୍କାନଲ୍ୟାନ କ୍ଳବର ବହୁ ଦିନର ସଭ୍ୟ ହୋଇଥିଲେ ମଧ୍ୟ ଏସବୁ ଜରୁରୀ କାର୍ଯ୍ୟରେ ତାକୁ କେବେ ଡକା ଯାଇ ନ ଥାଏ । କେତେଗୁଡ଼ିଏ ସଭ୍ୟଙ୍କୁ ଏହିପରି ଗୁରୁତର କାର୍ଯ୍ୟରୁ ଦୂରରେ ରଖାଯାଇଥାଏ । କାରଣ, ଏସବୁ କାର୍ଯ୍ୟ ପାଇଁ ସେମାନଙ୍କ ମନରେ ଦୃଢ଼ତା ନାହିଁ । କାର୍ଯ୍ୟ ହାସଲ ଲାଗି ସେମାନେ ଅପାରଗ, ଅଯୋଗ୍ୟ । ସେହି କାରଣରୁ ଏହି ଆଗନ୍ତୁକଦ୍ୱୟ କଅଣ କରିବେ, ତାହା ଦେଖିବା ଲାଗି ସ୍କାନଲ୍ୟାନର କୌତୁହଳ ଅଧିକ ହୋଇଉଠିଥାଏ । ଅଥଚ ଦଳର ଆଇନ କାନୁନରେ ଏହା ଅତି ବେଶୀ ଦୋଷାବହ ।

 

ସହର ପ୍ରାନ୍ତରେ ଗୋଟିଏ ଲୌହଖଣି ନିକଟରେ ସେମାନେ ପହଞ୍ଚିଲେ । ଖଣ୍ଡଦୂର ପଛରେ ଥିବା ଗୋଟିଏ ଅଳ୍ପ ଉଚ୍ଚ ପାହାଡ଼ ମୁଣ୍ଡିଆ । ସେଡିଠାରେ ମ୍ୟାକ୍‍ମାର୍ଡ଼ୋ ସ୍କାନଲ୍ୟାନ ଠିଆହୋଇ ସେମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କଲେ । ଅବଶ୍ୟ ସେମାନଙ୍କୁ କେହି ଦେଖିବାର ସମ୍ଭାବନା ନ ଥିଲା; ମାତ୍ର ସେମାନେ ସବୁ ଦେଖିପାରୁଥିଲେ ।

 

ଅନ୍ୟ ଦଳରୁ ଆସିଥିବା ଦୁଇ ଜଣଙ୍କ ସହ ସେ ଦଳର ଲୋକେ ସେହି ଅଳ୍ପ ଆଲୁଅ ମିଶା ଅନ୍ଧକାର ମଧ୍ୟରେ ମୁଖମଣ୍ଡଳକୁ ମୁଣ୍ଡର ଟୋପିରେ ଘୋଡ଼ାଇପକାଇ ଛକିଲାଭଳି ଠିଆହୋଇ ରହିଲେ । କିଛି କ୍ଷଣ ପରେ ସେହି ଖଣିର ମ୍ୟାନେଜର ମେଞ୍ଜିସ୍‌ ଘରୁ ବାହାରି ପଦାକୁ ଆସୁଥିବାର ଦେଖାଗଲା । ସେ ପ୍ରଫୁଲ୍ଲଚିତ୍ତରେ ଡଗଡଗ ହୋଇ ଚାଲି ଆସୁଥିଲେ ।

 

ଅନ୍ଧକାର ମଧ୍ୟରେ ଟିକିଏ କଅଣ ଶବ୍ଦ ଶୁଣି ମେଞ୍ଜିସ୍‌ ହଠାତ୍‌ ଠିଆହୋଇଗଲେ । ଦେଖିଲେ, ଅଳ୍ପଦୂରରେ କେତେଗୁଡ଼ିଏ ଲୋକ । ସେ ବଡ଼ ପାଟିରେ ପଚାରିଲେ, ‘‘କିଏ ସେ ? ଏତେ ଭୋରରୁ ଏଠାରେ କଅଣ କରୁଛ ?’’

 

ସଙ୍ଗେସଙ୍ଗେ ଏ ପ୍ରଶ୍ନର ଉତ୍ତର ରିଭଲଭର ଶବ୍ଦରେ ମିଳିଲା । ଏକସମୟରେ ତିନି ଚାରିଟା ଆଗ୍ନେୟାସ୍ତ୍ର ଗୁଡ଼ୁମ୍‌ ଗୁଡ଼ୁମ୍‌ ଗର୍ଜନ କରିଉଠିଲା । ଗୋଟାଏ ଗୁଳି ମେଞ୍ଜିସଙ୍କ ତଳିପେଟ ଫୁଟାଇ ସିଧାସଳଖ ବାହାରି ଚାଲିଗଲା । ମେଞ୍ଜିସ୍‌ ଆର୍ତ୍ତନାଦ କରି ତଳି ଲୋଟିପଡ଼ିଲେ । ତା ପରେ ଦୁଇ ହାତ ପେଟରେ ଚାପି ଧରି ଆଣ୍ଠୁ ମାଡ଼ି ବସିପଡ଼ିବାକୁ ଚେଷ୍ଟା କଲାବେଳକୁ ଆଉ ଥରେ ରିଭଲଭର ଶବ୍ଦ ଶୁଣାଗଲା । ମେଞ୍ଜିସଙ୍କ ପ୍ରାଣହୀନ ଦେହ ସେହିଠାରେ ଢଳିପଡ଼ିଲା । ସେହି ଶବ୍ଦ ଶୁଣି ଦଳେ କୁଲୀ ହତାମଧ୍ୟରୁ ସେହି ଆଡ଼କୁ ଧାଇଁ ଆସୁଥିଲେ । ସେମାନଙ୍କ ଦିଗକୁ ଲକ୍ଷ୍ୟ କରି ଗୋଟାଏ ଗୁଳି ଫୁଟିବାରୁ ସେମାନେ ଭୟରେ ପଳାଇଗଲେ । ନରହନ୍ତା ଦଳ ସେତେବେଳକୁ ଅନ୍ଧକାର ଭିତରେ ନିଜ ଦେହକୁ ଲୁଚାଇ ଦୂରକୁ ପଳାଇ ଗଲେଣି ।

 

ସ୍କାନଲ୍ୟାନ ଓ ମ୍ୟାକ୍‍ମାର୍ଡ଼ୋ ଫେରି ଘର ଅଭିମୁଖେ ଯାତ୍ରା କଲେ । ସ୍କାନଲ୍ୟାନ ପାଟିକୁ କଥା ଆସୁ ନାହିଁ । ଜିଭତଳ ଶୁଖି ଅଠାଅଠା ଲାଗୁଅଛି । ଜଣେ ମନୁଷ୍ୟକୁ ମୁହୂର୍ତ୍ତକ ମଧ୍ୟରେ କିପରି ହତ୍ୟା କରାଯାଏ, ତାହା ଜୀବନରେ ପ୍ରଥମ ଥର ପାଇଁ ସେ ଦେଖିଲା । ତା ମୁହଁର ଭାବଭଙ୍ଗୀରୁ ତା ମନକଥା ବୁଝିପାରି ଖ୍ୟାତିସମ୍ପନ୍ନ ଜାଲିୟାତ୍‌ ଓ ନରହନ୍ତା ମ୍ୟାକ୍‍ମାର୍ଡ଼ୋ କହିଉଠିଲା, ‘‘ଏଥିରେ ଏତେ ଦୂର ଚିନ୍ତିତ ହେବାର କଅଣ ଅଛି ? ଏ ତ ଗୋଟାଏ ଯୁଦ୍ଧ ଏବଂ ଯୁଦ୍ଧରେ ନିଷ୍ଠୁରତା ଅପରିହାର୍ଯ୍ୟ । ହୁଏ ତ ଆମକୁ ଏ କାମ କରିବାକୁ ପଡ଼ିଥାଆନ୍ତା ।’’

 

ସ୍କାନଲ୍ୟାନ ହଁ କି ନା କିଛି ହେଲେ କହିଲା ନାହିଁ ।

 

ସେଦିନ ଶନିବାର । କ୍ଳବ ବୈଠକରେ ମେଞ୍ଜିସର ମୃତ୍ୟୁଉପଲକ୍ଷେ ସଭ୍ୟମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଲା । ବହୁଦିନ ହେଲା ମେଞ୍ଜିସ୍‌ ସହିତ ଯମଦୂତ ଦଳର ଗୋପନ ସଂଘର୍ଷ ଲାଗିରହିଥିଲା । ମେଞ୍ଜିସ୍‌ ଅସାଧାରଣ ବ୍ୟକ୍ତି । କୁଲୀ ବା କର୍ମଚାରୀଙ୍କ ମଧ୍ୟରେ କେହି କାର୍ଯ୍ୟରେ ଅବହେଳା କଲେ ସେ ତାହା ଆଦୌ ସହ୍ୟ କରିପାରୁ ନ ଥିଲେ । ବିଶେଷତଃ ତାଙ୍କର ଧାରଣା ଥିଲା ଯେ, ମଦ୍ୟପ ଲୋକଙ୍କ ହାତରେ କିଛି ହେଲେ କାମ ହେବ ନାହିଁ । ତେଣୁ ଯେଉଁମାନେ ମଦ ଖାଇ କାମକୁ ଆସିଥାଆନ୍ତି; ସେମାନଙ୍କୁ ସେ ପ୍ରଥମେ ସତର୍କ କରାଇଦିଅନ୍ତି । ଶେଷକୁ କାର୍ଯ୍ୟରୁ ତଡ଼ିଦିଅନ୍ତି । ସେହି ଖଣିର କୁଲୀ ଓ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ଏହି କ୍ଳବର ଲୋକ ହିଁ ରହିଥାଆନ୍ତି । ସେମାନେ ଏହି ସତର୍କବାଣୀକୁ ଖାତିରକୁ ବି ଆଣନ୍ତି ନାହିଁ । ମେଞ୍ଜିସ୍‌ ବାଧ୍ୟହୋଇ ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାର୍ଯ୍ୟରୁ ଅନ୍ତର କରି ଦେଇଥିଲେ ।

 

ସେମାନେ କ୍ଳବର ସର୍ଦ୍ଦାର ଏବଂ ସଭ୍ୟମାନଙ୍କ ଆଗରେ ଏହି କଥାକୁ ଅତିରଞ୍ଜିତ କରି ମେଞ୍ଜିସ୍‌ଙ୍କ ବିରୁଦ୍ଧରେ ସେମାନଙ୍କୁ ଉତ୍ତ୍ୟକ୍ତ କରିରଖିଲେ । କେତେ ଥର କ୍ଳବ୍‌ ବୈଠକରେ ଏହି କଥା ଆଲୋଚନା ମଧ୍ୟ କରାଯାଇଥିଲା ।

 

ମେଞ୍ଜିସ୍‌ଙ୍କୁ ଭୀତତ୍ରସ୍ତ କରାଇଦେବା ପାଇଁ ପ୍ରଥମେ କେତେ ପ୍ରକାର ବେନାମୀ ଚିଠି ଦିଆଗଲା । ତା ପରେ ତାଙ୍କ ଘର କାନ୍ଥଗୁଡ଼ିକରେ ମୁର୍ଦ୍ଦାର ବୁହା ଖଟିଆର ଛବି ଅଙ୍କାହେଲା । ଏ ଧମକକୁ ସେ ପାସଙ୍ଗରେ ପକାଇଲେ ନାହିଁ । ଫଳରେ ତାଙ୍କର ଯେଉଁ ଦଶା ହେଲା, ତା ତ ଟିକିଏ ଆଗରୁ ଦେଖାଯାଇଅଛି ।

 

ସେହି କାରଣରୁ କ୍ଳବ୍‌ ବୈଠକରେ ଆଜି ଆନନ୍ଦର ଢେଉ ଖେଳୁଛି, ଯେପରି କି ସେମାନେ ଗୋଟାଏ ବିରାଟ ବିଜୟ ହାସଲ କରିଅଛନ୍ତି । ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି ଏହି ବିଜୟର ଉତ୍ତେଜନାକୁ ବ୍ୟର୍ଥ କରିବାକୁ ଚାହେ ନାହିଁ । ସେ ଖୁସ୍‌ ମିଜାଜରେ ମ୍ୟାକ୍‍ମାର୍ଡ଼ୋକୁ ଟିକିଏ ନିରୋଳାକୁ ଡାକିନେଇ କହିଲା-

 

‘‘ଏତେ ଦିନ ପରେ ତୁମର ଉପଯୁକ୍ତ ଗୋଟାଏ କାମ ଜୁଟିଯାଇଛି । ତୁମକୁ ନିଜ ହାତରେ ତାହା ହାସଲ କରିବାକୁ ପଡ଼ିବ ।’’

 

ମ୍ୟାକ୍‍ମାର୍ଡ଼ୋ ନିଜକୁ କୃତାର୍ଥ ମନେକଲା । ସେ କହିଲା, ‘‘ସେଥିପାଇଁ ମୁଁ ଆପଣଙ୍କୁ ନିକଟରେ କୃତଜ୍ଞ ।’’

 

‘‘ଇଚ୍ଛା କଲେ ଅବଶ୍ୟ ତୁମେ ସାଙ୍ଗରେ ଦୁଇ ଜଣ ଲୋକ ନେଇପାର । ମୋ ମତରେ ତୁମେ ମାଷ୍ଟର ଓ ରେଲୀକୁ ସାଙ୍ଗରେ ନେଲେ ଭଲ ହେବ । ସେ ଦୁହେଁ ବେଶ୍‌ କାମିକା । ଯେ ପର୍ଯ୍ୟନ୍ତ ଆମେ ଚେଷ୍ଟର ଉଇଲ୍‌କକ୍‌କୁ ଜବତ୍‌ କରି ନ ପାରିବା, ସେ ପର୍ଯ୍ୟନ୍ତ ଏ ଅଞ୍ଚଳରେ ଆମେ ଶାନ୍ତିରେ ରହିପାରିବା ନାହିଁ । ତାକୁ ଯଦି ଉପଯୁକ୍ତ ଶିକ୍ଷା ଦେଇପାରିବ, ତେବେ ଏ ଅଞ୍ଚଳର ସବୁ କ୍ଳବର ଅଜସ୍ର ପ୍ରଶଂସା ତୁମପାଇଁ ଥୁଆ । ତୁମେ ଅତି ଗଣ୍ୟମାନ୍ୟ ଓ ଆଦର୍ଶସ୍ଥାନୀୟ ହୋଇଯିବ ।’’

 

‘‘ମୁଁ ନିଶ୍ଚୟ ମୋର ଯଥାସାଧ୍ୟ ଚେଷ୍ଟା କରିବି । ମାତ୍ର ସେ ଲୋକଟା କିଏ ? କେଉଁଠାରେ ତାର ସନ୍ଧାନ ପାଇବି–ଏହା ତ ମୋତେ କହିଲେ ନାହିଁ ।’’

 

‘‘ନିଶ୍ଚୟ କହିବି, ତା ନ ହେଲେ ତୁମେ କାମ ହାସଲ କରିବ କିପରି ?’’

 

ଦରପୋଡ଼ା ସିଗାରେଟଟା ଦୁରକୁ ଫିଙ୍ଗିଦେଇ ମ୍ୟାକ୍‌ଜିଣ୍ଟି ଟିକିଏ ଦୃଢ଼ ହୋଇ ବସିପଡ଼ିଲା । ତା ପରେ କଥା ଆରମ୍ଭ କଲା–

 

‘‘ଚେଷ୍ଟର ଉଇଲକକ୍‌ ଡାଇକ ଲୁହା କାରଖାନାର ପ୍ରଧାନ କାର୍‌ପଟଦାର । କିଛି ଦିନ ସେ ଯୁଦ୍ଧରେ ଯୋଗ ଦେଇଥିଲା । ଗୁଳି ଚିହ୍ନ ତା ଦେହର ବହୁତ ସ୍ଥାନରେ ରହିଅଛି । ସେ ତାକୁ ତାର ଗର୍ବର ଚିହ୍ନ ବୋଲି ମନେକରେ । ଆମେ ଆଗରୁ ଦୁଇଥର ଚେଷ୍ଟା କଲୁଣି; ମାତ୍ର ତାର ଭାଗ୍ୟଟା ଭଲ । ସେ ଦୁଇଥରଯାକ ରକ୍ଷା ପାଇଯାଇଛି, ଆମର ସବୁ ଉଦ୍ୟମ, କଳ୍ପନା ତ ପାଣି ଫାଟିଯାଉଛି, ପୁଣି ଆମର ବହୁତ କ୍ଷତି ବି ହେଉଛି । ତା ଘର ହେଉଅଛି.... ।’’

 

ଏତିକି କହି ମ୍ୟାକ୍‌ଜିଣ୍ଟି ଉଠିଯାଇ ଆଲ୍‌ମିରା ଭିତରୁ ଗୋଟାଏ ନକ୍‌ସା ଟାଣିଆଣିଲା । ତାକୁ ଟେବୁଲ ଉପରେ ଖୋଳିଦେଇ କେତେକ ଅଂଶ ଟିପରେ ଦେଖାଇଦେଲା । କହିଲା, ‘‘ଦେଖ, ଏଇଠାରେ ହିଁ ତାର ଘର । ତା କାରଖାନା ଆଡ଼କୁ ଯାଇଥିବା ରାସ୍ତାର ଶେଷମୁଣ୍ଡରେ ଏହି ଗୋଟିଏ ମାତ୍ର ଘର ଅଛି । ପାଖଆଖରେ ଆଖି ପାଇବା ପର୍ଯ୍ୟନ୍ତ ଆଉ କୌଣସି ଘର ନାହିଁ । ଲୋକଟା ସବୁ ସମୟରେ ବନ୍ଧୁକ ପିସ୍ତଲ ହାତରେ ଧରି ରହିଥାଏ । ଠକ୍‌ କରି ଶବ୍ଦ ଆସିଲେ ବିନାବିଚାରରେ ଗୁଳି ଚଳାଏ । ତେଣୁ ଦିନବେଳା ସେଠାକୁ ଯିବା ନିରାପଦ ନୁହେଁ । ସେଥିପାଇଁ ମୋର ପରାମର୍ଶ, ରାତି ଅଧ ସମୟରେ, ପିଲା କବିଲାଙ୍କୁ ଧରି ସେ ଯେତେବେଳେ ନିଘଢ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିବ, ସେହି ସମୟରେ ହାତବୋମା ସହ ବସ୍ତାଏ ବାରୁଦ ଓ ଗୋଟିଏ ଡିଆସିଲି କାଠି । ବେଶ୍‌, ମୁହୂର୍ତ୍ତକ ମଧ୍ୟରେ ସବୁ ସଫା । ସ୍ତ୍ରୀ ଓ ପିଲାଭଳି ସହ ସବୁ ଦିନ ପାଇଁ ସେ ନିଦରେ ଶୋଇ ସୁଖସ୍ୱପ୍ନ ଦେଖୁଥିବ ।’’

 

‘‘ଲୋକଟାର ଅପରାଧ ?’’ –ମ୍ୟାକ୍‍ମାର୍ଡ଼ୋ ପ୍ରଶ୍ନ କଲା ।

 

‘‘ତୁମକୁ ଆଗରୁ କହିଲି ନାହିଁ-ତା ଲାଗି ଆମର ବହୁତ କ୍ଷତି ହେଲାଣି; ପୁଣି ତାରି ଗୁଳିରେ ହିଁ ଜିମ୍‌ କର୍ଣ୍ଣର ପ୍ରାଣ ଦେଇଅଛି । ସେଥିପାଇଁ କର୍ଣ୍ଣରର ବିଧବା ସ୍ତ୍ରୀ ପାଖକୁ ମାସକୁ ମାସ ଆମଙ୍କୁ ଜୋରିମାନା ସ୍ୱରୂପ ପଠାଇବାକୁ ପଡ଼ୁଅଛି ।’’

 

‘‘ଜିମ୍‌ କର୍ଣ୍ଣରକୁ ସେ କାହିଁକି ଗୁଳି କଲା ?’’

 

‘‘ଛିଃ, ତୁମକୁ ଆଉ ପାରିହେବ ନାହିଁ । ରାତିରେ କର୍ଣ୍ଣର ତାକୁ ଜବତ୍‌ କରିବା ଲାଗି ତା ଘରପାଖକୁ ଯାଇଥିଲା । ସବୁ କାମ ପ୍ରାୟ ହାସଲ ହୋଇଆସିଥିଲା । ମାତ୍ର ହଠାତ୍‌ ସେ ବଦ୍‌ମାସ କର୍ଣ୍ଣରକୁ ଦେଖି ପକାଇଲା ଏବଂ ସାଙ୍ଗେସାଙ୍ଗେ ବନ୍ଧୁକ ଚଳାଇଲା । ସେହି ପ୍ରଥମ ଗୁଳି ହିଁ କର୍ଣ୍ଣର ଛାତିରେ ଗଳିଗଲା । ସେସବୁ ବିଷୟରେ ଏତେ ଜାଣି ଲାଭ କଅଣ ? ଆମର ଯେ ଶତ୍ରୁ, ତାକୁ ଜଗତରୁ ବିଦାୟ ଦେବାକୁ ହିଁ ହେବ ।’’

 

‘‘ଲୋକଟାର ପିଲାପିଲି ଅଛନ୍ତି ବୋଲି ପରା କହୁଛନ୍ତି ? ସେମାନଙ୍କୁ ବି....’’

 

‘‘ଆରେ ହଁ, ହଁ । ତା ନ ହେଲେ ଚେଷ୍ଟରକୁ ପାଇବ କିପରି ? ପୁଣି ଯେ ଶତ୍ରୁ, ତାର ମୂଳ ରଖିବା ବି ଉଚିତ ନୁହେଁ ।’’

 

‘‘ହଁ, ଏଥରକ ବୁଝିଲି ।’’

 

ମ୍ୟାକ୍‌ଜିଣ୍ଟି ମ୍ୟାକ୍‍ମାର୍ଡ଼ୋର ପିଠି ଥାପୁଡ଼େଇ ହସିହସି କହିଲା, ‘‘ସାବାସ୍‌ ଭାୟା; କିନ୍ତୁ ବିଳମ୍ବ କଲେ ଚଳିବ ନାହିଁ ।’’

 

‘‘ମୋତେ ଗୋଟିଏ ମାତ୍ର ଦିନ ସମୟ ଦିଅନ୍ତୁ ।’’

 

X X X

 

ସେଦିନ ରାତିରେ ନିଜେ ମ୍ୟାକ୍‍ମାର୍ଡ଼ୋ ଯାଇ ଚେଷ୍ଟର ଉଇଲକକ୍‌ ଘର ଦେଖି ଆସିଲା-। ସହରଠାରୁ ପ୍ରାୟ ପାଞ୍ଚମାଇଲ ଦୂରରେ ଗୋଟାଏ ଉଚ୍ଚ ମୁଣ୍ଡିଆ ଉପରେ ଛୋଟ ସୁନ୍ଦର ଘରଟିଏ-

ପର ଦିନ ସକାଳେ ସର୍ଦ୍ଦାର ବରାଦ ମୁତାବକ ଦୁଇ ଜଣ ସାହାଯ୍ୟକାରୀ ମ୍ୟାକ୍‍ମାର୍ଡ଼ୋ ସହିତ ଗୋପନରେ ସାକ୍ଷାତ କଲେ । କେଉଁ ସମୟରେ କିପରି ଭାବରେ କାମ ହାସଲ ହେବ, ତାର ସବୁ ପ୍ରକାର ଯୋଜନା ହୋଇଗଲା । ରାତିରେ ଗଭୀର ଅନ୍ଧକାର ମଧ୍ୟରେ ସେ ତିନି ଜଣ ଗଡ଼ ଜିଣିବାକୁ ବାହାରିପଡ଼ିଲେ । ମ୍ୟାକ୍‍ମାର୍ଡ଼ୋ ନିଜ ହାତରେ ବୋମା, ବାରୁଦମୁଣା ଧରିଥାଏ । ପକେଟରେ ଡିଆସିଲି ।

ଯେତେବେଳେ ସେମାନେ ଯାଇ ଚେଷ୍ଟର ଘର ପାଖରେ ପହଞ୍ଚିଲେ, ସେତେବେଳେ ହୁଏ ତ ସେ ଘରର ଲୋକେ ଶୋଇପଡ଼ି ନ ଥିଲେ । ତେଣୁ ଅଳ୍ପ ଦୂରରେ ଗୋଟାଏ ନିଛାଟିଆ ବଣୁଆ ସ୍ଥାନରେ ସେମାନେ ଲୁଚି ବସିରହିଲେ ।

କ୍ରମେ ରାତି ଗଭୀରତର ହେଲା । ଚେଷ୍ଟରଙ୍କ ଘର ଭିତରୁ କୌଣସି ଗହଳ ଚହଳ ବା ପାଟିତୁଣ୍ଡ ଶୁଣାଯାଉ ନ ଥାଏ । ଅନ୍ଧକାର ଭିତରେ ସେ ତିନି ଜଣ ତିନିଟା ନିଶାଚର ଶୃଗାଳ ଭଳି ଆଣ୍ଠୋଇ ଆଣ୍ଠୋଇ ଘରଆଡ଼କୁ ଅଗ୍ରସର ହେଲେ । ଘରର ପଛପାଖରେ ଠିକ୍‌ କାନ୍ଥମୂଳକୁ ଗୋଟିଏ ଗାତ ଖୋଳାଗଲା । ମ୍ୟାକ୍‍ମାର୍ଡ଼ୋ ନିଜେ ସେ ଗାତରେ ବାରୁଦ ବସ୍ତା ରଖିଦେଲା । କିଛି ଦୂରରେ ଅନ୍ୟ ପାଖରେ ବୋମା ସଜା ହେଲା । ଗୋଟାଏ ଲମ୍ବା ବାରୁଦବୋଳା ଦଉଡ଼ା ବାରୁଦ ବସ୍ତାରେ ବାନ୍ଧିହୋଇ ତାକୁ ବହୁତ ଦୂରକୁ ଲମ୍ବାଇ ଆଣିଲେ । ମ୍ୟାକ୍‍ମାର୍ଡ଼ୋ ସାଙ୍ଗ ଦୁଇ ଜଣକୁ ସେଠାରୁ ଅତି ଶୀଘ୍ର ବହୁ ଦୂରକୁ ଚାଲିଯିବା ପାଇଁ ଇଙ୍ଗିତ ଦେଲା । ସେମାନେ ଚାଲିଯିବା ପରେ ସେ ନିଜେ ଡିଆସିଲି ମାରି ଦଉଡ଼ାରେ ନିଆଁ ଲଗାଇଦେଲା ଏବଂ ସେଠାରୁ ଦଉଡ଼ି ପଳାଇଆସିଲା-। ସାମାନ୍ୟ କେତେ ମିନିଟି ପରେ ଗୋଟିଏ ଗଦା ନିଆଁ ହୁ କରି ଜଳିଉଠିଲା ଏବଂ ସାଙ୍ଗେସାଙ୍ଗେ ଭୂମିକମ୍ପ ହେଲା ଭଳି ଶବ୍ଦ କରି ସେହି ସୁନ୍ଦର କୋଠାଘରଟି ଭାଙ୍ଗିପଡ଼ି ତଳେ ଜମା ହୋଇଗଲା । ସେତେବେଳେ ମ୍ୟାକ୍‍ମାର୍ଡ଼ୋ ଓ ତା ସହକର୍ମୀଙ୍କ ବିଜୟ ଅଟ୍ଟହାସ ସେହି ଶବ୍ଦକୁ ବଳିପଡ଼ିଲା ।

ବିଜୟୋଲ୍ଲାସରେ ନାଚିନାଚି ସେ ତିନି ଜଣ ଆସି ମ୍ୟାକ୍‌ଜିଣ୍ଟି ହୋଟେଲରେ ପହଞ୍ଚିଲେ-। ସେତେବେଳେ ମ୍ୟାକ୍‌ଜିଣ୍ଟି ତାର ବିଶ୍ୱସ୍ତ ଅନୁଚରମାନଙ୍କ ସହ ତାଙ୍କର ଅପେକ୍ଷାରେ ଚାହିଁ ବସିଥିଲା । କାର୍ଯ୍ୟ ହାସଲ କରି ଫେରି ଆସିବାର ଦେଖି ସେ ଆନନ୍ଦବିଭୋର ମ୍ୟାକ୍‍ମାର୍ଡ଼ୋକୁ କୁଣ୍ଢାଇ ପକାଇ ଛାତିରେ ଜାକିଧରିଲା । ପ୍ରଫୁଲ୍ଲସ୍ୱରରେ କହି ଉଠିଲା, ‘‘ସାବାସ୍‌ ବନ୍ଧୁ । ମୋର ଏ ଆସନ ତୁମରି ପାଇଁ । ମୋ ପରେ ତୁମେ ହିଁ କେବଳ ଏ ଦଳର ସର୍ଦ୍ଦାର ହେବା ଉପଯୁକ୍ତ-।’’

କିନ୍ତୁ ପର ଦିନ ଖବର ମିଳିଲା ଯେ ଚେଷ୍ଟରଙ୍କ ଘରେ ସେଦିନ ଜନପ୍ରାଣୀ ନ ଥିଲେ । ଦୈବ ଦୁର୍ଯୋଗ ବା ସୁଯୋଗରୁ ସେଦିନ ସକାଳେ ପିଲାକବିଲା ଧରି ସହର ମଧ୍ୟକୁ ସେ ଚାଲି ଯାଇଥିଲେ ।

ମ୍ୟାକ୍‍ମାର୍ଡ଼ୋ ଏହା ଶୁଣି କ୍ଷୁବ୍‌ଧ ଓ ଆକ୍ରୋଶର ସହ ଓଠକୁ ଦାନ୍ତରେ କାମୁଡ଼ି କହିଉଠିଲା, ‘‘ସେ କେଉଁ ଯମପୂରକୁ ଯିବ ? ଯେଉଁଠାକୁ ଯାଉ ନା କାହିଁକି, ତାକୁ ଖୋଜି ମୁଁ ନିଶ୍ଚୟ ବାହାର କରିବି ।’’

ବିଫଳକାମ ହୋଇଥିବାରୁ ଦଳମଧ୍ୟରେ ମ୍ୟାକ୍‍ମାର୍ଡ଼ୋ ସବୁଠାରୁ ବେଶୀ ଦୁଃଖିତ ହୋଇଥିଲା ।

 

X X X

 

ଏହି ଘଟଣା ପରେ ଆଉ କେତେ ମାସ କଟିଗଲା । ମ୍ୟାକ୍‍ମାର୍ଡ଼ୋ ବର୍ତ୍ତମାନ କ୍ଳବର ଜଣେ ବିଶିଷ୍ଟ ଅଫିସର, ସର୍ଦ୍ଦାରର ପ୍ରଧାନ ବିଶ୍ୱସ୍ତ ପରାମର୍ଶଦାତା । କ୍ଳବର ଅନ୍ୟ ସଭ୍ୟମାନେ ତାର ଉନ୍ନତିରେ ଈର୍ଷାନ୍ୱିତ । ମ୍ୟାକ୍‌ଜିଣ୍ଟିର ଅନୁସ୍ଥିତିରେ ସେ ଏବେ ସର୍ଦ୍ଦାରର କାର୍ଯ୍ୟ ପରିଚାଳନା କରେ; ସମସ୍ତଙ୍କୁ ପରାମର୍ଶ ଦିଏ । ଏହି ସୁଯୋଗରେ ଅଳ୍ପ ସମୟ ଭିତରେ କେବଳ ଯମଦୂତ ଦଳ ନୁହେ, ପାଖଆଖ ଅନ୍ୟାନ୍ୟ ଶାଖାର ମଧ୍ୟ ସେ ଜଣେ ହର୍ତ୍ତାକର୍ତ୍ତା ହୋଇଉଠିଲା ।

 

ଏହି ସମୟରେ ଦିନେ କମ୍ରେଡ଼ ମରିସ ମ୍ୟାକ୍‍ମାର୍ଡ଼ୋକୁ ଗୋପନୀୟ ସ୍ଥାନକୁ ଡାକିନେଇ ଆତଙ୍କିତ ଚିତ୍ତରେ କହିଲା, ‘‘କ୍ଳବ୍‌ର ସର୍ବନାଶ ହେବାକୁ ବସିଲାଣି ।’’

 

‘‘କାହିଁକି ? କଅଣ ହେଲା କି ?’’ –ମ୍ୟାକ୍‍ମାର୍ଡ଼ୋ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲା ।

 

‘‘ମୁଁ ଗୋଟିଏ ଗୁରୁତର ସମ୍ବାଦ ତୁମକୁ ଦେବି । ତୁମେ କିନ୍ତୁ ପଚାରିବ ନାହିଁ ଯେ, ମୁଁ ଏ ସମ୍ବାଦ କେଉଁଠାରୁ ପାଇଲି । ପଚାରିବ ନାହିଁ ତ ? ନିୟମ କର ।’’

 

‘‘ନିୟମ କରୁଚି–ପଚାରିବି ନାହିଁ ।’’

 

‘‘ଆଉ ଏଥରକ ତ୍ରାହି ନାହିଁ । ଏଠାକାର ସବୁ ବଡ଼ବଡ଼ ବ୍ୟବସାୟୀ ଧନୀ ଲୋକେ ମିଳି ଆମେରିକାର ଶ୍ରେଷ୍ଠ ଗୋଏନ୍ଦା ବର୍ଡ଼ି ଏଡ଼୍‌ଓ୍ୟାର୍ଡ଼କୁ ଏଠାକୁ କୁଆଡ଼େ ଅଣାଇଅଛନ୍ତି । ଆଉ ମଧ୍ୟ ମୁଁ ଶୁଣିପାରୁଚି, ବର୍ଡ଼ି ଏଡ଼ଓ୍ୟାର୍ଡ଼ ଏହି ସହରରେ ଛଦ୍ମବେଶରେ ବୁଲୁଅଛି ।’’

 

ଏହା ଶୁଣି ମ୍ୟାକ୍‍ମାର୍ଡ଼ୋ ହସିଉଠିଲା । କହିଲା, ‘‘ଆମେ ଯଦି ବର୍ଡ଼ି ଏଡ଼ଓ୍ୟାଡ଼କୁ ଏଠାକୁ ଟାଣିଆଣି ପାରିଥାଇଁ, ତା ହେଲେ ବୁଝିବାକୁ ହେବ ଯେ, ପ୍ରକୃତରେ ଆମର ଶକ୍ତି ଯଥେଷ୍ଟ-। ମୁଁ ବହୁ ଦିନ ହେଲା ସେ ଲୋକଟାର ନାମ, ତାର ଅଲୌକିକ ସାହସ ଓ ଅଦ୍‌ଭୁତ କାର୍ଯ୍ୟକଳାପ କଥା ଶୁଣି ଆସୁଅଛି । ଏଇଥରକ ତା ସହିତ ଟିକିଏ ଛକାପଂଝା ଖେଳ ହାତାହାତି ଲାଗିଯିବି-ଏ ତ ଆନନ୍ଦର କଥା । ଏଥିରେ ତୁମେ ଏପରି ଦବିଯାଉଛ କାହିଁକି ? ମୋର ମନେ ହେଉଚି, ମୁଁ ଯେପରି ସେ ଲୋକଟାକୁ ଦେଖିଛି । ତୁମେ କଅଣ ତାକୁ ଦେଖିଅଛ ?’’

 

‘‘ମୋର ଦୁଇ ତିନି ଜଣଙ୍କୁ ଯାହା ସନ୍ଦେହ ହେଉଅଛି ।’’

 

‘‘ସନ୍ଦେହ ନୁହେ; ମୁଁ ତାକୁ ସ୍ପଷ୍ଟ ଦେଖିଛି—ଏଇ ଯେପରି ତୁମେ ଆଗରେ ଠିଆ ହୋଇଅଛ, ଠିକ୍‌ ସେହିପରି । ତା ସହିତ କଥାବାର୍ତ୍ତା ମଧ୍ୟ କରିଅଛି । ମାତ୍ର ସେତେବେଳେ ମୋ ମନରେ ଏପରି କିଛି ସନ୍ଦେହ ନ ଥିଲା । ତେଣୁ ଲୋକଟାର କଥାକୁ ଭ୍ରୂକ୍ଷେପ ମଧ୍ୟ କରି ନ ଥିଲି । କମ୍ରେଡ଼୍‌ ମରିସ, ତୁମେ ଆଜି ପ୍ରକୃତରେ କ୍ଳବର ଗୋଟାଏ ମସ୍ତବଡ଼ ଉପକାର କଲ । ଏ କଥା ଗୁପ୍ତରେ ରଖିବାର ତ କୌଣସି କାରଣ ମୁଁ ଦେଖୁ ନାହିଁ । ତୁମେ ନିଜେ ଆସନ୍ତା ବୈଠକରେ ଏ କଥା ଉଠାଅ । ସଭ୍ୟମାନେ ଜାଣିଯାଆନ୍ତୁ, ତା ହେଲେ ସିନା ସାବଧାନ ହେବେ ।’’

 

‘‘ତା ହେଲେ ସର୍ଦ୍ଦାରର ସନ୍ଦେହ ପ୍ରଥମେ ମୋରି ଉପରେ ପଡ଼ିବ ।’’

 

‘‘ଆଦୌ ନୁହେ । ମୁଁ ସମସ୍ତଙ୍କ ଆଗରେ କହିବି, ସେ ଲୋକଟାକୁ ମୁଁ ଦେଖିଅଛି । ଏ ସହରରୁ ତାକୁ ବିଦାୟ ଦେବାର ଦାୟିତ୍ୱ ନିଜେ ମୁଁ ମୋ ହାତରେ ନେବି ।’’

Image

 

ଜନ୍ତା ଭିତରେ ବାଘ

 

କ୍ଳବ ବୈଠକରେ କମ୍ରେଡ଼ ମରିସଠାରୁ ସମ୍ବାଦ ପାଇ ସଭ୍ୟମାନଙ୍କ ଭିତରେ ଘୋର ଚାଞ୍ଚଲ୍ୟ ଖେଳିଗଲା । ମ୍ୟାକ୍‌ଜିଣ୍ଟି ମୁହଁ ବିଷଣ୍ଣ ଦେଖାଗଲା । କିଛି ସମୟ ପାଇଁ ନୀରବତା ବୈଠକରେ ଗାମ୍ଭୀର୍ଯ୍ୟ ବଢ଼ାଇଦେଲା ।

 

ପ୍ରଥମେ ମ୍ୟାକ୍‍ମାର୍ଡ଼ୋ ନୀରବତା ଭଙ୍ଗକରି କହିଲା, ‘‘ସଭ୍ୟମାନଙ୍କ ଜାଣିବା ପାଇଁ ମୁଁ ଆଜି କହୁଅଛି, ଲୋକଟି ସାମ୍ବାଦିକ ରୂପରେ ଏ ସହରର ଗଳିକନ୍ଦିରେ ରାତିଦିନ ଘୂରି ବୁଲୁଅଛି ।’’

 

ମ୍ୟାକ୍‌ଜିଣ୍ଟି ପ୍ରଶ୍ନକଲା, ‘‘ତୁମେ କିପରି ଜାଣିଲ ?’’

 

ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲା, ସେକଥା ମୁଁ ପ୍ରକାଶ୍ୟ ବୈଠକରେ କହିବା ସଙ୍ଗତ ହେବ ନାହିଁ । ଆମେ ଜାଣିସାରିଲେଣି ଯେ, ବର୍ଡ଼ି ଏନଓ୍ୟାର୍ଡ଼ ଭଳି ଜଣେ ମସ୍ତବଡ଼ ଶକ୍ତିଶାଳୀ ଶତ୍ରୁ ଆମକୁ ଖୋଜିବା ପାଇଁ ବ୍ୟାକୁଳ ଭାବରେ ଏ ସହରରେ ବୁଲୁଅଛି । ଏତେବେଳେ ସବୁପ୍ରକାର ସାବଧାନତା ଅବଲମ୍ବନ ନ କଲେ ପଦେପଦେ ବିପଦ । ସେଥିପାଇଁ ମୁଁ ପ୍ରସ୍ତାବ କରୁଅଛି, ମହାମାନ୍ୟ ସର୍ଦ୍ଦାରଙ୍କ ସଭାପତିତ୍ୱରେ କେତେକ ବିଶିଷ୍ଟ ଅଫିସରଙ୍କୁ ନେଇ ଗୋଟିଏ ଗୁପ୍ତ କମିଟି ଗଢ଼ାଯାଉ । ସେହି କମିଟି ଆଗରେ ମୁଁ ମୋର ସବୁ ପରିକଳ୍ପନା କିହବି ।’’

 

ମ୍ୟାକ୍‌ଜିଣ୍ଟି ମନକୁ ଏ କଥାଟା ପାଇଲା । ସେ କେତେ ଜଣ ବିଶିଷ୍ଟ ଅନୁଚରଙ୍କ ସହ ନିକଟବର୍ତ୍ତୀ ଗୁପ୍ତଘର ଭିତରକୁ ଗଲା । ଭଲରୂପେ କବାଟ ବନ୍ଦ କରିଦେଇ ମ୍ୟାକ୍‍ମାର୍ଡ଼ୋକୁ ଚାହିଁ କହିଲା, ‘‘ଏଥରକ କଅଣ ସବୁ ଘଟଣା କହିଲ ?’’

 

‘‘ମୋ ସହିତ ସେ ଲୋକଟାର ଦୁଇତିନି ଥର ଦେଖାହେଲାଣି । ମୁଁ ପ୍ରଥମରେ ତାକୁ ଆଦୌ ସନ୍ଦେହ କରିପାରି ନ ଥିଲି । କମ୍ରେଡ଼ ମରିସଙ୍କଠାରୁ ଖବର ପାଇବା ପରେ ଲୋକଟା ସହିତ ପୁଣି ଥରେ ସାକ୍ଷାତ ହୋଇଥିଲା । ବୋଧହୁଏ ଶୁଣି ଆପଣମାନେ ଖୁସି ହେବେ ଯେ, ସେ ଆମକୁ ଧରିବ କଅଣ ମୁଁ ତାକୁ ଫାନ୍ଦରେ ପକାଇବାର ଗୋଟାଏ ବ୍ୟବସ୍ଥା କରିଦେଇ ସାରିଚି ।’’

 

ମ୍ୟାକ୍‌ଜିଣ୍ଟି ଉତ୍‌କଣ୍ଠାର ସହିତ ପଚାରିଲା, ‘କିପରି ସଫା କରି କହିଲ ତ ଦେଖି ।’’

 

‘‘ତାର ବିଶ୍ୱାସ, ମୁଁ ତାକୁ କ୍ଳବର ସମସ୍ତ ଭିତରେ ଖବର ଯୋଗାଇଦେଇପାରିବି । ସେ ତାର ଖବରକାଗଜ ପାଇଁ ଆମ କ୍ଳବର ସମ୍ବାଦ କିଛି ସଂଗ୍ରହ କରିପାରିଲେ ମୋତେ ହଜାରେଟି ସୁନା ମୋହର ପୁରସ୍କାର ଦେବ ।’’

 

ମ୍ୟାକ୍‌ଜିଣ୍ଟି ଚମକି ଉଠିଲା, ‘‘ସର୍ବନାଶ, ତୁମେ ତାକୁ ଖବର ଦେବ ନା କଅଣ ?’’

 

ମ୍ୟାକାମାର୍ଡ଼ୋ ହସିହସି ଉତ୍ତର ଦେଲା, ‘‘ନିଶ୍ଚୟ ଖବର ଦେବି । କେଉଁ ଦିନ କେତେବେଳେ ଖବର ଦେବି, ତାହା ମଧ୍ୟ ସ୍ଥିର ହୋଇଯାଇଛି ।’’

 

ମ୍ୟାକ୍‌ଜିଣ୍ଟି ଏବଂ ତାର ଅନୁଚରବର୍ଗ ଏକସଙ୍ଗରେ ଠିଆହୋଇଗଲେ । ବଲ୍‌ଡ଼ୁଇନ କଅଣ କହିବାକୁ ଯାଉଥିଲା, ମ୍ୟାକ୍‍ମାର୍ଡ଼ୋ ସ୍ଥିର କଣ୍ଠରେ ତାକୁ ବାଧା ଦେଇ କହିଲା, ‘‘ବନ୍ଧୁଗଣ, ଉତ୍ତେଜିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ଉତ୍ତେଜିତ ହେବାର ସମୟ ନୁହେଁ । ତାକୁ ଯାହା କରିବାର କଥା, ତାହା ଆମେ ସମସ୍ତେ ଏକସଙ୍ଗେ କହିବା । ଯଦି ମୋ ପରିକଳ୍ପନା ଅନୁଯାୟୀ ଆପଣମାନେ କାମ କରିବେ, ତେବେ ସେ ସମସ୍ତ ସମ୍ବାଦ ସଂଗ୍ରହ କରିବ ସତ; ମାତ୍ର ତାହା ନେଇ ଏ ସହର ବାହାରକୁ ଯାଇପାରିବ ନାହିଁ ।’’

 

ମ୍ୟାକ୍‌ଜିଣ୍ଟି ପଚାରିଲା, ‘‘କଅଣ ତୁମର ପରିକଳ୍ପନା ?’’

 

‘‘ଆସନ୍ତା କାଲି ରାତିରେ ସେ ଲୋକଟା ସହିତ ମୁଁ ଦେଖା କରିବି ବୋଲି ସ୍ଥିର ହୋଇଅଛି । ମୋ ଘରକୁ ହିଁ ସେ ଆସିବେ । ସ୍ୱୟଂ ସର୍ଦ୍ଦାର ଏବଂ କ୍ଳବର ମୁଖିଆ ଅଫିସରମାନେ ପାଖ ଘର ଭିତରେ ଅପେକ୍ଷା କରି ରହିଥିବେ । ମୁଁ ସେ ଲୋକଟାକୁ ସମ୍ବର୍ଦ୍ଧନା କରି ଆଣି ମୋ ପାଖରେ ବସାଇବି । ତା ପରେ ସେହି ଘରଭିତରୁ ସେ କଅଣ ଆଉ ଜୀବନରେ ଫେରିଯିବ ବୋଲି ତୁମେ ଭାବୁଛ ? ସେ ଯଦି ପର ଦିନ ସକାଳକୁ ବଞ୍ଚିରହେ, ତେବେ ସର୍ଦ୍ଦାର ଓ ମୁଖିଆ ଅଫିସରମାନେ ପାଖ ଘରେ କାହିଁକି ବସି ରହିଥିବେ ? ମଶା ମାରିବେ ବୋଲି ?’’

 

ମ୍ୟାକ୍‌ଜିଣ୍ଟି ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠି ମ୍ୟାକ୍‍ମାର୍ଡ଼ୋକୁ ଦୃଢ଼ଭାବରେ କୁଣ୍ଢାଇ ଧଇଲା । ହସିହସି କହିଲା, ‘‘ମୁଁ ପୁଣି ଥରେ କହି ରଖୁଛି, କ୍ଳବର ପରବର୍ତ୍ତୀ ସର୍ଦ୍ଦାର କେବଳ ତୁମେ–ମ୍ୟାକ୍‍ମାର୍ଡ଼ୋ ।’’

 

ମ୍ୟାକ୍‍ମାର୍ଡ଼ୋ ଲଜ୍ଜା ଓ କୃତଜ୍ଞତାର ଏକାବେଳକେ ନଇଁ ପଡ଼ିଲା । ସେ ମ୍ୟାକ୍‌ଜିଣ୍ଟିକୁ ଚାହିଁ ଉତ୍ତର ଦେଲା, ‘‘ମହାମାନ୍ୟବର ସର୍ଦ୍ଦାର, ଏ ଆପଣଙ୍କର ଅପାର ଦୟା । ମୁଁ ତ ସଦ୍ୟ ଦଳଭୁକ୍ତ ସାମାନ୍ୟ ସୈନିକ ଜଣେ । ଦଳର ଉନ୍ନତି ପାଇଁ ଟିକିଏ କାମରେ ଲାଗିପାରିଲେ ନିଜକୁ କୃତାର୍ଥ ମଣିବି ।’’

 

ବାରବୁଲା କୁତ୍ତୀଟାଏ ରେ ! (ଏଠି ହେଡ଼ିଙ୍ଗ୍‍ ହେବ)

 

ପର ଦିନ ସକାଳୁ ଉଠି ମ୍ୟାକ୍‍ମାର୍ଡ଼ୋ ଘର ସଜାଇବାରେ ଭୟଙ୍କର ବ୍ୟସ୍ତ ରହିଲା । ସନ୍ଧ୍ୟା ସମୟରେ ବିରାଟ ବ୍ୟବସ୍ଥା, ଗୋଟାଏ ଭୀଷଣ ପରୀକ୍ଷା, ହୁଏ ତ ‘ଇସ୍‌ ପାର’ ନ ହେଲେ ‘ଉସ୍‌ ପାର’ ।

 

ଗୋଟାଏ ପାଖରେ ଆମେରିକାର ଅତି ଖ୍ୟାତି ସଂପନ୍ନ ଗୋଇନ୍ଦାବଡ଼ି ଏଡ଼ଓ୍ୟାର୍ଡ଼; ଅନ୍ୟ ପାଖରେ ପ୍ରସିଦ୍ଧ ଯମଦୂତ ଦଳର ମହାମାନ୍ୟ ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି । ଯେଉଁ ଘରେ ଏ ଦୁଇଜଣ ରାତିକ ପାଇଁ ଅତିଥି ହେବେ, ସେ ଘର ସାଜସଜ୍ଜା କିପରି ହେବା ଦରକାର ତାହା । ମ୍ୟାକ୍‍ମାର୍ଡ଼ୋ ଭଲରୂପେ ଜାଣିଥିଲା ।

 

ପ୍ରଥମେ ମ୍ୟାକ୍‍ମାର୍ଡ଼ୋ ତା ରିଭଲଭରଟା ତେଲ ଦେଇ ସଫା କରିନେଲା । ଯେଉଁ ଘରେ ଗୋଏନ୍ଦାପୁଙ୍ଗବକୁ ଜାଲରେ ପକାଇବାକୁ ହେବ, ସେ ଘର ଭଲରୂପେ ପରୀକ୍ଷା କରିନେଲା-। ବେଶ୍‌ ବଡ଼ କୋଠରୀଟିଏ; ମଝିରେ ଗୋଟିଏ ଟେବୁଲ, କୋଣରେ କୋଇଲାଜଳା ଚୁଲୀ । ସବୁ ପାଖରେ ଝରକା । କୌଣସି ଝରକାରେ କବାଟ ନାହିଁ; କେବଳ ପାତଳା କନାର ପର୍ଦ୍ଦା ଟଙ୍ଗାଯାଇଅଛି । ମ୍ୟାକ୍‍ମାର୍ଡ଼ୋ ଯତ୍ନର ସହିତ ସବୁ ପରୀକ୍ଷା କରିନେଲା ।

 

ଘରଟା ଯେ ଏଭଳି ଗୋପନୀୟ କାର୍ଯ୍ୟପାଇଁ ଉପଯୁକ୍ତ, ସେ ତାହା ଧରିନେଇଥିଲା । ସବୁ ଠିକ୍‌ରୂପେ ସଜାଡ଼ିନେଇ ମ୍ୟାକ୍‍ମାର୍ଡ଼ୋ ତାର ସେହି ହୋଟେଲର ଏକମାତ୍ର ବନ୍ଧୁ ସ୍କାନଲ୍ୟାନ ସହିତ ଆଲୋଚନାରେ ରତ ରହିଲା ।

 

କ୍ଷୁଦ୍ରକାୟ ସ୍କାନଲ୍ୟାନ, ଯମଦୂତ ଦଳର ସଭ୍ୟ ହୋଇଥିଲେ ମଧ୍ୟ ବଡ଼ ଦୁର୍ବଳମନା । ଦଳର ସଭ୍ୟମାନଙ୍କ ମତାମତର ବିରୋଧ କରିବା ଭଳି ସାହସ ତାହାର ନ ଥିଲା । କେବେ କିପରି ନିଜ ଇଚ୍ଛା ବିରୋଧରେ ସେ କାର୍ଯ୍ୟରେ ଯୋଗଦେଉଥିଲେ ମଧ୍ୟ ଖୁଣି ବା ରକ୍ତ ଦେଖିଲେ ସେ ଚମକିଉଠେ ।

 

ମ୍ୟାକ୍‍ମାର୍ଡ଼ୋଠାରୁ ସବୁ କଥା ଶୁଣି ସେ ସଂକ୍ଷେପରେ ଉତ୍ତର ଦେଲା, ‘‘କମ୍‌ରେଡ଼, ଆଜି ରାତିଟା ମୁଁ ଆଉ କେଉଁଠାକୁ ଚାଲିଗଲେ ହେବ ନାହିଁ ? ଏ ଖୁଣ୍‌ ଦେଖିଲେ ମୋ କଲିଜା ଥରିଉଠେ ।’’

 

‘‘ତାହାହିଁ କରିବା ତୁମ ପକ୍ଷରେ ଓ ଆମ କ୍ଳବ ପକ୍ଷରେ ମଙ୍ଗଳକର’’–ମ୍ୟାକ୍‍ମାର୍ଡ଼ୋ ତାକୁ ଉତ୍ସାହିତ କଲା ।

 

କ୍ରମେ ସନ୍ଧ୍ୟା ହେଲା । ଚାରିଆଡ଼ୁ ଅନ୍ଧକାର ଘୋଟିଆସିଲା । ପୂର୍ବର ବ୍ୟବସ୍ଥା ଅନୁସାରେ ଲୋକମାନେ ଆସିଗଲେ । ବାହାରୁ ଦେଖିଲେ ଜଣାଯିବ, ବେଶ୍‌ ଗଣ୍ୟମାନ୍ୟ ଭଦ୍ରଲୋକ । ପରିଚ୍ଛନ୍ନ ଆଭିଜାତ୍ୟପୂର୍ଣ୍ଣ ପୋଷାକ; ଭଦ୍ର ଚାଲିଚଳନ ଓ ସୁନ୍ଦର କଥାବାର୍ତ୍ତା । ମାତ୍ର ଅଭିଜ୍ଞ ଦର୍ଶକ ସେମାନଙ୍କ କଠୋର ମୁଖମଣ୍ଡଳ ଓ କ୍ରୂର ଚାହାଣୀ ଦେଖିଲେ ବୁଝିଯିବ ଯେ ଗୋଏନ୍ଦା ପୋଲିସ ବର୍ଡ଼ି ଏଡ଼ଓ୍ୟାର୍ଡ଼ର ଆଜି ଏଠାରୁ ନିସ୍ତାରି ପାଇବା ଅସମ୍ଭବ । ସେମାନଙ୍କ ଭିତରେ ଏପରି କେହି ନ ଥିଲା, ଯାହା ହାତ କି ଅନ୍ତତଃ ଦଶବାର ଥର ଜୀବନ୍ତ ମନୁଷ୍ୟ ରକ୍ତରେ ରଞ୍ଜିତ ନ ହୋଇଛି । ମଣିଷ ମାରି ସେମାନଙ୍କ ମନର କୋମଳତା ଉପରେ ଗୋଟାଏ ଟାଣ ପରଦା ପଡ଼ିଯାଇଅଛି । କଂସାଇ ଯେପରି ତିଳେ ମାତ୍ର ଦ୍ୱିଧା ନ କରି ଛେଳି, ମେଣ୍ଢା କାଟିପକାଏ, ଏମାନେ ସେହିପରି ବିନା ବିଚାରରେ ଗୋଟାକୁ ଗୋଟା ମଣିଷ ମାରିପାରନ୍ତି, ଟିକିଏ ହେଲେ ହାତ ଥରେ ନାହିଁ ।

 

ଚେହେରାରେ ଯେପରି, ପାପକାର୍ଯ୍ୟରେ ମଧ୍ୟ ସେହିପରି ଦୁର୍ଦ୍ଦର୍ଷସର୍ଦ୍ଦାର ମ୍ୟାକ୍‌ଜିଣ୍ଟି ଆସନ ସମସ୍ତଙ୍କ ଉପରେ । ସେକ୍ରେଟେରୀ ହ୍ୟାରିଭଏର ଚେହେରା ଶୀର୍ଣ୍ଣ । ଲୋକଟା ଟିକିଏ ଡେଙ୍ଗା, ଗଳା ଓ ତାଳୁରେ ଅସଂଖ୍ୟ ବଳିରେଖା । ଦଳର ଟଙ୍କାକଉଡ଼ି ହିସାବପତ୍ର ରଖିବାରେ ସେ ସିଦ୍ଧହସ୍ତ, ସେଥିପ୍ରତି ତାର ଅବିଚଳିତ ନିଷ୍ଠା । ଦଳ ବାହାରେ ନ୍ୟାୟ ଅନ୍ୟାୟ ବିଚାର କରିବା ଶକ୍ତି ତାର ଏକାବେଳକେ ଲୋପ ପାଇଯାଇଛି । କୋଷାଧ୍ୟକ୍ଷ କାର୍‌ଟାର ମଧ୍ୟବୟସ୍କ । ମୁଖ ସବୁ ସମୟରେ ରୋଷମୁକ୍ତ ଓ ଦୁର୍ବୋଧ୍ୟ । ସେ ସୁଦକ୍ଷ ସଙ୍ଗଠକ । ତାର କୁଟବୁଦ୍ଧି ବଳରେ ହିଁ ଏ ସବୁ ହତ୍ୟାକାଣ୍ଡରୁ ଅଧିକାଂଶ ଘଟିଅଛି ଓ ଯମଦୂତ ଦଳ ନିର୍ବିବାଦରେ ନିଜ କାର୍ଯ୍ୟ କରିଚାଲିଛି । କୁତ୍ସିତଦର୍ଶନ ଟାଇଗରକୁ ଦଳର ଲୋକେ ମଧ୍ୟ ତ ଭୟ କରି ଚଳନ୍ତି । ଗୋଟାଏ ଯମ ଏ ସାରା ଦୁନିଆର ମୃତ୍ୟୁକାର୍ଯ୍ୟ ନିର୍ବାହ କରୁଅଛି । ଏ ଯେ ଆଠ ଜଣ ସାକ୍ଷାତ ଯମ ଆଜି ଏକତ୍ରିତ ହୋଇଅଛନ୍ତି; ଏହାଙ୍କ ଆଗରେ ବର୍ଡ଼ି ଏଡ଼ଉଆର୍ଡ଼ ବା କି ଛାର ?

 

ମ୍ୟାକ୍‍ମାର୍ଡ଼ୋ ସମସ୍ତଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇ ଘର ଭିତରକୁ ପାଛୋଟି ନେଲା । ପୂର୍ବରୁ ନିର୍ଦ୍ଦିଷ୍ଟ ଘରେ ବସି ସେମାନେ ମନଖୁସିରେ ଗ୍ଳାସ ଉପରେ ଗ୍ଳାସ ମଦ ପିଇବାକୁ ଲାଗିଲେ । ସମସ୍ତଙ୍କ ମନରେ ଅସୀମ ଉତ୍ସାହ, ମୁହଁରେ ହାସ୍ୟରେଖା । ଟେଡ଼ି ବଲ୍‌ଡ଼ୁଇନ ମଦ ପିଉପିଉ କହି ଉଠିଲା, ‘‘ବଦ୍‌ମାସ ଗୋଏନ୍ଦାଟା ନିଶ୍ଚୟ ଏ ସଂସାରରୁ ଆଜି ବିଦାୟ ନେବ । ମୁଁ ତାକୁ ଏହି ଚୁଲି ଭିତରେ ଜୀଅନ୍ତା ପୂରାଇଦେବି । ଦେଖିବି, ସେ କେମିତି ଛଟପଟ ହେଉଅଛି; ଗୋଡ଼ ହାତ ପିଟୁଅଛି ।’’

 

ସର୍ଦ୍ଦାର ମ୍ୟାକ୍‌ଜିଣ୍ଟି କହିଉଠିଲା, ‘‘କାହାରିକୁ କିଛି କରିବାକୁ ହେବ ନାହିଁ । ମ୍ୟାକ୍‍ମାର୍ଡ଼ୋର ଦୁଇ ବଳିଷ୍ଠ ହାତମୁଠା ହିଁ ଯଥେଷ୍ଟ । ବେକରେ ପଡ଼ିବାକ୍ଷଣି ଗୋଏନ୍ଦାପୁଙ୍ଗବର ଶ୍ୱାସରୁଦ୍ଧ ହୋଇଯିବ । ତା ପରେ ତାକୁ ନେଇ ଯେ କୌଣସି ଗୋଟାଏ ପୁରୁଣା ଖଣିଭିତରେ ଫିଙ୍ଗି ଦେଇ ଆସିଲେ ହେଲା ।’’

 

ମ୍ୟାକ୍‍ମାର୍ଡ଼ୋ କହିଲା, ‘‘ତା ପାଇଁ କିଛି ଭାବିବା ଦରକାର ନାହିଁ । ‘ଏକା ମାଧିଆ ବାଇଶି ପଳ’ । ମୁଁ ତ ଅଛି ।’’

 

‘‘ଠିକ୍‌ ଠିକ୍‌, ମୁଁ ତ ଆଗରୁ କହିଅଛି, ମୋ ପରେ ମହାମାନ୍ୟ ସର୍ଦ୍ଦାର ହେବୁ ତୁ’’–ମ୍ୟାକ୍‌ଜିଣ୍ଟି ହସିହସି କହିପକାଇଲା ।

 

ଏହି ସମୟରେ ବାହାରେ କବାଟ ବାଡ଼ିଆ ଶବ୍ଦ ଶୁଣାଗଲା । ମ୍ୟାକ୍‍ମାର୍ଡ଼ୋ ମ୍ୟାକ୍‌ଜିଣ୍ଟି ରହିଥିବା ଦୁଆରମୁହଁ ପାଖକୁ ଚାଲିଯାଇ ବନ୍ଦ ହୋଇଥିବା କବାଟର ଏପାଖରୁ ଫୁସ୍‌ ଫୁସ୍‌ କରି କହିଲା, ‘‘ବୋଧହୁଏ ଆସିଗଲାଣି, ପ୍ରସ୍ତୁତ ହୋଇଯାଅ ।’’

 

ସେମାନେ ଯାହା ବା ଟିକିଏ ଖସରଖସର ହେଉଥିଲେ, ତାହା ବନ୍ଦ କରିଦେଲେ । ନିଃଶ୍ୱାସ ମଧ୍ୟ ଜୋର୍‌ରେ ପକାଇଲେ ନାହିଁ । ପଥର ମୂର୍ତ୍ତି ଭଳି ଅନ୍ଧାରଭିତରେ ଦୁଇ କାନ ଠିଆକରି ବସିରହିଲେ । ଇଙ୍ଗିତରେ ସେମାନଙ୍କୁ ସାବଧାନ କରାଇଦେଇ ଭାବୀ ସର୍ଦ୍ଦାର ମ୍ୟାକ୍‍ମାର୍ଡ଼ୋ ଦାଣ୍ଡକବାଟ ଫିଟାଇ ଦେବାପାଇଁ ବାହାରକୁ ଆସିଲା ।

 

ଅନ୍ଧାର ଘରଭିତରେ ବନ୍ଦହୋଇ ରହି ମ୍ୟାକ୍‌ଜିଣ୍ଟି ଓ ତା ଅନୁଚରମାନଙ୍କ ବକ୍ଷର ସ୍ପନ୍ଦନ ଶତଗୁଣ ଦ୍ରୁତଗତିରେ ଚାଲୁଥାଏ । ମନରେ ଆନନ୍ଦର କଳ୍ପନା ଖେଳିଯାଉଥାଏ । ଆଜିଠାରୁ ସେମାନେ ଶତ୍ରୁଶୂନ୍ୟ ହେବେ । ସାରା ଆମେରିକାରେ ତାଙ୍କୁ ଜବତ କରିବାକୁ ଆଉ କେହି କେବେ ହେଲେ ସାହସ କରିବ ନାହିଁ । ଭାଗ୍ୟକୁ ମ୍ୟାକ୍‍ମାର୍ଡ଼ୋ ଆସି ଦଳରେ ମିଶିଥିଲା ବୋଲି ସିନା !

 

ବାହାରେ ମସ୍‌ମସ୍‌ ପାଦଶବ୍ଦ ଶୁଣାଗଲା । କିଏ ଯେପରି ଆସି ପାଖ ଘରେ ବସିଲା ।

 

ମ୍ୟାକ୍‍ମାର୍ଡ଼ୋ ଫେରିଆସି ସେ ଘର ଦୁଆରମୁହଁ ପାଖରେ ପହଞ୍ଚିବା ମାତ୍ରକେ ମ୍ୟାକ୍‌ଜିଣ୍ଟି ଅତି ନିମ୍ନ ସ୍ୱରରେ ପଚାରିଲା, ‘ସେ ପାଜି ଆସିଲା ?’

 

ସେହିପରି ଧୀର ଗଳାରେ ମ୍ୟାକ୍‍ମାର୍ଡ଼ୋ ଉତ୍ତରଦେଲା, ‘‘ହଁ, ମହାମାନ୍ୟ ସର୍ଦ୍ଦାର ।’’

 

ମ୍ୟାକ୍‌ଜିଣ୍ଟିର ଉତ୍ତେଜନା ସହସ୍ର ଗୁଣ ବଢ଼ିଗଲା । ସେ ସେହି ସ୍ୱରରେ ପୁଣି ପୁଚ୍ଛାକଲା, ‘‘କାହିଁ ସେ ?’’

 

ଘରର ଆଲୁଅ ହଠାତ୍‌ ଜଳିଉଠିଲା । ମ୍ୟାକ୍‍ମାର୍ଡ଼ୋ ଘରର ଦୁଆରମୁହଁରେ ଛାତି ଫୁଲେଇ ଠିଆହୋଇ କହିଲା, ‘‘ହେଇଟି ପରା । ଆପଣମାନଙ୍କ ଚିର ଅନୁଗତ ଦାସାନୁଦାସ ବର୍ଡ଼ି ଏଡ଼ଓ୍ୟାର୍ଡ଼ ।’’

 

ଯଦି ସେହି ମୁହୂର୍ତ୍ତରେ ଘରଭିତରେ ଆକାଶ ଛିଡ଼ି ପଡ଼ି ଛିନ୍ନଛତ୍ର ହୋଇଯାଇଥାଆନ୍ତା, ତା ହେଲେ ସେମାନେ ଏତେ ଦୂର ବିସ୍ମିତ ହୋଇ ନ ଥାନ୍ତେ । ଏତେ କାଳ ଯାହାକୁ ଅତି ବିଶ୍ୱାସୀ ସଙ୍ଗୀରୂପେ ପାଇ ସେମାନେ ଗର୍ବ ଅନୁଭବ କରୁଥିଲେ, ଯେ ସେମାନଙ୍କର ସମସ୍ତ ଅଭିସନ୍ଧି ଜାଣେ–ସେହି ମ୍ୟାକ୍‍ମାର୍ଡ଼ୋ ପୁଣି ସେମାନଙ୍କର ବଡ଼ ଶତ୍ରୁ ବର୍ଡ଼ି ଏଡ଼ଓ୍ୟାର୍ଡ଼; ଆମେରିକାର ସୁପ୍ରସିଦ୍ଧ ଗୋଏନ୍ଦା । ଏହି ଅଭୂତପୂର୍ବ ବିସ୍ମୟ ଓ ଆଘାତରେ ମ୍ୟାକ୍‌ଜିଣ୍ଟି ଓ ତାର ଅନୁଚରବୃନ୍ଦ ଏତେଦୂର ହତବୁଦ୍ଧି ହୋଇଗଲେ ଯେ, କେଡ଼େ ବଡ଼ ବିପଦରେ ସେମାନେ ପଡ଼ିଅଛନ୍ତି, ସେ ଅନୁଭୂତି ଟିକକ ସେମାନଙ୍କର ଲୋପପାଇଗଲା । ମୁହୂର୍ତ୍ତକ ପରେ ଟିକିଏ ଚେତନା ଆସିଯିବାରୁ ମ୍ୟାକ୍‌ଜିଣ୍ଟି ପକେଟ୍‌ ଭିତରୁ ରିଭଲଭର କାଢ଼ିବାକୁ ଯାଇ ଦେଖିଲା, ପଛ ପାଖ ଝରକା ବାଟେ ତିନି ତିନିଟା ଦୁଇ ନଳା ବନ୍ଧୁକ ତା ମୁଣ୍ଡକୁ ଲକ୍ଷ୍ୟ କରି ଚାହିଁ ରହିଅଛି । ଆଗ ଦୁଆରମୁହଁ ପାଖରେ ସଜ୍ଜିତ ରାଇଫଲଧାରୀ ବହୁସଂଖ୍ୟକ ସୈନ୍ୟଫଉଜ ।

 

ଦୁଃଖ ଓ କ୍ଷୋଭରେ ତା ପାଟିରୁ ବାହାରିପଡ଼ିଲା, ‘‘ଅସଲ ଶିକାରୀ କୁତ୍ତା ବୋଲି ମୁଁ କାହାକୁ କହୁଥିଲି ? ଏ ତ ଗୋଟାଏ ବାରବୁଲା କୁତ୍ତୀ’’

 

ମ୍ୟାକ୍‍ମାର୍ଡ଼ୋ ହସିହସି କହିଉଠିଲା, ‘‘ବନ୍ଧୁ, ବର୍ଡ଼ି ଏଡ଼ଓ୍ୟାର୍ଡ଼ର ଅଭିନନ୍ଦନ ଗ୍ରହଣ କର । ମୁଁ ଆଉ ମ୍ୟାକ୍‍ମାର୍ଡ଼ୋ ନୁହେ । ମ୍ୟାକ୍‌ଜିଣ୍ଟି ମହାମାନ୍ୟ ସର୍ଦ୍ଦାର ମୋର, ରିଭଲଭର ତଳେ ପକାଇଦିଅ । ବୁଝିପାରୁଛ ତ, ଆଉ କୌଣସି ଚେଷ୍ଟା କରିବା ବୃଥା । ମୁଁ ଏକ, ଦୁଇ, ତିନି ଗଣିବି । ସେହି ସମୟ ମଧ୍ୟରେ ସମସ୍ତେ ରିଭଲଭର ଏହି ଟେବୁଲ ଉପରେ ରଖିଦେବ । ନ ହେଲେ ମୋତେ ହୁକୁମ ହୋଇଛି, ଏଇ ମୁହୂର୍ତ୍ତରେ ଏଠାରେ ଗୁଳିକରି ତୁମ ସମସ୍ତଙ୍କୁ ମାରିଦେବାକୁ ତିଳେ ହେଲେ ପଛେଇବି ନାହିଁ ।’’

 

‘‘ଏକ, ଦୁଇ ତିନି ।’’

 

ପୋଷା ମେଣ୍ଢାଛୁଆ ଭଳି ସେହି ଦୁର୍ଦ୍ଦାନ୍ତ ନରହତ୍ୟାକାରୀ ଡକାୟତଦଳ ଗୋଟିଗୋଟି କରି ଧୀରେଧୀରେ ଆସି ରିଭଲଭର ଟେବୁଲ ଉପରେ ରଖିଦେଇ ଗଲେ । କେତେକଟା ନିଶ୍ଚିତ ମୃତ୍ୟୁ ଭୟରେ ଏବଂ କେତେକ ପରିମାଣରେ ସେହି ଅସାଧାରଣ କୌଶଳୀ ଡିକେଟ୍‌ଟିଭ କଥା ମନେ ପକାଇ ସେମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ । ସେମାନେ ଭାବିପାରୁ ନ ଥିଲେ, ଯେଉଁ ଲୋକ ଏପରି ଭାବରେ ସେମାନଙ୍କୁ ପରାସ୍ତ କଲା, ସେ ସେମାନଙ୍କଠାରୁ କେତେ ବେଶୀ ଶକ୍ତିଶାଳୀ ।

 

ସୈନ୍ୟମାନେ ଆସି ଜଣଜଣ କରି ସମସ୍ତଙ୍କ ହାତରେ ହାତକଡ଼ା ଲଗାଇଦେଇଗଲେ ।

 

ବାହାରେ ପୋଲିସ ମଟର ଅପେକ୍ଷା କରିଥିଲା । ଶୃଙ୍ଖଳାବଦ୍ଧ ଅବସ୍ଥାରେ ମ୍ୟାକ୍‌ଜିଣ୍ଟି ଓ ତାର ଅନୁଚରମାନେ ଜଣ ଜଣ ହୋଇ ସେହି ଗାଡ଼ିଭିତରେ ପଶିଲେ ।

 

ପୋଲିସ ଫଉଜର ଅଧ୍ୟକ୍ଷ ଇନ୍‌ସପେକ୍ଟର ମାର୍ଭିନଙ୍କୁ ଚାହିଁ ବର୍ଡ଼ି ଏଡ଼ଓ୍ୟାର୍ଡ଼ କହିଲେ, ‘‘ଏଥରକ ଆପଣଙ୍କ ପାଳି । ବନ୍ଧୁମାନଙ୍କୁ ଉପଯୁକ୍ତ ସମ୍ବର୍ଦ୍ଧନା କରିବାକୁ ଭୁଲିବେ ନାହିଁ ।’’

 

ମ୍ୟାକ୍‍ଜିଣ୍ଟି କୁ ଶୁଣାଇ ସେ ପୁଣି ହସିହସି କହି ଉଠିଲେ, ‘‘ତା ହେଲେ ଭୂତପୂର୍ବ ସର୍ଦ୍ଦାର ମହାଶୟ, ଆପଣଙ୍କ ପରେ ହିଁ ଯମଦୂତ ଦଳର ଶୂନ୍ୟ ଆସନ ମୋର ପ୍ରାପ୍ୟ, ନୁହେଁ ?’’

 

ମଟରଗାଡ଼ିର ଘର୍ଘର ଶବ୍ଦରେ ସେ ଅଟ୍ଟହାସ୍ୟ ଲୀନ ହୋଇଗଲା ।

 

ସେହି ଉପତ୍ୟକା ଅଞ୍ଚଳର ଲୋକ ଯେତେବଳେ ଏହି ସମ୍ବାଦ ପାଇଲେ, ସେତେବେଳେ ସେମାନେ ଆନନ୍ଦରେ ପାଗଳପ୍ରାୟ ହୋଇଗଲେ । ବର୍ଡ଼ି ଏଡ଼ଓ୍ୟାର୍ଡ଼ଙ୍କୁ ଦେଖିବା ପାଇଁ ଚାରି ଦିଗରୁ ଜନତା ଧାଇଁ ଆସିଲେ–ଦେଖାପାଇଲେ ତାଙ୍କ ପାଦତଳେ ଲୋଟିଯିବେ; ତାଙ୍କୁ କାନ୍ଧରେ ବସାଇ ଧେଇଧେଇ ନାଚିପକାଇବେ ।

 

କିନ୍ତୁ ସେହି ଅସାଧାରଣ ସାହସୀ ବହୁରୂପୀ ସେତେବେଳକୁ ହୁଏ ତ ଆଉ କୌଣସି ଛଦ୍ମ ବେଶରେ କୁଆଡ଼େ ଲୁଚିଯାଇଥିଲେ–ଲୋକେ ଆଉ ତାଙ୍କର ସନ୍ଧାନ ପାଇଲେ ନାହିଁ ।

 

ଶେଷ ନା ଆରମ୍ଭ ?

 

ଆଉ କହିବା ପାଇଁ ବେଶୀ କିଛି କଥା ନାହିଁ । ଏଟ୍ଟି ଖଣ୍ଡିଏ କ୍ଷୁଦ୍ର ଚିଠି ପାଇ ରେଳଷ୍ଟସନକୁ ଯାଇ ଆଗରୁ ଅପେକ୍ଷା କରିଥିଲେ । ବର୍ଡ଼ି ଏଡ଼ଓ୍ୟାର୍ଡ଼ ସେଠାରେ ପହଞ୍ଚିଯିବା ସଙ୍ଗେସଙ୍ଗେ ସ୍ପେଶାଲଟ୍ରେନଟି ଦ୍ରୁତ ଗତିରେ ସେ ଅଞ୍ଚଳ ଛାଡ଼ି ଚାଲିଗଲା । ଏହି ଟ୍ରେନଟିକୁ ରେଳକମ୍ପାନୀ ଖାସ ଏଇ ଦୁଇ ଜଣକ ପାଇଁ ସ୍ୱତନ୍ତ୍ରଭାବରେ ଯୋଗାଇ ଦେଇଥିଲା । ଦଶ ଦିନ ପରେ ଚିକାଗୋ ସହରରେ ଏଟ୍ଟି ଓ ବର୍ଡ଼ି ଏଡ଼ଓ୍ୟାର୍ଡ଼ଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଲା । ବିବାହର ସାକ୍ଷୀ ରହିଲେ ବୃଦ୍ଧ ଶାଫଟର ।

 

ଯମଦୂତ ଦଳର ବିଚାର ତାଙ୍କ ଲୀଳା ଭୂମିର ବହୁ ଦୂରରେ ଆଉ ଏକ ଜିଲାର ହେଡ଼କ୍ୱାଟରରେ ହୋଇଥିଲା । ଦଳପକ୍ଷରୁ ଅଜସ୍ର ଅର୍ଥଶ୍ରାଦ୍ଧ କରାଗଲା । ମାତ୍ର ସବୁ ବୃଥା । ଆସାମୀପକ୍ଷ ସମର୍ଥନକାରୀ ଓକିଲ ବାରିଷ୍ଟରମାନଙ୍କ ସମସ୍ତ ଯୁକ୍ତି ଓ କୌଶଳ ବ୍ୟର୍ଥ ହେଲା । ଯମଦୂତ ଦଳର ସଂଗଠନ, ହତ୍ୟା, ଲୁଟ ଇତ୍ୟାଦି ସବୁ କଥା ଯାହାର ନଖଦର୍ପଣରେ, ସେହି ବର୍ଡ଼ି ଏଡ଼ଓ୍ୟାର୍ଡ଼ଙ୍କ ଜବାନବନ୍ଦୀରେ ଅଦାଲତ ଅବିଶ୍ୱାସ କରିପାରିଲା ନାହିଁ ।

 

ମହାମାନ୍ୟ ସର୍ଦ୍ଦାର ମ୍ୟାକ୍‍ଜିଣ୍ଟି ଫାଶିକାଠରେ ଝୁଲିଲା । ଅନ୍ୟ ଆଠ ଜଣ ପ୍ରଧାନ ସଭ୍ୟଙ୍କର ମଧ୍ୟ ସେହି ଦଶା ହେଲା । ପଚାଶ ଜଣ ପର୍ଯ୍ୟନ୍ତ ସଭ୍ୟ ଦୀର୍ଘ କାରାଦଣ୍ଡ ଭୋଗିଲେ । ବର୍ଡ଼ି ଏଡ଼ଓ୍ୟାର୍ଡ଼ଙ୍କ କାର୍ଯ୍ୟ ଶେଷ ହେଲା ।

 

କିନ୍ତୁ ଏହା ଶେଷ ନୁହେଁ । ଅନ୍ୟ ଏକ ଖେଳର ଆରମ୍ଭ ମାତ୍ର । ଯମଦୂତ ଦଳ ପୃଥିବୀରୁ ଲୋପ ପାଇଲେ ନାହିଁ । ଟେଡ଼ି ବଲ୍‌ଡ଼ୁଇନ ଓ ଆଉ କେତେ ଜଣ ଫାଶିକାଠକୁ ଫାଙ୍କି ଦେଇଥିଲେ-। ସେମାନଙ୍କୁ ଦଶ ବର୍ଷ ଜେଲଦଣ୍ଡ ମିଳିଥିଲା । ତା ପରେ ସେମାନେ ପଦାକୁ ଆସିଲେ । ବର୍ଡ଼ି ଏଡ଼ଓ୍ୟାର୍ଡ଼ ସେମାନଙ୍କୁ ଭଲରୂପେ ଚିହ୍ନନ୍ତି । ବିଚାରବେଳେ ମ୍ୟାକ୍‌ଜିଣ୍ଟି କହିଥିଲା, ‘‘ଏହାର ପ୍ରତିଶୋଧ ଯେଉଁ ଦିନ ହେଲେ ନିଆଯିବ ।’’ ଏ କଥା ସେ ଭୁଲି ନ ଥିଲେ ।

 

ଟେଡ଼ି ବଲ୍‌ଡୁଇନ ଶପଥ ନେଇ ପ୍ରତିଜ୍ଞା କରିଥିଲା, ‘‘ଯାହା ଲାଗି ଦଳର ସର୍ଦ୍ଦାର ଫାଶିକାଠରେ ଝୁଲିଲା, ତାରି ରକ୍ତତର୍ପଣରେ ସର୍ଦ୍ଦାରର ଆତ୍ମାକୁ ଶାନ୍ତ କରିବି ।’’ ଜେଲରୁ ଆସି ସେ ସେହି ଉଦ୍ୟମରେ ଲାଗିପଡ଼ିଲା ।

 

ଚିକାଗୋ ସହରରେ ବର୍ଡ଼ି ଏଡ଼ଓ୍ୟାର୍ଡ଼ଙ୍କ ଉପରେ ଦୁଇ ଥର ସେମାନେ ଆକ୍ରମଣ କରିଥିଲେ । ସୌଭାଗ୍ୟକୁ ଏଡ଼ଓ୍ୟାର୍ଡ଼ ସେଥିରୁ ବର୍ତ୍ତିଗଲେ । ତା ପରେ ସେ ସେଠାରେ ରହିବା ନିରାପଦ ମନେ କଲେ ନାହିଁ । ଚିକାଗୋ ସହର ଛାଡ଼ି କାଲିଫର୍ଣ୍ଣିଆ ପଳାଇଲେ । ସେଠାରେ ମଧ୍ୟ ତ୍ରାହି ମିଳିଲା ନାହିଁ । ତା ପରେ ସେ ନିଜ ନାମ ରଖିଲେ ଡଗଲାସ ଏବଂ ଗୋଟିଏ ଅନୁନ୍ନତ ଓ ଅଜ୍ଞାନ ମଫସଲ ଗ୍ରାମରେ ବାସ କଲେ । ସେଠାରେ ବି ଯମଦୂତ ଦଳ ତାଙ୍କ ପିଛା ଧଇଲେ ଓ ତାଙ୍କୁ ମାରିପକାଇବାକୁ ନାନା ଷଡ଼ଯନ୍ତ୍ର କଲେ ।

 

ସେଠାରେ ମଧ୍ୟ ବର୍ଡ଼ି ଏଡ଼ଓ୍ୟାର୍ଡ଼ ବିବ୍ରତ ହୋଇ ଶେଷକୁ ଇଂଲଣ୍ଡ ପଳାଇ ଆସିଲେ । ଇଂଲଣ୍ଡର ଏକ ପଲ୍ଲୀ ଅଞ୍ଚଳରେ ପୁଣି ନାମ ବଦଳାଇ ବ୍ୟବସାୟ କଲେ ଓ ଶିକ୍ଷିତ ସମାଜରେ ଯୋଗ୍ୟଆସନ ପାଇଲେ । ସେହିଠାରେ ହିଁ ଯମଦୂତ ଦଳ ନିଜ ଉଦ୍ୟମର ସଫଳତା ହାସଲ କରିଥିଲେ ।

 

ସଫଳତା ହାସଲ କରିଥିଲେ କି ? ତାହା ଆଉ ଏକ ପୁରାଣ । ସେଥିପାଇଁ ଏ ପୁସ୍ତକର ଦ୍ୱିତୀୟ ଖଣ୍ଡ ଦରକାର ।

Image